ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ତ୍ୱରାନ୍ୱିତ ହୋଇଥିବା ରାଜ୍ୟର ଶିଳ୍ପାୟନ ପ୍ରକ୍ରିୟାକୁ ଲାଗିଛି ଶକ୍ତ ଧକ୍କା। ଶିଳ୍ପ ବିଭାଗ ଓ ଇଡକୋର ଅଧିକାରୀମାନଙ୍କ ଲାଞ୍ଚଖୋର ମନୋବୃର୍ତ୍ତି ବେପରୁଆ ଢଙ୍ଗରୁ ଢେଙ୍କାନାଳରେ ସୌର ବିଦ୍ୟୁତ୍ ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରିଥିବା ୱାରି ଏନର୍ଜିଜ୍ ଓଡ଼ିଶା ପ୍ରକଳ୍ପରୁ ଓହରିଯାଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି। ପ୍ରକଳ୍ପ କାର୍ଯ୍ୟକାରିତାରେ ବିଳମ୍ବ ହେଉଥିବା ଦର୍ଶାଇ କମ୍ପାନୀ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ବିଜେପି ସରକାର ରାଜ୍ୟରେ ପ୍ରଥମ ବର୍ଷ ପୂର୍ତ୍ତି କରିଥିବା ସମୟରେ ୱାରି ଏନର୍ଜିଜ୍ ପ୍ରସ୍ତାବିତ ପ୍ରକଳ୍ପରୁ ଓହରିଯିବା ରାଜ୍ୟ ପାଇଁ ଶୁଭ ସଙ୍କେତ ନୁହେଁ ବୋଲି କୁହାଯାଉଛି।
ସରକାର ଜମି ଯୋଗାଇ ଦେଇନଥିବା କମ୍ପାନୀ ପକ୍ଷରୁ ଅଭିଯୋଗ ହେଉଥିବା କୁହାଯାଉଛି। ଏବେ ଏହି କମ୍ପାନୀ ଗୁଜରାଟ ଓ ତାମିଲନାଡୁରେ ପୁଞ୍ଜିନିବେଶ ପାଇଁ ମୁହାଁଇଥିବା କୁହାଯାଉଛି। ପୂର୍ବରୁ ମଧ୍ୟ ଗତ ବର୍ଷକ ମଧ୍ୟରେ ବହୁ କମ୍ପାନୀ ଓଡ଼ିଶାରୁ ଓହରିଯାଇଛନ୍ତି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଇଡକୋ ଅଧିକାରୀ ଭୂପିନ୍ଦର ସିଂହ ପୁନିଆ ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ଛତ୍ରଛାୟାରେ ରହି ରାଜ୍ୟରେ ଶିଳ୍ପପ୍ରତିଷ୍ଠା କରିବାକୁ ଆସୁଥିବା ଉଦ୍ୟୋଗୀମାନଙ୍କଠାରୁ ବ୍ୟାପକ ଅର୍ଥ ଦାବି କରୁଛନକ୍ତି ବୋଲି ଅସ୍ମିତ କୁମାର ପଣ୍ଡା ନାମକ ଜଣେ ବ୍ୟକ୍ତି ୧୯ ଏପ୍ରିଲ ୨୦୨୫ରେ ଚିଠି ଲେଖି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଜଣାଇଥିଲେ। ଇତି ମଧ୍ୟରେ ଦୁଇ ମାସ ବିତି ଯାଇଥିଲେ ହେଁ ମୁଖ୍ୟମନ୍ତ୍ରୀ ଏହି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପରିବର୍ତ୍ତେ ସେମାନଙ୍କ କଥାରେ ପରିଚାଳିତ ହେଉଛନ୍ତି। ଫଳରେ ରାଜ୍ୟରୁ ୱାରି ଭଳି ପ୍ରକଳ୍ପ ହାତଛଡ଼ା ହୋଇଛି।
କେବଳ ୱାରି ନୁହେଁ କଗ୍ନିଜାଣ୍ଟ ଟେକ୍ନୋଲୋଜି ସଲ୍ୟୁସନ୍ସ ଓଡ଼ିଶାରେ ସର୍ବବୃହତ୍ ସଫ୍ଟୱେୟାର ପାର୍କ କରିବ ବୋଲି ବୁଝାମଣାପତ୍ର ସ୍ୱାକ୍ଷରବେଳେ କହିଥିଲା। ଏହାପରେ କଗ୍ନିଜାଣ୍ଟ ଟେକ୍ନୋଲୋଜି ସଲ୍ୟୁସନ୍ସର ସିଇଓ ରବି କୁମାର ଏସ୍ ପ୍ରବାସୀ ଭାରତୀୟ ସମ୍ମେଳନୀ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ସମ୍ମାନୀତ ହୋଇଥିଲେ। ସେହି କମ୍ପାନୀ ସରକାର ସହଯୋଗ କରୁନଥବାରୁ ବିଶାଖାପଟଣାରେ ଏକ ନୂତନ କ୍ୟାମ୍ପସ୍ ନିର୍ମାଣ ପାଇଁ ୧୫.୮୨ ବିଲିୟନ ଟଙ୍କା ବିନିଯୋଗ କରିବ ବୋଲି ଶୁକ୍ରବାର ଘୋଷଣା କରିଛି। ଏହାଦ୍ୱାରା ୮୦୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ। ଆନ୍ଧ୍ରପ୍ରଦେଶ ସରକାରଙ୍କ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି ଯେ ବାଣିଜ୍ୟିକ କାର୍ଯ୍ୟ ମାର୍ଚ୍ଚ ୨୦୨୯ରେ ଆରମ୍ଭ ହେବ।
ଢେଙ୍କାନାଳରେ ସୌର ବିଦ୍ୟୁତ୍ ପ୍ରକଳ୍ପ ପାଇଁ ୨୫ ହଜାର କୋଟିର ପୁଞ୍ଜିନିବେଶ କରିବାକୁ ୱାରି ଏନର୍ଜିକୁ ଗତ ୨୦୨୩ ଏପ୍ରିଲରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚକ୍ଷମତା ସମ୍ପନ୍ନ କମିଟି ବୈଠକରେ ଅନୁମୋଦନ ମିଳିଥିଲା । ପରେ ବିଜେପି ସରକାର ଅମଳରେ ଗତ ୨୦୨୪ ଡିସେମ୍ବରରେ ଏହି ପ୍ରକଳ୍ପ ପାଇଁ ଭୂମିପୂଜନ ହୋଇଥିଲା। କିନ୍ତୁ ରାଜ୍ୟ ସରକାର ଏହି ପ୍ରକଳ୍ପକୁ ଆଗେଇ ନେବାକୁ ଆବଶ୍ୟକ ସହଯୋଗ ଶିଳ୍ପ ବିଭାଗ ଯୋଗାଇ ଦେଇନଥିବା ଅଭିଯୋଗ ହୋଇଛି।
ଗତ ଦୁଇଦିନ ହେଲା ବିଭିନ୍ନ ଜାତୀୟ ସ୍ତରର ଗଣମାଧ୍ୟମରେ ପ୍ରକାଶିତ ଖବରରେ କମ୍ପାନୀର ସିଇଓ ଓ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ଡ. ଅମିତ୍ ପୈଠାନ୍କର ଏପରି ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ସତ କିନ୍ତୁ ସତ କହିବାକୁ କୁଣ୍ଠାବୋଧ କରିଛନ୍ତି। ସେ କହିଛନ୍ତି ଯେ ଓଡ଼ିଶାରେ ପ୍ରତିଷ୍ଠା ହେବାକୁ ଥିବା ୬ ଗିଗାଓ୍ୱାଟ୍ କ୍ଷମତାବିଶିଷ୍ଟ ସମନ୍ୱିତ ସୌର ଶକ୍ତି ପ୍ରକଳ୍ପ ପାଇଁ ଲୋକେସନ୍ରେ କେତେଗୁଡ଼ିଏ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ହୋଇଛି। ଏନେଇ ହୋଇଥିବା ସଂଶୋଧିତ ନିଷ୍ପତ୍ତି ଅନୁସାରେ, ୬ ଗିଗାୱାଟ୍ କ୍ଷମତାସମ୍ପନ୍ନ ପ୍ରକଳ୍ପ ମଧ୍ୟରୁ ଗୁଜରାଟର ସମାଖିଆଲିରେ ୩ ଗିଗାଓ୍ୱାଟ୍ ଓ ଅନ୍ୟ ୩ ଗିଗାୱାଟ୍ କ୍ଷମତାସମ୍ପନ୍ନ ପ୍ରକଳ୍ପ ପାଇଁ ତାମିଲନାଡୁ କିମ୍ବା ଗୁଜରାଟର ଏକ ସ୍ଥାନ ସନ୍ଧାନ କରାଯାଉଛି। ସେହିପରି ୬ ଗିଗାଓ୍ୱାଟ୍ କ୍ଷମତାବିଶିଷ୍ଟ ଇଗ୍ନୋଟ୍ ଓ ଓ୍ୱାଫର୍ସ ପ୍ଲାଣ୍ଟ୍ ମହାରାଷ୍ଟ୍ରର ନାଗପୁରଠାରେ ପ୍ରତିଷ୍ଠା କରାଯିବା ସକାଶେ ନିଷ୍ପତ୍ତି ହୋଇଛି।
ଏକଥା କହୁଥିଲେ ହେ ଗତ ୨୦ ତାରିଖରେ ୱାରି ପକ୍ଷରୁ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜକୁ ଚିଠି ଲେଖି ଜଣାଇଛନ୍ତି। ଏଥିରେ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଢେଙ୍କାନାଳରେ ସୌର ବିଦ୍ୟୁତ୍ ପ୍ରକଳ୍ପ ବିଳମ୍ବ ହୋଇଥିବାରୁ କମ୍ପାନୀ ଏଥିରୁ ଓହରି ଯାଇଛି।
Also readhttps://purvapaksa.com/odisha-is-a-state-of-mass-rape-in-the-eyes-of-the-world-yet-mohan-is-silent/
