ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ । ଏକା ସାଙ୍ଗରେ ୨ଟି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ ସୃଷ୍ଟି ହୋଇଛି । ୨୪ ଘଣ୍ଟାରେ ଆହୁରି ଘନୀଭୂତ ହେବା ସମ୍ଭାବନା ରହିଛି ।
ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସମୁଦ୍ର ପତନ ଠାରୁ ବାୟୁମଣ୍ଡଳର ୩.୧ କିମିରୁ ୭.୬ କିମି ମଧ୍ୟରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ୨୪ ଘଣ୍ଟା ମଧ୍ୟରେ ଓଡ଼ିଶା ସମେତ ଛତିଶଗର କିଛି ଅଞ୍ଚଳକୁ ମୌସୁମୀ ଅଗ୍ରସର ହେବାକୁ ପାଗ ଅନୁକୂଳ ରହିଛି । ଏହାର ପ୍ରଭାବରେ ରାଜ୍ୟରେ ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି । ସୋମବାର ଚାନ୍ଦବାଲିରେ ସର୍ବାଧିକ ୪୭.୪ ମିମି ବର୍ଷା ହୋଇଥିବାବେଳେ ରାଉରକେଲାରେ ୩୫.୮ ମିମି, ଝାରସୁଗୁଡ଼ା ୨୮.୬ ମିମି, ଭଦ୍ରକ ୧୯.୧ ମିମି, କେନ୍ଦୁଝର ୧୫.୬ ମିମି, ବରଗଡ଼ ୧୩.୭ ମିମି, ଯାଜପୁର ୮.୫ ମିମି, ବାଲେଶ୍ୱର ୮.୨ ମିମି ଏବଂ ଦାରିଙ୍ଗିବାଡିରେ ୨.୦ ମିମି ବର୍ଷା ରେକର୍ଡ ହୋଇଛି ।
ସେହିପରି ମଙ୍ଗଳବାର କଳାହାଣ୍ଡି, କଟକ ଓ ଜଗତସିଂହପୁର ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ସହ ଘଣ୍ଟାପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ଝଟକା ପବନ ବହିବାର ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏଥିପାଇଁ ଏସବୁ ଜିଲାକୁ ବିଭାଗ ପକ୍ଷରୁ ଅରେଞ୍ଜ ଓ୍ୱାର୍ନିଂ ଜାରି କରାଯାଇଛି । ସେହିପରି ପ୍ରବଳ ବର୍ଷା ନେଇ ୧୭ ଜିଲାକୁ ୟେଲୋ ଓ୍ୱାର୍ନିଂ ରହିଛି । ଏହି ସବୁ ଜିଲ୍ଲା ମଧ୍ୟରେ କେନ୍ଦ୍ରାପଡ଼ା, ପୁରୀ, ଖୋର୍ଦ୍ଧା, ନୟାଗଡ଼, ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରି ରହିଛି । ରାଜ୍ୟର ପ୍ରାୟ ୨୭ ଜିଲାକୁ ବଜ୍ରପାତ ନେଇ ୟେଲୋ ଓ୍ୱାର୍ନିଂ ରହିଛି।
ଘୂର୍ଣ୍ଣିବଳୟ ପ୍ରଭାବରେ ମଙ୍ଗଳବାର ସକାଳେ ଏହା ଅଧିକ ସ୍ପଷ୍ଟ ହେବା ସହିତ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରିବାର ସମ୍ଭାବନା ରହିଛି । ଜୁନ୍ ୧୯ ପର୍ଯ୍ୟନ୍ତ ବର୍ଷା ଜାରି ରହିବାର ସମ୍ଭାବନା ରହିଛି, ବିଚ୍ଛିନ୍ନ ଅଞ୍ଚଳରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଏବଂ ପ୍ରବଳ ପବନ ଯୋଗୁଁ ଉପୁଜିଥିବା ଯେକୌଣସି ପରିସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ କର୍ତ୍ତୃପକ୍ଷଙ୍କୁ କୁହାଯାଇଛି ।
ALSO READ https://purvapaksa.com/a-mullah-from-india-has-been-in-a-50-year-long-fight-in-iran/
