ନିର୍ବାଚନ ରାଜନୀତିରେ ସଫଳ ହେବାକୁ ହେଲେ ସୁଭଦ୍ରା ରୂପୀ ମତଦାତାମାନଙ୍କୁ ନିଜ ପଟକୁ ଆଣିବାକୁ ରାଜ୍ୟର ଶାସକ ବିଜେପି ଓ ମୁଖ୍ୟ ବିରୋଧିଦଳ ବିଜେଡି ମଧ୍ୟରେ ବଳ କଷାକଷି ଆରମ୍ଭ ହୋଇଛି । ଦୁଇଟି ଯାକ ରାଜନୈତିକ ଦଳ ଗୋଟିଏ ଦିନରେ ପାଖାପାଖି ଜିଲ୍ଲାରେ ମହିଳାଙ୍କୁ ନେଇ ନିଜର ଶକ୍ତି ପ୍ରଦର୍ଶନ କରିବାପରେ ଏହା ସ୍ପଷ୍ଟ ହୋଇଛି । ବିଜେପି ତାହାର ବର୍ଷପୂର୍ତ୍ତି ଅବସରରେ ଗତ ଶୁକ୍ରବାର କଟକ ବାଲିଯାତ୍ରା ପଡ଼ିଆରେ କରିଥିଲା ନାରୀ ଶକ୍ତି ସମାବେଶ । ଏହି ସମାବେଶରେ ହଜାର ହଜାର ମହିଳା ଯୋଗ ଦେଇଥିଲେ । ସମାବେଶ ପଛର ମୁଖ୍ୟ କାରଣ ହେଲା ସୁଭଦ୍ରା ଯୋଜନାର ହିତାଧିକାରୀରୂପୀ ମତଦାତାମାନଙ୍କୁ ଏକାଠି କରି ନିଜ ପାଖରେ ରଖିବା ।
ସେହି ମତଦାତାମାନଙ୍କୁ ନେଇ ଆଗାମୀ ଦିନରେ କେଉଁଭଳି ନୂଆ ଯୋଜନା କରିହେବ ତାହାର ଖସଡ଼ା ପ୍ରସ୍ତୁତ କରିବା । ଏହି ସମାବେଶକୁ ସଫଳ କରିବାପାଇଁ ବିଜେପି ସବୁ ପ୍ରକାର ବନ୍ଦୋବସ୍ତ କରିଥିଲା । ମହିଳାମାନେ ବି ନୂଆ ସରକାରର ନୂଆ ଯୋଜନା ପ୍ରତି ଆକୃଷ୍ଟ ହୋଇ ଆସିଥିଲେ । ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ସମସ୍ତେ ସେମାନଙ୍କ ସହିତ ଛିଡ଼ା ହୋଇଥିଲେ ।
ବିଜେପି ମହିଳା ସମାବେଶକୁ କାଉଣ୍ଟର କରିବାକୁ ବିଜେଡି ଯାଜପୁରରେ ଆୟୋଜିତ କରିଥିଲା ଜନଜାଗରଣ ମହିଳା ସମାବେଶ । ଏଥିରେ ବି ବିଜେଡି ଲାଇନରେ ଥିବା ସୁଭଦ୍ରାମାନେ ଏକାଠି ହୋଇଥିଲେ । ତେବେ ସରକାରୀ ସମାବେଶ ତୁଳନାରେ ଏହା ଟିକେ ପଛରେ ପଡ଼ିଥିଲା । କାରଣ ବିଜେଡିର ମହିଳା ସମାବେଶରେ ସବୁତକ ହାରୁନେତାଙ୍କ ଭାଷଣ ଶୁଣିବାକୁ ମହିଳମାନଙ୍କର ସେତେଟା ଆଗ୍ରହ ପରିଲକ୍ଷିତ ହୋଇନଥିଲା ।
ତେବେ ସମାବେଶ ପଛର ଗୋଟିଏ ପ୍ରମୁଖ କାରଣ ଥିଲା ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ପରେ ମହିଳା ଶକ୍ତି ଯେଭଳି ଭାବେ ବିଜେପିମୁହାଁ ହୋଇଛନ୍ତି, ସେଥିରେ କୌଣସି ପ୍ରକାରେ ବ୍ରେକ୍ ଲଗାଇବା । ତେବେ ଦୁଇ ଦଳର ଏଭଳି ବଳ କଷାକଷି ଭିତରେ ରାଜ୍ୟରେ ଥିବା ଲକ୍ଷାଧିକ ସ୍ଵୟଂ ସହାୟିକା ମହିଳା ଏବେ ଏକପ୍ରକାର ଫସିଯାଇଛନ୍ତି । କାରଣ ବିଜେଡି ସରକାର ସମୟରେ ଦୀର୍ଘଦିନ ଧରି ମିଶନ ଶକ୍ତି ନାଁରେ ମହିଳାମାନେ ସଶକ୍ତ ହୋଇଥିବାବେଳେ ଏବେ ସୁଭଦ୍ରା ଯୋଜନାର ଲୋଭ ସେମାନଙ୍କୁ ବିଜେପିମୁହାଁ କରିଛି ।
ତେଣୁ ଗୋଟିଏ ଦିନରେ ପାଖାପାଖି ଦୁଇଟି ଜିଲ୍ଲାରେ ବିଶାଳ ସମାବେଶ ହେଉଥିବାବେଳେ ସେମାନେ କେଉଁଠାକୁ ଯିବେ, ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଥିଲେ । ଉଲ୍ଲେଖନୀୟ ଯେ ମିଶନ ଶକ୍ତି କାର୍ଯ୍ୟକାରୀ ପରେ ରାଜ୍ୟରେ ୭୦ ଲକ୍ଷ ମହିଳା ଏଥିରେ ସାମିଲ ହୋଇଥିବାବେଳେ ସୁଭଦ୍ରା ଯୋଜନାରେ ଏକ କୋଟିରୁ ଅଧିକ ମହିଳା ଯୋଡ଼ି ହୋଇସାରିଛନ୍ତି । ଅର୍ଥାତ୍ ମିଶନ ଶକ୍ତିର ମହିଳାଙ୍କ ସଂଖ୍ୟାଠାରୁ ଅଧିକ ୩୦ ଲକ୍ଷ ସିଧାସଳଖ ସୁଭଦ୍ରା ଯୋଜନାରେ ସାମିଲ ହୋଇ ଅଦ୍ୟାବଧି ଦୁଇଟି କିସ୍ତିରେ ୧୦ ହଜାର ଟଙ୍କା ଲେଖାଏଁ ପାଇସାରିଲେଣି। ନଗଦ ଟଙ୍କାର ଆକର୍ଷଣ ସେମାନଙ୍କୁ ପଦ୍ମମୁହାଁ କରିଥିବାବେଳେ ଏହାକୁ ନେଇ ବିଜେଡି ଚିନ୍ତାରେ ପଡ଼ିଛି।
କାରଣ ବିଜେଡିର ବିଜୟ ପଛର ଅସଲ ସାରଥୀ ଥିଲେ ମହିଳା ଶକ୍ତି । ସେମାନଙ୍କ ଭୋଟରେ ଏକାଧିକ ବାର ଓଡ଼ିଶାର କ୍ଷମତା ଚୌକୀରେ ବସିଥିବା ବିଜେଡି ମହିଳା ଶକ୍ତିଙ୍କୁ ହାତରୁ ଛାଡ଼ିବାକୁ ରାଜି ନୁହେଁ। ତେବେ ରାଜ୍ୟରେ ଦୁଇ ପ୍ରମୁଖ ଦଳ ସୁଭଦ୍ରାମାନଙ୍କୁ ନେଇ ବଳ କଷାକଷି ହେଉଥିବାବେଳେ ଅନ୍ୟତମ ଜାତୀୟ ଦଳ କଂଗ୍ରେସ କିନ୍ତୁ ଏ କ୍ଷେତ୍ରରେ ପଛରେ ପଡ଼ି କେବଳ ଲଢ଼େଇ ଦେଖୁଛି। ଦଳର ମହିଳା ଶାଖା ସୁଦୃଢ଼ ହୋଇପାରିନଥିବାବେଳେ କଂଗ୍ରେସ ବି ମହିଳାମାନଙ୍କ ନିକଟକୁ ଯିବାକୁ ସେଭଳି କୌଣସି ଯୋଜନା କରିନାହିଁ। ତେଣୁ ରାଜ୍ୟର କୋଟିଏ ସୁଭଦ୍ରାଙ୍କୁ ନେଇ ଶାସକ ବିଜେପି ଓ ବିରୋଧୀ ବିଜେଡି ମଧ୍ୟରେ ଯେଉଁ ଖେଳ ଆରମ୍ଭ ହୋଇଛି, ତାହା ଆଗାମୀ ଦିନରେ ଆହୁରି ରୋଚକ ହେବ ବୋଲି ରାଜନୈତିକ ବିଶ୍ଳେଷକମାନେ ମତ ଦେଉଛନ୍ତି।
ALSO READ https://purvapaksa.com/why-has-america-sanctioned-israel-to-destroy-iran/