ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର କାରଣ ଖୋଜିବା ପାଇଁ ତଦନ୍ତକାରୀ ଅଧିକାରୀମାନେ ଏବେ ଜୋରଦାର ତନାଘନା ଚଳାଇ ଛନ୍ତି। ଏହା ଦଶନ୍ଧି ମଧ୍ୟରେ ଭାରତର ସବୁଠାରୁ ଖରାପ ବିମାନ ଦୁର୍ଘଟଣା ମଧ୍ୟରୁ ଗୋଟିଏ ବୋଲି କୁହାଯାଉଛି। ଗୁରୁବାର ଉଡ଼ାଣ ଭରିବାର କିଛି ମିନିଟ୍ ପରେ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିଲା। ଏହାର ତଦନ୍ତ ଭାରତ ଆରମ୍ଭ କରିଛି। ଏହି ଦୁର୍ଘଟଣାରେ ବିମାନରେ ଥିବା ସମସ୍ତ ୨୪୨ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ମଧ୍ୟରୁ ଜଣକ ବ୍ୟତୀତ ସମସ୍ତେ ପ୍ରାଣ ହରାଇଥିଲେ। ତଦନ୍ତ ଜାରି ରହିଥିବା ବେଳେ, ଅନେକ ବିଶେଷଜ୍ଞ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାର ସମ୍ଭାବ୍ୟ କାରଣଗୁଡ଼ିକ ବିଚାର କରିଛନ୍ତି। ଦୁର୍ଘଟଣାର ପ୍ରାରମ୍ଭିକ ପ୍ରମାଣ, ଭିଡିଓ ଏବଂ ଫଟୋଗ୍ରାଫ୍ ବିଶ୍ଳେଷଣ କରିବା ପରେ ସେମାନେ ୪ ଟି କାରଣ ବାହାର କରିଛନ୍ତି।
୧. ଫ୍ଲାପ୍ ସ୍ଥିତି, ଯଥେଷ୍ଟ ଜୋର ନୁହେଁ
ଆମେରିକୀୟ ବିଶେଷଜ୍ଞମାନେ କହିଛନ୍ତି ଯେ ଅହମ୍ମଦାବାଦରେ ଦୁର୍ଘଟଣାରେ ଜଡିତ ବିମାନଟି “ସଠିକ୍ ଭାବରେ ବ୍ୟବସ୍ଥିତ” ନଥିଲା ଏବଂ ଦୁର୍ଘଟଣାଟି ପ୍ରଥମ ନଜରରେ ଏହା ଆଶ୍ଚର୍ଯ୍ୟଜନକ ଲାଗୁଛି । ଦୁର୍ଘଟଣାର ଭିଡିଓ ଏବଂ ଫଟୋଗୁଡ଼ିକ ବିଶ୍ଳେଷଣ କରି, ବିମାନ ସୁରକ୍ଷା ପରାମର୍ଶଦାତା ଜନ୍ ଏମ୍ କକ୍ସ କହିଛନ୍ତି ଯେ ଉଡ଼ାଣର ଅସ୍ପଷ୍ଟ ଚିତ୍ରଗୁଡ଼ିକ ସୂଚାଇ ଦେଉଛି ଯେ ତଦନ୍ତର ଏକ କ୍ଷେତ୍ର ହୋଇପାରେ ଯେ ବିମାନଟି ଟେକଅଫ୍ କରିବା ସମୟରେ ସ୍ଲାଟ୍ ଏବଂ ଫ୍ଲାପ୍ ସଠିକ୍ ସ୍ଥିତିରେ ଥିଲା କି ନାହିଁ? “ଏହା କହିବା କଷ୍ଟକର, କିନ୍ତୁ ପଛ ପାଖରୁ ବିମାନକୁ ଦେଖିଲେ, ଏହା ଦେଖାଯାଉନାହିଁ ଯେ ପଛ ପାର୍ଶ୍ୱ ଫ୍ଲାପ୍ ଠିକ୍ ସ୍ଥିତିରେ ଥିଲା”। ଏହାସହ ୱାଶିଂଟନ୍ ଡିସିର ସେଫ୍ଟି ଅପରେଟିଂ ସିଷ୍ଟମର ସିଇଓ କହିଛନ୍ତି ଯେ, ପ୍ରାରମ୍ଭିକ ଫୁଟେଜ୍ ଅନୁସାରେ, ବିମାନଟି ହଠାତ୍ ତଳକୁ ଓହ୍ଲାଇବା ପୂର୍ବରୁ ପ୍ରଥମେ ଏକ ସାଧାରଣ ପଥରେ ଟେକଅଫ୍ କରିଥିଲା। ବିଶେଷଜ୍ଞମାନେ କହିଛନ୍ତି ଯେ, ବିମାନଟି ଉପର ଆଡ଼କୁ ଢଳିଥିବା ପରି ଦେଖାଯାଉଥିଲା, ଯାହା ଏଭଳି ଏକ ସ୍ଥିତି ଯାହା ସାଧାରଣତଃ ସାଧାରଣ ଅବତରଣ ସହିତ ଜଡିତ ନୁହେଁ। ସେମାନଙ୍କ ଅନୁସାରେ, ଏହା ଇଞ୍ଜିନ୍ ଥ୍ରେଷ୍ଟରେ ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ହଠାତ୍ ହ୍ରାସକୁ ସୂଚିତ କରେ। କକ୍ସ କହିଛନ୍ତି, “ଚିତ୍ରଟି ବିମାନର ନୋଜ ଉପରକୁ ଉଠିବା ଏବଂ ତା’ପରେ ତଳକୁ ଖସିବା ଭଳି ଦେଖାଉଛି, ଏହା ଦର୍ଶାଉଛି ଯେ ବିମାନ ପର୍ଯ୍ୟାପ୍ତ ଲିଫ୍ଟ ସୃଷ୍ଟି କରୁନାହିଁ”। “ସ୍ଲାଟ୍ ଏବଂ ଫ୍ଲାପ୍ ଏପରି ଭାବରେ ରଖିବା ଉଚିତ ଯେ ଡେଣା କମ୍ ଗତିରେ ଅଧିକ ଲିଫ୍ଟ ସୃଷ୍ଟି କରିପାରିବ”।
୨. ପକ୍ଷୀ ଆକ୍ରମଣ ଏବଂ ଶକ୍ତି ହ୍ରାସ
ପୂର୍ବତନ ପାଇଲଟ୍ ସୌରଭ ଭଟନାଗର ଜାତୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଘଟଣାଟି “ଏକାଧିକ ପକ୍ଷୀ ଆକ୍ରମଣ” ସହିତ ଜଡିତ ଥିଲା ଭଳି ମନେ ହେଉଛି। ପକ୍ଷୀ ଆକ୍ରମଣ ହେଉଛି ଗୋଟିଏ ପକ୍ଷୀ ବା ଏକାଧିକ ପକ୍ଷୀ ଏବଂ ବିମାନ ମଧ୍ୟରେ ଧକ୍କା ଯାହା ଉଡ଼ାଣ କିମ୍ବା ଅବତରଣ ସମୟରେ ହୋଇଥାଏ। ତାଙ୍କ କହିବା ଅନୁଯାୟୀ: “ଏହା ପ୍ରାଥମିକ ଭବେ, ଏକାଧିକ ପକ୍ଷୀ ଆକ୍ରମଣର ଏକ ଘଟଣା ପରି ମନେ ହେଉଛି, ଯେଉଁଥିରେ ଉଭୟ ଇଞ୍ଜିନ୍ ଶକ୍ତି ହରାଇଛି।” ସେ ଆହୁରି କହିଛନ୍ତି ଯେ ଉଡ଼ାଣ “ସମ୍ପୂର୍ଣ୍ଣ ଭାବରେ ସିଦ୍ଧ” ଥିଲା କିନ୍ତୁ “ବିମାନଟି ତଳକୁ ଓହ୍ଲାଇବା ଆରମ୍ଭ କରିଥିଲା, ଯାହା କେବଳ ସେତେବେଳେ ହୋଇପାରେ ଯଦି ଇଞ୍ଜିନ୍ ଶକ୍ତି ହ୍ରାସ ପାଏ କିମ୍ବା ବିମାନ ଲିଫ୍ଟ ବଢେଇବା ବନ୍ଦ କରିଦିଏ।” ତଥାପି, ଏୟାରଲାଇନ୍ ପାଇଲଟ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ (ALPA) ସଭାପତି ସାମ୍ ଥମାସ କହିଛନ୍ତି ଯେ ଏହା “ଅତ୍ୟନ୍ତ ଅସମ୍ଭବ” ଯେ ପକ୍ଷୀଙ୍କ ଏକ ଦଳ ଉଭୟ ଇଞ୍ଜିନକୁ ଅକ୍ଷମ କରିଦେଇଥିବେ।
୩. ଅସ୍ୱାଭାବିକ ଲ୍ୟାଣ୍ଡିଂ ଗିୟର ସ୍ଥିତି
ଏକ ରିପୋର୍ଟରେ ବିଶେଷଜ୍ଞମାନେ ବିମାନର ଲ୍ୟାଣ୍ଡିଂ ଗିୟରକୁ କାହିଁକି ପ୍ରତ୍ୟାହାର କରାଯାଇ ନଥିଲା ତାହା ପ୍ରଶ୍ନ କରିଛନ୍ତି । ଏବଂ କହିଛନ୍ତି ଯେ, “ଏହା ସମ୍ଭବତଃ ଦୁଇଟି ଇଞ୍ଜିନରେ ନିଆଁ ଲାଗିବା ଯୋଗୁଁ ଲ୍ୟାଣ୍ଡିଂ ଗିୟରକୁ ପ୍ରତ୍ୟାହାର କରାଯାଇ ପାରିଲା ନାହିଁ। ପକ୍ଷୀ ମାଡ଼ ହେବା କିମ୍ବା ଇନ୍ଧନ ପ୍ରଦୂଷଣ ଯୋଗୁଁ ଦ୍ୱୈତ ଇଞ୍ଜିନ ବିଫଳତା ଘଟିପାରେ। ବିମାନର ଗତିପଥ ଏବଂ ବିମାନ ବଡି ଆଙ୍ଗଲକୁ ଦେଖିଲେ ଲାଗୁଛି ଏହା ବିମାନଟି କମ୍ ଗତି ଯୋଗୁଁ ଅଟକି ଯାଇଥିଲା”। ଜଣେ ପୂର୍ବତନ ପାଇଲଟ୍ ଏହସାନ ଖାଲିଦ କହିଛନ୍ତି ଯେ, ବିମାନ ଉଡ଼ାଣ କରିବା ମାତ୍ରେ ଲ୍ୟାଣ୍ଡିଂ ଗିୟର ଉପରକୁ ଉଠିଯାଏ। “ଯେହେତୁ ଲ୍ୟାଣ୍ଡିଂ ଗିୟର ତଳେ ଥିଲା, ଏହା ସମ୍ଭବ ଯେ ଇଞ୍ଜିନ ବିଫଳତା ପୂର୍ବରୁ ଚିହ୍ନଟ ହୋଇଥିଲା.. ସବୁଠାରୁ ବଡ଼ ପ୍ରଶ୍ନ ହେଉଛି କାହିଁକି ଲ୍ୟାଣ୍ଡିଂ ଗିୟର ଉପରକୁ ଉଠି ନଥିଲା…?” । ତେବେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ପାଇଲଟମାନେ ଉଡ଼ାଣ କରିବାର ମାତ୍ର କିଛି ସେକେଣ୍ଡ ପରେ MAYDAY କଲ୍ କରିଥିଲେ। ଏହି ସୂଚନା ଦର୍ଶାଏ ଯେ, ଇଞ୍ଜିନ ବିଫଳତା ସମ୍ଭବତଃ ସେତେବେଳେ ଘଟିଥିଲା ଯେତେବେଳେ ବିମାନଟି ବେଗ ଅତିକ୍ରମ ହୋଇଥିଲା ଯାହା ପରେ ଉଡ଼ାଣକୁ ସୁରକ୍ଷିତ ଭାବରେ ବନ୍ଦ କରାଯାଇପାରିବ ନାହିଁ।
୪. ଡୁଆଲ୍ ଇଞ୍ଜିନ୍ ଫେଲୁଅର୍ ବହୁତ ବିରଳ
ଅନ୍ୟ ଜଣେ ପାଇଲଟ୍ କହିଛନ୍ତି ଯେ, ଡୁବଲ୍ ଇଞ୍ଜିନ୍ ଫେଲୁଅର୍ ଏକ ବିରଳ ଘଟଣା, ଗତ କିଛି ଦଶନ୍ଧି ମଧ୍ୟରେ ପ୍ରାୟ ସାତଟି ଦୁର୍ଘଟଣାର ଘଟଣା ଅନୁଶୀଳନୀରୁ ଜଣା ପଡେ। ପୂର୍ବତନ ପାଇଲଟ୍ କହିଛନ୍ତି ଯେ, ବିମାନଟି ଶକ୍ତି ହରାଇଥିଲା, ଯାହା ଇଞ୍ଜିନ୍ ବିଫଳତାକୁ ଦାୟୀ କରାଯାଇପାରେ। ସେ ଜୋର ଦେଇ କହିଛନ୍ତି ଯେ, ଦୃଶ୍ୟଗୁଡ଼ିକ ଦର୍ଶାଉଛି ଯେ ବିମାନଟି ଶକ୍ତି ହରାଇଥିଲା… ଇଞ୍ଜିନ୍ ବିଫଳତା ଯୋଗୁଁ ଶକ୍ତି ହରାଇପାରେ, କିନ୍ତୁ ଉଭୟ ଇଞ୍ଜିନ୍ ଏକକାଳୀନ ଶକ୍ତି ହରାଇବା ବହୁତ କମ୍… ଏହା ଏକ ବହୁତ ବଡ଼ ଇଞ୍ଜିନ୍, ଏବଂ ଗୋଟିଏ ମିନିଟ୍ ମଧ୍ୟରେ ପକ୍ଷୀ ଧକ୍କା ଯୋଗୁଁ ଉଭୟ ଇଞ୍ଜିନ୍ ଶକ୍ତି ହରାଇବା ବହୁତ କମ୍ ସମ୍ଭାବନା ରଖେ”। ଯଦିଓ କେବଳ ପ୍ରାରମ୍ଭିକ ସୁରାକ ଏବଂ ତଥ୍ୟରୁ ଏହି କାରଣଗୁଡିକ ଉଭା ହେଉଛି, ତଥାପି ସରକାରଙ୍କ ତଦନ୍ତ ଶେଷ ନହେବା ପର୍ଯ୍ୟନ୍ତ ଏକ ନିର୍ଣ୍ଣାୟକ କାରଣ ଅସ୍ପଷ୍ଟ ରହିବ।
Also read https://purvapaksa.com/f-16s-being-bombarded-and-what-will-happen-if-the-f-35-comes/