ଗୁରୁବାର ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ଦୁର୍ଘଟଣା ସାରା ବିଶ୍ବର ଛାତି ଥରେଇ ଦେଇଛି। ଏହି ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣା ପଡିଛି । ଯାହା ବିଜେପି ଦଳ ସହ ଭାରତୀୟ ରାଜନୀତି ପାଇଁ ବଡ କ୍ଷତି ବୋଲି କୁହାଯାଉଛି। ଏହି ଦୁର୍ଘଟଣା ଉଡ଼ାଣ ଆରମ୍ଭ ହେବାର ମାତ୍ର ପାଞ୍ଚ ମିନିଟ୍ ପରେ ଘଟିଥିଲା। ଅହମ୍ମଦାବାଦ ବିମାନବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ମାତ୍ର ପାଞ୍ଚ ମିନିଟ୍ ପରେ ଲଣ୍ଡନ ଯାଉଥିବା ବୋଇଂ 787-8 ଡ୍ରିମଲାଇନର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମିଆଁମାରରେ ଜନ୍ମିତ ଏବଂ ରାଜକୋଟରେ ପାଳିତ ହୋଇଥିବା ବିଜୟ ରୂପାନୀ ଜଣେ ଛାତ୍ର କର୍ମୀରୁ କିପରି ଗୁଜରାଟର ୧୬ତମ ମୁଖ୍ୟମନ୍ତ୍ରୀ ହୋଇଥିଲେ ତାହା ସତରେ ଚମତ୍କାର ଯାତ୍ରା ଥିଲା । ତାଙ୍କର ବିଜେପିରେ ଗଭୀର ପ୍ରଭାବ ସାଙ୍ଗକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଦୃଢ଼ ସମ୍ପର୍କ ଥିଲା। ପ୍ରାପ୍ତ ଯାତ୍ରୀ ତାଲିକା ଡକ୍ୟୁମେଣ୍ଟ ଅନୁଯାୟୀ, “ବିଜୟ ରୂପାନୀ” ତାଲିକାର ୧୨ତମ ଯାତ୍ରୀ ଭାବରେ ତାଲିକାଭୁକ୍ତ ହୋଇଥିଲେ। ସେ ଜେଡ୍(Z) ଶ୍ରେଣୀରେ ଯାତ୍ରା କରୁଥିଲେ, ଯାହା ବ୍ୟବସାୟ ଶ୍ରେଣୀ ବର୍ଗ ଅଧୀନରେ ଆସେ।
ମିଆଁମାରର ରଙ୍ଗୁନ୍ (ବର୍ତ୍ତମାନ ୟାଙ୍ଗୁନ୍)ରେ ଜନ୍ମଗ୍ରହଣ କରିଥିବା ରୂପାନୀ ଅଗଷ୍ଟ ୨୦୧୬ ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବରେ କାର୍ଯ୍ୟଭାର ସମ୍ଭାଳିଥିଲେ ଏବଂ ୨୦୨୨ ବିଧାନସଭା ନିର୍ବାଚନ ପୂର୍ବରୁ ଇସ୍ତଫା ଦେଇଥିଲେ। ସୌରାଷ୍ଟ୍ରର ଷ୍ଟ୍ରଙ୍ଗମ୍ୟାନ ଭାବେ ପରିଚିତ ବିଜୟ ରୂପାନୀ ସୌରାଷ୍ଟ୍ର ଅଞ୍ଚଳରେ ନିଜର ପ୍ରଭାବ ବେଶ ବିସ୍ତାର କରିଥିଲେ, ଯେଉଁଠାରେ ସେ ବିଜେପି ପାଇଁ ଏକ ଦୃଢ଼ ବିଜୟ ସୁନିଶ୍ଚିତ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ନରେନ୍ଦ୍ର ମୋଦି ଏବଂ ଅମିତ ଶାହଙ୍କ ପରି ଦଳୀୟ ନେତାଙ୍କ ସହ ଘନିଷ୍ଠ ସମ୍ପର୍କ ବଜାୟ ରଖିବା ଏବଂ ରାଜକୋଟକୁ ଏକ ଶିଳ୍ପ ଏବଂ ପର୍ଯ୍ୟଟନ କେନ୍ଦ୍ରରେ ପରିଣତ କରିବା ଭଳି ବିକାଶମୂଳକ ପ୍ରକଳ୍ପର ଚିତ୍ରକାର ଥିଲେ ସେ। ତାଙ୍କର କ୍ଷମତା, ଜଣେ ଶକ୍ତିଶାଳୀ ଆଞ୍ଚଳିକ ନେତା ଭାବରେ ରୂପାନୀଙ୍କ ଖ୍ୟାତିକୁ ସୁଦୃଢ଼ କରିଥିଲା।
ଛାତ୍ର ନେତାରୁ ଗୁଜରାଟର ମୁଖ୍ୟମନ୍ତ୍ରୀ
୧୯୫୬ ମସିହାରେ ରେଙ୍ଗୁନ୍ରେ ଏକ ଜୈନ-ବଣିଆ ପରିବାରରେ ଜନ୍ମଗ୍ରହଣ କରିଥିବା ରୂପାନୀ ମିଆଁମାରରେ ରାଜନୈତିକ ଅସ୍ଥିରତା ପରେ ତାଙ୍କ ପରିବାର ସହିତ ଗୁଜୁରାଟର ରାଜକୋଟକୁ ଚାଲିଆସିଥିଲେ। ତାଙ୍କ ପିତା ରସିକଲାଲ ସେଠାରେ ଜଣେ ଶସ୍ୟ ବ୍ୟବସାୟୀ ଭାବେ କାର୍ଯ୍ୟ କରୁଥିଲେ। ଏଠାରେ ତାଙ୍କର ଶିକ୍ଷା ଦିକ୍ଷା ସବୁ ହୋଇଥିଲା। ରୂପାନୀ ଏକ ସମୃଦ୍ଧ ରାଜନୈତିକ ଐତିହ୍ୟ ଛାଡିଯାଇଛନ୍ତି। ସେ ଜଣେ ଛାତ୍ର କର୍ମୀ ଭାବରେ ତାଙ୍କର କ୍ୟାରିଅର ଆରମ୍ଭ କରିଥିଲେ, ରାଜକୋଟର ଧର୍ମେନ୍ଦ୍ରସିଂହଜୀ କଳା ମହାବିଦ୍ୟାଳୟରୁ ବିଏ ଡିଗ୍ରୀ ହାସଲ କରିବା ସମୟରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ରେ ଯୋଗ ଦେଇଥିଲେ, ତା’ପରେ ୧୯୭୧ ମସିହାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (RSS) ଏବଂ ତା’ପରେ ଜନସଂଘରେ ଯୋଗ ଦେଇଥିଲେ। ସେ ୧୯୮୦ ମସିହାରେ ଭାରତୀୟ ଜନତା ପାର୍ଟି (BJP) ପ୍ରତିଷ୍ଠା ହେବା ପରଠାରୁ ତା ସହିତ ଜଡିତ ହୋଇ ରହି ଆସିଥିଲେ। ୧୯୮୭ ମସିହାରେ ରାଜକୋଟ ନଗର ନିଗମ ନିର୍ବାଚନ ସମୟରେ ସେ ନିର୍ବାଚନୀ ମୈଦାନରେ ପ୍ରଥମ କରି ପାଦ ହୋଇଥିଲା। ସେହି ବର୍ଷ ରୂପାନୀ ରାଜକୋଟରେ କାଉନସିଲର ହେବା ପରେ, ୧୯୯୬-୯୭ ମସିହାରେ ସହରର ମେୟର ଏବଂ ତା’ପରେ ୨୦୦୬ ରୁ ୨୦୧୨ ପର୍ଯ୍ୟନ୍ତ ରାଜ୍ୟସଭା ସଦସ୍ୟ ରହିଥିଲେ।
୨୦୧୪ ମସିହାରେ ରୂପାନୀଙ୍କ ରାଜନୈତିକ କ୍ୟାରିଅର ଗତି ଦୌଡିବାକୁ ଲାଗିଥିଲା, ଯେତେବେଳେ ରାଜକୋଟ ପଶ୍ଚିମ ନିର୍ବାଚନମଣ୍ଡଳୀର ଦୀର୍ଘ ସମୟ ଧରି ପ୍ରତିନିଧିତ୍ୱ କରୁଥିବା ଭାଜୁଭାଇ ଭାଲା କର୍ଣ୍ଣାଟକର ରାଜ୍ୟପାଳ ହୋଇଥିଲେ। ଏହାପରେ ତାଙ୍କ ଆସନ ଖାଲି ପଡ଼ିଥିଲା। ଗୋଟିଏ ମାସ ପରେ, ବିଜେପି ଅକ୍ଟୋବର ୨୦୧୪ରେ ବିଧାନସଭା ଉପନିର୍ବାଚନ ପାଇଁ ରୂପାନୀଙ୍କୁ ମନୋନୀତ କରିଥିଲା, ଯେଉଁଥିରେ ସେ ଜିତିଥିଲେ। ଏହା ପରେ, ତାଙ୍କୁ ଆନନ୍ଦୀବେନ ପଟେଲ ସରକାରରେ କ୍ୟାବିନେଟ୍ ମନ୍ତ୍ରୀ ଭାବରେ ସାମିଲ କରାଯାଇଥିଲା। ସେ ୨୦୧୬ ମସିହାରେ ଗୁଜରାଟ ବିଜେପି ସଭାପତି ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ, ୭ ଅଗଷ୍ଟ ୨୦୧୬ରେ ଆନନ୍ଦୀବେନ ପଟେଲଙ୍କ ପରେ ଗୁଜରାଟର ୧୬ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିବା ପୂର୍ବରୁ ସୌରାଷ୍ଟ୍ରର ଏହି ଟାଣୁଆ ନେତାଙ୍କୁ ଜରୁରୀକାଳୀନ ପରିସ୍ଥିତି ସମୟରେ ପ୍ରାୟ ୧୧ ମାସ ଜେଲରେ ରହିବାକୁ ପଡିଥିଲା ଏବଂ ତାଙ୍କୁ ଭୁଜ ଏବଂ ଭାବନଗର ଜେଲରେ ବନ୍ଦୀ କରି ରଖାଯାଇଥିଲା ବୋଲି କୁହାଯାଏ।
ପୂର୍ବତନ ମୁଖ୍ୟମନ୍ତ୍ରୀ କେଶୁଭାଇ ପଟେଲଙ୍କ କାର୍ଯ୍ୟକାଳ (୧୯୯୮-୨୦୦୧) ସମୟରେ, ରୂପାନୀଙ୍କୁ ବିଜେପିର ଇସ୍ତାହାର କମିଟିର ଅଧ୍ୟକ୍ଷ ଭାବରେ ନିଯୁକ୍ତ କରାଯାଇଥିଲା। ତାଙ୍କୁ ନରେନ୍ଦ୍ର ମୋଦିଙ୍କ ଦୃଢ଼ ସମର୍ଥନ ମଧ୍ୟ ଥିଲା ଏବଂ ରାଜନୈତିକ ଭାବରେ ଅସ୍ଥିର ସୌରାଷ୍ଟ୍ର ଅଞ୍ଚଳରେ ଦଳର ପ୍ରଭାବଶାଳୀ ନିର୍ବାଚନୀ ପ୍ରଦର୍ଶନକୁ ସୁନିଶ୍ଚିତ କରିବାରେ ସେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ତାଙ୍କପାଖରେ “କର୍ମୀମାନଙ୍କୁ ଖୁସି ରଖିବା ଏବଂ ପ୍ରଶାସନ ଦ୍ୱାରା କାମ ସୁଗମ କରିବା ଏକ ବିରଳ ଗୁଣ” ରହିଥିଲା ବୋଲି ବିଜେପି କର୍ମୀ ଏବଂ ତାଙ୍କ ସହଯୋଗୀ କୁହନ୍ତି। ୨୦୧୪ ମସିହାରେ, ସୌରାଷ୍ଟ୍ରର ଅନେକ ଶକ୍ତିଶାଳୀ ଦଳୀୟ ନେତାଙ୍କୁ ନିୟନ୍ତ୍ରଣ କରିବାରେ ରୂପାନୀ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବଡକଥା ରୂପାନୀଙ୍କ ନିର୍ବାଚନମଣ୍ଡଳୀ ରାଜକୋଟ ପଶ୍ଚିମ ହେଉଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁଠାରେ୨୦୦୨ ମସିହାରେ ପ୍ରଥମ ନିର୍ବାଚନ ଲଢ଼ି ଜିତି ମୁଖ୍ୟମନ୍ତ୍ରୀ ହୋଇଥିଲେ।
ରାଜନୀତି ବ୍ୟତୀତ ରୂପାନୀ ସାମାଜିକ କାର୍ଯ୍ୟକ୍ରମରେ ଜଡିତ ଥିଲେ ଏବଂ ଏକ ପାରିବାରିକ ବ୍ୟବସାୟ ଚଳାଉଥିଲେ। ସେ ଜଣେ ଷ୍ଟକବ୍ରୋକର ମଧ୍ୟ ଥିଲେ। ତାଙ୍କ ମୃତ୍ୟୁ ଗୁଜୁରାଟ ରାଜନୀତିରେ ଏକ ଯୁଗର ଅନ୍ତ ଘଟାଇଛି ବୋଲି କୁହାଯାଏ। ତାଙ୍କ ପତ୍ନୀ ଅଞ୍ଜଳି, ଯିଏକି ଦୀର୍ଘ ସମୟ ଧରି ବିଜେପି କର୍ମୀ ଥିଲେ ଏବଂ ସେମାନଙ୍କର ଦୁଇ ଜଣ ସନ୍ତାନ ଅଛନ୍ତି।
ରୂପାନୀଙ୍କ ପୂର୍ବରୁ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ଗୁଜୁରାଟ ଏହି ମୁଖ୍ୟମନ୍ତ୍ରୀ
ବିଜୟ ରୂପାନୀଙ୍କ ମୃତ୍ୟୁ ତାଙ୍କୁ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଭାରତୀୟ ମୁଖ୍ୟମନ୍ତ୍ରୀଙ୍କ ଦୁଃଖଦ ତାଲିକାରେ ଯୋଡି ଦେଇଛି। ସେ ଗୁଜୁରାଟର ଦ୍ଵିତୀୟ ମୁଖ୍ୟମନ୍ତ୍ରୀ ଯିଏ ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି। ଏହାପୂର୍ବରୁ ଗୁଜୁରାଟର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ବଲବନ୍ତ ରାୟ ମେହେତାଙ୍କର ମଧ୍ୟ ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ୧୯୬୫ ମସିହା ଭାରତ-ପାକ୍ ଯୁଦ୍ଧ ସମୟରେ କଂଗ୍ରେସ ନେତା ବଲବନ୍ତ ରାୟ ମେହେତାଙ୍କ ବିମାନ ଖସାଇ ଦିଆଯିବା ପରେ ସେ ଏପରି ବିପର୍ଯ୍ୟୟରେ ପ୍ରାଣ ହରାଇଥିଲେ। ସେଥିଲେ ଗୁଜୁରାଟର ଦ୍ୱିତୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ। ବଲବନ୍ତ ରାୟ ମେହେତାଙ୍କ ବିମାନକୁ ପାକିସ୍ତାନ ବାୟୁସେନାର ଜଣେ ପାଇଲଟ୍ ଗୁଳି କରି ଖସାଇ ଦେଇଥିଲେ, ଯେଉଁଥିରେ ତାଙ୍କ ପତ୍ନୀ, ତିନି ଜଣ କର୍ମଚାରୀ, ଦୁଇ ଜଣ କ୍ରୁ ସଦସ୍ୟ ଏବଂ ଜଣେ ସାମ୍ବାଦିକଙ୍କର ମୃତ୍ୟୁ ହୋଇଥିଲା। ତେବେ ବିମାନ ଦୁର୍ଘଟଣାରେ କେବଳ ଗୁଜୁରାଟ ଖ୍ୟମନ୍ତ୍ରୀ କିମ୍ବା ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରାଣ ହରାଇଛନ୍ତି ତାହା ନୁହେଁ ଅନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଜୀବନ ହାରି ଛନ୍ତି। ୨୦୦୯ରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଏସ୍ ରାଜ ଖଣ ରେଡ୍ଡୀଙ୍କ ହେଲିକପ୍ଟର ଖରାପ ପାଣିପାଗ ଯୋଗୁ ନାଲ୍ଲାମାଲା ଜଙ୍ଗଲରେ ଖସି ପଡ଼ିଥିଲା। ଏଥିଯୋଗୁ ତାଙ୍କର ମୃତ୍ୟୁ ହୋଇଥିଲା। ୨୦୧୧ରେ ଅରୁଣାଚଳ ପ୍ରଦେଶର ଦୋର୍ଜୀ ଖାଣ୍ଡୁ ହେଲିକପ୍ଟର କ୍ରାଶରେ ପ୍ରାଣ ହରାଇଥିଲେ। ବେଶ କିଛି ଦିନ ପରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିଲା।
ରୂପାନୀଙ୍କ ମୃତ୍ୟୁ ପଛରେ ୧୨୦୬ର ସଂଯୋଗ!
ଅହମ୍ମଦାବାଦରେ ଘଟିଥିବା ଏୟାର ଇଣ୍ଡିଆ ଦୁର୍ଘଟଣାରେ ବିଜୟ ରୂପାନୀଙ୍କ ମୃତ୍ୟୁକୁ ନେଇ ଏକ ପୋଷ୍ଟ ବେଶ ଭାଇରାଲ ହେଉଛି, ଯେଉଁଥିରେ ଜୁନ ୧୨ ବା ୧୨.୦୬ ଏକ ସଂଯୋଗ ବୋଲି କୁହାଯାଉଛି। କିଏ କିଏ ଏହାକୁ ନିୟତିର ଲେଖା ବୋଲି ମଧ୍ୟ କହୁଛନ୍ତି। ଏହି ପୋଷ୍ଟରେ ଦାବୀ କରାଯାଇଛି ଯେ ରୂପାନି ଯେଉଁ ସବୁ ବ୍ୟକ୍ତିଗତ ଗାଡି ବ୍ୟବହାର କରୁଥିଲେ ତାର ଶେଷ ୪ଟି ସଂଖ୍ୟା ୧୨୦୬ ରହିଥିଲା ଆଉ ତାଙ୍କ ମୃତ୍ୟୁ ତାରିଖ ବି ଈଶ୍ବର ୧୨.୦୬ ସ୍ଥିର କରିଥିଲେ। ଖାଲି ସେତିକି ନୁହେଁ ବିମାନରେ ରୂପାନୀ ୧୨ ନମ୍ବର ଯାତ୍ରୀ ଥିଲେ ବୋଲି ଜଣା ପଡିଛି।
Also read https://purvapaksa.com/abusing-husbands-physical-weakness-can-lead-to-divorce/