ବୈଜ୍ଞାନଙ୍କୁ ମିଳିଲା ବଡ ସଫଳତା। ଚିକିତ୍ସା କ୍ଷେତ୍ରରେ ଲାଗିବ ଚିଲିକା ଶୈବାଳ। ଚିଲିକାର ମିଳୁଥିବା ବିଭିନ୍ନ ପ୍ରକାରର ସାମୁଦ୍ରିକ ଶୈବାଳ, ଚର୍ମ କର୍କଟ ଏବଂ ୟୁଭି ବିକିରଣ ଦ୍ୱାରା ହେଉଥିବା ଚର୍ମ କ୍ଷତିକୁ ରୋକିବାରେ ସାହାଯ୍ୟ କରିପାରିବ ବୋଲି ଜଣା ପଡିଛି। ଏହା ରେଭେନଶା ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଏକ ଗୋଷ୍ଠୀ ଦ୍ୱାରା ପ୍ରକାଶ ପାଇଛି। ଯେଉଁମାନେ କି ସାମୁଦ୍ରିକ ଶୈବାଳରୁ ଉତ୍ପାଦ ବିକାଶ ପାଇଁ ସମ୍ପ୍ରତି ଭାରତୀୟ ବୌଦ୍ଧିକ ସମ୍ପତ୍ତିରୁ ଏକ ପେଟେଣ୍ଟ ପାଇଛନ୍ତି।
ରୋଡୋଫାଇଟା ସାମୁଦ୍ରିକ ଶୈବାଳ ଗୋଷ୍ଠୀରୁ ଲାଲ ଶୈବାଳ କିମ୍ବା ଗ୍ରାସିଲାରିଆ ଭେରୁକୋସାରେ ମାଇକୋସ୍ପୋରିନ୍ ପରି ଆମିନୋ ଏସିଡ୍ (MAAs) ମିଳିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି, ଯେଉଁଥିରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ କର୍କଟ-ପ୍ରତିରୋଧୀ ଗୁଣ ରହିଥିବା ଜଣା ପଡିଛି। ଗବେଷକମାନେ ଆହୁରି କହିଛନ୍ତି ଯେ, “ଏହି ଯୌଗିକରେ ୟୁଭିଏ(UVA) ଏବଂ ୟୁଭିବି(UVB)(ଏକ ପ୍ରକାର ଅଲ୍ଟ୍ରାଭାଉଲେଟ୍ ବିକିରଣ) ଉଭୟକୁ ଶୋଷିତ କରିବାର କ୍ଷମତା ଅଛି। ଏହା ୟୁଭି ବିକିରଣକୁ ଶୋଷିତ କରି ଏବଂ ଏହାକୁ ଉତ୍ତାପରେ ରୂପାନ୍ତର କରି ସୁରକ୍ଷା ଦେଇପାରେ। ଯେତେବେଳେ UV ଆଲୋକ ଚର୍ମ ଦ୍ୱାରା ଶୋଷିତ ହୁଏ, ଏହା ପ୍ରଦାହ ଯୋଗୁଁ ଲାଲ ରଙ୍ଗ ସୃଷ୍ଟି କରେ ଯାହା ଚର୍ମ କର୍କଟର କାରଣ ହୁଏ । ଏମଏସ( MAS) ଏହି ୟୁଭିଏ(UVA) ଏବଂ ୟୁଭିବି(UVB)ଉଭୟରୁ ଚର୍ମକୁ ସୁରକ୍ଷା ଦିଏ ଏବଂ ପ୍ରଦାହକୁ ରୋକେ, ଯାହା କି କର୍କଟକୁ ରୋକିବାରେ ସକ୍ଷମ ହୁଏ।”
ଏହି ବିଶେଷଜ୍ଞ ଦଳରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରଫେସର ଲୁନା ସାମନ୍ତ, ବିଭାଗର ପୋଷ୍ଟ-ଡକ୍ଟରାଲ୍ ଗବେଷକ ସୌମ୍ୟରଞ୍ଜନ ଜେନା, ଉତ୍କଳ ବିଶ୍ୱବିଦ୍ୟାଳୟର ବାୟୋଟେକ୍ନୋଲୋଜି ବିଭାଗର ପୂର୍ବତନ ଫ୍ୟାକଲ୍ଟି ସଦସ୍ୟ ପ୍ରଫେସର ଶିବ ପ୍ରସାଦ ଅଧିକାରୀ ଏବଂ ବିଭାଗର ସହକାରୀ ପ୍ରଫେସର ଜ୍ୟୋତ୍ସ୍ନାରାଣୀ ପ୍ରଧାନ ସାମିଲ ଅଛନ୍ତି। ୨୦୧୪ ମସିହାରୁ, ସେମାନେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଅଧୀନରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ବିଭାଗ (DST) ରୁ ପାଣ୍ଠି ସଂଗ୍ରହ କରି ଏହି ପ୍ରକଳ୍ପ ଉପରେ କାମ କରୁଛନ୍ତି। ‘ୟୁଭି-ରେଡିଏସନ୍, ଅକ୍ସିଡେଟିଭ୍ କ୍ଷତି ଏବଂ ଚର୍ମ କର୍କଟ ବିରୁଦ୍ଧରେ ଉପଯୋଗୀ ସାମୁଦ୍ରିକ ଶୈବାଳ ନିଷ୍କାସନ ଏବଂ ରଚନା ବିକାଶ ପାଇଁ ପ୍ରକ୍ରିୟା’ ଶୀର୍ଷକରେ ସେମାନଙ୍କର ଅଧ୍ୟୟନକୁ ଜୁଲାଇ ୧୫, ୨୦୨୧ ରୁ ୨୦ ବର୍ଷ ପାଇଁ ପେଟେଣ୍ଟ ଆଇନ, ୧୯୭୦ ଅନୁଯାୟୀ ଏକ ପେଟେଣ୍ଟ ପ୍ରଦାନ କରାଯାଇଛି।
ଗବେଷକମାନେ ଲାଲ ଶୈବାଳରୁ MAA ବାହାର କରିବା ପରେ ଏହାକୁ ବିଶ୍ଳେଷଣ କରିଛନ୍ତି ଏବଂ ଏକ ସରଂଚନା ଡିଜାଇନ୍ କଲେ ଯାହା ଚର୍ମ କର୍କଟକୁ ରୋକିବା ପାଇଁ ବ୍ୟବହାର କରାଯାଇପାରିବ। ଏବେ ଚର୍ମ କର୍କଟ ହାର ବିଶ୍ୱ ସ୍ତରରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବେଳେ ଏହି ଅଧ୍ୟୟନ ଆଶ୍ଵସ୍ତ ଆଣି ଦେଇଛି। ଯଦିଓ ସେମାନେ ଏପର୍ଯ୍ୟନ୍ତ ସାମୁଦ୍ରିକ ଶୈବାଳ ନିଷ୍କାସନରୁ ପ୍ରସ୍ତୁତ ହୋଇପାରିବା ଭଳି ଉତ୍ପାଦ (ସାମ୍ପ୍ରତିକ ପ୍ରୟୋଗ କିମ୍ବା ବ୍ୟବହାରଯୋଗ୍ୟ) ବିଷୟରେ ନିଷ୍ପତ୍ତି ନେଇ ନାହାଁନ୍ତି, ସେମାନେ ପ୍ରଥମେ ଏହା ସାହାଯ୍ୟରେ ଏକ ସନସ୍କ୍ରିନ୍ ଲୋସନ୍ ବିକଶିତ କରିବାକୁ ଆଗ୍ରହୀ ଅଛନ୍ତି।
ଏହି ଗବେଷକ ଦଳର ସଦସ୍ୟ ଜ୍ୟୋତ୍ସ୍ନାରାଣୀ କହିଛନ୍ତି ଯେ, ବର୍ତ୍ତମାନ ବଜାରରେ ଉପଲବ୍ଧ ସନସ୍କ୍ରିନ୍ ଲୋସନ୍ରେ ଜିଙ୍କ୍ ଅକ୍ସାଇଡ୍, ଟାଇଟାନିୟମ୍ ଅକ୍ସାଇଡ୍ ଇତ୍ୟାଦି କୃତ୍ରିମ ଯୌଗିକ ରହିଥାଏ। “ଏଗୁଡ଼ିକ ପରିବେଶ ଅନୁକୂଳ ନୁହେଁ ଏବଂ ଜିଙ୍କ୍ ଅକ୍ସାଇଡ୍ କିମ୍ବା ଟାଇଟାନିୟମ୍ ଅକ୍ସାଇଡର ନାନୋ-ଫର୍ମୁଲେସନ୍ ଯୋଗୁଁ, ଚର୍ମରେ ପ୍ରବେଶ କରି ପ୍ରତିକୂଳ ପ୍ରଭାବ ପକାଇପାରେ। ଆମେ ଏହାକୁ ଏହି ପ୍ରାକୃତିକ ମାଇକୋସ୍ପୋରିନ୍ ପରି ଆମିନୋ ଏସିଡ୍ ଯୌଗିକ ସହିତ ବଦଳାଇ ପାରିବା ଯାହା କେବଳ ଆଣ୍ଟି-ଇନ୍ଫ୍ଲେମାଟ୍ରି, ଆଣ୍ଟିଅକ୍ସିଡାଣ୍ଟ ନୁହେଁ ବରଂ ଚର୍ମ କର୍କଟ ବିରୁଦ୍ଧରେ ମଧ୍ୟ କାମ କରେ”। ତେବେ ଏହି ଅଧ୍ୟୟନକୁ ନେଇ ବଡ ଫୋରମରେ ଗବେଷଣା ହେବା ଉଚିତ ବୋଲି ମତ ପ୍ରକାଶ ପାଇଛି।
Also read https://purvapaksa.com/internet-services-suspended-in-bhadrak/
Internet services suspended in Bhadrak ।। ଭଦ୍ରକରେ ୨୪ ଘଣ୍ଟା ଯାଏ ଇଣ୍ଟରନେଟ ସେବା ବନ୍ଦ