ରାଜ୍ୟର ମୋହନ ସରକାରଙ୍କୁ ଆସନ୍ତାକାଲି ଏକ ବର୍ଷ ପୂରିବ। ଗତବର୍ଷ ଜୁନ୍ ୧୨ ତାରିଖରେ ରାଜ୍ୟର ପ୍ରଥମ ବିଜେପି ମୁଖ୍ୟମନ୍ତ୍ରୀଭାବେ ଆଦିବାସୀ ନେତା ମୋହନ ଚରଣ ମାଝୀ ଶପଥ ନେଇଥିଲେ। ସେଦିନଠାରୁ ୧୬ ଜଣ ମନ୍ତ୍ରୀଙ୍କୁ ନେଇ ସେ ଶାସନ ଚଳାଇ ଆସୁଛନ୍ତି। ଏକ ବର୍ଷ ଭିତରେ ଶାସନର ଯେଉଁ କୋଣକୁ ଦେଖିବେ ସେଇଠି ଅଭାବ ଜଳଜଳ ଦିଶୁଛି। ଅନେକ ପ୍ରସଙ୍ଗ ସୃଷ୍ଟି ହୋଇଛି ଆଉ କିଛି ଜାଣିଶୁଣି ସୃଷ୍ଟି କରାଯାଇଛି। ଶାସନ କଳରେ ମୋହନ କାତ ପାଉନାହାନ୍ତି କହିଲେ ଅତ୍ୟୁକ୍ତି ହେବ ନାହିଁ। ତଥାପି ତାଙ୍କ ଆସନ ସୁରକ୍ଷିତ ରହିଛି। ଏହାର କାରଣ ହେଉଛି ଦୁର୍ବଳ ବିରୋଧୀ ଦଳ। ଏହି ଦୁର୍ବଳତା କାରଣରୁ ବିରୋଧୀ ଦଳ ନେତାଙ୍କ ପାଖରେ ଦିନକୁ ଦିନ ସରକାରଙ୍କ ଅପାରଗତାର ତାଲିକା ବଢ଼ୁଥିଲେ ବି ତାହାକୁ ସାମ୍ନାକୁ ଆଣିବାରେ ବିଫଳତା ଦେଖିବାକୁ ମିଳୁଛି।
ନବୀନଙ୍କୁ ନିରାଶ ବୋଲି କହିବା ପଛରେ ଅନେକ କାରଣ ରହିଛି। ସେଗୁଡ଼ିକୁ ଏହି ଏପିସୋଡରେ ପରବର୍ତ୍ତୀ ସମୟରେ ବିନ୍ଦୁ ଅନୁଯାୟୀ ଆଲୋଚନା କରିବା। କିନ୍ତୁ ପ୍ରଥମେ ଆପଣଙ୍କୁ ଗୋଟିଏ କଥା ମନେପକାଇ ଦେବାକୁ ଚାହେଁ। କିଛିଦିନ ତଳେ ଏହି କାର୍ଯ୍ୟକ୍ରମରେ ସରକାର କିପରି ଲୋକଙ୍କୁ ଭୁଆଁ ବୁଲାଉଛନ୍ତି ସେ ବିଷୟ କହିଥିଲି। ଯାହାର ଶୀର୍ଷକ ଥିଲା ‘ଭୁଆଁ ବୁଲାଉଛନ୍ତି ସରକାର’। ଯଦି ଦେଖି ନାହାନ୍ତି ତେବେ ଡେସ୍କ୍ରିପ୍ସନ୍ ବକ୍ସରେ ତାହାର ଲିଙ୍କ ଦେଉଛି ଆପଣଙ୍କ ଜାଣିବା ପାଇଁ।
What are the achievements of the Mohan Sarkar? ଭୁଆଁ ବୁଲାଇ ବର୍ଷପୂର୍ତ୍ତି
ଆଜି ଏ ବିଷୟକୁ ଆହୁରି ଶକ୍ତ କରିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଗତକାଲି ନବୀନ ନିଜ ଦଳର ନେତା ଓ କର୍ମୀଙ୍କୁ ଜାଗ୍ରତ କରିବା ଲାଗି ଏକ ଦମଦାର ଭାଷଣ ଦେଇଥିଲେ। ଏଥିରେ ସେ ସରକାରଙ୍କ ପ୍ରତିଟି ଗୋଇ ଖୋଳିବାକୁ ଚାହିଁଥିଲେ। ଅଳ୍ପରେ ହେଲେ ବି ଏହା ଶାସକ ଦଳର ଫୁଲାଫାଙ୍କିଆ ଅଙ୍ଗଭଙ୍ଗୀକୁ ଏକ ସତର୍କତା ନୋଟିସ୍ଭାବେ ଗ୍ରହଣ କରାଯାଇପାରେ।
ନବୀନ କହିଥିଲେ, ଭାରତୀୟ ଜନତା ପାର୍ଟି ଓଡ଼ିଶାର ସରକାରଙ୍କୁ ଲୋକଙ୍କ ସରକାର ବୋଲି କହୁଛନ୍ତି କିନ୍ତୁ ଲୋକ କାହାନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି। ଲମ୍ବା ଭାଷଣ, ବଡ଼ ବିଜ୍ଞାପନରେ ବିକାଶ ଆସେ ନାହିଁ। ଏହା ନିଶ୍ଚିତ ଯେ ମୋହନ ସରକାର ରାସ୍ତାଘାଟରେ ହୋଡିଂ ସରକାର ଭାବେ ପରିଚିତ ହେଉଛନ୍ତି। କେତେବେଳେ ନିଜ ଫଟୋ ଓ ଦଳୀୟ ଚିହ୍ନ ଥାଇ ତ ଆଉ କେତେବେଳେ ପ୍ରାୟୋଜିତ ସଂଗଠନ ତରଫରୁ ଏପରି ପ୍ରଚାର କରାଯାଉଛି। ବେଳେ ବେଳେ ଏସବୁ ଦେଖି ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ ଯେ ସତରେ କ’ଣ ରାଜ୍ୟରେ ବିକାଶ ହେଉଛି। କାରଣ ଅନେକ ଲୋକଙ୍କ ଅଭିଯୋଗ ଯେ ରାଜ୍ୟରେ ସରକାର ଥିଲା ଭଳି ଜଣାପଡ଼ୁନାହିଁ? କିନ୍ତୁ ନବୀନ ସରକାର ସମୟରେ ବିଜ୍ଞାପନ ଓ ପ୍ରଚାର ପ୍ରସାର କିଛି କମ ନ ଥିଲା। ଯାହାକି ତାଙ୍କଦ୍ୱାରା ବିଧାନସଭାରେ ପ୍ରଦତ୍ତ ତତ୍ୟରୁ ଜଣାପଡ଼ିଛି।
ଦ୍ୱିତୀୟ ବିନ୍ଦୁରେ ନବୀନ ଅଭିଯୋଗ କରିଛନ୍ତି ରାଜ୍ୟର ସ୍ୱାସ୍ଥ୍ୟବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ହଜାର ହଜାର ଲୋକ ହଇରାଣ ହେଉଛନ୍ତି। ଆୟୁଷ୍ମାନ କାର୍ଡ ଲାଗୁ ପରେ ଏପରି ଅବସ୍ଥା ସୃଷ୍ଟି ହୋଇଛି। ଏହା ବି ନିରାଟ ସତ କଥା। ଏକ ବର୍ଷ ବିତିଗଲା ହେଲେ ସ୍ୱାସ୍ଥ୍ୟ ବୀମାକୁ ବଦଳାଇ କେନ୍ଦ୍ରୀୟ ବ୍ୟବସ୍ଥାକୁ ସୁରୁଖୁରରେ ଲାଗୁ କରିବାରେ ସଫଳ ହୋଇପାରି ନାହାନ୍ତି ରାଜ୍ୟ ସରକାର। ଫଳରେ ଅନେକ ଲୋକ ଆଜିବି ପୁରୁଣା ସ୍ୱାସ୍ଥ୍ୟବୀମା କାର୍ଡ ଓ ଆଧାର କାର୍ଡକୁ ଆପଣାଇବାକୁ ବାଧ୍ୟ ହେଉଛନ୍ତି ନିଜର ପରିଚୟ ସାବ୍ୟସ୍ତ କରିବାକୁ। ତଥାପି ଲୋକଙ୍କୁ ଠିକଣା ସେବା ମିଳୁ ନାହିଁ। ରାଜ୍ୟର ୩୦ଟି ଜିଲ୍ଲାରୁ ୧୯ ଜିଲ୍ଲାରେ ସିଡିଏମ୍ଓ ପଦବୀ ଖାଲି ପଡ଼ିଥିବାରୁ ନବୀନ ନିନ୍ଦା କରିଛନ୍ତି।
ଏହା ନିଶ୍ଚିତ ଭାବେ ବିଜେପି ସରକାରର ଅପାରଗତା। କିନ୍ତୁ ଏ ଖାଲି ପଦବୀ କ’ଣ ଗଲା ଏକବର୍ଷ ଭିତରେ ସୃଷ୍ଟି ହୋଇଛି? ଉତ୍ତର ନା। ଅର୍ଥାତ୍ ସରକାରୀ ଡାକ୍ତରଖାନାକୁ ପଙ୍ଗୁ କରିବାର ଧାରା ବିଜେଡି ସମୟରୁ ହିଁ ଆରମ୍ଭ ହୋଇଥିଲା। ହେଲେ ମୋହନ ସରକାର ଏହାକୁ ସୁଧାରିବାରେ ବିଳମ୍ବ କରୁଛନ୍ତି। ଜଣାନାହିଁ ଏଥିରେ ସେ ପାରିବେ କି ନା।
ନବୀନ ନିର୍ବାଚନ ସମୟରେ ପ୍ରତିଶ୍ରୁତିକୁ ମନେପକାଇ ଚାଷୀଙ୍କୁ କିପରି ହତାଶ୍ କରାରଯାଇଛି ତାହା ଉଠାଇଛନ୍ତି। ନିର୍ବାଚନ ସମୟରେ କଟନି ଛଟନି ବନ୍ଦ ହେବ ବୋଲି କହିଥିବା ଦଳ ସରକାରକୁ ଆସିବା ପରେ କେମିତି ତାହାକୁ ଭୁଲି ଗଲା? ଖାଲି ସେତିକି ନୁହେଁ, ଚାଷୀଙ୍କୁ କୃଷିଋଣ ନ ମିଳିବା ପ୍ରସଙ୍ଗ ବି ଉଠାଇଛନ୍ତି ନବୀନ। ଏଥିରେ ବି ଚାଷୀଙ୍କ ସମର୍ଥନ ରହିବା ସ୍ୱାଭାବିକ। କିନ୍ତୁ ଗୋଦରି ଲୋ ତୋ ଗୋଡ଼କୁ ଟିକେ ଅନା ଭଳି ନବୀନ ନିଜ ଅତୀତକୁ ମନେପକାଇବା ଦାରକାର। ସେ ଘୋଷଣା କରିଥିବା ୧୦୦ ଟଙ୍କାର ବୋନସ ନ ଦେଇ କିପରି ଚାଷୀମାନଙ୍କ ପ୍ରତାରିତ କରିଥିଲେ, ତାହା ଚାଷୀମାନଙ୍କୁ ଜଣା।
ଚତୁର୍ଥ ବିନ୍ଦୁରେ ନବୀନ ରାଜ୍ୟର ଆର୍ଥିକ ସ୍ଥିତି ବିପର୍ଯ୍ୟସ୍ତ ହେଉଥିବା ଅଭିଯୋଗ କରିଛନ୍ତି। ସେ କହିଛନ୍ତି, ୨୦୦୦ରେ ବିଜେଡି ସରକାର ଦାୟିତ୍ୱ ନେବା ସମୟରେ ଓଡ଼ିଶା ଉପରେ ଋଣ ଭାର ଥିଲା ୧୮ ହଜାର କୋଟି । ଓଭରଡ୍ରାଫ୍ଟରେ ସରକାର ଚାଲୁଥିଲା । ୨୦୨୪ରେ ଦାୟିତ୍ୱ ଛାଡ଼ିବାବେଳେ ସରକାରୀ ତହବିଲରେ ୪୫ ହଜାରେ କୋଟି ଅଧିକ ରଖିଥିବା କହିଛନ୍ତି ନବୀନ। ହେଲେ ଏବେ ରେକର୍ଡ ପରିମାଣର ଲୋନରେ ସରକାର ଚାଲିଥିବା କହି ମୋହନଙ୍କ ଦକ୍ଷତା ଉପରେ ବଡ଼ ପ୍ରଶ୍ନବାଚୀ ଲଗାଇଛନ୍ତି। କିନ୍ତୁ ପ୍ରକୃତ କଥା ହେଲା ନବୀନ କ୍ଷମତା ହସ୍ତାନ୍ତର କଲାବେଳକୁ ଅର୍ଥାତ୍ ୩୧ ମାର୍ଚ୍ଚ ୨୦୨୪ ସୁଦ୍ଧା ଓଡ଼ିଶା ଉପରେ ବିଭିନ୍ନ ସୂତ୍ରରୁ ୯୬, ୩୧୦.୪୦ କୋଟି ଟଙ୍କାର ଋଣ ଥିଲା।
ନବୀନଙ୍କ ଏ ପ୍ରସଙ୍ଗଗୁଡ଼ିକ ସାଧାରଣ ଲୋକଙ୍କ ଧ୍ୟାନ ଆକର୍ଷଣ କରିବା ସ୍ୱାଭାବିକ। ହେଲେ ବର୍ଷେ ହେଲା ବିରୋଧୀ ଦଳରେ ଥିବା ନବୀନ ନିଜ ଭୂମିକା ଠିକଣା ଭାବେ ତୁଲାଇଛନ୍ତି କି? ବିଧାନସଭାରେ ଆଲୋଚନାବେଳେ ନବୀନ ବସୁ ନ ଥିବା ବିଜେଡି ପରୋକ୍ଷରେ ବିଜେପି ସରକାରକୁ ମନମୁଖୀ ଆଚରଣ କରିବା ପାଇଁ ସୁଯୋଗ ଦେଇ ନାହିଁ କି? ଯେତେବେଳେ ଶାସକ ଦଳ ଏବଂ କଳ ସରକାରର ବର୍ଷପୂର୍ତ୍ତି ପାଳନରେ ବ୍ୟସ୍ତ ସେତେବେଳେ ନବୀନ ଏହାକୁ ଏକ ମଉକାଭାବେ ଗ୍ରହଣ କରି ମାଛ ତେଲରେ ମାଛ ଭାଜିବାକୁ ଚେଷ୍ଟା କରୁନାହାନ୍ତି ତ? ନବୀନଙ୍କ ସରକାରଙ୍କୁ ପ୍ରଶ୍ନଗୁଚ୍ଛର ଉତ୍ତରରେ ଏସବୁ ପ୍ରଶ୍ନ ବି ଆସିବା ସ୍ୱାଭାବିକ।
ଏଣୁ ନବୀନଙ୍କ ପ୍ରଶ୍ନ ମୋହନଙ୍କୁ ଚେତାଇବା ପାଇଁ ଉଦ୍ଦିଷ୍ଟ ନୁହେଁ, ବରଂ ଏହା ନିଜର ନିରାଶାର ପ୍ରତିଫଳନ ହୋଇପାରେ। ଗଲା ଏକବର୍ଷ ହେଲା ବିରୋଧୀ ଦଳଭାବେ ବିଜେଡି ସରକାରଙ୍କୁ ପ୍ରାସଙ୍ଗିକ ବିରୋଧ କରିବା ବଦଳରେ କେବଳ ନିଜ ଘର କଳିକୁ ପଦାରେ ପକାଇଛି। ପ୍ରତିଦିନ କୌଣସି ନା କୌଣସି ନେତା କାହା ବିରୋଧରେ ଏକାଠି ହୋଇଛନ୍ତି। ଲୋକସଭାରୁ ମୂଳପୋଛ ହୋଇଥିବା ବିଜେଡି ନା ରାଜ୍ୟସଭାରେ ନିଜର ଭୂମିକା ନିର୍ବାହ କରିପାରିଛି ନା ମୁଖ୍ୟ ବିରୋଧୀ ଦଳ ଭାବେ ବିଧାନସଭାରେ। ରାଜ୍ୟରେ ତ ଲୋକେ କଂଗ୍ରେସକୁ ଅନେକ ସମୟରେ ମୁଖ୍ୟ ବିରୋଧୀ ଦଳଭାବେ ଗ୍ରହଣ କରିଛନ୍ତି?
ଆଜି ଜନପ୍ରତିନିଧି ଓ କର୍ମୀଙ୍କୁ ଜାଗ୍ରତ କରିବା ପାଇଁ ନବୀନ ଏହି ପ୍ରସଙ୍ଗଗୁଡ଼ିକୁ ଉଠାଇଥିଲେ। କିନ୍ତୁ ଏ କର୍ମୀମାନେ ନିଜ ଭିତରେ ଦୃଢ଼ ରହି ନାହାନ୍ତି। ସେମାନେ ଜାଣିପାରୁ ନାହାନ୍ତି ତାଙ୍କ ନେତା କିଏ? ନବୀନ ନିବାସରୁ ସଭାପତିଙ୍କୁ ଦର୍ଶନ କରିବା ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିବାଠାରୁ କଷ୍ଟକର ହୋଇପଡ଼ୁଛି। ସରକାରରେ ଥିବାବେଳେ ଅନେକ ମାଧ୍ୟମ ଦେଇ ଯେମିତି ଯିବାକୁ ପଡ଼ୁଥିଲା ଏବେ ବି ସେଇ ଅବସ୍ଥା ଭୋଗିବାକୁ ପଡ଼ୁଛି କର୍ମୀଙ୍କୁ।
ପୁଣି ଦଳ ଏବେ ପାଣ୍ଡିଆନ୍ ଓ ଅଣ ପାଣ୍ଡିଆନ୍ ଗୋଷ୍ଠୀରେ ବିଭକ୍ତ ହୋଇଛି। ଏହି ଦୁଇ ଗୋଷ୍ଠୀ ଭିତରେ ଦଳର ସମ୍ପତ୍ତି ଅକ୍ତିଆର କରିବା ପାଇଁ ବି ପ୍ରତିଦ୍ୱନ୍ଦ୍ୱିତା ଚାଲିଛି। ନିଜ ଦଳକୁ ଠିକ୍ କରି ପାରୁନଥିବା ସଭାପତିଙ୍କୁ ତାଙ୍କ ଘରେ ପଶିତ ଲୋକେ ନାଲି ଆଖି ଦେଖାଇଛନ୍ତି। ଏଭଳି ସ୍ତରରେ ବିଜେଡିର କେଉଁ କର୍ମୀ ଲୋକଙ୍କ ପାଖକୁ ଯାଇ ସଭାପତିଙ୍କ ବାର୍ତ୍ତାକୁ ପହଞ୍ଚାଇବ? ଏହା ଠିକ୍ ଭାବେ ଜାଣିଛନ୍ତି ନବୀନ ପଟ୍ଟନାୟକ। ଗୋଟିଏ ପଟେ ନିଜ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ଓ ଅନ୍ୟପଟେ କର୍ମୀଙ୍କ ଭିତରେ ଶୃଙ୍ଖଳା ହଜିବା ନବୀନଙ୍କୁ ନିରାଶା ଭିତରକୁ ଠେଲି ଦେଉଛି। ଆଉ ନିରାଶାର ଭାବ ସ୍ୱରୂପ ଏପରି ବାର୍ତ୍ତା ଦେଇ କିଛିଦିନ ଗଣମାଧ୍ୟମରେ ଚର୍ଚ୍ଚିତ ହେବାକୁ ଚାହୁଁଥାଇପାରନ୍ତି ନବୀନ। ଆପଣ ବିଚାର କରିବେ।
Also readhttps://purvapaksa.com/media-talk-no-enthusiasm-on-the-number-one-news-channel/