ରାଜ୍ୟର ଏକ ନମ୍ବର ନ୍ୟୁଜ୍ ଚ୍ୟାନେଲରେ ଆରମ୍ଭ ହୋଇଛି କର୍ମଚାରୀ ଅସନ୍ତୋଷ। ପୁଣି ନୂଆ ସରକାର କ୍ଷମତାକୁ ଆସିବା ପରେ ଏହି ଅସନ୍ତୋଷ ସୃଷ୍ଟି ହୋଇଛି। ହେଲେ ଏହା ରାଜନୀତିକୁ କେନ୍ଦ୍ର କରି ନୁହେଁ, ବରଂ ସାଆନ୍ତାଣୀଙ୍କ ଓଭର କନ୍ଫିଡେନ୍ସ ଲାଗି। ଯେଉଁ କର୍ମଚାରୀମାନେ କିଛିଦିନ ପୂର୍ବରୁ ଲୟାଲ ବା ଅନୁଗତ ବୋଲି ବୋନସ୍ ଓ ସମ୍ମାନ ପାଉଥିଲେ ଏବେ ସେମାନଙ୍କୁ କୁହାଯାଉଛି ‘ଏଠି ପଡ଼ିଛ କାହିଁକି, ଆଉ ଅନ୍ୟଗତି ନାହିଁକି? ଏହି ଶବ୍ଦସବୁ ଶୁଣି ହତୋତ୍ସାହିତ ହୋଇଛନ୍ତି ଏହି ନମ୍ବର-୧ ଚ୍ୟାନେଲ୍ର ସିନିୟର ସଦସ୍ୟ। ଏପରିକି ଏମାନଙ୍କ ଭିତରୁ କିଛି ଅଧାରୁ ବୁଲେଟିନ୍ ଛାଡ଼ି ଉଠି ଚାଲିଯିବାକୁ ଉଚିତ ଭାବିଛନ୍ତି। ଆଉ ସେଥିଲାଗି ଟେଲିଭିଜନରେ ବୁଲେଟିନ୍ ବି ହୋଇଛି ରିପିଟ୍।
ହଁ, ଏଠି ଆମେ ଆପଣଙ୍କୁ ଓଡ଼ିଶା ମିଡିଆ ହାଲ ଚାଲ କହିବାବେଳେ ଓଡ଼ିଶାର ପ୍ରମୁଖ ନ୍ୟୁଜ୍ ଟେଲିଭିଜନ୍ ସଂସ୍ଥା ତଥା ନିଜକୁ ଏକ ନମ୍ବର ବୋଲି ଦାବି କରୁଥିବା ଟିଭି ଚ୍ୟାନେଲ୍ର କିଛି ଭିତିରିକଥା କହିବାକୁ ଯାଉଛୁ। ନାଁ ନେଉ ନାହୁଁ କିନ୍ତୁ ଆପଣଙ୍କୁ ସଠିକ ଅନୁମାନ କରିବା ପାଇଁ କୌଣସି ଶୂନ୍ୟସ୍ଥାନ ଛାଡ଼ୁ ନାହୁଁ।
ଏଠି ସୃଷ୍ଟି ହୋଇଥିବା ଆଭ୍ୟନ୍ତରୀଣ ଅସନ୍ତୋଷକୁ କେବଳ କର୍ମଚାରୀ ଅସନ୍ତୋଷ ବୋଲି କୁହାଯାଇନପାରେ, ବରଂ କର୍ମଚାରୀ ଶୋଷଣର ଏହା ଏକ ଉଦାହରଣ ବୋଲି ଅଭିହିତ କରାଯାଇପାରେ। ବର୍ଷ ଶେଷରେ ଏଠାରେ କର୍ମଚାରୀଙ୍କ ଦକ୍ଷତା ତର୍ଜମା କରି ଦରମା ବୃଦ୍ଧିର ପରମ୍ପରା ରହିଛି। ଏହିକ୍ରମରେ ଯେଉଁମାନେ ଭଲ ପ୍ରଦର୍ଶନକାରୀ ସେମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଯେଉଁମାନେ ଖରାପ ପ୍ରଦର୍ଶନକାରୀ ସେମାନଙ୍କୁ ଭଲ ପାଇଁ ଉତ୍ସାହିତ କରାଯାଇଥାଏ।
ହେଲେ ଯେତେବେଳେ ବିଜେଡି ସରକାରରେ ପାଣ୍ଡିଆନ୍ଙ୍କ କର୍ତ୍ତୃତ୍ୱ ବଢ଼ିଲା ଅର୍ଥାତ୍ ୨୦୧୮ ବେଳକୁ ଏହି ଚ୍ୟାନେଲର ଗୁରୁତ୍ୱ ସରକାରରେ କମିଲା, ସେତେବେଳେ ଏହି ପରମ୍ପରା ବନ୍ଦ କରାଯାଇଥିଲା। ଭଲ ମାନବ ସମ୍ବଳ ଅନ୍ୟ ଚ୍ୟାନେଲ୍କୁ ଚାଲି ଯାଉଥିବାରୁ ଯେଉଁମାନେ ଚ୍ୟାନେଲ୍ ସହ ରହିବେ ସେମାନଙ୍କ ଲାଗି ନୂଆ ବୋନସ ବା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଉଥିଲା। ଏହି ଅଭିଜ୍ଞ କର୍ମଚାରୀମାନେ ସେତେବେଳେ ଚ୍ୟାନେଲ, ଏହାର ମାଲିକ ଏବଂ ସମ୍ପତ୍ତି ଉପରେ ସରକାରୀ କଳର ଚଢ଼ଉକୁ ଗଳା ଫଟାଇ ଚିତ୍କାର କରି ନିନ୍ଦା କରୁଥିଲେ।
ସେ ଭିତରୁ ଜଣେ କର୍ମଚାରୀଙ୍କ ଓପନ ହାର୍ଟ ସର୍ଜରୀ ବି ହୋଇଛି। ଆଉ ସେ କର୍ମଚାରୀ ମାଲିକାଣୀଙ୍କଠାରୁ ନାପସନ୍ଦର ବାର୍ତ୍ତା ପାଇଛନ୍ତି। ଏପରି ପରିସ୍ଥିତିରେ ତାଙ୍କର ଅବସ୍ଥା କ’ଣ ହେଉଥିବ ଅନୁମାନ କରନ୍ତୁ। ମିଳିଥିବା ସୂଚନା ଅନୁସାରେ ୧୫-୧୭ ବର୍ଷ କାମ କରିଥିବା କର୍ମଚାରୀଙ୍କ କୌଣସି ବାର୍ଷିକ ଅଭିବୃଦ୍ଧି ହୋଇନାହିଁ। ପୁଣି ବାର୍ଷିକ ୬ ଲକ୍ଷରୁ କମ୍ ଦରମା ପାଉଥିବା ସାମ୍ବାଦିକଙ୍କ ଦରମାରେ ମାସକୁ ୩ ହଜାର ଟଙ୍କା ଅର୍ଥାତ୍ ବର୍ଷକୁ ପ୍ରୟ ୩୬ ହଜାର ଟଙ୍କା ବଢ଼ିଥିବା ବାର୍ତ୍ତା ଦିଆଯାଇଛି। କିନ୍ତୁ ହାତକୁ ଆସିବାବେଳକୁ ତାହା ୮୦୦ ହୋଇଯାଇଛି। ପଚାରିଲେ କୁହାଯାଉଛି ଏହା ସ୍ୱାସ୍ଥ୍ୟବୀମା ପାଇଁ କଟାଯାଇଛି। କିନ୍ତୁ କର୍ମଚାରୀଙ୍କ ବିନା ଅନୁମତିରେ କର୍ମଚାରୀଙ୍କ ଅର୍ଥ କାଟିବା କେତେ ଯୁକ୍ତିଯୁକ୍ତ ବୋଲି କର୍ମଚାରୀ ପଚାରିଛନ୍ତି। ଅପରପକ୍ଷେ ୪ ଜଣ ବରିଷ୍ଠ କର୍ମଚାରୀଙ୍କୁ ଅଦରକାରୀ ବୋଲି ଘୋଷଣା କରାଯାଇଛି।
୨୦୧୮ ମସିହାରେ ପାଣ୍ଡିଆନ୍ଙ୍କ ବିପକ୍ଷରେ ଖୋଲା ଯୁଦ୍ଧ ଘୋଷଣା କରିଥିବା ଏହି ଚ୍ୟାନେଲ ସେତେବେଳେ ବଡ଼ ସଙ୍କଟରେ ଥିଲା। କର୍ମଚାରୀମାନେ ଅନ୍ୟ ଚ୍ୟାନେଲକୁ ଛାଡ଼ି ଯାଉଥିଲେ। କର୍ତ୍ତୃପକ୍ଷଙ୍କ ବିରୋଧରେ ଥିବା କଳା କାରନାମା, ଜମି ମକଦ୍ଦମା ସାମ୍ନାକୁ ଆସୁଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ଏଥିରେ ପ୍ୟାଚ୍ ପଡ଼ିଥିଲା। କିନ୍ତୁ ସେହି ସମୟରେ ସରକାରଙ୍କ ପୋଲ୍ ଖୋଲିଥିବା ସାମ୍ବାଦିକମାନଙ୍କୁ ଏବେ ଏହି ଟିଭି ଚ୍ୟାନେଲ୍ ହତୋତ୍ସାଽହିତ କରି ଚାକିରି ଛାଡ଼ିବାକୁ ବାଧ୍ୟ କରୁଥିବା ସୂଚନା ମିଳିଛି।
ଏପରିକି ନୂଆକରି ଦାୟିତ୍ୱ ନେଇଥିବା ମାଲିକାଣୀ ଏହାକୁ ଜଣେ ମାନବସମ୍ବଳ ମୁଖ୍ୟଙ୍କ ଜରିଆରେ କାର୍ଯ୍ୟକାରୀ କରିବାକୁ ଜିଦ୍ଦି ଧରିଥିବା ଚର୍ଚ୍ଚା ହେଉଛି। ଏହି ଅଧିକାରୀ ଜଣକ ପୂର୍ବରୁ କୁଆଡ଼େ ଭାରତୀୟ ସେନାରେ ଥିଲେ। ସାଆନ୍ତାଣୀଙ୍କ ନିର୍ଦ୍ଦେଶକୁ ସିନା କାର୍ଯ୍ୟକାରୀ କରିଛନ୍ତି କିନ୍ତୁ ନିଜେ ଆଉ କର୍ମଚାରୀଙ୍କୁ ସମ୍ମୁଖୀନ ହୋଇପାରୁ ନାହାନ୍ତି। କୁଆଡ଼େ ତାଙ୍କର ସାହସ ବାଟବଣା ହେଲା ତାହା ତାଙ୍କୁ ହିଁ ଜଣାଥିବ।
ଅପରପକ୍ଷେ କର୍ମଚାରୀ ଯେତେବେଳେ କଥା ହେବାକୁ ଚାହିଁଲେ ସେତେବେଳେ ସେ ଜଣେ ତଳ କର୍ମଚାରୀଙ୍କୁ ପଠାଇ ଏସି ରୁମରେ ବସିଗଲେ। କର୍ମଚାରୀ ବି ଛାଡ଼ିବା ଲୋକ ନୁହଁନ୍ତି। କିଛି ବରିଷ୍ଠ କର୍ମଚାରୀଙ୍କୁ ଢାଲ କରାଯାଇଥିଲେ ବି ମାନବସମ୍ବଳ ଅଧିକାରୀ କର୍ମଚାରୀଙ୍କ ପ୍ରଶ୍ନ ବାଣରେ ଘାଇଲା ହୋଇଗଲେ। ଆଉ ଥଥ-ମମ ହୋଇ ବୈଠକକୁ ଶେଷ କରିଦେଲେ।
ଏବେ କର୍ମଚାରମାନେ କହୁଛନ୍ତି ଆଉ ଯୌବନର ଅଧା ଏହି ସଂସ୍ଥା ପାଇଁ ଦେଲୁ, ଯେତେବେଳେ କମ୍ପାନୀ ଯାହା କହିଲା କଲୁ। କମ୍ପାନୀ ଦିନେ ଏଥିରେ ଅଭିପ୍ରେତ ହୋଇ ଆମକୁ ଅନୁଗତ ହେବାର ପୁରସ୍କାର ଦେଇଥିଲା, ଆଜି କାହିଁକି ଏପରି ତାଡନା? ନୂଆ ମାଲିକାଣିଙ୍କ ଅଭିଜ୍ଞତା ନାହିଁ ବୋଲି କ’ଣ ନ୍ୟୁଜ୍ ତିଆରିରେ ଅଭିଜ୍ଞ ଲୋକଙ୍କ ଆବଶ୍ୟକତା ନାହିଁ?
ପୁଣି ଯେତେବେଳେ ଗେରୁଆ ସରକାର ନ ଥିଲା, ସରକାରୀ ଅର୍ଥ ଆସୁ ନ ଥିଲା ସେତେବେଳେ ଅଭିଜ୍ଞ ସାମ୍ବାଦିକଙ୍କ ଆବଶ୍ୟକ ହେଉଥିଲା ଆଜି କାହିଁକି ହଠାତ୍ ଆର୍ଥିକ ସଙ୍କଟ ଦେଖା ଦେଲା। ଏବେ ତ ସରକାର ମାଲିକଙ୍କ ଦଳର, ମାଲିକତ ଦଳର ପଦାଧିକାରୀ ପୁଣି ମାଲିକ ସାଂସଦ ମଧ୍ୟ କେଉଁଠି ଅଭିବ ରହିଛି ମାଲିକାଣୀଙ୍କ। ମାଲିକାଣୀ କ’ଣ ସତରେ ସାଆନ୍ତ ପ୍ରଥାକୁ ଆପଣାଇ ଜଡ଼ା ତେଲର ଆବଶ୍ୟକତା କରୁଛନ୍ତି କି?
ଆପଣ ବିଚାର କରନ୍ତୁ, ଯଦି ରାଜ୍ୟର ଏକ ନମ୍ବର ନ୍ୟୁଜ୍ ଚ୍ୟାନେଲରେ ଏମିତି ବ୍ୟବସ୍ଥାର ଅନ୍ୟ ଚ୍ୟାନେଲ୍ଗୁଡ଼ିକରେ କି ଅବସ୍ଥା ହେଉଥିବ?
Also readhttps://purvapaksa.com/there-was-no-tradition-of-sacrificing-cows-in-islam/