ହନିମୁନରେ ଯାଇ ଇନ୍ଦୋରର ରାଜା ରଘୁବଂଶୀଙ୍କ ମୃତଦେହ ମେଘାଳୟରୁ ମିଳିବା ଏବଂ ତାଙ୍କ ପତ୍ନୀ ନିଖୋଜ ହେବା ଘଟଣା ଜଣା ପଡିବା ପରେ, କିଛି ଲୋକ ମେଘାଳୟ ରାଜ୍ୟ ଏବଂ ଉତ୍ତର-ପୂର୍ବ ଅଞ୍ଚଳ ବିରୁଦ୍ଧରେ ଜାତିବାଦ ଅଭିଯାନ ଆରମ୍ଭ କରି ଦେଇଥିଲେ। ଏବେ ତାଙ୍କ ପତ୍ନୀ ହତ୍ୟା ପଛରେ ଜଡ଼ିତ ଥିବା ଜଣା ପଡିବା ପରେ ସେହି ବ୍ୟକ୍ତିଙ୍କ ଅଡୁଆ ବଢିଛି। ଉତ୍ତର-ପୂର୍ବ ଅଞ୍ଚଳର ଲୋକମାନେ ଅପବାଦ ପାଇଁ କ୍ଷମା ପ୍ରାର୍ଥନା ଦାବୀ କରିଛନ୍ତି। ବିନ ପ୍ରମାଣରେ ଏହି ମାମଲାର ଶୀଘ୍ର ନିଷ୍କର୍ଷରେ ପହଞ୍ଚିବା ପାଇଁ ଘୃଣ୍ୟ ଜାତିଗତ ବୟାନବାଜି ଅସ୍ତ୍ର କରାଯାଇଥିଲା। ମେଘାଳୟର ପୋଲିସ ହନିମୁନରେ ଯାଇଥିବା ଇନ୍ଦୋରର ରାଜା ରଘୁବଂଶୀଙ୍କ ହତ୍ୟାର ତଦନ୍ତ କରିବା ଏବଂ ତାଙ୍କ ନିଖୋଜ ପତ୍ନୀଙ୍କୁ ଖୋଜୁବା ସମୟରେ କିଛି ଲୋକ ଉତ୍ତର-ପୂର୍ବାଞ୍ଚଳ ଲୋକଙ୍କୁ ଦୋଷ ଦେଇଥିଲେ। କୌଣସି ପ୍ରମାଣ ଏବଂ ଯୁକ୍ତିଯୁକ୍ତାତା ନଥାଇ ସେମାନେ ଭାରତର ଉତ୍ତର-ପୂର୍ବ ଅଂଚଳ ଏବଂ ଏହାର ଲୋକଙ୍କ ପାଇଁ ଅଶ୍ଳୀଳ ଏବଂ ଅସଭ୍ୟ ଭାଷା ବ୍ୟବହାର କରିଥିଲେ, ଯେଉଁମାନେ କି ନିୟମିତ ଭାବରେ ଜାତିଗତ ଭେଦଭାବର ସମ୍ମୁଖୀନ ହୁଅନ୍ତି। ଏହି ଜଘନ୍ୟ ହତ୍ୟାକାଣ୍ଡ ମାମଲାରେ ନିରୀହ ଆଦିବାସୀ ଲୋକ ଏବଂ ଉତ୍ତର-ପୂର୍ବାଞ୍ଚଳ ଲୋକଙ୍କ ପାଇଁ ଅସଭ୍ୟ ଭାଷା ପ୍ରୟୋଗ କରିବା ଅତ୍ୟନ୍ତ ରୁଗ୍ଣ ମାନସିକତାକୁ ଦର୍ଶାଇ ଥିଲା । ତେବେ ଯେତେବେଳେ ସବୁ ସତ ଏବେ ପଦାକୁ ଆସିଛି ଏବଂ ରଘୁବଂଶୀଙ୍କ ହତ୍ୟା ପତ୍ନୀ ସୋନମ କିଛି ହତ୍ୟାକାରୀଙ୍କ ସହ ମିଶି କରିଛନ୍ତି ବୋଲି ଜଣା ପଡିଛି, ସେତେବେଳେ ଉତ୍ତର-ପୂର୍ବାଞ୍ଚଳ ଲୋକମାନେ ଘୃଣା ପ୍ରଚାରକମାନଙ୍କୁ ପ୍ରତି ଆକ୍ରମଣ କରିବା ଆରମ୍ଭ କରି ଦେଇଥିବା ବେଳେ ସେମାନଙ୍କୁ କ୍ଷମା ମାଗିବାକୁ ଦାବି କରୁଛନ୍ତି। ଏହି ଜାତିଗତ ବିଷର ଚକ୍ର ରାଜା ରଘୁବଂଶୀଙ୍କ ମୃତଦେହ ମେଘାଳୟର ଚେରାପୁଞ୍ଜି ଅଞ୍ଚଳର ଏକ ଘାଟିରୁ ମିଳିବା ଏବଂ ତାଙ୍କ ପତ୍ନୀ ସୋନମ ଜୁନ୍ ୨ ତାରିଖରେ ନିଖୋଜ ହେବା ପରେ ଆରମ୍ଭ ହୋଇଥିଲା। ହନିମୁନରେ ଯାଇଥିବା ଏହି ଦମ୍ପତି ମେ ୨୦ ତାରିଖରେ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟରେ ପହଞ୍ଚିଥିଲେ ଏବଂ ଶେଷ ଥର ପାଇଁ ମେ ୨୩ ତାରିଖରେ ଏକାଠି ମେଘାଳୟରେ ଦେଖାଯାଇଥିଲେ।
ଏହି ହତ୍ୟାକାଣ୍ଡ କଥା ଜଣା ପଡିବା ପରେ, ଅନେକ ଲୋକ ମେଘାଳୟ ଏବଂ ସମଗ୍ର ଉତ୍ତର-ପୂର୍ବ ଅଞ୍ଚଳର ଜନଜାତିଙ୍କ ବିରୁଦ୍ଧରେ ଜାତିଗତ ଭେଦଭାବ ମନ୍ତବ୍ୟ ଦେଇଥିଲେ। ସେମାନେ କହିଥିଲେ ଯେ ମେଘାଳୟ ଯାତ୍ରା କରିବା ଅସୁରକ୍ଷିତ। ଏହି ଘଟଣା ନେଇ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ ସାଙ୍ଗମା କହିଛନ୍ତି ଯେ ତାଙ୍କ ସରକାର ଏବଂ ପୋଲିସ ଏହାର ଅନୁସନ୍ଧାନ କରିବେ କାରଣ ରାଜ୍ୟ “ବଦନାମିତ” ହୋଇଛି। ସେ ଆହୁରି କହିଛନ୍ତି “ଆମକୁ ଯାହା କରିବାକୁ ପଡିବ ତାହା କରିବୁ। ଆମର ସରକାର ଏବଂ ରାଜ୍ୟ ବଦନାମିତ ହୋଇଛି, ଯଦିଓ ଅଭିଯୁକ୍ତମାନଙ୍କ ମଧ୍ୟରୁ କେହି ମେଘାଳୟର ନୁହଁନ୍ତି”। ସିଲଂର ଏକ ପ୍ରମୁଖ ନାଗରିକ ସମାଜ ଗୋଷ୍ଠୀ, କନଫେଡେରେସନ ଅଫ୍ ମେଘାଳୟ ସୋସିଆଲ ଅର୍ଗାନାଇଜେସନ (CoMSO), ସୋନମ ରଘୁବଂଶୀଙ୍କ ପରିବାରକୁ ସାର୍ବଜନୀନ ଭାବରେ କ୍ଷମା ପ୍ରାର୍ଥନା କରିବାକୁ ଦାବୀ କରିଛି। ଏହାର ସଭାପତି ମେଘାଳୟ ସରକାର ଏବଂ ପୋଲିସ ବିରୁଦ୍ଧରେ ଭିତ୍ତିହୀନ ଦାବି କରିବା ପାଇଁ ପରିବାରକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି ଯେ, ସେମାନଙ୍କ ମନ୍ତବ୍ୟ ସ୍ଥାନୀୟ ସମ୍ପ୍ରଦାୟକୁ ଅନୁଚିତ ଭାବରେ ଟାର୍ଗେଟ କରିବା ସହ ବଦନାମ କରିଛି। ସେମାନଙ୍କ ବକ୍ତବ୍ୟ ଦୁଃଖରୁ ବହୁ ଆଗରେ ରହିଥିଲା ସେମାନେ ଜାଣିଶୁଣି ଭୁଲ ସୂଚନା ଦେବାର ସୀମା ପାର କରିଥିଲା। ଏବେ ସତ୍ୟ ପ୍ରକାଶିତ ହେବା ପରେ, ସେମାନଙ୍କୁ କ୍ଷମା ମାଗିବାକୁ ପଡିବ – କେବଳ ସରକାର ଏବଂ ପୋଲିସକୁ ନୁହେଁ, ବରଂ ଭୁଲ ଭାବରେ ବଦନାମ ହୋଇଥିବା ମେଘାଳୟର ପ୍ରତ୍ୟେକ ନାଗରିକଙ୍କୁ” ବୋଲି ସେ କହିଛନ୍ତି।
ରାଜା ରଘୁବଂଶୀଙ୍କ ହନିମୁନ୍ ହତ୍ୟା ପରେ ବଢିଲା ଜାତିଭେଦ ମନ୍ତବ୍ୟ
ରାଜା ରଘୁବଂଶୀଙ୍କ ହତ୍ୟା ମାମଲାଟି ପ୍ରକାଶ ପାଇବା ପରେ ସୋସିଆଲ ମିଡିଆରେ ଅନେକ ଲୋକ ରାଜାଙ୍କ ମୃତ୍ୟୁ ପାଇଁ ମେଘାଳୟ ଏବଂ ଉତ୍ତର-ପୂର୍ବାଞ୍ଚଳ ଲୋକଙ୍କୁ ଦାୟୀ କରିଥିଲେ। ଘୃଣା ଏବଂ ଜାତିଗତ ଧର୍ମାନ୍ଧତାର ଏକ ନଗ୍ନ ରୂପ ଦେଖିବାକୁ ମିଳିଥିଲା ସୋସିଆଲ ମିଡ଼ିଆ ପୋଷ୍ଟରେ। ଯାହା କି ଅତ୍ୟନ୍ତ କୁଚ୍ଛିତ ଓ କଦର୍ଯ୍ୟ ଥିଲା। କିଛି ଲୋକ ଲେଖିଥିଲେ “ଉତ୍ତରପୂର୍ବାଞ୍ଚଳ ହିଂସ୍ର ଜନ୍ତୁରେ ପରିପୂର୍ଣ୍ଣ, ସେଠାକୁ କେବେ ଯାଅ ନାହିଁ। ଉତ୍ତର-ପୂର୍ବାଞ୍ଚଳର ମିଠା ପ୍ରଚାର ଦ୍ୱାରା ପ୍ରଲୋଭିତ ସାଧାରଣ ଲୋକମାନେ ଏହିପରି ଫସି ଯାଆନ୍ତି। କେବଳ ଅରୁଣାଚଳ ଏବଂ ସିକିମ୍ ରେ ବ୍ୟତିକ୍ରମ ଦେଖିବାକୁ ମିଳେ” କିନ୍ତୁ ଉତ୍ତର-ପୂର୍ବାଞ୍ଚଳ ଭାରତର ଅନ୍ୟ ଅଂଶରେ ମଧ୍ୟ ଭେଦଭାବର ସମ୍ମୁଖୀନ ହେବାକୁ ପଡ଼େ । ଉତ୍ତର-ପୂର୍ବ ରାଜ୍ୟରେ ଅନେକ ଗ୍ୟାଙ୍ଗ ସକ୍ରିୟ ଅଛନ୍ତି ଯେଉଁମାନେ ଟଙ୍କା ପାଇଁ ଲୋକଙ୍କୁ ହତ୍ୟା କରନ୍ତି” ସୋସିଆଲ ମିଡ଼ିଆରେ ଘୁରି ବୁଲୁଥିବା ଏଭଳି କିଛି ଲେଖା ମେଘାଳୟ ସହ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟକୁ ବଦନାମ କରିବାରେ କୌଣସି କାରଣ ଛାଡ଼ି ନଥିଲା। କେତେକ ଏହି ଅଞ୍ଚଳରୁ ଲୋକଙ୍କୁ “ବାଛନ୍ଦ” କରିବା ଉଚିତ ବୋଲି ମଧ୍ୟ ପରାମର୍ଶ ଦେବାକୁ ଭୁଲି ନାଥିଲେ। କେହି କେହି ଜାତିଭେଦ ମନ୍ତବ୍ୟ ଦେଇ ଉତ୍ତର-ପୂର୍ବାଞ୍ଚଳର ଲୋକମାନଙ୍କୁ “ବର୍ବର, ନରଭକ୍ଷୀ ଏବଂ ମାନବ ଚାଲାଣକାରୀ” ବୋଲି ମଧ୍ୟ କହିଥିଲେ। ହେଲେ ଏବେ ସୋନମଙ୍କ ଗିରଫଦାରୀ ପରେ, ଯେତେବେଳେ ଏହା ସ୍ପଷ୍ଟ ହୋଇଛି ଯେ ରାଜା ରଘୁବଂଶୀଙ୍କ ହତ୍ୟାରେ ଉତ୍ତର-ପୂର୍ବାଞ୍ଚଳର କାହାର ହାତ ନାହିଁ, ସେତେବେଳେ ଉକ୍ତ ଅଞ୍ଚଳର ଲୋକମାନେ ତାଙ୍କ ବିରୁଦ୍ଧରେ କରାଯାଇଥିବା ଜାତିଭେଦ ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ ଦାବି କରିଛନ୍ତି। “କିଛି ଦିନ ପୂର୍ବରୁ, ଅନେକ ଲୋକ ମେଘାଳୟରେ ହାନିମୁନ ହତ୍ୟା ଦୁର୍ଘଟଣା ପାଇଁ ଉତ୍ତର-ପୂର୍ବାଞ୍ଚଳକୁ ଦାୟୀ କରିଥିଲେ, ଏହାକୁ ଅସୁରକ୍ଷିତ, ଏପରିକି ‘ତାନ୍ତ୍ରିକ’ ବୋଲି କହିଥିଲେ। ଆଜି ଏହାର ସତ ପ୍ରକାଶ ପାଇଛି ରାଜାଙ୍କୁ ତାଙ୍କ ପତ୍ନୀ ହତ୍ୟା କରିବା କାରଣରୁ ଗିରଫ କରାଯାଇଛି। ସତ୍ୟ ଜାଣିବା ପୂର୍ବରୁ ସମଗ୍ର ଅଞ୍ଚଳକୁ ବଦନାମ କରନ୍ତୁ ନାହିଁ, ଯେଉଁମାନେ ସତ୍ୟ ନ ଜାଣି ମେଘାଳୟ ଏବଂ ଉତ୍ତର-ପୂର୍ବ ଭାରତକୁ ଦୋଷ ଦେଇଛନ୍ତି, ଆମ ରାଜ୍ୟକୁ ବଦନାମ କରିଛନ୍ତି, ପର୍ଯ୍ୟଟନକୁ ପ୍ରଭାବିତ କରିଛନ୍ତି, ଘୃଣା ପ୍ରସାର କରିଛନ୍ତି, ସେମାନେ ଲିଖିତ କ୍ଷମା ପ୍ରାର୍ଥନା କରିବା ଉଚିତ” ବୋଲି ଉକ୍ତ ଅଞ୍ଚଳର ଜଣେ ବ୍ୟକ୍ତି ସୋସିଆଲ ମିଡ଼ିଆରେ ଲେଖିଛନ୍ତି। କିଛି ଲୋକ ଲେଖିଛନ୍ତି ଯେ, ଯେତେବେଳେ ସରକାର ଉତ୍ତର-ପୂର୍ବ ଅଞ୍ଚଳକୁ ନିକଟତର କରିବାକୁ ଚେଷ୍ଟା କରୁଛନ୍ତି, ଏବଂ ପର୍ଯ୍ୟଟକମାନେ ସେଠାରେ ପ୍ରବଳ ଆତିଥ୍ୟ ପାଇ ବହୁ ସଂଖ୍ୟାରେ ଯାତ୍ରା କରୁଛନ୍ତି, କିଛି ଘୃଣା ପ୍ରବଣ ବ୍ୟକ୍ତି ବିନାପ୍ରମାଣରେ ସମଗ୍ର ରାଜ୍ୟ ଏବଂ ଅଞ୍ଚଳକୁ ବଦନାମ କରୁଛନ୍ତି। ଏହା ଦର୍ଶାଉଛି ଯେ ଭାରତର ଉତ୍ତର-ପୂର୍ବ ଅଞ୍ଚଳ ବିଷୟରେ ଏବେ ବି କିଛି ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସି ନାହିଁ। ସ୍କୁଲ ପାଠ୍ୟକ୍ରମରେ ଏହି ଅଞ୍ଚଳ ବିଷୟରେ ଅଧିକ ସୂଚନା ଅନ୍ତର୍ଭୁକ୍ତ କରିବା ଏକ ବହୁତ ଭଲ ଆରମ୍ଭ ହେବ ବୋଲି ଲୋକେ ପରାମର୍ଶ ଦେଇଛନ୍ତି।
Also readhttps://purvapaksa.com/odisha-higher-education-department-signs-mou-with-ignou/