ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ପଡୋଶୀ ପାକିସ୍ତାନ ସହିତ ଦେଖାଦେଇଥିବା ଉତ୍ତେଜନାର ମୁକାବିଲା ପାଇଁ ଭାରତରେ ରାଜନୈତିକ ଦଳଗୁଡ଼ିକ ଯେଉଁ ଭଳି ଭାବେ ଏକତା ପ୍ରଦର୍ଶନ କରିଥିଲେ ତାକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆରଏସଏସ) ମୁଖ୍ୟ ମୋହନ ଭାଗବତ ଭୂରି ଭୂରି ପ୍ରଶଂସା କରିଛନ୍ତି ଏବଂ ଜାତୀୟ ସୁରକ୍ଷା କ୍ଷେତ୍ରରେ ସରକାରଙ୍କୁ ଆତ୍ମନିର୍ଭରଶୀଳ ହେବାକୁ ଆହ୍ୱାନ କରିଛନ୍ତି। ଗୁରୁବାର ନାଗପୁରରେ ଏକ ସ୍ୱେଚ୍ଛାସେବକ ତାଲିମ କାର୍ଯ୍ୟକ୍ରମର ସମାପ୍ତିରେ କାର୍ଯ୍ୟକର୍ତ୍ତା ବିକାଶ ବର୍ଗ-୨କୁ ସମ୍ବୋଧିତ କରି ଆରଏସଏସ ମୁଖ୍ୟ କହିଛନ୍ତି, “ଦେଶଭକ୍ତିର ଏହି ପରିବେଶରେ, ସେମାନଙ୍କର ପାରସ୍ପରିକ ପ୍ରତିଦ୍ୱନ୍ଦ୍ୱିତାକୁ ଭୁଲି ପ୍ରତିଯୋଗୀମାନେ ପରସ୍ପରକୁ ସାହାଯ୍ୟ କରୁଛନ୍ତି – ଏହା ପ୍ରକୃତରେ ଏକ ଆଦର୍ଶ ଗଣତନ୍ତ୍ରର ଚିତ୍ର। ଏହା ଭବିଷ୍ୟତରେ ମଧ୍ୟ ଜାରି ରହିବା ଉଚିତ।” ଏହାସହ ଭାଗବତ ସମାଜକୁ ସତର୍କ ରହିବାକୁ ଆହ୍ୱାନ ଦେବା ସହ ଭାରତ ସୁରକ୍ଷା ସମ୍ବନ୍ଧରେ ଅଧିକ ଆତ୍ମନିର୍ଭରଶୀଳ ହେବା ଉଚିତ ବୋଲି ଗୁରୁତ୍ୱାରୋପ କରିଛନ୍ତି। ସେ ସୁରକ୍ଷା କ୍ଷେତ୍ରରେ ନୂତନ ପ୍ରକାରର ପ୍ରଯୁକ୍ତିବିଦ୍ୟାର ଅନୁସନ୍ଧାନ କରାଯିବା ଉଚିତ ବୋଲି କହିଛନ୍ତି।
ଏହାସହ ଭାଗବତ ପହଲଗାମ ଆକ୍ରମଣ ପରେ ମୋଦି ସରକାରଙ୍କ ଦ୍ବାରା ନିଯାଇଥିବା କାର୍ଯ୍ୟାନୁଷ୍ଠାନକୁ ମଧ୍ୟ ପ୍ରଶଂସା କରିଛନ୍ତି। ଭାଗବତ କହିଛନ୍ତି, “ପହଲଗାମରେ ହୋଇଥିବା ବର୍ବର ଆକ୍ରମଣରେ ଆମ ଦେଶର ନାଗରିକମାନେ ଆତଙ୍କବାଦୀଙ୍କ ଦ୍ୱାରା ପ୍ରାଣ ହରାଇଥିଲେ। ଏହି ଘଟଣା ପରେ ସ୍ୱାଭାବିକ ଭାବରେ ଆମେ ଦୁଃଖିତ ଏବଂ କ୍ରୋଧିତ ଥିଲୁ। ପ୍ରତିଶୋଧ ସ୍ୱରୂପ କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ଏହି ସମଗ୍ର ଘଟଣା ବଳିରେ ଆମର ସେନାର କ୍ଷମତା ଏବଂ ବୀରତ୍ୱ ପୁଣି ଥରେ ପ୍ରଦର୍ଶିତ ହୋଇଥିଲା।” ଘଟଣା ପରେ ରାଜନୈତିକ ବର୍ଗ ଏବଂ ଜନସାଧାରଣ କିପରି ପାରସ୍ପରିକ ବୁଝାମଣା ଦେଖାଇଥିଲେ ତାହା ଉପରେ ଆଲୋକପାତ କରି ସେ କହିଛନ୍ତି, “ଦୀର୍ଘ ପ୍ରତୀକ୍ଷିତ ବୁଝାମଣା ପ୍ରଦର୍ଶନ କରି ଏବଂ ମତଭେଦକୁ ଭୁଲି,ସମଗ୍ର ସମାଜ ଏକତାର ଏକ ଚମତ୍କାର ଦୃଶ୍ୟ ସୃଷ୍ଟି କରିଛି, । ଯଦି ଏହି ଦୃଶ୍ୟ ସବୁଦିନ ପାଇଁ ରହିଥାଏ, ତେବେ ଏହା ଆମ ଦେଶ ପାଇଁ ଏକ ମହାନ ସମର୍ଥନ ହେବ।”
ପାକିସ୍ତାନର ନାମ ନ ନେଇ ଭାଗବତ ଆହୁରି କହିଛନ୍ତି ଯେ, ପଡ଼ୋଶୀ ଦେଶ, ଭାରତକୁ ସିଧାସଳଖ ପରାସ୍ତ କରିପାରି ନାହିଁ, ସେଥି ପାଇଁ ସେ ଆତଙ୍କବାଦ ଏବଂ ପ୍ରକ୍ସି ଯୁଦ୍ଧର ଆଶ୍ରୟ ନେଇଛି। “ଆମେ ଅଲଗା ହୋଇଥିଲୁ ଯାହା ଦ୍ୱାରା ଆମେ ଶାନ୍ତିରେ ରହିପାରିବୁ। କିନ୍ତୁ, ଅଲଗା ହେବା ପରେ ସେମାନେ ତୁରନ୍ତ ମତଭେଦ ସୃଷ୍ଟି କରିବା ଆରମ୍ଭ କରିଦେଲେ । ଦୁଇ ରାଷ୍ଟ୍ର ତତ୍ତ୍ୱର ଭୂତରୁ ଜନ୍ମିତ କପଟତାକୁ ବନ୍ଦ କରିବାକୁ ପଡିବ, ଯେପର୍ଯ୍ୟନ୍ତ ଦୁଇ ରାଷ୍ଟ୍ର ତତ୍ତ୍ୱର ଭୂତ ରହିଛି, ସେପର୍ଯ୍ୟନ୍ତ ଏହା ଆମର ଜାତୀୟ ସୁରକ୍ଷା ପାଇଁ ବିପଦ ସୃଷ୍ଟି କରିବ” ବୋଲି ସେ କହିଛନ୍ତି। ସମସ୍ତ ସମ୍ପ୍ରଦାୟ ଏବଂ ବର୍ଗକୁ ଶାନ୍ତି ଏବଂ ସଦ୍ଭାବରେ ରହିବାକୁ ଆହ୍ବାନ ଦେଇ ଆରଏସଏସ ମୁଖ୍ୟ କହିଛନ୍ତି ଯେ,”ଲୋକମାନେ ଛୋଟ ଛୋଟ ପ୍ରସଙ୍ଗ ପାଇଁ ଆଭ୍ୟନ୍ତରୀଣ ଦ୍ୱନ୍ଦ୍ୱରୁ ଦୂରେଇ ରହିବା ଉଚିତ। ଯେକୌଣସି ପରିସ୍ଥିତିରେ, ସମାଜର କୌଣସି ବି ବର୍ଗ ଅନ୍ୟ ବର୍ଗ ସହିତ ଲଢ଼ିବା ଉଚିତ୍ ନୁହେଁ। ଆମକୁ ନିଜ ନିଜ ମଧ୍ୟରେ ସଦ୍ଭାବନା ବଜାୟ ରଖିବାକୁ ପଡିବ। ଭାବପ୍ରବଣ ହୋଇ ଅତ୍ୟାଚାରୀ ହେବା ଠିକ୍ ନୁହେଁ। ବର୍ତ୍ତମାନ, ଏହା ଆମର ସରକାର, ଏହା ଭାରତର ସମ୍ବିଧାନ ଅନୁଯାୟୀ ହୋଇଥିବା ସରକାର। ତେଣୁ, ଆମକୁ ବିନାକାରଣରେ ଅପମାନଜନକ ଭାଷା ବ୍ୟବହାର ବନ୍ଦ କରିବାକୁ ପଡିବ”।
ଭାଗବତ ଧାର୍ମିକ ପରିବର୍ତ୍ତନ ଉପରେ ଆରଏସଏସର ମତକୁ ମଧ୍ୟ ଦୋହରାଇ କହିଛନ୍ତି, ସଂଗଠନ ଧାର୍ମିକ ପରିବର୍ତ୍ତନକୁ “ହିଂସା” ର ଏକ ପ୍ରକାର ବୋଲି ବିବେଚନା କରେ ଏବଂ ଲୋକଙ୍କୁ ପ୍ରଲୋଭିତ କିମ୍ବା ସେମାନଙ୍କର ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ ନ କରିବା ପାଇଁ କାର୍ଯ୍ୟ କରୁଛି। “ବିଭିନ୍ନ ଧର୍ମ ଏବଂ ସମ୍ପ୍ରଦାୟ ସହିତ ଆମର କୌଣସି ମତଭେଦ ନାହିଁ। ଖ୍ରୀଷ୍ଟ, ମହମ୍ମଦ, ସମସ୍ତେ ପୂଜ୍ୟ ଏବଂ ଆମେ ସେମାନଙ୍କୁ ମଧ୍ୟ ସମ୍ମାନ କରୁ। କିନ୍ତୁ ସମସ୍ତେ ନିଜ ନିଜ ଧର୍ମ ପାଳନ କରିବେ। ଯେଉଁମାନେ ଲୋଭ କିମ୍ବା ବାଧ୍ୟବାଧକତା ଯୋଗୁଁ ନିଜର ଧର୍ମ ପରିବର୍ତ୍ତନ କରିଛନ୍ତି ଏବଂ ଏବେ ଫେରି ଆସିବାକୁ ଚାହୁଁଛନ୍ତି, ସେମାନଙ୍କୁ ମଧ୍ୟ ସମ୍ମାନ କରାଯିବା ଉଚିତ କାରଣ ଏହା ଏକ ସଂସ୍କାର”। ଛତିଶଗଡ଼ର ବରିଷ୍ଠ ରାଜନେତା ଅରବିନ୍ଦ ନେତାମ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ, ଯିଏ କି ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏବଂ ପି.ଭି. ନରସିଂହ ରାଓଙ୍କ ଅଧୀନରେ କାର୍ଯ୍ୟ କରିଥିଲେ। ତାଙ୍କ ଭାଷଣରେ ନେତାମ ଆରଏସଏସ ମୁଖ୍ୟଙ୍କୁ ନକ୍ସଲବାଦର ପୁନରୁତ୍ଥାନକୁ ରୋକିବା ପାଇଁ ଏକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ କେନ୍ଦ୍ର ସରକାରଙ୍କୁ ଚାପ ପକାଇବାକୁ ଅନୁରୋଧ କରିଥିଲେ ବୋଲି ଭାଗବତ କହିଥିଲେ। ବର୍ତ୍ତମାନ ସମୟରେ ଯୁଦ୍ଧର ପରିଭାଷାକୁ ଭାଗବତ ବ୍ୟାଖ୍ୟା କରି କହିଥିଲେ ଯେ, ଯୁଦ୍ଧର ପ୍ରକୃତି ବଦଳି ଯାଇଛି ଏବଂ ଯୁଦ୍ଧ ଆଉ ମୁହାଁମୁହିଁ ଲଢ଼ାଯାଉନାହିଁ। “ପରିବର୍ତ୍ତିତ ପ୍ରଯୁକ୍ତିବିଦ୍ୟା ସହିତ, ଆପଣ ଏକ କୋଠରୀରେ ବସି ଗୋଟିଏ ବଟନ୍ ଦବାଇ ଡ୍ରୋନ୍ ଦ୍ଵାରା ଆକ୍ରମଣ କରିପାରିବେ”। ପ୍ରକୃତ ଶକ୍ତି ସମାଜର ଲୋକଙ୍କ ପାଖରେ ରହିଛି ବୋଲି ସେ କହିଛନ୍ତି।
Also readhttps://purvapaksa.com/odisha-restricts-procurement-from-these-countries/
1 Comment
Pingback: school close I ପୁଣି ବନ୍ଦ ହୋଇପାରେ ସ୍କୁଲ,କଲେଜ ଯାତ୍ରା ମୋହତ୍ସବ ।