ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ବିଶ୍ଵର ନମ୍ବର – ୧ ଧନୀ ଏଲନ ମସ୍କଙ୍କ ଭିତରେ ଦେଖାଦେଇଥିବା। ବିବାଦ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ପାଇଁ ସମସ୍ୟା ସୃଷ୍ଟି କରିପାରେ ବୋଲି ଆଶଙ୍କା କରାଯାଉଛି। ସଂଘୀୟ ଚୁକ୍ତିନାମାକୁ ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ସହ ଏଲନ ମସ୍କଙ୍କ ବିବାଦ ପରେ ସ୍ପେସ୍ ଏକ୍ସର ଡ୍ରାଗନ୍ ମହାକାଶଯାନକୁ ବନ୍ଦ କରିବାକୁ ଧମକ ମିଳିଥିବା କୁହାଯାଉଛି, ଯାହା ଆଇଏସଏସ ମିଶନ ଏବଂ ଆମେରିକା-ଭାରତ ମହାକାଶ ସହଭାଗୀତା ପାଇଁ ଚିନ୍ତାର କାରଣ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ସରକାରୀ ଚୁକ୍ତିନାମା ବାତିଲ କରିବାକୁ ଧମକ ଦେବା ପରେ ସ୍ପେସ୍ ଏକ୍ସ ତୁରନ୍ତ ଡ୍ରାଗନ୍ ମହାକାଶଯାନକୁ ବନ୍ଦ କରିଦେବ ବୋଲି ଏଲନ ମସ୍କ ଘୋଷଣା କରିବା ସହ ବିଶ୍ୱବ୍ୟାପୀ ଚିନ୍ତା ପ୍ରକଟ କରିଛନ୍ତି।
ଟ୍ରମ୍ପ ପ୍ରଶାସନ ଦ୍ୱାରା ସମର୍ଥିତ ଏକ ପ୍ରମୁଖ ଖର୍ଚ୍ଚ ବିଲ୍କୁ ମସ୍କ ସାର୍ବଜନୀକ ଭାବରେ ସମାଲୋଚନା କରିବା ଏବଂ ଏହାକୁ ‘ଅତ୍ୟନ୍ତ ଘୃଣ୍ୟ’ ବୋଲି କହିବା ପରେ ଉଭୟଙ୍କ ମଧ୍ୟରେ ବିବାଦ ବୃଦ୍ଧି ପାଇଥିବା କୁହାଯାଉଛି। ତେବେ ଏହାପରେ ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପ୍ରତିକ୍ରିୟା ଦେଇ କହିଥିଲେ ଯେ, ମସ୍କଙ୍କ ସରକାରୀ ଚୁକ୍ତିନାମାକୁ ବାତିଲ କରିବା ଦ୍ୱାରା ଆମେରିକାର କୋଟି କୋଟି ଡଲାର ସଞ୍ଚୟ ହେବ, ଏବଂ ପ୍ରଶ୍ନ କରିଥିଲେ ଯେ ଏପରି ପଦକ୍ଷେପ ପୂର୍ବରୁ କାହିଁକି ନିଆଯାଇ ନାହିଁ? ମସ୍କ ମଧ୍ୟ ଉତ୍ତର ଦେବାରେ ପଛରେ ପଡ଼ି ନଥିଲେ ଏକ ତ୍ଵରିତ ପ୍ରତିକ୍ରିୟା ଦେଇ ଏକ୍ସ(X)ରେ କହିଥିଲେ ଯେ, “ମୋର ସରକାରୀ ଚୁକ୍ତିନାମା ବାତିଲ କରିବା ବିଷୟରେ ରାଷ୍ଟ୍ରପତିଙ୍କ ବିବୃତ୍ତିକୁ ଦୃଷ୍ଟିରେ ରଖି, @SpaceX ତୁରନ୍ତ ଏହାର ଡ୍ରାଗନ୍ ମହାକାଶଯାନକୁ ବନ୍ଦ କରିବା ଆରମ୍ଭ କରିବ”।
ସ୍ପେସଏକ୍ସର କ୍ରୁ ଡ୍ରାଗନ୍ ବିଭିନ୍ନ ଦେଶର ମହାକାଶଚାରୀଙ୍କୁ ମହାକାଶ ଷ୍ଟେସନରେ ପହଞ୍ଚାଇବା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଟେ, ଏବଂ ଜୁନ୍ ୮ ତାରିଖରେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କୁ ଆକ୍ସିଓମ୍-୪ ମିଶନ ଦ୍ଵାରା ୧୪ ଦିନିଆ ମିଶନରେ ଆଇଏସଏସକୁ ପଠାଇବାକୁ ପ୍ରସ୍ତୁତ ହେଉଛି। ମସ୍କଙ୍କ ଘୋଷଣା ଆକ୍ସିଓମ୍-୪ ମିଶନର ଭବିଷ୍ୟତ ନେଇ ଆଶଙ୍କା ସୃଷ୍ଟି କରିଛି। ତେବେ ପୂର୍ବରୁ ଏହି ମିଶନ ଅନ୍ୟାନ୍ୟ କାରଣ ଯୋଗୁଁ ଦୁଇଥର ସ୍ଥଗିତ ରହିସାରିଛି ମଧ୍ୟ, ପ୍ରଥମେ ମେ ୨୯ ରୁ ଜୁନ୍ ୮ ଏବଂ ତା’ପରେ ଜୁନ୍ ୧୦ ପର୍ଯ୍ୟନ୍ତ ଏହା ସ୍ଥଗିତ ରହିଥିଲା। ତେବେ, ସ୍ପେସଏକ୍ସ ପ୍ରତିଷ୍ଠାତା ନିଜେ ନିଜର ଏହି ନିଷ୍ପତ୍ତିକୁ ପ୍ରତ୍ୟାଖ୍ୟାନ କରି ଆଉ ଏକ ଏକ୍ସ-ପୋଷ୍ଟ ଜରିଆରେ ପ୍ରତିକ୍ରିୟା ଦେଇ କହିଛନ୍ତି, “ଏହା ଭଲ ପରାମର୍ଶ। ଠିକ୍ ଅଛି, ଆମେ ଡ୍ରାଗନ୍ ବନ୍ଦ କରିବୁ ନାହିଁ”।
ମସ୍କ-ଟ୍ରମ୍ପ୍ ବିବାଦ ଏବଂ ଡ୍ରାଗନ୍ର ଭୂମିକା
ସ୍ପେସଏକ୍ସର ଡ୍ରାଗନ୍ ମହାକାଶଯାନକୁ ବନ୍ଦ କରିବାର ଆଶଙ୍କା ଆନ୍ତର୍ଜାତୀୟ ଅନ୍ତରିକ୍ଷ ଷ୍ଟେସନର କାର୍ଯ୍ୟକୁ ଗୁରୁତର ଭାବରେ ବାଧା ଦେଇପାରେ ବୋଲି କୁହାଯାଉଛି, ଏହାପରେ ଋଷିଆର ସୋୟୁଜ୍ ଏକମାତ୍ର କ୍ରୁ ପରିବହନ ବିକଳ୍ପ ହୋଇ ରହିବ। ଏହାଦ୍ଵାରା କ୍ରୁ ଚକ୍ର ସୀମିତ ହୋଇଯିବ ଏବଂ ଅନ୍ତରିକ୍ଷକୁ ଅନ୍ତର୍ଜାତୀୟ ପ୍ରବେଶ ହ୍ରାସ ହେବ ବୋଲି ଅନୁମାନ କରଯାଉଛି । ଏହି ପଦକ୍ଷେପ ସ୍ପେସଏକ୍ସ, ନାସା ଏବଂ ପେଣ୍ଟାଗୋନ ମଧ୍ୟରେ ହୋଇଥିବା ୨୨ ବିଲିୟନ ଡଲାରରୁ ଅଧିକ ମୂଲ୍ୟର ଚୁକ୍ତିକୁ ବିପଦରେ ପକାଇପାରେ ବୋଲି କୁହାଯାଉଛି, ଯେଉଁଥିରେ ଲୁନାର ଷ୍ଟାରସିପ୍ ବିକାଶ ଏବଂ ସାମରିକ ଉପଗ୍ରହ ଲଞ୍ଚ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ। ଏହି ନିଷ୍ପତି ଦ୍ଵାରା ଆକ୍ସିଓମ୍ ସ୍ପେସଏଏକ୍ସ-୪ ଭଳି ବୈଜ୍ଞାନିକ ମିଶନ ଗୁରୁତର ଭାବେ ବିଳମ୍ବ ହୋଇପାରେ। ଯାହା ଯୋଜନାବଦ୍ଧ ମାଇକ୍ରୋଗ୍ରାଭିଟି ପରୀକ୍ଷଣ ସହିତ ଜଡିତ ଅଟେ। ଡ୍ରାଗନର ଅନୁପସ୍ଥିତି କେବଳ ଲଜିଷ୍ଟିକ୍ସ ନୁହେଁ ବରଂ ମାନବ ମହାକାଶ ଉଡ଼ାଣ କାର୍ଯ୍ୟକ୍ରମର ରଣନୈତିକ, ବୈଜ୍ଞାନିକ ଏବଂ ଭୂରାଜନୈତିକ ସ୍ଥିରତାକୁ ମଧ୍ୟ ବିପଦରେ ପକାଇଥାଏ।
ଏବେ ଏଏକ୍ସ-୪ ମିଶନ ସ୍ଥିତି କଣ ରହିଛି?
ରାଜନୈତିକ ଅସ୍ଥିରତା ଭିତରେ, ଆକ୍ସିଓମ୍ ସ୍ପେସ୍ ଏପର୍ଯ୍ୟନ୍ତ କୌଣସି ଅଗ୍ରଗତି ବିଷୟରେ ଘୋଷଣା କରିନାହିଁ ଏବଂ ମସ୍କ ଶାନ୍ତି ଘୋଷଣା କରିବା ସହିତ, ଏଏକ୍ସ-୪ ମିଶନ ଟ୍ରାକରେ ରହିଛି ବୋଲି ସୂଚନା ଦେଇଛନ୍ତି। ଶୁଭାଂଶୁ ଶୁକ୍ଳାଙ୍କ ସହିତ ଏଏକ୍ସ-୪ ମିଶନର ଅନ୍ୟ ମହାକାଶଚାରୀମାନେ ପ୍ରୋଟୋକଲ୍ କ୍ୱାରେଣ୍ଟାଇନରେ ରହିଥିବା ଜଣାପଡିଛି। ଏହି ଅଗ୍ରଗତି କେନେଡି ସ୍ପେସ୍ ସେଣ୍ଟର ଲଞ୍ଚ ପ୍ୟାଡରେ ଡ୍ରାଗନ୍ ମହାକାଶଯାନ ପହଞ୍ଚିବା ପରେ ଘଟିଛି। ତେବେ ଶୁଭାଂଶୁ ଶୁକ୍ଲା ଭାରତର ଦ୍ୱିତୀୟ ମହାକାଶଚାରୀ ଏବଂ ଅଇଏସଏସ (ISS) ପରିଦର୍ଶନ କରିବାକୁ ଯାଉଥିବା ପ୍ରଥମ ଭାରତୀୟ ହେବେ, ଯାହା ଆମେରିକା-ଭାରତ ମହାକାଶ ସହଭାଗୀତାର ଏକ ମାଇଲଖୁଣ୍ଟ ହେବ ବୋଲି କୁହାଯାଉଛି। ତେବେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ, ନାଶା (NASA) ଅଧିକାରୀ କହିଛନ୍ତି ଯେ, ସେମାନେ ଟ୍ରମ୍ପ ପ୍ରଶାସନ ଦ୍ୱାରା ପ୍ରସ୍ତାବିତ ବଜେଟ୍ କାଟ ସହିତ ମୁକାବିଲା କରୁଛନ୍ତି ଏବଂ ଅଇଏସଏସ (ISS)କୁ ଯାଉଥିବା ଘରୋଇ ମିଶନର ଆକାର ହ୍ରାସ ହୋଇପାରେ। ତଥାପି, ସେ ଆଶ୍ୱାସନା ଦେଇଛନ୍ତି ଯେ,ଏଏକ୍ସ-୪ ମିଶନ କୌଣସି ପ୍ରକାରେ ପ୍ରଭାବିତ ହେବ ନାହିଁ।
ସ୍ପେସଏକ୍ସ ମଙ୍ଗଳ ଗ୍ରହର ଅନୁସନ୍ଧାନ ପାଇଁ ଜୋର ଦେଉଥିବା ସମୟରେ ସମ୍ପ୍ରତି ହ୍ୱାଇଟ୍ ହାଉସରେ କାର୍ଯ୍ୟଭାର ଗ୍ରହଣ କରିଥିବା ମସ୍କ ଏବଂ ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦ ଆମେରିକାର ମହାକାଶ ଅନୁସନ୍ଧାନ ଅଗ୍ରଗତିକୁ ବିପଦରେ ପକାଇବ ବୋଲି ଆଶଙ୍କା କରାଯାଉଛି। ମସ୍କ ଏବଂ ଟ୍ରମ୍ପଙ୍କ ସଂଘର୍ଷ ରାଜନୀତି ଏବଂ ମହାକାଶ ବାଣିଜ୍ୟର ସମ୍ପର୍କକୁ ଉଜ୍ଜ୍ୱଳ କରିଥିବାବେଳେ, ଏଏକ୍ସ-୪ର ସମୟସୀମା ଏପର୍ଯ୍ୟନ୍ତ ଅକ୍ଷୁର୍ଣ୍ଣ ରହିଛି। ତେବେ ଦେଖାଯାଉ ଆଗୁ ମସ୍କ ଏବଂ ଟ୍ରମ୍ପଙ୍କ ବିବାଦ ଆକ୍ସିଓମ୍ କୁ ପ୍ରଭାବିତ କରୁଛି ନାଁ ଏହା ଯୋଜନା ଅନୁଯାୟୀ ସଫଳ ହେଉଛି।
Also read https://purvapaksa.com/rbis-big-gift-all-types-of-loans-and-emis-will-be-cheaper/