ସୁନା ହେଉଛି ଏକ ଏପରି ଜିନିଷ, ଯାହାର ବିଶ୍ୱରେ ସବୁଠାରୁ ଅଧିକ ଚାହିଦା ରହିଛି। ଭାରତ ସମେତ ପ୍ରାୟ ସମସ୍ତ ଦେଶ ଏବେ ନିଜ ନିଜ ସୁନା ଭଣ୍ଡାର ବୃଦ୍ଧି କରୁଛନ୍ତି। ଭାରତୀୟ ରିଜର୍ଭ ବ୍ୟାଙ୍କର ସୁନା ଭଣ୍ଡାର ୮୭୫ ଟନରୁ ଅଧିକ ହୋଇଛି। ସବୁଠାରୁ ଅଧିକ ସୁନା ଆମେରିକା ପାଖରେ ରହିଛି, ଯାହା ୮୧୦୦ ଟନରୁ ଅଧିକ। ଏହା ବ୍ୟତୀତ, ଭାରତରେ ଲୋକମାନଙ୍କ ପାଖରେ ଥିବା ସୁନାର ଅଳଙ୍କାର ଅଲଗା। ଏକ ଅନୁମାନ ଅନୁଯାୟୀ, ଭାରତୀୟ ମହିଳାମାନଙ୍କ ପାଖରେ ରିଜର୍ଭ ବ୍ୟାଙ୍କ ଅପେକ୍ଷା ଅଧିକ ସୁନା ରହିଛି। ଏବେ ପ୍ରଶ୍ନ ଉଠୁଛି, ପୃଥିବୀରେ ଏତେ ସୁନା କେଉଁଠୁ ଆସିଲା?
ଯେତେବେଳେ ବିଶ୍ୱରେ ଉତ୍ତେଜନା ବଢେ, ଦେଶମାନେ ସୁନା କିଣିବା ଆରମ୍ଭ କରନ୍ତି। ଏପରି ସମୟରେ ସୁନାର ମୂଲ୍ୟ ବୃଦ୍ଧି ପାଏ। ତଥାପି, କିଣାବିକା ଜାରି ରହେ। ଏହାର କାରଣ ହେଉଛି ସୁନାକୁ ଏକ ନିରାପଦ ନିବେଶ ବୋଲି ବିବେଚନା କରାଯାଏ। ଅଧିକାଂଶ ଲୋକ ମଧ୍ୟ ସୁନାକୁ ନିବେଶ ରୂପେ କିଣନ୍ତି, କାରଣ ଗତ କିଛି ବର୍ଷରେ ଏହାର ମୂଲ୍ୟ ବହୁତ ବୃଦ୍ଧି ପାଇଛି। ପ୍ରାୟ ତିନି ବର୍ଷରେ ସୁନାର ମୂଲ୍ୟ ଦୁଇଗୁଣ ହୋଇଛି। ଫଳରେ ସୁନା କିଣାବିକା ମଧ୍ୟ ବୃଦ୍ଧି ପାଇଛି।
ଖନନ ବହୁଳ ପରିମାଣରେ ହେଉଛି
ଏହା ନୁହେଁ ଯେ ବିଶ୍ୱରେ ସୁନାର ବର୍ଷା ହୁଏ। ସୁନା ପୃଥିବୀ ଭିତରେ ବିସ୍ତାରିତ ହୋଇ ରହିଛି। ଅନେକ ଦେଶରେ ପୃଥିବୀ ଭିତରେ ପ୍ରଚୁର ପରିମାଣରେ ସୁନା ମିଳେ। ସେହି ଦେଶମାନେ ଏହାର ଖନନ କରି ସୁନା ପ୍ରସ୍ତୁତ କରନ୍ତି। ଖଣିରୁ ସୁନା ବାହାର କରିବା ଏବଂ ଆମେ ଯେପରି ଦେଖୁ, ସେହି ରୂପରେ ଆଣିବା ପାଇଁ ଏହାକୁ ଅନେକ ପ୍ରକ୍ରିୟା ଦେଇ ଗତି କରିବାକୁ ପଡ଼ିଥାଏ । ପୃଥିବୀ ତଳେ ଚଟ୍ଟାଣ ବ୍ୟତୀତ ସୁନା ମହାସାଗରରେ ମଧ୍ୟ ମିଳେ।
ସୁନା କେଉଁଠୁ ଆସିଲା?
ପୃଥିବୀରେ ସୁନାର ଇତିହାସ ପୃଥିବୀର ଗଠନ ସହ ଜଡ଼ିତ। ସୁପରନୋଭା ବା ତାରାମାନଙ୍କର ଧ୍ୱଂସାତ୍ମକ ବିସ୍ଫୋରଣ ଏବଂ ତାରାମାନଙ୍କର ଟକ୍କର ବ୍ରହ୍ମାଣ୍ଡରେ ଘଟିଥିଲା। ଏହାଦ୍ୱାରା ପ୍ରଚୁର ଶକ୍ତି ଉତ୍ପନ୍ନ ହେଲା। ଏପରି ତାରାମାନଙ୍କ ଭିତରେ ଚାପ ଏତେ ଅଧିକ ଥିଲା ଯେ ପ୍ରୋଟନ ଓ ଇଲେକ୍ଟ୍ରନ ସେମାନଙ୍କ କେନ୍ଦ୍ରକୁ ଠେଲି ଦିଆଗଲା। ଏହାଦ୍ୱାରା ନିଉଟ୍ରନ ସୃଷ୍ଟି ହେଲା। ତା’ପରେ ଲୁହା ଦ୍ୱାରା ନିଉଟ୍ରନକୁ ଦ୍ରୁତ ଗତିରେ ଧରିବା ଫଳରେ ଇଉରେନିୟମ, ସୀସା, ରୁପା ଓ ସୁନା ଭଳି ଭାରୀ ତତ୍ତ୍ୱ ସୃଷ୍ଟି ହେଲା। ଏହି ପ୍ରକ୍ରିୟା ବହୁତ ଦ୍ରୁତ ଗତିରେ ଘଟିଥିଲା। ତା’ପରେ ଏହି ତତ୍ତ୍ୱଗୁଡ଼ିକ ଅନ୍ତରୀକ୍ଷରେ ବିସ୍ତାରିତ ହେଲେ। ଏହିପରି ସୁନା ଓ ପ୍ଲାଟିନମ ଭଳି ଧାତୁଗୁଡ଼ିକ ପୃଥିବୀରେ ପହଞ୍ଚିଲେ ଯେତେବେଳେ ଏହାର ଗଠନ ହେଉଥିଲା।
ଚଟ୍ଟାଣର ଟକ୍କରରୁ ସୁନା
ପ୍ରାୟ ୪.୫ ବିଲିୟନ ବର୍ଷ ପୂର୍ବେର କଥା। ସେହି ସମୟରେ ପୃଥିବୀ ମଙ୍ଗଳ ଗ୍ରହ ଆକାରର ଏକ ଚଟ୍ଟାଣ ସହ ଟକ୍କର ହୋଇଥିଲା। ଏହି ଟକ୍କରରୁ ଯେଉଁ ଧ୍ୱଂସାବଶେଷ ବାହାରିଲା, ତାହାଦ୍ୱାରା ଚନ୍ଦ୍ର ଗଠିତ ହୋଇଥିଲା। ଏହାପରେ ଆହୁରି ଅନେକ ବିସ୍ଫୋରଣ ହୋଇଥିଲା। ସୂର୍ଯ୍ୟଙ୍କୁ ପରିକ୍ରମା କରୁଥିବା ଅନେକ ଚଟ୍ଟାଣ ବଳକା ରହିଥିଲା ଏବଂ ସେଥିରୁ ଅନେକ ପୃଥିବୀ ଉପରେ ପଡ଼ିଥିଲା। ଏହାକୁ ‘ଲେଟ ଆକ୍ରିସନ’ ନାମରେ ଜଣାଯାଏ, ଯାହା ଗ୍ରହମାନଙ୍କର ବିକାଶର ପ୍ରାୟ ୧% ଅଟେ। ଏହି ସମୟରେ, ପୃଥିବୀ ଉପରେ ପଡ଼ିଥିବା କିଛି ଚଟ୍ଟାଣରେ ସୁନା ଭଳି ଧାତୁର ଉପାଦାନ ଥିଲା। ଅର୍ଥାତ୍ ଏହା କୁହାଯାଇପାରେ ଯେ ପୃଥିବୀରେ ଥିବା ସୁନା ମୃତ ତାରାମାମଙ୍କ ମାଟିରୁ ଆସିଛି।
ପୃଥିବୀ ଭିତରେ ଜମା ହେଲା
ବିଶ୍ୱରେ ସୁନାର ଖୁବ ଗଭୀର ଖଣି ରହିଛି। ଏହା ଦର୍ଶାଏ ଯେ ସୁନା ପୃଥିବୀର ଉପରିଭାଗରେ ନୁହେଁ, ବରଂ ବହୁତ ତଳେ ରହିଛି। ଦକ୍ଷିଣ ଆଫ୍ରିକାରେ ଥିବା ମପୋନେଙ୍ଗ ହେଉଛି ବିଶ୍ୱର ସବୁଠାରୁ ଗଭୀର ସୁନା ଖଣି, ଯାହା ପ୍ରାୟ ୪ କିଲୋମିଟର ଗଭୀର । ଏବେ ପ୍ରଶ୍ନ ଉଠୁଛି, ସୁନା ଏତେ ଗଭୀରକୁ କେମିତି ପହଞ୍ଚିଲା? ପୃଥିବୀକୁ ଚାରି ଭାଗରେ ବିଭକ୍ତ କରାଯାଇଛି: ଭିତର ମୂଳ, ବାହାର ମୂଳ, ମେଣ୍ଟଲ ଓ କ୍ରଷ୍ଟ। ପୃଥିବୀର ଉପରିଭାଗକୁ କ୍ରଷ୍ଟ ଏବଂ ତାହା ତଳେ ଥିବା ଭାଗକୁ ମେଣ୍ଟଲ କୁହାଯାଏ। ତାହା ତଳେ ବାହାର ମୂଳ ଓ ଭିତର ମୂଳ ରହିଛି।
ମେଣ୍ଟଲର ଏକ ଭାଗ ଏପରି ଅଛି, ଯେଉଁଠାରେ ଅଗଭୀର ଅଞ୍ଚଳ ତରଳି ଯାଏ ଏବଂ ଏକ ଗଭୀର ଅଞ୍ଚଳ କଠିନ ରହେ। ଏହି ଭାଗ ଏଠାକୁ ଆସୁଥିବା ଧାତୁଗୁଡ଼ିକୁ ଧରି ରଖେ ଓ ସେଗୁଡ଼ିକୁ ମେଣ୍ଟଲ ପର୍ଯ୍ୟନ୍ତ ପହଞ୍ଚାଇ ଦିଏ। ବୈଜ୍ଞାନିକଙ୍କ ମତ ଅନୁଯାୟୀ, ଯେତେବେଳେ ପୃଥିବୀ ଉପରେ କ୍ଷୁଦ୍ରଗ୍ରହ ସବୁ ଧକା ଖାଇ ପଡିଥିଲେ,ସେତେବେଳେ ତାହା ପୃଥିବୀର ଗଭୀର ସ୍ତରଗୁଡ଼ିକୁ ଦୋହଲାଇ ଦେଲା। ଏହା ଦ୍ୱାରା ପୃଥିବୀ ଉପରେ ଥିବା ସୁନା ସମେତ ଭାରୀ ଧାତୁଗୁଡ଼ିକ ତଳକୁ ଡୁବିଗଲେ। ଯେତେବେଳେ ଏଗୁଡ଼ିକ ଆଂଶିକ ତରଳି ଥିବା ଅଞ୍ଚଳକୁ ପହଞ୍ଚିଲେ, ଧାତୁଗୁଡ଼ିକ ଆହୁରି ତଳକୁ ଡୁବିବାକୁ ଲାଗିଲେ। ତା’ପରେ ତରଳି ଥିବା ମେଣ୍ଟଲ ଜମିଗଲା, ଯାହା ଫଳରେ ଧାତୁଗୁଡ଼ିକ ସେଠାରେ ଫସିଗଲେ। ଏହା ହେଉଛି କାରଣ ଯେ ସୁନା ପୃଥିବୀ ତଳେ ଗଭୀରରେ ମିଳେ।
ଅନେକ ରୂପରେ ମିଳେ ସୁନା
ଏହା ନୁହେଁ ଯେ ପୃଥିବୀ ଭିତରେ ସୁନା ଖଣ୍ଡ ବା ବିସ୍କୁଟ ରୂପରେ ମିଳେ। ଏହା ପୃଥିବୀ ତଳେ ଅନେକ ରୂପରେ ମିଳେ। କିଛି ସୁନା ଚଟ୍ଟାଣର ଅୟସ୍କରେ ମିଳିପାରେ। ଏହା ଗୁଚ୍ଛ ରୂପରେ, ଶୁଦ୍ଧ ମୂଳ ତତ୍ତ୍ୱ ରୂପରେ ଏବଂ ପ୍ରାକୃତିକ ମିଶ୍ର ଧାତୁ ଇଲେକ୍ଟ୍ରମରେ ରୁପା ସହିତ ମିଳିପାରେ। କ୍ଷୟ ସୁନାକୁ ଅନ୍ୟ ଖଣିଜ ତତ୍ତ୍ୱରୁ ମୁକ୍ତ କରିଦିଏ। ଯେହେତୁ ସୁନା ଭାରୀ, ତେଣୁ ଏହା ଡୁବିଯାଏ। ଅନେକ ସମୟରେ ପାଣିର ପ୍ରବାହରେ ବୋହିଯାଇ ଏହା ମହାସାଗରରେ ଜମା ହୁଏ।
ଆଉ କେଉଁଠାରେ ମିଳେ ହଳଦିଆ ଧାତୁ?
ପୃଥିବୀ ବ୍ୟତୀତ ସୁନା ଚନ୍ଦ୍ରରେ ମଧ୍ୟ ରହିଛି। ତେବେ ସେଠାରେ ଏହାର ପରିମାଣ ପୃଥିବୀ ତୁଳନାରେ ବହୁତ କମ। ସୁନା ମଙ୍ଗଳ ଗ୍ରହରେ ମଧ୍ୟ ମିଳେ। ଆମ ପାଖରେ ମଙ୍ଗଳରୁ ସିଧାସଳଖ ନମୁନା ନାହିଁ, କିନ୍ତୁ ଆମ ପାଖରେ ତଥାକଥିତ ମଙ୍ଗଳ ଗ୍ରହର ଉଲ୍କାପିଣ୍ଡ ରହିଛି। ଏଗୁଡ଼ିକ ପୃଥିବୀରେ ମିଳୁଛି, କିନ୍ତୁ ସେମାନଙ୍କର ଆଇସୋଟୋପିକ ଗୁଣ ହେତୁ ଏଗୁଡ଼ିକୁ ମଙ୍ଗଳରୁ ଆସିଥିବା ବୋଲି ଚିହ୍ନଟ କରାଯାଇଛି। ଏଠାରେ ମଧ୍ୟ ସୁନା ଓ ପ୍ଲାଟିନମର ପରିମାଣ ପୃଥିବୀ ତୁଳନାରେ ବହୁତ କମ।
ALSO READ https://purvapaksa.com/is-this-corruption-of-majhi-government-or-the-influence-of-naveens-rule/