ପ୍ରାୟ ବର୍ଷକ ତଳେ ବିଜୁ ଜନତା ଦଳ ନିର୍ବାଚନ ହାରିଛି। ଏହାପରେ ୨୦୨୪ ଜୁନ୍ ୯ ତାରିଖରେ ରାଜନୀତିରୁ ସନ୍ୟାସ ଘୋଷଣା କରିଛନ୍ତି ଭୈରବ କାର୍ତ୍ତିକେୟନ ପାଣ୍ଡିଆନ। ଏହା ପରଠାରୁ ସେ କେଉଠି ଅଛନ୍ତି, କ’ଣ କରୁଛନ୍ତି ତାହା ନେଇ ବିଜେଡି ନେତା ଓ ଦଳର କର୍ମୀଙ୍କ ମନରେ ଅସୁମାରୀ ପ୍ରଶ୍ନ ଥିଲା। ଏ ପ୍ରଶ୍ନର ଉତ୍ତର ଗତକାଲି ନିଜେ ପାଣ୍ଡିଆନ ତାଙ୍କ ଜନ୍ମଦିନ ଅବସରରେ ଦେଇଛନ୍ତି। ସୂଚନା ଦେଇଛନ୍ତି ଯେ ସେ ନବୀନ ପଟ୍ଟନାୟକ ଓ ନବୀନ ନିବାସ ଛାଡ଼ି ନାହାନ୍ତି। ନବୀନ ନିବାସରେ ହିଁ ରହୁଛନ୍ତି।
ଗତକାଲି ଥିଲା ତାଙ୍କର ଜନ୍ମଦିନ। ଏହି ଅବସରରେ ତାଙ୍କ ଆଶିର୍ବାଦରେ ନେତା ହୋଇଥିବା କିଛି ନେତା ନବୀନ ନିବାସ ଯାଇ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନବୀନ ନିବାସରେ ଜନ୍ମଦିନ କେକ୍ ମଧ୍ୟ କାଟିଛନ୍ତି। ଏହାପରେ ଗ୍ରୁପ୍ ଫଟୋ ମଧ୍ୟ ଉଠାଇଛନ୍ତି। ଅବଶ୍ୟ ଏମାନଙ୍କ ସଂଖ୍ୟା ବହୁତ କମ୍ ଥିଲା।
ପାଣ୍ଡିଆନଙ୍କ ଜନ୍ମଦିନରେ ସଂସଦୀୟ ଦଳ ଦୁଇ ଭାଗରେ ବିଭକ୍ତ ହୋଇଛି। ୭ଜଣ ରାଜ୍ୟସଭା ସାଂସଦଙ୍କ ମଧ୍ୟରୁ ୩ଜଣ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାଂସଦ ମାନସ ମଙ୍ଗରାଜ ନବୀନ ନିବାସ ଯାଇ ପାଣ୍ଡିଆନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ସାଂସଦ ସୁଲତା ଦେଓ ଓ ସୁଭାଶିଷ ଖୁଣ୍ଟିଆ ସୋସାଲ ମିଡ଼ିଆରେ ପାଣ୍ଡିଆନଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। କିନ୍ତୁ ଅନ୍ୟ ଚାରିଜଣ ସାଂସଦ ମୁନା ଖାନ୍, ସସ୍ମିତ ପାତ୍ର, ନିରଞ୍ଜନ ବିଶି, ଦେବାଶିଷ ସମାନ୍ତରାୟ ତାଙ୍କୁ ସୋସାଲ ମିଡ଼ିଆରେ ଶୁଭେଚ୍ଛା ଜଣାଇଛନ୍ତି। ଏଥିରୁ ଜଣାପଡ଼ୁଛି ଯେ ବିଜେଡି ସଂସଦୀୟ ଦଳ ଦୁଇ ଭାଗ ହୋଇଯାଇଛି।
ତିନିଜଣ ସାଂସଦ ଓ କିଛି ଦୃଢ଼ ସମର୍ଥକଙ୍କୁ ଛାଡ଼ିଦେଲେ ବିଜେଡି କମିଟି ଓ ପିଏସିର କୌଣସି ସଦସ୍ୟ ପାଣ୍ଡିଆନ୍ଙ୍କୁ ଶୁଭେଚ୍ଛା ଜଣାଇଥିବା ନଜରକୁ ଆସିନାହିଁ। ଏପରିକି ପାଣ୍ଡିଆନଙ୍କ ଏକାନ୍ତ ଅନୁଗତ କୁହଯାଉଥିବା ପ୍ରଣବପ୍ରକାଶ ଦାସ ଓରଫ୍ ବିବି ଦାସ ମଧ୍ୟ ଶୁଭେଚ୍ଛା ଜଣାଇ ନ ଥିବା ସୋସାଲ ମିଡ଼ିଆରେ ନାହିଁ।
କିନ୍ତୁ ଗୋଟିଏ କଥା ସ୍ପଷ୍ଟ ହୋଇଗଲା ଯେ ରାଜନୀତିରୁ ସନ୍ୟାସ ନେବା ପରଠାରୁ ପାଣ୍ଡିଆନ୍ କୁଆଡ଼େ ଗଲେ ବୋଲି ଯେଉଁ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା ତା’ର ଅନ୍ତ ଘଟିଛି। ନବୀନ ନିବାସରେ ରହି ଗୁରୁ ନବୀନ ପଟ୍ଟନାୟକଙ୍କ ସେବାରେ ଅଛନ୍ତି ବୋଲି ନିଜେ ପାଣ୍ଡିଆନ ପରୋକ୍ଷରେ ତାଙ୍କ ସମାଲୋଚକମାନଙ୍କୁ ସୂଚନା ଦେଉଛନ୍ତି।
ଏଥିରୁ ଜଣାପଡ଼ୁଛି ଯେ ଆଗାମୀ ଦିନରେ ପାଣ୍ଡିଆନ୍ ହିଁ ଦଳର ନେତୃତ୍ୱ ନେବେ। ନିକଟରେ ଦଳର ଯେଉଁ କମିଟି ହୋଇଛି ସେଥିରେ ପାଣ୍ଡିଆନ୍ ନିଜର ଅନୁଗତମାନଙ୍କୁ ଥଇଥାନ କରିଛନ୍ତି। ଫଳରେ ଆଗାମୀ ଦିନରେ ସେ ଯେତେବେଳେ ଆଗକୁ ଆସିବେ କେହି ତାଙ୍କୁ ବିରୋଧ କରିବାକୁ ନ ଥିବେ।
Also readhttps://purvapaksa.com/why-indian-muslim-actors-are-silent/
Why Indian Muslim actors are silent? ।। ଭାରତୀୟ ମୁସଲିମ ଅଭିନେତାମାନେ କାହିଁକି ଚୁପ୍