ଆଧୁନିକ ଯୁଗରେ ବିଶ୍ୱରେ ଯୁଦ୍ଧର ସ୍ୱରୂପ ବଦଳିଯାଇଛି। ଆଜି ଟେକ୍ନୋଲୋଜି ହିଁ କୌଣସି ସେନାର ସବୁଠାରୁ ବଡ଼ ଶକ୍ତି ହୋଇଯାଇଛି। ଏପରି ପରିସ୍ଥିତିରେ ବିଶ୍ୱର ମହାଶକ୍ତିମାନଙ୍କ ମଧ୍ୟରେ ଉନ୍ନତ ଟେକ୍ନୋଲୋଜି ହାସଲ କରିବା ପାଇଁ ଏକ ପ୍ରତିଯୋଗିତା ଚାଲିଛି। ଏହି ମୁହୂର୍ତ୍ତରେ ବିଶ୍ୱରେ ଏକ ପାଖରେ ଆମେରିକା ଥିବା ବେଳେ ଅନ୍ୟପଟେ ଚୀନ ରହିଛି। ଟେକ୍ନୋଲୋଜି ଓ ସାମରିକ ଶକ୍ତି ପ୍ରତ୍ୟେକ ଜିନିଷରେ ଏହି ଦୁଇଦେଶ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଛି। ଏହି ଟେକ୍ନୋଲୋଜିର ଅବଦାନ ହେଉଛି ୫ମ ପିଢ଼ିର ଫାଇଟର ଜେଟ୍। ବର୍ତ୍ତମାନ ସମୟରେ ଆମେରିକା, ଚୀନ୍ ଓ ରୁଷିଆ ଏହି ତିନିଟି ଦେଶ ପାଖରେ ଏହି ଟେକ୍ନୋଲୋଜି ରହିଛି ଏବଂ ତିନି ଦେଶ ନିଜ ନିଜର ୫ମ ପିଢ଼ିର ଫାଇଟର ଜେଟ୍ ତିଆରି କରିସାରିଛନ୍ତି। ଗତ କିଛି ଦିନ ପୂର୍ବେ ଭାରତ ମଧ୍ୟ ନିଜର ଏଏମସିଏ (ଏଡଭାନ୍ସଡ ମିଡିଅମ କମ୍ବାଟ ଏୟାରକ୍ରାଫ୍ଟ) ପ୍ରୋଗ୍ରାମକୁ କାର୍ଯ୍ୟକାରୀ କରିବାର ଘୋଷଣା କରିଛି। ଏହା ଭାରତର ୫ମ ପିଢ଼ିର ଫାଇଟର ଜେଟ୍ ପ୍ରୋଗ୍ରାମ। ଯଦିଓ ଏହା ତିଆରି ହୋଇ ସେନାରେ ସାମିଲ ହେବାକୁ ଏବେ ବହୁତ ସମୟ ଲାଗିବ। ଏହି ଅବସରରେ ଆମେ ବିଶ୍ୱରେ ବର୍ତ୍ତମାନ ଉଡ଼ୁଥିବା ୫ମ ପିଢ଼ିର ଫାଇଟର ଜେଟ୍ ବିଷୟରେ ଆଲୋଚନା କରୁଛୁ। ବିଶ୍ୱରେ ଏପରି ପାଞ୍ଚଟି ଫାଇଟର ଜେଟ୍ ରହିଛି। ଏଥିରେ ଦୁଇଟି ଲେଖାଏଁ ଆମେରିକା ଓ ଚୀନ୍ର ଏବଂ ଗୋଟିଏ ଜେଟ ରୁଷିଆର। ଆମେରିକା ପାଖରେ ଦୁଇଟି ୫ମ ପିଢ଼ିର ଫାଇଟର ଜେଟ ରହିଛି: ଏଫ୍-୩୫ ଓ ଏଫ୍-୨୨ ରାପ୍ଟର। ଆଜି ଆମେ ଏଫ୍-୨୨ ରାପ୍ଟର ବିଷୟରେ ଆଲୋଚନା କରୁଛୁ।
ଏଫ୍-୨୨ ରାପ୍ଟର
ଏଫ୍-୨୨ ରାପ୍ଟର ଆମେରିକାର ୫ମ ପିଢ଼ିର ଷ୍ଟିଲ୍ଥ ଫାଇଟର ଜେଟ୍। ଏହାକୁ ଲକହିଡ ମାର୍ଟିନ ଓ ବୋଇଙ୍ଗ ମିଳିତଭାବେ ତିଆରି କରିଛନ୍ତି। ଏହା ଆକାଶରେ ଆଧିପତ୍ୟ ପାଇଁ ଡିଜାଇନ କରାଯାଇଛି। ଏହାର ପ୍ରଥମ ଉଡ଼ାଣ ପରୀକ୍ଷଣ ୧୯୯୭ରେ ହୋଇଥିଲା। ୨୦୦୫ରେ ଏହାକୁ ଆମେରିକୀୟ ବାୟୁସେନାରେ ସାମିଲ କରାଯାଇଥିଲା। ଏହି ଜେଟ ଆକାଶରୁ ଆକାଶ ଓ ଆକାଶରୁ ଭୂପୃଷ୍ଠ ଉଭୟ ପ୍ରକାରର ମିଶନରେ ସକ୍ଷମ। କିନ୍ତୁ ଏହାର ମୁଖ୍ୟ କାମ ଶତ୍ରୁର ବିମାନଗୁଡ଼ିକୁ ଧ୍ୱଂସ କରିବା। ଏହାକୁ ବିଶ୍ୱର ସବୁଠାରୁ ଉନ୍ନତ ଆକାଶ ଆଧିପତ୍ୟ ଜେଟ ବୋଲି ଗଣାଯାଏ।
ଏଫ୍-୨୨ ରାପ୍ଟରର ବିଶେଷତ୍ତ୍ୱ
ଏଫ୍-୨୨ର ଅନେକ ବିଶେଷତ୍ୱ ଏହାକୁ ଅନନ୍ୟ କରିଥାଏ।
୧. ଷ୍ଟିଲ୍ଥ ଟେକ୍ନୋଲୋଜି: ଏହାର ରେଡାର କ୍ରସ-ସେକ୍ସନ ବହୁତ ଛୋଟ, ଯାହା ଶତ୍ରୁର ରେଡାରକୁ ଏହାକୁ ସହଜରେ ଧରିବାରେ ଅସୁବିଧା ହୁଏ।
୨. ସୁପରକ୍ରୁଜ: ଏହା ବିନା ଆଫ୍ଟରବର୍ନର ମାକ ୧.୫ (୧୮୫୦ କିମି ପ୍ରତି ଘଣ୍ଟା)ରୁ ଅଧିକ ଗତିରେ ଉଡ଼ିପାରେ, ଯାହା ଏହାକୁ ମିଶନ ଦ୍ରୁତ ସମ୍ପନ୍ନ କରିବାରେ ସାହାଯ୍ୟ କରେ।
୩. ଚତୁରତା: ଏହାରେ ଥ୍ରଷ୍ଟ ଭେକ୍ଟରିଂ ଟେକ୍ନୋଲୋଜି ରହିଛି। ଏହାର ଦୁଇଟି ପ୍ରାଟ ଏଣ୍ଡ ହ୍ୱିଟନୀ ଏଫ୍୧୧୯-ପତିଡବ୍ଲ୍ୟୁ-୧୦୦ ଇଞ୍ଜିନ ୭୦,୦୦୦ ପାଉଣ୍ଡ ଥ୍ରଷ୍ଟ ପ୍ରଦାନ କରେ, ଯାହା ଜେଟକୁ ଆକାଶରେ ଦ୍ରୁତ ଦିଗ ପରିବର୍ତ୍ତନ କରିବାରେ ସାହାଯ୍ୟ କରେ।
ଏଫ୍-୨୨ରେ ଉନ୍ନତ ସେନସର ଓ ଏଭିଓନିକ୍ସ ରହିଛି। ଏହାର ଏଏନ/ଏପିଜି-୭୭ ରାଡାର ଶତ୍ରୁଙ୍କୁ ଦୂରରୁ ଚିହ୍ନି ପାରେ। ଏହାର ସେନସର ଫ୍ୟୁଜନ ଟେକ୍ନୋଲୋଜି ପାଇଲଟଙ୍କୁ ଚାରିଆଡ଼େ ସୂଚନା ପ୍ରଦାନ କରେ। ଏହାର ନିଜ ସହିତ ଛଅଟି ଏଆଇଏମ-୧୨୦ ଏଏମଆରଏଏଏମ ମିସାଇଲ, ଦୁଇଟି ଏଆଇଏମ-୯ ସାଇଡୱାଇଣ୍ଡର ମିସାଇଲ ଓ ୧୦୦୦ ପାଉଣ୍ଡର ଜିବିୟୁ-୩୨ ଜେଡିଏଏମ ବୋମା ନେଇପାରେ। ଏଥିରେ ୨୦ ମିଲିମିଟର ଏମ୬୧ଏ୨ ତୋପ ମଧ୍ୟ ରହିଛି, ଯାହା ୪୮୦ ଗୁଳି ମାଡ଼ କରିପାରେ। ଏହାର ସର୍ବାଧିକ ରେଞ୍ଜ ପ୍ରାୟ ୨୭୦୦ କିମିରୁ ଅଧିକ। ଏହା ୫୦,୦୦୦ ଫୁଟ ଉଚ୍ଚତା ପର୍ଯ୍ୟନ୍ତ ଉଡ଼ିପାରେ।
ଏଫ୍-୨୨ ଓ ଏଫ୍-୩୫ ମଧ୍ୟରେ ପାର୍ଥକ୍ୟ
ଏଫ୍-୨୨ ଓ ଏଫ୍-୩୫ ଉଭୟ ୫ମ ପିଢ଼ିର ଷ୍ଟିଲ୍ଥ ଜେଟ୍, କିନ୍ତୁ ସେମାନଙ୍କର ମିଶନ ଓ ଡିଜାଇନ ଭିନ୍ନ।
- ଏଫ୍-୨୨: ଆକାଶରେ ଆଧିପତ୍ୟ ପାଇଁ ତିଆରି। ଏହା ଆକାଶରୁ ଆକାଶ ଯୁଦ୍ଧରେ ଅପ୍ରତିଦ୍ୱନ୍ଦ୍ୱୀ। ଏହାର ଗତି ମାକ ୨.୨୫ (ପ୍ରାୟ ୨୭୦୦ କିମି ପ୍ରତି ଘଣ୍ଟା), ଯାହା ଏଫ୍-୩୫ ଠାରୁ ଅଧିକ। ଏଫ୍-୨୨ର ଚତୁରତା ଓ ଥ୍ରଷ୍ଟ ଭେକ୍ଟରିଂ ଏହାକୁ ଡଗଫାଇଟରେ ଉନ୍ନତ କରେ।
- ଏଫ୍-୩୫: ଏକ ମଲ୍ଟି-ରୋଲ ଜେଟ୍। ଏହା ଆକାଶରୁ ଆକାଶ, ଆକାଶରୁ ଭୂପୃଷ୍ଠ, ଇଲେକ୍ଟ୍ରୋନିକ ଯୁଦ୍ଧ ଓ ଗୁପ୍ତଚର ମିଶନ ପାଇଁ ତିଆରି। ଏହାର ତିନୋଟି ଭାରିଆଣ୍ଟ ରହିଛି: ଏଫ୍-୩୫ଏ (ବାୟୁସେନା ପାଇଁ), ଏଫ୍-୩୫ବି (ଛୋଟ ଉଡ଼ାଣ ଓ ଭର୍ଟିକାଲ ଲ୍ୟାଣ୍ଡିଂ ପାଇଁ) ଓ ଏଫ୍-୩୫C (ନୌସେନା ପାଇଁ)। ଏଫ୍-୩୫ରେ ଏଏନ/ଏପନିଜି-୮୧ ରାଡାର ଓ ଇଲେକ୍ଟ୍ରୋ-ଅପ୍ଟିକାଲ ଟାର୍ଗେଟିଂ ସିଷ୍ଟମ ରହିଛି, ଯାହା ୩୬୦ ଡିଗ୍ରୀ ସ୍ଥିତି ସଚେତନତା ପ୍ରଦାନ କରେ। ଏହାର ଚାରିଟି ମିସାଇଲ କିମ୍ବା ବୋମା ନେଇପାରେ, ଯାହା ଏଫ୍-୨୨ ଠାରୁ କମ।
ଆମେରିକା କ’ଣ ଏଫ୍-୨୨ ଅନ୍ୟ ଦେଶକୁ ଦେଇପାରେ ନାହିଁ?
ଆମେରିକା ଏଫ୍-୨୨ର ରପ୍ତାନୀ ଉପରେ ସମ୍ପୂର୍ଣ୍ଣ ପ୍ରତିବନ୍ଧକ ଲଗାଇଛି। ୧୯୯୮ରେ ଆମେରିକୀୟ ସଂସଦ ଏକ ଆଇନ ପାସ କରିଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଏଫ୍-୨୨ କୌଣସି ବିଦେଶୀ ଦେଶକୁ ବିକ୍ରି କରାଯାଇପାରିବ ନାହିଁ। ଏହାର କାରଣ ହେଉଛି ଏହାର ଗୋପନୀୟ ଟେକ୍ନୋଲୋଜି। ଏଫ୍-୨୨ର ଷ୍ଟିଲ୍ଥ ଓ ଏଭିଓନିକ୍ସ ଟେକ୍ନୋଲୋଜି ଅତ୍ୟନ୍ତ ଉନ୍ନତ। ଆମେରିକାକୁ ଭୟ ଅଛି ଯେ ଏହି ଟେକ୍ନୋଲୋଜି ଶତ୍ରୁ ଦେଶମାନଙ୍କ ହାତରେ ପଡ଼ିପାରେ। ୨୦୧୬ରେ ଚୀନ ଏଫ୍-୨୨, ଏଫ୍-୩୫ ଓ ସି-୧୩୦ର ବ୍ଲୁପ୍ରିଣ୍ଟ ଚୋରି କରିବାକୁ ଚେଷ୍ଟା କରିଥିଲା। ତେଣୁ ଆମେରିକା ଏହାକୁ କେବଳ ନିଜ ବାୟୁସେନା ପାଇଁ ରଖିଛି।
ଜାପାନ, ଇଜରାଏଲ ଓ ଅଷ୍ଟ୍ରେଲିଆ ଏଫ୍-୨୨ କିଣିବାକୁ ଇଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ଆମେରିକା ମନା କରିଦେଇଥିଲା। ୨୦୧୮ରେ ଲକହିଡ ମାର୍ଟିନ ଜାପାନକୁ ଏଫ୍-୨୨ ଓ ଏଫ୍-୩୫ର ମିଶ୍ରିତ ଡିଜାଇନ ପ୍ରସ୍ତାବ ଦେଇଥିଲା, କିନ୍ତୁ ଖର୍ଚ୍ଚ ଓ ରପ୍ତାନୀ ନିୟମ ଯୋଗୁଁ ଏହା ରଦ୍ଦ ହୋଇଥିଲା। ଏହାର ବିପରୀତେ, ଏଫ୍-୩୫ ଅନେକ ମିତ୍ର ଦେଶକୁ ବିକ୍ରି କରାଯାଇଛି। ଏଫ୍-୩୫ରେ ଏଫ୍-୨୨ର କିଛି ଟେକ୍ନୋଲୋଜି ରହିଛି, କିନ୍ତୁ ଏହାକୁ ରପ୍ତାନୀ ପାଇଁ ଡିଜାଇନ କରାଯାଇଛି। ଏହା ସସ୍ତା ଓ ବହୁମୁଖୀ।
Also readhttps://purvapaksa.com/operation-sindoor-how-much-time-does-pakistan-have/
How much time does Pakistan have? ।। ଅପରେସନ ସିନ୍ଦୂର: ପାକିସ୍ତାନ ପାଖରେ କେତେ ଟାଇମ୍?