ପହଲଗାମ୍ ପ୍ରତିଶୋଧ ବାବଦରେ ଜଣାଇବାକୁ ଭାରତ ସରକାର ସର୍ବଦଳୀୟ ବୈଠକ ଡକାଇଛନ୍ତି। ଏହି ବୈଠକ ସଂସଦ ଲାଇବ୍ରେରି ସୌଧରେ ଦିନ ୧୧ଟା ବେଳେ ଅନୁଷ୍ଠିତ ହେବ। ସଦଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜିଜ୍ଜୁ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
ପୂର୍ବରୁ ସମସ୍ତ ରାଜନୀତିକ ଦଳ ପଲଗାମ ଘଟଣାରେ ଯେ କୌଣସି ଉଚିତ କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କୁ ସମର୍ଥନ ଘୋଷଣା କରିଥିଲେ। ଭାରତ ସରକାରଙ୍କ ନିଷ୍ପତ୍ତି କ୍ରମରେ ସେନା ବାହିନୀ ପାକିସ୍ତାନ ଭିତରେ ପଶି ୯ ସ୍ଥାନରେ ଆକ୍ରମଣ କରିଛନ୍ତି। ଏହା ଅପରେସନ୍ ସିନ୍ଦୂର ଭାବେ ପରିଚିତ ହୋଇଛି।
ଅପରେସନ୍ ପରେ ଭାରତ ଅତ୍ୟନ୍ତ ସନ୍ତର୍ପଣର ସହ ଆତଙ୍କୀ ଠିକଣାକୁ ଧ୍ୱସ୍ତ କରିବାରେ ସକ୍ଷମ ହୋଇଥିବା ଦର୍ଶାଇଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରି କହିଛନ୍ତି, ଏହି ଆକ୍ରମଣରେ ସାଧାରଣ ଲୋକଙ୍କ ଜୀବନହାନୀ ନ କରିବା ଲାଗି ଉଦ୍ୟମ କରିଥିଲା ଭାରତର ସେନା। ଏହିକ୍ରମରେ ଆତଙ୍କୀ ଶିବିରକୁ ଚିହ୍ନଟ କରାଯାଇ ତାହା ଉପରେ ଆକ୍ରମଣ କରିଥିଲା ଭାରତ। ଭାରତ ମାଟିରୁ ଏହି ଆକ୍ରମଣ କରାଯାଇଥିଲା। ଯେଉଁଥିରେ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ ଜମ୍ମୁ ଓ କଶ୍ମୀରର ୬ଟି ଆଡ୍ଡାକୁ ଟାର୍ଗେଟ କରାଯାଇଥିଲା।
ଓ୍ୱିଙ୍ଗ କମାଣ୍ଡର ଭୂମିକା ସିଂଙ୍କ ଅନୁସାରେ, ଟାର୍ଗେଟ କରାଯାଇ ଧ୍ୱଂସ କରାଯାଇଥିବା ଏହି ସ୍ଥଳଗୁଡ଼ିକ ଆତଙ୍କୀ ତାଲିମ କେନ୍ଦ୍ରଭାବେ ପରିଚିତ। ଏହିଠାରୁ ଆତଙ୍କୀଙ୍କ କାର୍ଯ୍ୟକଳାପ ଆରମ୍ଭ ହେଉଥିଲା। ଧ୍ୱଂସ ହୋଇଥିବା ୯ ଆତଙ୍କବାଦୀ ଶିବିରରୁ ୬ ଆତଙ୍କବାଦୀ କ୍ୟାମ୍ପ ପାକ୍ ଅଧିକୃତ ଜମ୍ମୁ ଓ କଶ୍ମୀରର ମୁଜାଫରପୁରର ସବାଇ ନାଲା କ୍ୟାମ୍ପ, ସଇଦନା ବିଲାଲ, ଗୁଲପୁର କୋଟଲି, ଭୀମ୍ବର ବର୍ଣ୍ଣାଲା ଏବଂ କୋଟଲିର ଆବାସ କ୍ୟାମ୍ପ। ଏସବୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଅବସ୍ଥିତ।
ଆକ୍ରମଣ ପରେ ଭାରତ ପକ୍ଷରୁ ସମ୍ପୂର୍ଣ୍ଣ ସୂଚନା ଦେଇ ଶ୍ରୀ ମିଶ୍ରି କହିଛନ୍ତି, ୨୨ ଏପ୍ରିଲ ୨୦୨୫ରେ ପାକିସ୍ତାନୀ ଓ ପାକିସ୍ତାନ ପ୍ରଶିକ୍ଷିତ ଆତଙ୍କବାଦୀମାନେ କାୟରତାପୂର୍ଣ୍ଣ ଆକ୍ରମଣ କରି ୨୫ ଭାରତୀୟ ଓ ଜଣେ ନେପାଳୀ ପର୍ଯ୍ୟକଙ୍କୁ ହତ୍ୟା କରିଥିଲେ। ମୁମ୍ବାଇର ୨୬ ନଭେମ୍ବର ୨୦୦୮ ପରେ ଏହା ଭାରତରେ ହୋଇଥିବା କୌଣସି ଆତଙ୍କବାଦ ଘଟଣାରେ ସାଧାରଣ ଲୋକଙ୍କୁ ହତ୍ୟା କରାଯାଇଥିବା ଘଟଣାରେ ସବୁଠାରୁ ଗମ୍ଭୀର ଘଟଣାଭାବେ ପରିଚିତ ହୋଇଛି।
ଘଟଣା ପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ୍ଗେ ଏକ ଜରୁରୀ ବୈଠକ ଡକାଇ ବିଭିନ୍ନ ନେତାଙ୍କ ସହ ପରାମର୍ଶ କରିଛନ୍ତି। କଂଗ୍ରେସ ଏହି ଆକ୍ରମଣରେ ସରକାରଙ୍କୁ ସମର୍ଥନ କରିଥିବା କହିଛି।
Also readhttps://purvapaksa.com/jai-hind-is-trending-after-operation-sindoor/
