Pahalgam terror attack: ଆମେରିକାର ଉପରାଷ୍ଟ୍ରପତି ଜେଡି ଭେନ୍ସ ଭାରତ ଗସ୍ତରେ ଥିବାବେଳେ କାଶ୍ମୀରରେ ଘଟିଛି ଆତଙ୍କବାଦୀ ଆକ୍ରମଣ। ଏହା ମଧ୍ୟ ସେତେବେଳେ ଘଟିଥିଲା ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୌଦି ଆରବର ଦୁଇ ଦିନିଆ ଗସ୍ତରେ ଥିଲେ। ଆକ୍ରମଣ କେତେ ଗମ୍ଭୀର ତାହାର ଅନୁମାନ ଏଥିରୁ ହିଁ କରାଯାଇପାରେ ଯେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଗସ୍ତ ମଝିରେ ଛାଡ଼ି ଦିଲ୍ଲୀ ଫେରିଛନ୍ତି।
ଅନେକ ମିଡ଼ିଆ ରିପୋର୍ଟରେ ଏପର୍ଯ୍ୟନ୍ତ କୁହାଯାଉଛି ଯେ ଆତଙ୍କବାଦୀମାନେ ପହଲଗାମର ବୈସରନ ଉପତ୍ୟକାରେ ଲୋକଙ୍କ ନାମ ଓ ଧର୍ମ ପଚାରି ଗୁଳି ଚଳାଇଥିଲେ। ଏପରି କି ଲୋକଙ୍କ ପ୍ୟାଣ୍ଟ ଖୋଲି ସେମାନଙ୍କ ଗୁପ୍ତାଙ୍ଗ ଯାଞ୍ଚ କରି ଗୁଳି ମାରିଥିଲେ। ଏବେ ପ୍ରତିରକ୍ଷା ବିଶେଷଜ୍ଞଙ୍କ କହୁଛନ୍ତି ଯେ, ଭାରତ ତା’ର ଟାର୍ଗେଟକୁ ବଡ଼ କରିବାର ଆବଶ୍ୟକତା ରହିଛି । ପାକିସ୍ତାନର ଟାର୍ଗେଟ କିଲିଂର ଉତ୍ତରରେ ଭାରତକୁ ବଡ଼ ଟାର୍ଗେଟ୍ ସିଲେକ୍ଟ କରିବାକୁ ପଡ଼ିବ । ଆଉ ସେମାନେ ଟାର୍ଗେଟ୍ ମଧ୍ୟ ଦେଉଛନ୍ତି । ପ୍ରତିରକ୍ଷା ବିଶେଷଜ୍ଞ ଆଇଏସଆଇ ମୁଖ୍ୟ କିମ୍ବା ପାକ୍ ସେନା ମୁଖ୍ୟଙ୍କୁ ଭାରତ ଟାର୍ଗେଟ କରୁ ବୋଲି ମତ ଦେଇଛନ୍ତି।
ପ୍ରତିରକ୍ଷା ବିଶେଷଜ୍ଞ ଜେଏସ ସୋଢ଼ୀ କହୁଛନ୍ତି ଯେ ଅନେକ ମିଡ଼ିଆ ରିପୋର୍ଟ ଅନୁସାରେ, ଆତଙ୍କବାଦୀମାନେ ପ୍ରଥମେ ପର୍ଯ୍ୟଟକଙ୍କ ନାମ ପଚାରିଥିଲେ। ସେମାନଙ୍କୁ କଲମା ପଢ଼ିବାକୁ କୁହାଯାଇଥିଲା ଏବଂ ତା’ପରେ ଗୁଳି ମାରାଯାଇଥିଲା। ଏହା ସହ କିଛି ପୁରୁଷଙ୍କ ପ୍ୟାଣ୍ଟ ଖୋଲାଇ ସେମାନଙ୍କ ଗୁପ୍ତାଙ୍ଗ ଯାଞ୍ଚ କରାଯାଇଥିଲା। ତା’ପରେ ସେମାନଙ୍କୁ ଗୁଳି ମାରାଗଲା। ଆତଙ୍କବାଦୀମାନଙ୍କ ଏହି ନିର୍ମମତା ହୃଦୟବିଦାରକ।
ପ୍ରତିରକ୍ଷା ବିଶ୍ଲେଷକ ଜେଏସ ସୋଢ଼ୀ ଆହୁରି ମଧ୍ୟ କୁହନ୍ତି ଯେ, ପହଲଗାମରେ ଏକ ରେଷ୍ଟୁରାଣ୍ଟରେ ଆତଙ୍କବାଦୀମାନେ ଲୋକଙ୍କ ନାମ ଓ ଧର୍ମ ପଚାରି ଗୁଳି ଚଳାଇ ହତ୍ୟା କରିଥିଲେ। ଏହି ନିର୍ମମ ଘଟଣା ଏହି ଉଦ୍ଦେଶ୍ୟରେ କରାଯାଇଥିଲା ଯେ କାଶ୍ମୀରର ଜନସାଧାରଣ ଏବଂ ଅନ୍ୟ ରାଜ୍ୟର ଲୋକଙ୍କୁ ଏହି ବାର୍ତ୍ତା ଦିଆଯାଉ ଯେ କାଶ୍ମୀରକୁ କେହି ଆସିପାରିବେ ନାହିଁ। ଏହା ବ୍ୟତୀତ, ଆଉ ଏକ ବାର୍ତ୍ତା ଥିଲା ଯେ ଜେଡି ଭେନ୍ସ ଭାରତ ଗସ୍ତରେ ଥିବା ସମୟରେ ବିଶ୍ୱର ଦୃଷ୍ଟି କାଶ୍ମୀର ଆଡ଼କୁ ଯାଉ।
ଜେଏସ ସୋଢ଼ୀଙ୍କ ଅନୁସାରେ ଏହି ଆକ୍ରମଣକୁ ବୁଝିବା ପାଇଁ ଆମକୁ ୨୫ ବର୍ଷ ପଛକୁ ଯିବାକୁ ପଡ଼ିବ। ୨୦ ମାର୍ଚ୍ଚ ୨୦୦୦ରେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀମାନେ ଏକ ଗାଁରେ ୩୫ ଶିଖଙ୍କୁ ହତ୍ୟା କରିଥିଲେ। ସେତେବେଳେ ଏହି ଘଟଣାର ଗୋଟିଏ ଦିନ ପରେ ଆମେରିକୀୟ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଭାରତ ଆସିଥିଲେ।
ଅନନ୍ତନାଗର ଛତିଶିଙ୍ଗପୁରା ଗାଁରେ ୨୦ ମାର୍ଚ୍ଚ ୨୦୦୦ର ରାତିରେ ଏକ ଭୟଙ୍କର ଘଟଣା ଘଟିଥିଲା। ସେତେବେଳେ ତତ୍କାଳୀନ ଆମେରିକୀୟ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଭାରତ ଗସ୍ତରେ ଥିଲେ। ରାତିରେ ହଠାତ୍ ଗାଁରେ ପ୍ରାୟ ୫୦ ଆତଙ୍କବାଦୀ ପଶି ଶିଖମାନଙ୍କୁ ଘରୁ ଟାଣି ଗୁଳି ମାରିବା ଆରମ୍ଭ କରିଥିଲେ। ଲୋକମାନେ କିଛି ବୁଝିବା ପୂର୍ବରୁ ଅନେକଙ୍କ ଜୀବନ ଚାଲିଯାଇଥିଲା। ସେତେବେଳେ ଅନେକ ରିପୋର୍ଟ ଅନୁସାରେ, ଲଶ୍କର-ଏ-ତୋଇବାର ଆତଙ୍କବାଦୀମାନେ ଏହି ନିର୍ମମ କାଣ୍ଡ ପଛରେ ଥିଲେ ।
ଏହି ଆକ୍ରମଣ ପଛରେ କାହାର ଭୂମିକା, ଏହା ଜାଣନ୍ତୁ
ସୋଢ଼ୀଙ୍କ ମତରେ, ଏହା ଏକ ଅତ୍ୟନ୍ତ ସୁପରିକଳ୍ପିତ ଷଡ଼ଯନ୍ତ୍ର। ଏହା ପଛରେ ପାକିସ୍ତାନର ଗୁପ୍ତଚର ସଂସ୍ଥା ଇଣ୍ଟର ସର୍ଭିସେସ ଇଣ୍ଟେଲିଜେନ୍ସ (ଆଇଏସଆଇ) ଏବଂ ସେନାର ଭୂମିକା ରହିଛି। ଏହି ଆତଙ୍କବାଦୀମାନେ ପୋଲିସ କିମ୍ବା ସେନାର ପୋଷାକରେ ଆସିଥିଲେ। ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ) ନାମକ ସଂଗଠନ ପହଲଗାମରେ ଘଟିଥିବା ଏହି ଆତଙ୍କବାଦୀ ଆକ୍ରମଣର ଉତ୍ତରଦାୟିତ୍ୱ ନେଇଛି। ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନମାନଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଥିବା ଟିଆରଏଫ ବିଗତ କିଛି ବର୍ଷ ଧରି ଜମ୍ମୁ-କାଶ୍ମୀରରେ ନିରନ୍ତର ଆକ୍ରମଣ କରୁଛି।
ଏହି ଆକ୍ରମଣର ଦାୟିତ୍ୱ ନେଇଥିବା ଆତଙ୍କବାଦୀ ସଂଗଠନ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ’ ହେଉଛି ପାକିସ୍ତାନର ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ଏକ ମୁଖା। ପାକିସ୍ତାନରେ ବସିଥିବା ଶେଖ ସଜ୍ଜାଦ ଗୁଲ ଏହାର ମୁଖ୍ୟ। ତା’ ନିର୍ଦ୍ଦେଶରେ ଟିଆରଏଫର ସ୍ଥାନୀୟ ମଡ୍ୟୁଲ ଜମ୍ମୁ-କାଶ୍ମୀରରେ ନିରନ୍ତର ଆକ୍ରମଣ କରୁଛି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ହଟାଇବା ପରେ ଟିଆରଏଫ ଏକ ଅନଲାଇନ ଇଉନିଟ ଭାବେ ଆରମ୍ଭ ହୋଇଥିଲା। ଏହା ମନେ କରାଯାଏ ଯେ ଟିଆରଏଫ ଗଠନର ଉଦ୍ଦେଶ୍ୟ ହେଉଛି ଲଶ୍କର ପରି ଆତଙ୍କବାଦୀ ସଂଗଠନମାନଙ୍କୁ ଆବରଣ ଦେବା। ଏହାରେ ପାକିସ୍ତାନୀ ସେନା ଓ ଆଇଏସଆଇର ମଧ୍ୟ ସହାୟତା ରହିଛି।
ଟିଆରଏଫ କିପରି କାମ କରେ, ଜାଣନ୍ତୁ
ଟିଆରଏଫ ମୁଖ୍ୟତଃ ଲଶ୍କରର ଅର୍ଥପ୍ରଦାନ ଚ୍ୟାନେଲର ବ୍ୟବହାର କରେ। ଗୃହ ମନ୍ତ୍ରଣାଳୟ ମାର୍ଚ୍ଚରେ ରାଜ୍ୟସଭାକୁ ଜଣାଇଥିଲା ଯେ ‘ଦ ରେଜିଷ୍ଟାନ୍ସ ଫ୍ରଣ୍ଟ’ (ଟିଆରଏଫ) ହେଉଛି ଆତଙ୍କବାଦୀ ସଂଗଠନ ଲଶ୍କର-ଏ-ତୋଇବାର ଏକ ମୁଖା ସଂଗଠନ। ଏହା ୨୦୧୯ରେ ଅସ୍ତିତ୍ୱକୁ ଆସିଥିଲା। ଏହି ସଂଗଠନ ଗଠନର ଷଡ଼ଯନ୍ତ୍ର ସୀମାରେ ରଚାଯାଇଥିଲା। ଟିଆରଏଫ ଗଠନରେ ଲଶ୍କର-ଏ-ତୋଇବା ଓ ହିଜବୁଲ ମୁଜାହିଦ୍ଦିନ ସହ ପାକିସ୍ତାନର ଗୁପ୍ତଚର ସଂସ୍ଥା ଆଇଏସଆଇର ମଧ୍ୟ ହାତ ରହିଛି। ଏହାର ଗଠନ ଏହି ଉଦ୍ଦେଶ୍ୟରେ କରାଯାଇଥିଲା ଯେ ଆତଙ୍କବାଦୀ ଆକ୍ରମଣରେ ସିଧାସଳଖ ପାକିସ୍ତାନର ନାମ ନ ଆସୁ।
ଆସିମ ମୁନିରଙ୍କ ଏକ ବୟାନ କ’ଣ ଆକ୍ରମଣର କାରଣ?
ମିଡ଼ିଆ ରିପୋର୍ଟରେ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ ମୁନିରଙ୍କ ଦ୍ୱାରା ନିକଟରେ ଦିଆଯାଇଥିବା ଏକ ମନ୍ତବ୍ୟକୁ ପହଲଗାମରେ ଆତଙ୍କବାଦୀ ଆକ୍ରମଣର କାରଣମାନଙ୍କ ମଧ୍ୟରୁ ଗୋଟିଏ ବୋଲି ମନେ କରାଯାଉଛି। ଆସିମ ମୁନିର କାଶ୍ମୀରକୁ ପାକିସ୍ତାନର ଗଳାର ନାଡ଼ୀ ବୋଲି ବର୍ଣ୍ଣନା କରି କହିଥିଲେ ଯେ ମୁସଲମାନ ଓ ହିନ୍ଦୁ ଅଲଗା ଅଟନ୍ତି। ଉଭୟେ କେବେ ଏକାଠି ରହିପାରିବେ ନାହିଁ। ଜମ୍ମୁ-କାଶ୍ମୀରର ପୂର୍ବତନ ଡିଜିପି ଏସପି ବୈଦ୍ୟଙ୍କ ମତରେ, ଏସବୁ ପଛରେ ପାକିସ୍ତାନର ସେନା ଦାୟୀ। ପାକିସ୍ତାନର ସେନାର ମେରୁଦଣ୍ଡ ଭାଙ୍ଗିବା ଉଚିତ।
୨୦୩୫ ପର୍ଯ୍ୟନ୍ତ କ’ଣ ପାକିସ୍ତାନ ଏପରି ଆକ୍ରମଣ ଜାରି ରଖିବ?
ପାକିସ୍ତାନ ୨୦୩୫ ପର୍ଯ୍ୟନ୍ତ ଜମ୍ମୁ-କାଶ୍ମୀରରେ ଆତଙ୍କବାଦକୁ ଜୀବନ୍ତ ରଖିବାକୁ ଚାହୁଁଛି। ଏହାପରେ ଚୀନ ଭାରତ ଉପରେ ଆକ୍ରମଣ କରିବ। ଏହି ସୁଯୋଗରେ ଅନ୍ୟପଟେ ପାକିସ୍ତାନ ଆକ୍ରମଣ କରିବ। ଏହା ହେବ ଏକ ଦୁଇ ମୁହାଁ ଯୁଦ୍ଧ। ଭାରତକୁ ଏକାସାଙ୍ଗରେ ଦୁଇ ମୋର୍ଚ୍ଚାରେ ଲଢ଼ିବାକୁ ପଡ଼ିପାରେ। ପହଲଗାମ ଆକ୍ରମଣ ସେହି ବଡ଼ ପ୍ଲାନିଂର ଗୋଟିଏ ଅଙ୍ଗ ।
ଭାରତର କାର୍ଯ୍ୟାନୁଷ୍ଠାନ କ’ଣ ହେବା ଉଚିତ, ଏହା ଜାଣନ୍ତୁ
ପ୍ରତିରକ୍ଷା ବିଶେଷଜ୍ଞ ଜେଏସ ସୋଢ଼ୀ କହୁଛନ୍ତି ଯେ ଭାରତକୁ ଏହି ସମୟରେ କଠୋରରୁ କଠୋର ନିଷ୍ପତ୍ତି ନେବା ଉଚିତ। ଏଥିରେ କୌଣସି ପ୍ରକାର ଶିତଳତା ଦେଖାଇବା ଉଚିତ ନୁହେଁ। ଏବେ କେବଳ ଆତଙ୍କବାଦୀମାନଙ୍କ ବିରୁଦ୍ଧରେ ସର୍ଜିକାଲ ଷ୍ଟ୍ରାଇକ ଦ୍ୱାରା କାମ ହେବ ନାହିଁ। ପାକିସ୍ତାନକୁ କଡ଼ା ବାର୍ତ୍ତା ଦେବାକୁ ହେବ। ଏପରି ପରିସ୍ଥିତିରେ ଭାରତକୁ ପାକିସ୍ତାନର ହାଇଭ୍ୟାଲୁ ଟାର୍ଗେଟ ଯେପରିକି ପାକିସ୍ତାନୀ ସେନା ମୁଖ୍ୟ, ଆଇଏସଆଇ ମୁଖ୍ୟ କିମ୍ବା କୌଣସି ବଡ଼ ନେତାଙ୍କ ଘର ଉପରେ ଆକ୍ରମଣ କରିବା ଉଚିତ, ତେବେ ହିଁ ପାକିସ୍ତାନ ବୁଝିବ। ଏହା ସହ, ଏସପି ବୈଦ୍ୟ ମଧ୍ୟ ପାକିସ୍ତାନୀ ସେନାର ମେରୁଦଣ୍ଡ ଭାଙ୍ଗିବା କଥା କହିଛନ୍ତି।
ALSO READ: https://purvapaksa.com/ccs-meeting-will-be-held-after-pahalgam-terror-attack/