Mohan Majhi: ଆମ ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶ ଭଳି ରାଜନୀତିକ ପରିସ୍ଥିତି ଓଡ଼ିଶାରେ ସୃଷ୍ଟି ହୋଇଛି କି? ଏ ପ୍ରଶ୍ନ ପଚାରିବାର କାରଣ ହେଉଛି ଓଡ଼ିଶାରେ ବିରୋଧି ଦଳ ଓ ଶାସକ ଦଳ ଭିତରେ ସୃଷ୍ଟି ହୋଇଥିବା ସୁସଙ୍ଗତ ସମୀକରଣ। ଏହି ସମୀକରଣ କାରଣରୁ ଯଦିଓ ଦୁଇଦଳ ପରସ୍ପରରର ବିରୋଧୀ ବୋଲି ନିଜକୁ ଦର୍ଶାଉଛନ୍ତି କିନ୍ତୁ ଆବଶ୍ୟକବେଳେ ଶତ୍ରୁତା ଭୁଲି ପରସ୍ପର ପ୍ରତି ନରମ ଭାବ ପ୍ରଦର୍ଶନ କରୁଛନ୍ତି।
ପୁଣି ଯେତେବେଳେ କେନ୍ଦ୍ର ସରକାରଙ୍କ କଥା ଉଠୁଛି ସେତେବେଳେ ବିରୋଧୀ ହୋଇ ବି ବିଜୁ ଜନତା ଦଳ ଶାସକଦଳ ବିଜେପିକୁ ସମର୍ଥନ କରୁଛି। ପୁଣି ଯେତେବେଳେ ବିରୋଧୀ ବିଜେଡି କୌଣସି ନିଜର କୃତକର୍ମ ଦ୍ୱାରା ଧନ୍ଦି ହେବାର ଆଶଙ୍କା ରହିଛି ସେତେବେଳେ ଶାସକଦଳ ବିଜେପି ମଧ୍ୟ ବିଜେଡିକୁ ସୁହାଇଲା ଭଳି ଭାବ ପ୍ରଦର୍ଶନ କରୁଛି। କିନ୍ତୁ ଏଭଳି କାହିଁକି? ବିଜେଡି ପ୍ରତି ବିଜେପି ଏତେ ନରମ କାହିଁକି? ପୁଣି ବିଜେଡିର ବରିଷ୍ଠ ନେତାମାନେ ସମାନ ପ୍ରସଙ୍ଗରେ ବିଜେପିର ନେତାଙ୍କୁ ଟ୍ରୋଲ କରୁଥିଲେ ବି ସରକାର ଚୁପ୍ କାହିଁକି?
ଦୀର୍ଘ ୨୪ ବର୍ଷର ଶାସନ ପରେ ବିଜେଡି ଏବେ ଶାସନ କ୍ଷମତାରୁ ଓହରିଛି। ଯେଉଁ ବିଜେପିର ହାତ ଧରି ବିଜେଡି ପ୍ରଥମେ କ୍ଷମତା ଆହରଣ କରିଥିଲା ଏବଂ ପରେ ହାତ ଛାଡ଼ି ଲଜ୍ଜିତ କରିଥିଲା, ସେହି ଦଳ ବିଜେପିକୁ ଆଜି ଲୋକମାନେ କ୍ଷମତାସୀନ କରିଛନ୍ତି। ଏ ଭିତରେ କିନ୍ତୁ ୧୧ ମାସ ସମୟ ବିତିଲାଣି, ହେଲେ ଲାଗୁନି ଯେମିତି ରାଜ୍ୟରେ ସରକାର ବଦଳିଛି। ଅନ୍ୟ ରାଜ୍ୟରେ ସରକାର ସହ ରାଜନୀତି ଓ ପ୍ରଶାସନ ଯେମିତି ବଦଳେ ତାହା ଏଠାରେ ଦେଖିବାକୁ ମିଳୁନାହିଁ। ନା ବିରୋଧୀ ଦଳ ବିଧାନସଭା ଭିତରେ କି ବାହାରେ ଶାସକ ଦଳ ବିଜେପିକୁ ଅଡ଼ୁଆରେ ପକାଉଛି ନା ଶାସକ ଦଳ ବିରୋଧୀ ନେତାମାନଙ୍କ କଳା କାରନାମାକୁ ପଦାକୁ ଆଣୁଛନ୍ତି।
ବିଜେଡିର ଦୁର୍ନୀତି, ଅପରାଧ ଓ ଅନୀତିକୁ ବିରୋଧ କରି ଲୋକମାନେ ଶାସନ କ୍ଷମତା ବଦଳାଇ ଦେଲେ ସିନା, ସେମାନଙ୍କ ଆଶା ଓ ଆକାଂକ୍ଷା ଏବେ ପାଣିଚିଆ ହେବାରେ ଲାଗିଛି। ଏପରିକି ବିରୋଧୀ ଦଳ ନେତାମାନେ ଏବେ ଦିନ ଦ୍ୱିପ୍ରହରରେ ସରକାରଙ୍କୁ ଆହ୍ୱାନ ଦେଉଛନ୍ତି ହେଲେ ତାହାର ଜବାବ ଦେଇପାରୁନାହାନ୍ତି ସରକାର।
ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ମାମଲାକୁ ନେଇ ଏମିତି ସମାଲୋଚନା କରିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ। ପ୍ରସନ୍ନଙ୍କ ମତରେ ସିବିଆଇ ତଦନ୍ତ ପାଇଁ ବିରୋଧୀ ଦଳରେ ଥିବାବେଳେ ବିଜେପି ଦାବି କରୁଥିଲା।
ସରକାରକୁ ଆସିବା ପରେ କହିଲା- ପରିବାର ବର୍ଗ ଲିଖିତଭାବେ ଦେଲେ ସିବିଆଇ ତଦନ୍ତ ଲାଗି ସୁପାରିସ ହେବ। ହେଲେ ଏବେ ପରିବାର ଲୋକମାନେ ତ ଲିଖିତଭାବେ ଦାବି ରଖିସାରିଛନ୍ତି। କାହିଁକି ହୋଇପାରୁନି ସିବିଆଇ ତଦନ୍ତ? ପୁଣି ନିୟମ ଅନୁସାରେ ପରିବାରର ଅନୁମତି ସିବିଆଇ ତଦନ୍ତ ଲାଗି ଜରୁରୀ ହୋଇନଥାଏ।
ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ ଦାବିକୁ ପାଖାପାଖି ମାସେ ହୋଇଥିବାବେଳେ, ଏବେ ସୁଦ୍ଧା ସିବିଆଇ ତଦନ୍ତ ଦିଗରେ କୌଣସି ତଥ୍ୟ ସାମ୍ନାକୁ ଆସିନାହିଁ । ଯାହାକୁ ନେଇ ସୋମବାର ଦିନ ପୁଣିଥରେ ସିବିଆଇ ତଦନ୍ତ ଦାବି ଦୋହରାଇଛନ୍ତି ନବ ଦାସଙ୍କ ପୁଅ ବିଶାଳ ଦାସ।
ଏନେଇ ବିଶାଳ ଦାସ ଗଣମାଧ୍ୟମକୁ କହିଛନ୍ତି ଯେ, ପରିବାର ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ସିବିଆଇ ତଦନ୍ତ ପାଇଁ ଯାହା କହିବା କଥା ସବୁ କହିସାରିଛୁ। ମାମଲାର ସିବିଆଇ ତଦନ୍ତ ପାଇଁ ଦାବି କରାଯାଇଛି।
ସୂଚନାଯୋଗ୍ୟ, ମାର୍ଚ୍ଚ ୧୯ ତାରିଖରେ ସ୍ୱର୍ଗତ ନବ ଦାସଙ୍କ ପତ୍ନୀ ମୀନତି ଦାସ ସ୍ୱାମୀଙ୍କ ହତ୍ୟାକାଣ୍ଡର ତଦନ୍ତ ସମ୍ପର୍କରେ ଆଲୋଚନା ପାଇଁ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ। ଏହି ଆଲୋଚନା ସମୟରେ ତାଙ୍କ ଝିଅ ପୂର୍ବତନ ବିଧାୟିକା ଦୀପାଳି ଦାସ ଓ ପୁଅ ବିଶାଳ ଦାସ ମଧ୍ୟ ଉପସ୍ଥିତ ଥିଲେ।
ଏହି ଘଟଣାରେ ସରକାର ସବୁ ଦିଗକୁ ପୁଣିଥରେ ଟିକ୍ ନିକ୍ କରି ତଦନ୍ତ କରିବେ ଏବଂ ପ୍ରକୃତ ଦୋଷୀକୁ ଖୋଜି ବାହାର କରିବେ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ। ଆଇନର ମର୍ଯ୍ୟାଦା ମଧ୍ୟରେ ଦୋଷୀ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଭରସା ଦେଇଥିଲେ।
କେବଳ ପ୍ରସନ୍ନ ନୁହଁନ୍ତି, ବିଜେଡିର ଅନେକ ନେତା ଏ ବିଷୟକୁ ବିଧାନସଭା ଭିତରେ ଓ ବାହାରେ ଅନେକଥର ଦୋହରାଇଛନ୍ତି। ହେଲେ ସରକାର ମଝିରେ କିଛିଦିନ ତଦନ୍ତ ପ୍ରକ୍ରିୟାକୁ ତନାଘନା କରିଦେଲେ। କିନ୍ତୁ ଏବେ ପୁଣିଥରେ ଚୁପ୍ କାହିଁକି? ଏହି ହତ୍ୟାକାଣ୍ତ ପଛରେ ବିଜେଡିର କିଛି ନେତା ତଥା ମୁଖ୍ୟ ପରାମର୍ଶଦାତାଙ୍କ ପ୍ରଚ୍ଛନ୍ନ ହାତ ରହିଥିବା ନେଇ ବିଜେପି କହୁଥିଲା। ଏବେ କାହିଁକି ଚୁପ୍ ବୋଲି ପ୍ରଶ୍ନ କରିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ।
ଏହି ପରାମର୍ଶଦାତା ତଥା ନବୀନଙ୍କ ଖାସ୍ ଭାବେ ଜଣାଶୁଣା ଭୈରବ କାର୍ତ୍ତିକେୟନ ପାଣ୍ଡିଆନ୍ଙ୍କୁ କେନ୍ଦ୍ର କରି କାଚ ଘର ଭଳି ଭଙ୍ଗୁର ଅବସ୍ଥାରେ ବିଜେଡି ରହିଛି। ଏହି କାରଣରୁ ଦଳ ଭାଗଭାଗ ହୋଇଛି। ଏପରିକି କେନ୍ଦ୍ରରେ ବି ବିଜେଡି ଆଉ ନିଜର ଏକତା ରକ୍ଷା କରିପାରୁନାହିଁ। ରାଜ୍ୟରେ ବିଜେପିକୁ ବିରୋଧ କରୁଥିଲେ ମଧ୍ୟ ଏହାର ସଦସ୍ୟମାନେ କେନ୍ଦ୍ରରେ ବିଜେପିକୁ ସମର୍ଥନ କରୁଛନ୍ତି। କିନ୍ତୁ ପାଣ୍ଡିଆନ୍ଙ୍କ ନାଁରେ ପୂର୍ବରୁ ଆସିଥିବା ଦୁର୍ନୀତି ଯେମିତି ଫାଇଭ୍ ଟି କାର୍ଯ୍ୟକ୍ରମ ସବୁକୁ ତଦନ୍ତ ପରିସରଭୁକ୍ତ କରାଯାଇପାରିନାହିଁ। ଏ ଯାଏ ପାଣ୍ଡିଆନ୍ଙ୍କ ବିରୁଦ୍ଧରେ ବା ସପକ୍ଷରେ ଗୋଟିଏ ପଦ ବି ସରକାରୀ ଦଳର କୌଣସି ନେତା କହିବାକୁ ସାହସ ପାଇପାରୁ ନାହାନ୍ତି।
ଅପରପକ୍ଷେ ପାଣ୍ଡିଆନ୍ ଯେତେବଳେ ଯାହା ଚାହିଁଛନ୍ତି ତାହା ଏବେବି ହୋଇ ଚାଲିଛି। ତାଙ୍କ ପତ୍ନୀଙ୍କର ଚାକିରିରୁ ଇସ୍ତଫା ମଞ୍ଜୁର କରିବା ହେଉ ବା ରାଜନୀତିରୁ ସନ୍ୟାସ ନେଇଛନ୍ତି ବୋଲି ଗୁଜବ ପ୍ରଚାର ହେଉ ସବୁକିଛି ଏବେ ବିଜେପି ବି ସ୍ୱୀକାର କରୁଛି। ତାଙ୍କରି ଆସ୍ଥା ଭାଜନରେ ପୂର୍ବରୁ ଥିବା ଅଧିକାରୀଙ୍କୁ ମଧ୍ୟ ହଲାଇ ପାରୁନାହିଁ ବିଜେପି ସରକାର। ମମିତା ମେହେର, ବେବିନା ଭଳି ହତ୍ୟାକାଣ୍ଡ, ମହିଳାଙ୍କୁ ନ୍ୟାୟ ପ୍ରଭୃତି ଅନେକ ଆନ୍ଦୋଳନ ସେତେବେଳେ ବିଜେପିକୁ ଲୋକପ୍ରିୟ କରିଥିଲା।
ଯେଉଁଥି ପାଇଁ ବିଜେପି ଲୋକଙ୍କ ଭୋଟ୍ ପାଇଥିଲା। ହେଲେ ଆଜି ସେସବୁ ପ୍ରସଙ୍ଗରେ ସରକାର ପୂରା ଶାନ୍ତ। କେବଳ କିଛି ଗ୍ରାଣ୍ଡ ଇଭେଣ୍ଟ ଛାଡ଼ିଦେଲେ ସରକାର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବି କରିପାରୁନଥିବା ବି ଚର୍ଚ୍ଚା ହେଉଛି।
ଏସବୁ ପ୍ରମାଣିତ କରୁଛି ଯେ ବିଜେପି ସରକାର ସିନା ଗଢ଼ିଛି କିନ୍ତୁ ରିମୋଟ୍ ଆଉ କାହା ପାଖରେ ରହିଛି। ଆଉ ସେ ରିମୋଟ୍ର ନିୟନ୍ତ୍ରଣରେ ପରୋକ୍ଷରେ ହେଉ ପଛେ ବିଜେଡି ସୁପ୍ରିମୋଙ୍କ ହାତ ରହିଛି। ତାହା ନ ହୋଇଥିଲେ ଅନ୍ୟ ପ୍ରଦେଶ ଭଳି ପୂର୍ବ ସରକାରର ପ୍ରତିଟି ଦୁର୍ନୀତି ଆଜି ପଦାରେ ପଡ଼ନ୍ତାଣି।