ଓଡ଼ିଶାର ସାମାଜିକ ସଂରଚନାରେ ପଛୁଆ ବର୍ଗଙ୍କ ଭାଗ ହେଉଛି ପ୍ରାୟ ୪୫ରୁ ୫୫%। ଏମାନଙ୍କୁ କୌଣସି ପ୍ରକାରେ ନିଜ କବ୍ଜାକୁ ଅଣାଯାଇପାରିଲେ ଭୋଟ୍ ରାଜନୀତିରେ କ୍ଷମତା ପାଇବା ସହଜ ଓ ସରଳ ହୋଇଯିବ। ଏବେ ଏପରି କିଛି ଆକଳନ କରିଛନ୍ତି ରାଜ୍ୟର କିଛି ନେତା। ଖାଲି ସେତିକି ନୁହେଁ ନିଜେ ସାଧାରଣ ବର୍ଗର ହୋଇଥିଲେ ବି ଏହି ଜାତିଭିତ୍ତିକ ରାଜନୀତିକୁ ଆଶ୍ରା କରି ସେମାନେ ୨୦୨୯ ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଛନ୍ତି। ବୟସର ଅପରାହ୍ଣରେ ପହଞ୍ଚିଥିଲେ ବି ନିର୍ବାଚନ ଜିତିବାର ମୋହ ତାଙ୍କୁ ରାଜ୍ୟର ଶାନ୍ତିପୂର୍ଣ୍ଣ ସହବସ୍ଥାନରେ ବିଷ ବୁଣିବାଠୁ ବିରତ ରଖିପାରୁନାହିଁ। ହେଲେ ତାଙ୍କୁ ଓଡ଼ିଶା ପୂର୍ବଭଳି ଜବାବ ଦେବ ନା ଉତ୍ତର ଭାରତର ପ୍ରବାହିତ ଧାରାରେ ଫାଇଦା ଦେବ?
ଦେଶର ଦକ୍ଷିଣ-ପୂର୍ବ ଭାଗରେ ଏକ ଉପକୂଳିଆ ପରିବେଶରେ ଆମ ରାଜ୍ୟ ଓଡ଼ିଶା ଅବସ୍ଥିତ। ଏହାର ଅବସ୍ଥିତି, ଭାଷା, ଐତିହ୍ୟ ଓ ଅସ୍ମିତା ଅନ୍ୟଠାରୁ ସମ୍ପୂର୍ଣ୍ଣ ଅଲଗା। ଏହାର ଜନତା ସରଳ ହୋଇପାରନ୍ତି କିନ୍ତୁ ଅସ୍ମିତାକୁ ଆଘାତ ଆସିଲେ ଆଦୌ ସହିପାରନ୍ତି ନାହିଁ। ଧୀର ପାଣି ପଥର କାଟିବା ଭଳି ଶାନ୍ତ ସ୍ୱଭାବରେ ଶକ୍ତ ରାଜନୀତିକ ନିଷ୍ପତ୍ତି ନେଇପାରନ୍ତି ଓଡ଼ିଶାବାସୀ। ନିକଟ ଅତୀତରେ ତାହା ପ୍ରମାଣିତ ହୋଇଛି। ୨୦୨୪ ନିର୍ବାଚନରେ ଅଣ ଓଡ଼ିଆଙ୍କ ପ୍ରାଦୂର୍ଭାବ, ଓଡ଼ିଆ ଭାବାବେଗକୁ ଆଘାତ ଆଦି ପ୍ରସଙ୍ଗରେ ଅପ୍ରତ୍ୟାଶିତ ଭାବେ ବିଜେଡି ସରକାରଙ୍କୁ ଟାଳି ରାଜ୍ୟରେ ବିଜେପି ସରକାର ଗଠନ କରିବାରେ ସାହାଯ୍ୟ କରିଥିଲେ। ଏହା ପ୍ରମାଣିତ କରିଥିଲା ଯେ, ଶ୍ରୀ ଜଗନ୍ନାଥଙ୍କ ଆଶ୍ରିତ ସରଳ, ଶାନ୍ତ, ନିରୀହ ଓଡ଼ିଆମାନେ ସବୁ ସହିପାରନ୍ତି କିନ୍ତୁ ମା’ ଓ ମାତୃଭାଷାର ଇଜ୍ଜତ କଥା ଆସିଲେ ଆଦୌ ନୁହେଁ।
କିନ୍ତୁ ୨୦୨୯ ନିର୍ବାଚନ ପରିପ୍ରେକ୍ଷୀରେ କିଛି ରାଜନେତା ଓଡ଼ିଆଙ୍କ ଏହି ଗର୍ବ ଓ ଗୌରବକୁ ଶକ୍ତ କରିବା ବଦଳରେ ପୁରୁଣା ବିଭାଜନ ଥିଓରୀକୁ ଆପଣାଇ ରାଜନୀତିକ ଫାଇଦା ନେବାକୁ ଯୋଜନା କରିଛନ୍ତି। ନିକଟ ଅତୀତରେ କିଛି ବିଜେଡି ନେତା ରାଜନୀତିରେ ଓବିସି କାର୍ଡ ଖେଳି ଜାତିଭିତ୍ତିକ ଜନଗଣନା ଓ ଓବିସି ଭିତ୍ତିକ ଆରକ୍ଷଣ ବୃଦ୍ଧି ପାଇଁ ଦାବି କରିଥିଲେ। ଦୀର୍ଘ ୨୪ ବର୍ଷ ହେଲା ଶାସନରେ ରହିଥିବାବେଳେ ଏ ବ୍ୟବସ୍ଥାକୁ ଆପଣାଇ ପାରିନଥିବା ବିଜେଡି ଏବେ ଏପରି ଦାବି ରଖିବା ଆଗକୁ ସମୀକରଣ ବଦଳାଇବାକୁ ଚେଷ୍ଟା କରୁଥିବା ସ୍ପଷ୍ଟ ହୋଇଛି। ଖାଲି ସେତିକି ନୁହେଁ, ବିଜେଡି ନିଜ ସଂଗଠନରେ ଓବିସିଙ୍କ ସଂଖ୍ୟା ବୃଦ୍ଧି ପାଇଁ ବି ବରିଷ୍ଠ ନେତା ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଦାବି କରି ଚର୍ଚ୍ଚାକୁ ଆସିଛନ୍ତି। ସେହିପରି ବିଧାନସଭାରେ ଅରୁଣ ସାହୁ ଏ ପ୍ରସଙ୍ଗରେ ଗୃହକୁ ଅଚଳ କରିବାକୁ ବି ଚେଷ୍ଟା କରିଥିବାର ନଜିର ରହିଛି।
ଏବେ ନିକଟରେ କଂଗ୍ରେସ ନେତା ତଥା ବାଲେଶ୍ୱର ଲୋକସଭା ଆସନରୁ ପରାଜିତ ହୋଇଥିବା ଶ୍ରୀକାନ୍ତ ଜେନା ମଧ୍ୟ ଏ ପ୍ରସଙ୍ଗକୁ ଉଠାଇଛନ୍ତି। ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସାଂସଦ ଏବଂ ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କ ଓଡ଼ିଶା ଗସ୍ତ ସମୟରେ ଦୁହେଁ ଏକାଠି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ କରିବା ଏ ବିଷୟକୁ ସ୍ପଷ୍ଟ କରୁଛି। ଓଡ଼ିଶାରେ ପଛୁଆ ବର୍ଗଙ୍କ ଉନ୍ନତି ପାଇଁ ଶ୍ରୀକାନ୍ତଙ୍କ ଭଳି ନେତାଙ୍କ ଆବଶ୍ୟକତା ରହିଛି ବୋଲି ଅଖିଳେଶ କହିବା ପରେ ରାଜ୍ୟରେ ଶ୍ରୀକାନ୍ତଙ୍କ ନେତୃତ୍ୱରେ ଓବିସି ରାଜନୀତି ଆହୁରି ଶକ୍ତ ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ଶ୍ରୀକାନ୍ତ ଜେନା ହେଉଛନ୍ତି ପୂର୍ବତନ କେନ୍ଦ୍ରମନ୍ତ୍ରୀ ଏବଂ ଗତ ନିର୍ବାଚନରେ ସେ ଏହିପରି ଭାବେ ଓବିସି ସଂରକ୍ଷଣ ପାଇଁ ଯୁକ୍ତି ବାଢ଼ିଥିଲେ।
ହେଲେ ସବୁଠାରୁ ବଡ଼କଥା ହେଲା, ନିକଟ ଅତୀତରେ ଓବିସିଙ୍କ ପାଇଁ ଓଡ଼ିଶାରେ ଆନ୍ଦୋଳନ ନିଅଁ ରଖୁଥିବା ଏହି ନେତାମାନେ କେହି ପଛୁଆ ବର୍ଗର ନୁହଁନ୍ତି। ଏ ସମସ୍ତେ ରାଜ୍ୟର ଖଣ୍ଡାୟତ ବର୍ଗର ବୋଲି ପରିଚୟ ଦିଅନ୍ତି, ଯେଉଁ ବର୍ଗ ରାଜ୍ୟର ଅଧିକାଂଶ ଜମିର ମାଲିକଭାବେ ପୂର୍ବରୁ ପରିଚିତ ହେଉଥିଲେ। ଅର୍ଥାତ୍ ଏବେ ଏମାନେ ନିଜକୁ ପଛୁଆ ବର୍ଗର ବୋଲି ଦାବି କରିବା ଏକ ବିଭ୍ରାନ୍ତି ସୃଷ୍ଟି କରିବା ସ୍ୱାଭାବିକ।
ହଁ, ଉତ୍ତର ଭାରତୀୟ ରାଜ୍ୟ ହେଉ ବା ତାମିଲନାଡ଼ୁ ଭଳି ରାଜ୍ୟର ସ୍ଥିତିକୁ ଯଦି ଆମେ ତୁଳନା କରିବା ତେବେ ଏହା ସତ୍ୟ ଯେ, ଓଡ଼ିଶାରେ ଜାତିଭିତ୍ତିକ ରାଜନୀତି ପାଇଁ ସୁଯୋଗ ରହିଛି। କିନ୍ତୁ ଏହାର ସ୍ଵରୂପ ଓ ସଫଳତା ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଭିନ୍ନ; ଏହାକୁ ଅସ୍ୱୀକାର କରିହେବ ନାହିଁ। ଓଡ଼ିଶାରେ ଜାତିଭିତ୍ତିକ ରାଜନୀତିର ସମ୍ଭାବନା ଏବଂ ଏହାର ସୀମାବଦ୍ଧତାକୁ ଆସନ୍ତୁ ଟିକେ ବିଶ୍ଳେଷଣ କରିବା।
ଆମ ରାଜ୍ୟରେ ଅନୁସୂଚିତ ଜାତିଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୧୭%। ସେହିଭଳି ଅନୁସୂଚିତ ଜନଜାତିଙ୍କ ସଂଖ୍ୟା ପାଖାପାଖି ୨୫%, ଏବଂ ଆଉ ଓବିସି ହେଉଛନ୍ତି ୩୫-୫୦% । ୨୦୧୧ ଜନଗଣନାକୁ ଆଧାର କରି ପ୍ରସ୍ତୁତ ଏହି ତଥ୍ୟକୁ ବିଶ୍ଳଷଣ କଲେ ଏହା ସ୍ପଷ୍ଟ ଯେ, ୩୫ରୁ ୫୦ ପ୍ରତିଶତ ଜନସଂଖ୍ୟା ବିଶିଷ୍ଟ ଏହି ବୃହତ୍ ଗୋଷ୍ଠୀ ରାଜନୈତିକ ଦଳମାନଙ୍କ ପାଇଁ ଏକ ବଡ଼ ଭୋଟ୍ ବ୍ୟାଙ୍କ ସୃଷ୍ଟି କରେ। ପୁଣି ଏହି ଓବିସିଙ୍କ ବର୍ଗ ନିର୍ଦ୍ଧାରଣ ଏକ ଜଟିଳ ବ୍ୟାପାର ହୋଇ ରହିଛି। ଅନେକ ସ୍ଥାନରେ କିଛି ସ୍ୱଚ୍ଛଳ ଓ ଉଚ୍ଚଜାତି ବି ଓବିସି ବର୍ଗର ବୋଲି ନିଜକୁ ଦର୍ଶାଇଛନ୍ତି। ଓବିସି ଜନସଂଖ୍ୟାରେ ବିଭିନ୍ନ ଉପ-ଜାତି ଯେପରିକି ଗୋପାଳ, କୁର୍ମୀ, କେଉଟ, ଭଣ୍ଡାରୀ, ତେଲି, କମାର ପ୍ରଭୃତି ରହିଛନ୍ତି। ଏମାନେ ନିର୍ଦ୍ଦିଷ୍ଟ ଅଞ୍ଚଳରେ ପ୍ରଭାବଶାଳୀ କାରକଭାବେ ଗଣାଯାଆନ୍ତି। ଅର୍ଥାତ୍ ସ୍ଥାନୀୟ ସ୍ତରରେ ଜାତିଭିତ୍ତିକ କାର୍ଯ୍ୟକ୍ରମ ହେଲେ ତାହାକୁ ଏହିଭଳି ଜାତି ଅଧିକ ଗତିଶୀଳ କରିବେ ଏହା ନିଃସନ୍ଦେହ।
ଅନୁସୂଚିତ ଜନଜାତି ଅଧ୍ୟୁଷିତ ଅଞ୍ଚଳ ଯେମିତି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, କୋରାପୁଟ ଏବଂ ଅନୁସୂଚିତ ଜାତି ଅଧ୍ୟୁଷିତ ଅଞ୍ଚଳ ଯେମିତି କଟକ ଓ ଗଞ୍ଜାମ ପ୍ରଭୃତି ଜିଲ୍ଲାରେ ଜାତିଗତ ପରିଚୟ ନିର୍ବାଚନୀ ରାଜନୀତିରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ନିର୍ବାହ କରେ, ତାହାକୁ କହି ଅସ୍ୱୀକାର କରିବେ ନାହିଁ। ଏଠାରେ ରାଜନୀତିକ ସଂରକ୍ଷଣ ଏବଂ ପ୍ରତିନିଧିତ୍ୱକୁ ଦେଖିଲେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ୨୧ ବିଧାନସଭା ଆସନ ଅନୁସୂଚିତ ଜନଜାତି ଏବଂ ୧୩ ଆସନ ଅନୁସୂଚିତ ଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ଲୋକସଭାରେ ୫ଟି ଆସନ ଅନୁସୂଚିତ ଜନଜାତି ଓ ୩ଟି ଆସନ ଅନୁସୂଚିତ ଜାତି ବର୍ଗଙ୍କ ପାଇଁ ସଂରକ୍ଷିତ ରହିଛି।
କିନ୍ତୁ ଓବିସି ବର୍ଗଙ୍କ ପାଇଁ କୌଣସି ସଂରକ୍ଷଣ ନାହିଁ। ଏମାନଙ୍କ ସଂଖ୍ୟା ୫୦ ପ୍ରତିଶତ ହୋଇଥିବାରୁ ସାଧାରଣ ଆସନଗୁଡ଼ିକରେ ଏହି ବର୍ଗଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ରହି ଆସିଛି। ଏବେ ସେମାନେ ଜାତିଗତ ଜନଗଣନା ପାଇଁ ଦାବି କରୁଛନ୍ତି। ଏହା ଜାତିଭିତ୍ତିକ ରାଜନୀତିକୁ ଉତ୍ତେଜିତ କରିପାରେ। ଅର୍ଥାତ୍ ସମାଜରେ ‘ବିଭାଜନ ଓ ଶାସନ’ ବ୍ୟବସ୍ଥାକୁ ଆହୁରି ଉତ୍କଟ କରିପାରେ।
ଯଦି ଓବିସି ଗୋଷ୍ଠୀମାନେ ଏକଜୁଟ୍ ହୋଇ ଅଧିକ ସଂରକ୍ଷଣ କିମ୍ବା ଜାତିଗତ ଜନଗଣନା ପାଇଁ ଦାବି କରନ୍ତି, ତେବେ ଏକ ଓବିସିକେନ୍ଦ୍ରିକ ରାଜନୈତିକ ଶକ୍ତି ଉଭା ହୋଇପାରେ। ଏହା ବିହାରର ଆରଜେଡି କିମ୍ବା ଉତ୍ତର ପ୍ରଦେଶର ସମାଜବାଦୀ ପାର୍ଟି ପରି ଦଳମାନଙ୍କ ମଡେଲ ଅନୁସରଣ କରିପାରେ।
ଅପରପକ୍ଷେ ଓଡ଼ିଶାରେ ରାଜନୀତି ପ୍ରାୟତଃ ଜାତି ଅପେକ୍ଷା ଆଞ୍ଚଳିକବାଦ ଯେପରିକି ଉପକୂଳ ବନାମ ପଶ୍ଚିମ ଓଡ଼ିଶା, ନେତୃତ୍ଵର ଜନପ୍ରିୟତା (ଯେପରିକି ନବୀନ ପଟ୍ଟନାୟକଙ୍କ କରିସ୍ମା), ଏବଂ ବିକାଶମୂଳକ ଏଜେଣ୍ଡାଦ୍ଵାରା ପରିଚାଳିତ ହୋଇଛି। ପୂର୍ବରୁ ବିଜୁ ଜନତା ଦଳ ଏକ ସର୍ବବ୍ୟାପୀ ଦଳ ହିସାବରେ ସମସ୍ତ ଜାତିକୁ ଆକର୍ଷିତ କରିଛି, ଯାହା ଜାତିଭିତ୍ତିକ ରାଜନୀତିର ବିକାଶକୁ ଅବରୋଧ କରିବାର ପରମ୍ପରା ରକ୍ଷା କରି ଆସିଛି। କିନ୍ତୁ ଏବେ ଏହାର ନେତାମାନେ ରାଜ୍ୟରେ ବିଜେପି ସରକାରକୁ ବିରୋଧ କରିବାକୁ ଯାଇ ଏହି ବିଭାଜନ ରାସ୍ତାକୁ ଆପଣାଇବା ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରୁଛି। ଅର୍ଥାତ୍ କିଛି ନେତା ନିଜର ଫାଇଦା ପାଇଁ ଯେ ଏହା କାର୍ଡ ଖେଳିବାକୁ ଯାଉଛନ୍ତି ତାହାକୁ ଅସ୍ୱୀକାର କରାଯାଇନପାରେ।
ପୁଲିସ ବାହିନୀରେ ମହିଳାଙ୍କ ଏକ ତୃତୀୟାଂଶ ପ୍ରତିନିଧିତ୍ୱ ହାସଲ କରିବାକୁ ଓଡ଼ିଶାକୁ ୭୪ବର୍ଷ ଲାଗିବ
