ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମଥର ପାଇଁ କଂଗ୍ରେସ ଦଳର ସମସ୍ତ ସଦସ୍ୟଙ୍କୁ ନିଲମ୍ବନ କରାଗଲା। ବିଧାନସଭା ପରିସରରେ ଦୁଇ ବିରୋଧୀ ଦଳ ବିଜେଡି ଓ କଂଗ୍ରେସ ସଦସ୍ୟମାନଙ୍କୁ ସୁରକ୍ଷାକର୍ମୀଙ୍କ ସହ ଧସ୍ତାଧସ୍ତି ହେବାକୁ ପଡ଼ିଲା। ଏପରିକି କଂଗ୍ରେସ ବିଧାୟକମାନଙ୍କୁ ବଳପୂର୍ବକ ବିଦା କରି ଦିଆଗଲା। ଏସବୁ ସତ୍ତ୍ୱେ ରାଜ୍ୟର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁହଁ ଖୋଲୁନାହାନ୍ତି। ସୋସିଆଲ ମିଡିଆରେ ମଧ୍ୟ ପଦୁଟିଏ ଲେଖିବାକୁ ଚାହିଁନାହାନ୍ତି। ଆଉ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନଙ୍କ ଅସମ୍ଭବ ନିରବତାକୁ ଦେଖି ତାଙ୍କ ଦଳର ଚାପଗ୍ରସ୍ତ ବିଧାୟକମାନେ ଅପ୍ରତ୍ୟାଶିତ ଢଙ୍ଗରେ ୟୁ-ଟର୍ଣ୍ଣ ନେଇ ଗୃହ କାର୍ଯ୍ୟରେ ସାମିଲ ହୋଇଛନ୍ତି।
ଅନ୍ୟତମ ବିରୋଧୀ ଦଳ କଂଗ୍ରେସର ଅନୁପସ୍ଥିତିରେ ଓ ବିଜେଡି ସଦସ୍ୟଙ୍କ ସକ୍ରିୟ ଭାଗିଦାରୀରେ ଗୃହ ସ୍ୱାଭାବିକ ଅବସ୍ଥାକୁ ଫେରିଛି। ଗୃହରେ ପ୍ରଶ୍ନକାଳ ଓ ଶୂନ୍ୟକାଳ ସହ ବିଜେଡିର ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇଛି। ଉଚ୍ଚଶିକ୍ଷା ଓ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ପାଇଁ ୨୦୧୨ ଡିସେମ୍ବରରେ ମୁଖ୍ୟସଚିବଙ୍କ କମିଟି ନେଇଥିବା ନିଷ୍ପତ୍ତିକୁ କୁ ଦୀର୍ଘ ୧୨ବର୍ଷ ଧରି କାହିଁକି ପୂର୍ବ ସରକାରକାର୍ଯ୍ୟକାରୀ କରିନଥିଲା ବୋଲି କହି ବିଜେଡିକୁ ତା’ର ରଣନୀତିରେ ଗୃହ ଭିତରେ ଛନ୍ଦି ଦେଇଛି ଶାସକ ବିଜେପି।
ଏସବୁ ଭିତରେ ବିଧାନସଭା ସମ୍ମୁଖରେ ଗୁରୁବାର କଂଗ୍ରେସର ଆକ୍ରଣାତ୍ମକ ରଣନୀତି ମାଧ୍ୟମରେ ବିଜେପି ସରକାରକୁ ଚାପରେ ରଖି ସରକାରଙ୍କ ପ୍ରତି ଥିବା ଅସନ୍ତୁଷ୍ଟ ଥିବା ଲୋକଙ୍କୁ ନିଜଆଡ଼କୁ ଆକୃଷ୍ଟ କରିବାକୁ ଲକ୍ଷ୍ୟ ରଖିଛି। ଅନ୍ୟପକ୍ଷରେ ସୁଦୃଢ଼ ସାଂଗଠନିକ ଭିତ୍ତିଭୂମି ଥାଇ ମଧ୍ୟ ପ୍ରମୁଖ ବିରୋଧୀ ବିଜେଡିର ଦ୍ୱନ୍ଦ୍ୱାତ୍ମକ ଆଭିମୁଖ୍ୟ, ଦଳର ସୁପ୍ରିମୋଙ୍କ ନୀରବତା ଦଳ ପାଇଁ ବୁମେରାଂ ହେବ ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି।
ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡିର ନେତା ହେଉଛନ୍ତି ନବୀନ ପଟ୍ଟନାୟକ । ଗୃହରେ ବିଜେଡିର ୫୧ଜଣ ସଦସ୍ୟ ଅଛନ୍ତି । କିନ୍ତୁ ଦଳ ନିଜକୁ ମୁଖ୍ୟ ବିରୋଧୀ ଦଳ ଭାବେ ଉପସ୍ଥାପିତ କରିବାରେ ଫେଲ୍ ମାରିଛି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅସମ୍ଭବ ନିରବତା ଓ ଗୃହ କାର୍ଯ୍ୟରେ ଅନାଗ୍ରହ ଆଚରଣ ଯୋଗୁ ବିଜେଡି ନିଜ ପାଖରେ ସଂଖ୍ୟାବଳ ଥାଇ ମଧ୍ୟ ନିଷ୍କ୍ରିୟ ପାଲଟିଛି। ଦଳର ବିଧାୟକମାନଙ୍କ ମଧ୍ୟରେ ଫାଟ ଓ ମତଭେଦ ଯୋଗୁ ବିଜେଡି ବିଧାନସଭାରେ ପ୍ରଭାବଶାଳୀ ବିରୋଧୀ ଭୂମିକାରେ ଅବତୀର୍ଣ୍ଣ ହୋଇପାରୁନାହିଁ। ସବୁଠୁ ଉଦବେଗର ବିଷୟ ହେଉଛି ବିରୋଧୀ ଦଳ ନେତା ପଦରେ ନବୀନ ଥାଇ ମଧ୍ୟ କୌଣସି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ନା ଗଣମାଧ୍ୟମରେ ମୁହଁ ଖୋଲୁଛନ୍ତି ନା ତାଙ୍କ ଅଫିସ୍ ନା ସୋସିଆଲ ମିଡିଆରେ କିଛି ମତ ରଖୁଛନ୍ତି।
ନିଜ ସରକାରର ୨୪ବର୍ଷର ଅପକର୍ମ ଲୁଚାଇବାକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବିଜେପି ନେତୃତ୍ୱଙ୍କ ପାଖରେ ଆତ୍ମସମର୍ପଣ କରିଥିବା ଚର୍ଚ୍ଚା ରାଜନୀତିକ ମହଲରେ ତୀବ୍ର ହେବାରେ ଲାଗିଛି । ବିଗତ ୩ଦିନ ଧରି ବିଧାନସଭାରେ ଚାଲିଥିବା ଅଚଳାବସ୍ଥା, ଅସ୍ୱାଭାବିକ ସ୍ଥିତି ଏପରିକି ନିଜ ଦଳର ବିଧାୟକମାନଙ୍କ ସହ ସୁରକ୍ଷାକର୍ମୀଙ୍କ ହାତାହାତି ଘଟଣାରେ ନବୀନ ମୁହଁ ଖୋଲି ପ୍ରତିବାଦ ଜଣାଇବାକୁ ସାହାସ ସଞ୍ଚୟ କରିପାରିନାହାନ୍ତି । ଯଦିଓ ବିରୋଧୀ ଦଳ ନେତା ଭାବେ ଏସବୁ ପ୍ରସଙ୍ଗ ଉପରେ ସରକାରଙ୍କୁ ଘେରିବା ଅବା ଦଳର ଆଭିମୁଖ୍ୟ ସ୍ପଷ୍ଟ କରିବା ନବୀନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ । ନବୀନଙ୍କ ଏଭଳି ଆଭିମୁଖ୍ୟ ଯୋଗୁ ବିଜେଡି ପ୍ରତି ସାଧାରଣରେ ଲୋକଙ୍କ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଛି। ବିଧାନସଭା ଅଧିବେଶନ ଚାଲିଥିବାବେଳେ ନବୀନ ବାରମ୍ବାର ଦିଲ୍ଲୀ ଗସ୍ତ କରିବା ସହ ଗୃହ କାର୍ଯ୍ୟରେ ଉପସ୍ଥିତ ନହେବା ମଧ୍ୟ ବିଜେଡିର ଅଡ଼ୁଆ ବଢ଼ାଇଛି । ବିଧାନସଭାରେ ନେତୃତ୍ୱବିହୀନ ଭଳି ବିଜେଡି କାର୍ଯ୍ୟ କରିବାରେ ଲାଗିଛି ।
କଂଗ୍ରେସ ଗୁରୁବାର ବିକ୍ଷୋଭ ପ୍ରଦର୍ଶନ କରି ଲୋକଙ୍କୁ ନିଜ ଆଡ଼କୁ ନେବାକୁ ପ୍ରସ୍ତୁତ ରଣନୀତିକୁ ସଫଳ ରୂପ ଦେଇଛି। ମାତ୍ର ବିଜେଡି ଗୁରୁବାର ଅଚାନକ ୟୁ-ଟର୍ଣ୍ଣ ନେଇ ଗୃହ କାର୍ଯ୍ୟରେ ସାମିଲ ହୋଇଛି । ଯଦିଓ ଗୃହ କାର୍ଯ୍ୟ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ପୁଲିସର ପ୍ରବେଶକୁ ଆଳ କରି ଗଙ୍ଗା ପାଣି ଛିଞ୍ଚିଥିଲା। ମାତ୍ର ସାଢ଼େ ୧୦ଟାରେ ଗୃହ ଆରମ୍ଭ ହେବାମାତ୍ରେ ଦଳର ବିଧାୟକମାନେ ନୀରବ ରହି ଗୃହ କାର୍ଯ୍ୟରେ ସହଯୋଗ କରିବା ପଛରେ ବିଜେଡି ସୁପ୍ରିମୋଙ୍କ ଉପରେ ରହିଥିବା ଚାପ ଯୋଗୁ ଏହା ସମ୍ଭବପର ହେଲା ବୋଲି ଚର୍ଚ୍ଚା ହେଉଛି।
ରାଜ୍ୟରେ ମାତ୍ର ୧୪ଜଣ ବିଧାୟକ ଥିବା କଂଗ୍ରେସ ନିଜର ସ୍ଥିତି ଓ ସଂଗଠନକୁ ସୁଦୃଢ଼ କରିବା ପାଇଁ ବହୁମୁଖୀ ରଣନୀତିରେ କାର୍ଯ୍ୟ କରୁଛି । ପୁରୁଖା ନେତାମାନଙ୍କୁ ଆଗକୁ ଆଣି ଏକତା ପ୍ରଦର୍ଶନ କରିବା, ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରସଙ୍ଗରେ ବିଫଳତାକୁ ନେଇ ବିକ୍ଷୋଭ ଓ ଆନ୍ଦୋଳନ କରିବା, ସରକାରଙ୍କ ପ୍ରତି ଅସନ୍ତୁଷ୍ଟ ଥିବା ଲୋକମାନଙ୍କୁ ନିଜ ସହ ଯୋଡ଼ି ରାଜ୍ୟରେ ବିଜେଡି ସ୍ଥାନରେ ଏକ ଶକ୍ତିଶାଳୀ ବିରୋଧୀ ଦଳ ହେବାକୁ କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରିଛି । ଯଦିଓ କଂଗ୍ରେସର ରାଜ୍ୟ ନେତୃତ୍ୱଙ୍କ ମଧ୍ୟରେ ଏକତାର ଅଭାବ ଏବେବି ସବୁଠୁ ବଡ଼ ଚ୍ୟାଲେଞ୍ଜ ଦଳ ପାଇଁ ହୋଇ ରହିଛି ।
ବିଜେଡି ସାଧାରଣ ନିର୍ବାଚନରେ ପରାଜୟ ପରେ ପ୍ରମୁଖ ବିରୋଧୀ ଦଳ ଭାବେ ଉଭା ହୋଇଥିଲେ ମଧ୍ୟ ନିଜକୁ ସୁଦୃଢ଼ ବିରୋଧୀ ଭୂମିକାରେ ଅବସ୍ଥାପିତ କରିବାକୁ ସୁଚିନ୍ତିତ ରଣନୀତି ପ୍ରସ୍ତୁତ କରିବାରେ ବିଫଳ ରହିଛି । ସରକାରଙ୍କ ବିଫଳତାକୁ ଦୃଢ଼ ଭାବେ ଉଜାଗର, ସଂଗଠନର ପୁନର୍ଗଠନ, ପୁରୁଣା କୋଟେରୀ ହାତରେ ସଂଗଠନର ଦାୟିତ୍ୱ, ନିଜ ୨୪ବର୍ଷ ସରକାରର ଅପକର୍ମ ଉଜାଗରର ଭୟ ଓ ବିଶେଷକରି ନବୀନ ପଟ୍ଟନାୟକଙ୍କ ଅନାଗ୍ରହ ଓ ନିରବତା ଯୋଗୁ ରାଜ୍ୟରେ ସର୍ବାଧିକ ସଦସ୍ୟ ଥିବା ବିଜେଡି ଏବେ ଛିଡ଼ିବାରେ ଲାଗିଛି ।
ରାଜ୍ୟରେ ରାଜନୈତିକ ମହାଭାରତ ଚାଲୁଥିବାବେଳେ ନବୀନ ପଟ୍ଟନାୟକ କୋଏମ୍ବାଟୁର ଏୟାରପୋର୍ଟରେ ଦେଖିବାକୁ ମିଳିଛି ବୋଲି ଆଜି ରାଜ୍ୟର ଏକ ଟିଭି ଚ୍ୟାନେଲ ଖବର ପ୍ରସାରଣ କରୁଛି। ଏଥିରୁ ଜଣାପଡ଼ୁଛି ଯେ ବିଜେଡି ସଭାପତି ନବୀନଙ୍କର ରାଜ୍ୟ ରାଜନୀତିରେ ଏେବ ଆଉ ରୁଚି ନ ଥିବା ଆଲୋଚନା ହେଉଛି।
Also readhttps://purvapaksa.com/dangerous-bangladeshis-from-odisha-to-delhi/