pet dog: ଆବେଦନକାରୀ ଅଯଥାରେ ଅଦାଲତର ମୂଲ୍ୟବାନ ସମୟ ନଷ୍ଟ କରିଛନ୍ତି ବୋଲି କୋର୍ଟ କହିଛନ୍ତି।
ଆପଣ ଏମିତି କଥା କେବେ ଶୁଣିନଥିବେ। ନିଜର ପୋଷା କୁକୁର ଫେରି ପାଇବା ପାଇଁ ଜଣେ ମହିଳା ହାଇକୋର୍ଟର ଦ୍ୱାରସ୍ଥ ହେବା, ଆଉ କୋର୍ଟ ତାଙ୍କର ଏପରି ଅଯଥା ଆବେଦନ ପାଇଁ ଜରିମାନା ପକାଇବା। ହଁ ଆଜ୍ଞା ଏପରି ଘଟଣା ଘଟିଛି ଓଡ଼ିଶାରେ। ବୋହୂଙ୍କ ଠାରୁ ବିୟୁଟି ନାମକ ପୋଷା କୁକୁର ଫେରାଇ ଆଣିବା ଆବେଦନରେ ହାଇକୋର୍ଟ ଜଣେ ୫୨ ବର୍ଷୀୟା ମହିଳାଙ୍କୁ ୧ହଜାର ଟଙ୍କା ଜରିମାନା କରିଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ, ୨୦୨୫ ଜାନୁଆରି ୨୦ ତାରିଖରେ କଟକ ମହିଳା ଥାନାରେ ଯୌତୁକ ନିର୍ଯାତନା ମାମଲା ପରେ ଆବେଦନକାରୀଙ୍କ ବୋହୂ ୩ ବର୍ଷର କୁକୁରକୁ ଘରୁ ଜବତ କରିବା ସମୟରେ ନେଇଯାଇଥିଲେ। ୨୦୨୦ ଜୁଲାଇ ୧୪ତାରିଖରେ ଏହି ବିବାହ ସମ୍ପନ୍ନ ହୋଇଥିଲା। ୨୦୨୪ ସେପ୍ଟେମ୍ବର ୩୦ତାରିଖରେ ବୋହୂ ବାରଙ୍ଗସ୍ଥିତ ତାଙ୍କ ବୈବାହିକ ଘରୁ ବାହାରି ଏତଲା ଦେଇଥିଲେ।
ଆବେଦନକାରୀଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ଆବେଦନ ପ୍ରତ୍ୟାହାର ପାଇଁ ଅନୁମତି ଦେବାକୁ ଅନୁରୋଧ କରିବା ପରେ ଏହି ନିର୍ଦ୍ଦେଶ ଦିଆଯାଇଛି। ଜଷ୍ଟିସ୍ ଏସ୍ କେ ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି, ଏଭଳି ଦୃଷ୍ଟିରୁ ଏହି ରିଟ୍ ପିଟିସନ୍ ପ୍ରତ୍ୟାହାର କରି ଆବେଦନକାରୀଙ୍କୁ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ଦ୍ୱାରସ୍ଥ ହେବାର ସ୍ୱାଧୀନତା ଦିଆଯାଇଛି।
ଏହି ସମୟରେ ଆବେଦନକାରୀ ଅଯଥାରେ ଏହି ଅଦାଲତର ମୂଲ୍ୟବାନ ସମୟ ନଷ୍ଟ କରିଥିବାରୁ ତାଙ୍କ ଉପରେ ୧୦୦୦ ଟଙ୍କା ଜରିମାନା ମଧ୍ୟ ଲଦି ଦେଇଛନ୍ତି। ୧୦ ଦିନ ମଧ୍ୟରେ ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନ୍ କଲ୍ୟାଣ ପାଣ୍ଠି ସପକ୍ଷରେ ଏହି ଖର୍ଚ୍ଚ ଜମା କରାଯିବ ବୋଲି ଜଷ୍ଟିସ୍ ପାଣିଗ୍ରାହୀ ନିର୍ଦ୍ଦେଶ ଦେଇଛନ୍ତି।
Previous article:https://purvapaksa.com/master-chef-india-focus-on-pakhala/
ସେଲେବ୍ରିଟି ମାଷ୍ଟରସେଫ୍ ଇଣ୍ଡିଆରେ ସ୍ଵତନ୍ତ୍ର ଓଡ଼ିଶା ଖାଦ୍ୟ କାର୍ଯ୍ୟକ୍ରମ
