ଚଳିତ ବର୍ଷ ମୌସୁମୀ ପୂର୍ବରୁ ଆଉ ୫୫ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ଶେଷ କରିବାକୁ ରାଜ୍ୟ ସରକାର ଯୋଜନା କରୁଛନ୍ତି।
ରାଜସ୍ୱ ଓ ବିର୍ପ୍ୟୟ ପରିଚାଳନା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ୫୫ଟି ଟ୍ରାଞ୍ଜିଟ୍ ଆଶ୍ରୟସ୍ଥଳୀ ମଧ୍ୟରୁ ୨୮ଟିରେ ସିଭିଲ୍ ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଥିବାବେଳେ ବାକି ୨୭ଟିର କାମ ଦ୍ରୁତ ଗତିରେ ଚାଲିଛି। ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ସମ୍ବେଦନଶୀଳ ଅଞ୍ଚଳରେ ସ୍ଥାନାନ୍ତର ବ୍ୟବସ୍ଥାକୁ ଏହି ନୂତନ ସୁବିଧା ସୁଦୃଢ଼ କରିବ।
ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡ଼ା, ପୁରୀ ଓ ଅନ୍ୟ ଉପକୂଳବର୍ତ୍ତୀ ଜିଲ୍ଲାର ସମ୍ବେଦନଶୀଳ ଗାଁ’ଗୁଡ଼ିକରେ ଏହି ଆଶ୍ରୟସ୍ଥଳୀ ନିର୍ମାଣ କରାଯାଉଛି । ପ୍ରାୟ ୩ କୋଟି ଟଙ୍କା ବିନିଯୋଗରେ ଏହି ସବୁ ଆଶ୍ରୟସ୍ଥଳୀର ବିକାଶ କରାଯାଉଛି। ଏଥିପାଇଁ ରାଜ୍ୟ ସରକାର ପ୍ରାୟ ୧୮୯କୋଟି ଟଙ୍କା ମଞ୍ଜୁର କରିଥିଲେ।
୨୮ଟି ନୂଆ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀକୁ ମିଶାଇ ସମୁଦାୟ ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀ ସଂଖ୍ୟା ୯୦୯ ରହିଥିବାବେଳେ ଅବଶିଷ୍ଟ ୨୭ଟି କାର୍ଯ୍ୟ ସରିବା ପରେ ଏହା ୯୩୬କୁ ବୃଦ୍ଧି ପାଇବ ବୋଲି ଏସଆରସିଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡ଼ିଛି।
ବଡ଼ ବିର୍ପ୍ୟୟ, ବିଶେଷକରି ବନ୍ୟା ଓ ବାତ୍ୟା ସମୟରେ ରାଜ୍ୟରେ ୧୦ ଲକ୍ଷରୁ ଅଧିକ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବାବେଳେ ଗତ ବର୍ଷ ଅକ୍ଟୋବରରେ ବିପର୍ଯ୍ୟୟ ପ୍ରସ୍ତୁତି ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ ଯେ ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ୫୦୦ ଅତିରିକ୍ତ ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଯୋଜନା କରୁଛନ୍ତି।
ପଞ୍ଚାୟତ ସ୍ତରରେ ସ୍ଥାନୀୟ ସମୁଦାୟ ସଦସ୍ୟ, ପିଆରଆଇ ସଦସ୍ୟ ଏବଂ ସରକାରୀ ଅଧିକାରୀ ଓ କ୍ଷେତ୍ର କର୍ମକର୍ତ୍ତାମାନଙ୍କୁ ନେଇ ସରକାର ବାତ୍ୟା-ବନ୍ୟା ପରିଚାଳନା ଓ ରକ୍ଷଣାବେକ୍ଷଣ କମିଟି ଗଠନ କରିଛନ୍ତି।
ଆଶ୍ରୟସ୍ଥଳୀଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ୨୦୨୪-୨୫ରେ ପ୍ରାୟ ୪୯ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ୨୦୨୫-୨୬ରେ ଏହାର ରକ୍ଷଣାବେକ୍ଷଣ ପାଇଁ ବିଭାଗ ପକ୍ଷରୁ ପାଣ୍ଠି ବ୍ୟବସ୍ଥା କରାଯିବ। ମିଳିଥିବା ସୂଚନା ଅନୁଯାୟୀ, ଚଳିତ ଆର୍ଥିକ ବର୍ଷରେ ପ୍ରତି ଆଶ୍ରୟସ୍ଥଳର ରକ୍ଷଣାବେକ୍ଷଣ ପାଇଁ ପ୍ରାୟ ୬ ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି।
Also readhttps://purvapaksa.com/mahanadi-dispute-bjd-slams-odisha-chhattisgarh-cms-talks/
ମହାନଦୀ ବିବାଦ: ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନାକୁ ବିଜେଡିର ସମାଲୋଚନା
