MOMO: ଏମିତି ଖୁବ କାମ ଲୋକ ହିଁ ଥିବେ ଯେଉଁମାନେ ମୋମୋ ଖାଇବାକୁ ପସନ୍ଦ କରୁ ନଥିବେ । ବଜାରରେ ଏହା ସୁଲଭ ମୂଲ୍ୟରେ ମିଳିବ ସହ ସ୍ଵାଦରେ ମଧ୍ୟ ବହୁତ ଭଲ ହୋଇଥାଏ । କିଏ ଏଥିରେ ପନିର, ବିଭିନ୍ନ ପାରିବା ତଥା କେହି କେହି ଚିକେନ ଦେଇ ତିଆରି କରିଥାନ୍ତି । ହେଲେ ଏବେ ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯାହା ଆପଣଙ୍କୁ ପୁଣିଥରେ ମୋମୋ ଖାଇବା ପୂର୍ବରୁ ଭାବନାରେ ପକେଇ ଦେବ।
ପଞ୍ଜାବର ମୋହାଲିରେ ମ୍ୟୁନିସିପାଲିଟି ଡାକ୍ତରୀ ଦଳ ଏକ ଚିକେନ୍ ଦୋକାନରେ ଚଢ଼ାଉ କରିଥିଲେ। ସେଠାରେ ପ୍ରାୟ ୬୦ କେଜି ଦୁର୍ଗନ୍ଧଯୁକ୍ତ ଫ୍ରୋଜେନ୍ ଚିକେନ୍ ଜବତ କରିଛନ୍ତି। ଏହି ସମୟରେ ମୋମୋ ତିଆରି କରୁଥିବା ଏକ କାରଖାନାର ଫ୍ରିଜରରୁ ଏକ କୁକୁରର ମୁଣ୍ଡ ମଧ୍ୟ ଟିମ୍ ଉଦ୍ଧାର କରାଯାଇଥିଲା।
ଏହି ଟିମ୍ ଚିକେନ୍ ନଷ୍ଟ କରିବା ସହ ଦୋକାନଗୁଡ଼ିକୁ ଜରିମାନା ମଧ୍ୟ ଜାରି କରିଛି। ମୋହାଲିର ସହକାରୀ ଖାଦ୍ୟ ନିରାପତ୍ତା କମିଶନର ଡକ୍ଟର ଅମୃତ ୱାରିଙ୍ଗ କହିଛନ୍ତି ଯେ, କାରଖାନା ଚଳାଉଥିବା ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୋଲିସକୁ ସୂଚନା ଦିଆଯାଇଛି। କୁକୁର ମାଂସ ବ୍ୟବହାର ହେଉଛି କି ନାହିଁ ତାହା ଜାଣିବା ପାଇଁ ମୋମୋ ଏବଂ ସ୍ପ୍ରିଂ ରୋଲ୍ ତିଆରି କରୁଥିବା କାରଖାନାର ତଦନ୍ତ ଚାଲିଛି। କୁକୁର ମୁଣ୍ଡ ଭଳି ପଚିଯାଇଥିବା ମାଂସକୁ ପରୀକ୍ଷା ପାଇଁ ପ୍ରାଣୀ ଚିକିତ୍ସା ବିଭାଗକୁ ପଠାଯାଇଛି। ମୋମୋ, ସ୍ପ୍ରିଂ ରୋଲ୍ ଏବଂ ଚଟଣୀର ନମୁନା ମଧ୍ୟ ପଠାଯାଇଛି।
ଘଟଣାସ୍ଥଳରୁ ଫ୍ରୋଜେନ କଟା ମାଂସ ଓ କ୍ରସର ମେସିନ ମଧ୍ୟ ମିଳିଥିଲା। ଏ ନେଇ ରବିବାର ପ୍ରଶାସନକୁ ଅବଗତ କରାଯାଇଥିଲା। ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ରବିବାର ଓ ସୋମବାର ମାଟୁର (ମୋହାଲି) ଏବଂ ଏହାର ଆଖପାଖ ଅଞ୍ଚଳର ମୋହାଲିର ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ (ଡିଏଚ୍ଓ) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ଏ ସଂକ୍ରାନ୍ତରେ ବିସ୍ତୃତ ରିପୋର୍ଟ ଦେବାକୁ ଡିଏଚ୍ଓଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏତଦ୍ ବ୍ୟତୀତ ଅଣପଞ୍ଜୀକୃତ ହୋଇଥିବା ବିକ୍ରେତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପ୍ରତିଷ୍ଠାନ ଚଳାଉଥିବା ବିକ୍ରେତାମାନେ ନେପାଳର। ଚଢ଼ାଉ ବେଳେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଏକାଠି ହୋଇଥିଲେ। ତେବେ କାରଖାନାର କର୍ମଚାରୀମାନେ ସ୍ପଷ୍ଟ କରିଛନ୍ତି ଯେ ପଶୁର ମୁଣ୍ଡ ମୋମୋରେ ବ୍ୟବହୃତ ନୁହେଁ, ବରଂ ସେମାନେ ଖାଉଥିବା ମାଂସରେ ବ୍ୟବହୃତ ହେଉଛି। ଘଟଣାର ତଦନ୍ତ କରାଯାଉଛି ବୋଲି ସିଭିଲ ସର୍ଜନ ଡାକ୍ତର ସଙ୍ଗୀତା ଜେନା କହିଛନ୍ତି। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ALSO READ: https://purvapaksa.com/how-rumours-of-burning-of-religious-content-led-to-nagpur-violence/