Holi Festival: ରଙ୍ଗର ପର୍ବ ହୋଲି ପାଖେଇ ଆସୁଥିବାରୁ କଟକ ଓ ଭୁବନେଶ୍ୱରରେ ସୁରକ୍ଷିତ ଓ ଶାନ୍ତିଶୃଙ୍ଖଳାର ସହ ଉତ୍ସବ ପାଳନ ପାଇଁ କମିସନରେଟ୍ ପୁଲିସ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି।
କମିସନରେଟ୍ ପୁଲିସ ପକ୍ଷରୁ ଜାରି ଗାଇଡଲାଇନ ଅନୁଯାୟୀ, ମଦ୍ୟପାନ କରିବା ପରେ ନଦୀ କିମ୍ବା ସୁଇମିଂ ପୁଲକୁ ପ୍ରବେଶ ନ କରିବାକୁ ନାଗରିକମାନଙ୍କୁ ପରାମର୍ଶ ଦିଆଯାଇଛି। ମଦ୍ୟପାନ କରି ହୋଲି ଖେଳିଲେ ଗିରଫ ସମେତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ନଦୀ ଘାଟରେ ନିୟୋଜିତ ହେବେ ପୁଲିସ ଓ ଅଗ୍ନିଶମ କର୍ମଚାରୀ
ସୁରକ୍ଷା ଦୃଷ୍ଟିରୁ ସମସ୍ତ ପ୍ରମୁଖ ନଦୀ ଘାଟରେ ଅଗ୍ନିଶମ ସେବା କର୍ମଚାରୀଙ୍କ ସହ ପୁଲିସ ମୁତୟନ କରାଯିବ। ଏହାବ୍ୟତୀତ ହୋଲି ଉତ୍ସବ ନାଁରେ ଯେଉଁମାନେ ଜନଅସନ୍ତୋଷ ସୃଷ୍ଟି କରିବେ କିମ୍ବା ରାସ୍ତା ଅବରୋଧ କରିବେ ସେମାନଙ୍କୁ ଗିରଫ କରାଯିବ।
ଆଇନଶୃଙ୍ଖଳା ରକ୍ଷା ପାଇଁ ୨୦ ପ୍ଲାଟୁନ୍ ଫୋର୍ସ
ଭୁବନେଶ୍ୱରରେ ଆଇନଶୃଙ୍ଖଳା ରକ୍ଷା ପାଇଁ ହୋଲିରେ ୨୦ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ ହେବେ।
ଏହାବ୍ୟତୀତ ବେଆଇନ ମଦ ବିକ୍ରି କୁ ରୋକିବା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ । ଏହାବ୍ୟତୀତ ରାସାୟନିକ ଭିତ୍ତିକ ରଙ୍ଗ ବିକ୍ରି ଉପରେ କଟକଣା ଲଗାଯିବା ସହ କେବଳ ଔଷଧୀୟ ରଙ୍ଗକୁ ଉତ୍ସବରେ ବ୍ୟବହାର କରାଯାଇପାରିବ।
କ’ଣ କହୁଛନ୍ତି ଭୁବନେଶ୍ୱର ଡିସିପି
ନିଶାସକ୍ତ ଅବସ୍ଥାରେ ଜଳାଶୟ ଭିତରକୁ ପ୍ରବେଶ ନ କରିବାକୁ ମୁଁ ଲୋକଙ୍କୁ ଅନୁରୋଧ କରୁଛି। ବିଭିନ୍ନ ନଦୀ ଘାଟରେ ପୁଲିସ, ଓଡ୍ରାଫ୍ ଓ ଅଗ୍ନିଶମ ସେବା ଟିମ୍ ମୁତୟନ କରାଯିବ। ଏହାବ୍ୟତୀତ ମଦ୍ୟପାନ କରି ଗାଡ଼ି ଚଳାଉଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯିବ ବୋଲି ଭୁବନେଶ୍ୱର ଡିସିପି ଜଗମୋହନ ମୀନା କହିଛନ୍ତି।
୨୦ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବା ସହ ବେଆଇନ ମଦ ଦୋକାନ ଉପରେ ଚଢ଼ଉ କରିବାକୁ ଆଇଆଇସିଙ୍କୁ କୁହାଯିବ ବୋଲି ମୀନା କହିଛନ୍ତି।
ALSO READ: https://purvapaksa.com/direct-flights-from-bhubaneswar-to-abu-dhabi-to-start-in-june/