Jagannath Temple: ଆଜି ବୁଧବାର ଫାଲଗୁନ ଶୁକ୍ଳ ଷଷ୍ଠୀ ତିଥିରେ ଶ୍ରୀଜିଉଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥି ପାଇଁ ଆରମ୍ଭ ହୋଇଛି ପ୍ରସ୍ତୁତି । ଅପରାହ୍ନ ୫ଟାରୁ ରାତି ୧୦ଟା ପର୍ଯ୍ୟନ୍ତ ବନ୍ଦ ରହିବ ସର୍ବସାଧାରଣ ଦର୍ଶନ ।
ଆଜି ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏଥିପାଇଁ ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ଅପରାହ୍ନ ଘ.୫.୦୦ ଟିକା ଠାରୁ ରାତ୍ର ଘ.୧୦.୦୦ ଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ। ବନକଲାଗି ନୀତି ପରେ ପୁଣିଥରେ ଆଜି ରାତି ୧୦ ଟାରୁ ସାଧାରଣ ଦର୍ଶନ କରିପାରିବେ ଭକ୍ତ । ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।
ବନକଲାଗି ନୀତି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତନୀତି। ଆଜି ଦ୍ଵିତୀୟ ଭୋଗମଣ୍ଡପ ଉଠିବା ପରେ ମହାପ୍ରଭୁଙ୍କ ଶ୍ରୀମୁଖ ସୃଙ୍ଗାର ଆରମ୍ଭ ହେବ। ଦତ୍ତମହାପାତ୍ର ସେବକମାନେ ଦାରୁଦିଅଁଙ୍କ ବନକଲାଗି ସେବା କରିବେ । ଏହାଦ୍ୱାରା ଶ୍ରୀବିଗ୍ରହଙ୍କ ଶ୍ରୀଅଙ୍ଗର ଶ୍ରୀବୃଦ୍ଧି ଘଟିଥାଏ । ବନକଲାଗି ପରେ ମହାସ୍ନାନ ପୂଜା ବଢ଼ି ପୁନଃ ଦର୍ଶନ ଆରମ୍ଭ ହେବ । ଠାକୁରଙ୍କ ବନକଲାଗି ପାଇଁ ହିଙ୍ଗୁଳ, ହରିତାଳ, ଶଙ୍ଖ, କେଶର, କର୍ପୂର, କଇଁଥ ଅଠା, କସ୍ତୁରୀ ଓ କଳା ଭଳି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଯୋଗାଇ ଦିଆଯାଇଥିବା ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ । ଏହି ବିଶେଷ ସେବା ସମୟରେ ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପାଇବେ ନାହିଁ । ସେହି ଦିନର ଠାକୁରଙ୍କ ନୀତି ଅନୁସାରେ ବନକଲାଗି ଓ ଦର୍ଶନ କଟକଣା ସମୟ ସ୍ଥିର ହୋଇଥାଏ। ତେବେ ବନକଲାଗି ନୀତି ପାଇଁ ଆଜି ଓ ଆସନ୍ତାକାଲି ଦୁଇ ଦିନ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ମଧ୍ୟ ବନ୍ଦ ରହିବ ।
ALSO READ: https://purvapaksa.com/intense-heatwave-grips-odisha-severe-summer-expected-in-april-and-may/

