Delimitation: ଲୋକସଭା ଓ ବିଧାନସଭା ନିର୍ବାଚନ ମଣ୍ଡଳୀମାନଙ୍କର ସୀମା ନିର୍ଦ୍ଧ।ରଣ କରାଯାଇ ଆସନସଂଖ୍ୟା ବଢ଼ିବା ଯେ ନିଶ୍ଚିତ ଏହା ସର୍ବତ୍ର ଆଲୋଚିତ ହେଲାଣି।
ଗତ ୨୦୦୯ବେଳକୁ ଏ ସବୁର ସୀମା ପୁନଃନିର୍ଦ୍ଧାରଣ କରାହୋଇଥିଲା। କିନ୍ତୁ ଆସନ ସଂଖ୍ୟା ବୃଦ୍ଧି ହୋଇନଥିଲା। ଆସନ ସଂଖ୍ୟା ବଢ଼ିଥିଲା ୧୯୭୧ ଜନଗଣନା ପରେ ଯେଉଁ ନିର୍ବାଚନ ହୋଇଥିଲା।
ଅସଲରେ ପ୍ରତ୍ୟେକ ଦଶବର୍ଷରେ ଜନଗଣନା କରାହୋଇଥାଏ। ଜନସଂଖ୍ୟାକୁ ଦୃଷ୍ଟିରେ ରଖି ବିଧାନସଭା ଓ ଲୋକସଭା ଆସନ ନିର୍ଦ୍ଧାରିତ ହୋଇଥାଏ।
ତେଣୁ ୧୯୫୧-୫୨ରେ ଲୋକସଭା ଆସନ ଯେତେଥିଲା ତାହା ୧୯୬୨ବେଳକୁ ବୃଦ୍ଧି ପାଇଥିଲା ଏବଂ ୧୯୭୫ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଓ କନଗଣନା ପରେ ୧୯୭୭ବେଳକୁ ଆସନ ସଂଖ୍ୟା ବଢ଼ିଲା। ତା’ପରେ ଆଉ ଆସନ ସଂଖ୍ୟା ବଢ଼ିନାହିଁ।
ଅଶୀ ଦଶକରେ ନିର୍ଣ୍ଣୟ ନିଅଯାଇଥିଲା ଯେ ୨୫ ବର୍ଷ ଯାଏଁ ଆଉ ଆସନ ସଂଖ୍ୟା ବଢ଼ାଯିବ ନାହିଁ। ତେଣୁ ୨୦୦୧ର ଲୋକସଭା ଓ ବିଧାନସଭାମାନଙ୍କର ପୁନଃନିର୍ଦ୍ଧାରଣ କରାହୋଇଥିଲା ସିନା, ଆଉ ଜନସଂଖ୍ୟା ଭିତ୍ତିରେ ରେ ଆସନ ବୃଦ୍ଧି କରାଯାଇନଥିଲା। ଏବେ ଜନଗଣନା ୨୦୨୬ରେ ହେବ ଏବଂ ନିର୍ବାଚନମଣ୍ଡଳୀଗୁଡ଼ିକର ସୀମା ପୁନଃ ନିର୍ଦ୍ଧାରଣ ସହ ଆସନ ସଂଖ୍ୟା ବଢ଼ିବ ବୋଲି ଚର୍ଚ୍ଚା ହେଉଛି।
ଜନସଂଖ୍ୟା ଆଧାରରେ ଆସନ ସଂଖ୍ୟା ବୃଦ୍ଧି ପାଇଲେ ଦକ୍ଷିଣ ଭାରତର ରାଜ୍ୟଗୁଡ଼ିକର ଆସନ ସଂଖ୍ୟା ସେ ଅନୁପାତରେ ବଢ଼ିବ ନାହିଁ ଯେତେ ଉତ୍ତର ଭାରତରେ ବଢ଼ିବ। ଏହି ଅଭିଯୋଗ ଆଣିଛନ୍ତି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ତଥା ଡିଏମକେ ନେତା ଏମକେ ଷ୍ଟାଲିନ। ସେ ଯେଉଁ ଅଭିଯୋଗ କରିଛନ୍ତି ତାହାର ଯଥାର୍ଥତା ରହିଛି।
ଉତ୍ତରପ୍ରଦେଶ ଓ ବିହାର ଭଳି ରାଜ୍ୟରେ, ଏପରିକି ପଶ୍ଚିମବଙ୍ଗରେ, ଜନସଂଖ୍ୟା ବୃଦ୍ଧି ଅନୁପାତ ଦକ୍ଷିଣ ଭାରତର ପାଞ୍ଚ ରାଜ୍ୟର ଜନସଂଖ୍ୟା ଅଭିବୃଦ୍ଧି ତୁଳନାରେ ଢେର୍ ଅଧିକ।
ଜନସଂଖ୍ୟାକୁ ଭିତ୍ତିକରି ଆସନ ସଂଖ୍ୟା ନିର୍ଦ୍ଧାରିତ ହେଲେ ଏବେ ଯେଉଁ ସଂଖ୍ୟକ ସଦସ୍ୟ ବିଭିନ୍ନ ରାଜ୍ୟରେ ରହିଛି ତାହା ଓଲମ ବିଲମ୍ ହେବା ନିଶ୍ଚିତ। ଏହା ହେଉଛି ବିବାଦର କାରଣ। କିନ୍ତୁ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀଙ୍କ ଆଶଙ୍କା ଅମୂଳକ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ସ୍ପଷ୍ଟଭାବେ କହିଛନ୍ତି।
ତେବେ ପ୍ରଶ୍ନ ହେଉଛି ନିର୍ବାଚନମଣ୍ଡଳୀ ପୂନଃନିର୍ଦ୍ଧାରଣ କେଉଁ ଭିତ୍ତିରେ ହେବାକୁ ଯାଉଛି ଓ ସତରେ ଦକ୍ଷିଣ ଭାରତର ରାଜ୍ୟମାନଙ୍କର ଆସନ ସଂଖ୍ୟା ଆନୁପାତିକଭାବେ ହ୍ରାସ ପାଇଯିବ କି?
