Union food secretary: ସହମତି ଭିତ୍ତିରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି
କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ସଚିବ ସଞ୍ଜୀବ ଚୋପ୍ରା ଦୁଇ ଦିନିଆ ଓଡିଶା ଗସ୍ତରେ ଆସି ରାଜ୍ୟ ସ୍ୱାର୍ଥ ସମ୍ବଳିତ ବିଭିନ୍ନ ପ୍ରସଙ୍ଗ ଉପରେ ବରିଷ୍ଠ ଅଧିକାରୀ ମାନଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଶ୍ରୀ ଚୋପ୍ରା ଯୋଗଦେଇ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଓ ସାଧାରଣ ବଣ୍ଟନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରିଛନ୍ତି ।
ଉକ୍ତ ବୈଠକରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂହ, ରାଜ୍ୟ ଯୋଗାଣ ନିଗମ ପରିଚାଳନା ନିର୍ଦ୍ଦେଶକ ଶୁଭମ ସକ୍ସେନା, ଭାରତୀୟ ଖାଦ୍ୟ ନିଗମ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ମନୋଜ କୁମାର ଗୋଗୋଇ, ଓଡିଶା ଶାଖା ଜେନେରାଲ ମ୍ୟାନେଜର ନିହାର ରଞ୍ଜନ ପ୍ରଧାନ, କେନ୍ଦ୍ରୀୟ ପଣ୍ୟାଗାର ନିଗମର ନରେନ୍ଦ୍ର କୁମାର ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ରାଜ୍ୟରେ ଧାନ ସଂଗ୍ରହ ଏବଂ ସାଧାରଣ ବଣ୍ଟନ ସୁପରିଚାଳନା କ୍ଷେତ୍ରରେ ନିଆ ଯାଇଥିବା ପଦକ୍ଷେପ ସମ୍ପର୍କରେ ଅବଗତ କରାଇଥିଲେ । ଏଥିସହ ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ପ୍ରାୟ ୯୧ ପ୍ରତିଶତ ହିତାଧିକାରୀ ମାନଙ୍କ ଇ-କେୱାଇସି ଶେଷ ହୋଇଥିବା କହିଥିଲେ । ସେହିଭଳି ମୋବାଇଲ ନେଟୱାର୍କିଂ ଦୁର୍ବଳ ଥିବା ଅଞ୍ଚଳର ୩୪୧ଟି ସରକାରୀ ସୁଲଭ ମୂଲ୍ୟ ଦୋକାନରେ ଇଣ୍ଟେରନେଟ ସୁବିଧା ଉପଲବ୍ଧ କରାଇବା ବ୍ୟବସ୍ଥା କରାଯାଉଛି ।
ଏହା ଅନ୍ତର୍ଗତ ପ୍ରାୟ ୧୨ ଲକ୍ଷ ହିତାଧିକାରୀ ମାନଙ୍କ ଇ-କେୱାଇସି କରାଯିବା ପ୍ରକ୍ରିୟା ଜାରି ରହିଛି । ସେଥି ମଧ୍ୟରୁ ୧୧୧ଟି ସୁଲଭ ମୂଲ୍ୟ ଦୋକାନରେ ବର୍ତ୍ତମାନ ନେଟୱାର୍କିଂ ବ୍ୟବସ୍ଥା କରାଯାଇଥିବା ସେ ସୂଚନା ଦେଇଥିଲେ । ସେହିଭଳି ଏପର୍ଯ୍ୟନ୍ତ ଇ-କେୱାଇସି ପ୍ରକ୍ରିୟାରେ ସାମିଲ ହୋଇନଥିବା ପ୍ରାୟ ୩୦ ଲକ୍ଷ ହିତାଧିକାରୀ ମାନଙ୍କ ସ୍ଥିତି ଯାଞ୍ଚ ପାଇଁ ଅଧିକାରୀ ମାନେ ଘର ଘର ବୁଲି ପ୍ରକ୍ରିୟା ତ୍ୱରାନ୍ୱିତ କରୁଛନ୍ତି ବୋଲି ଶ୍ରୀ ସିଂହ ଅବଗତ କରାଇଥିଲେ ।
ରାଜ୍ୟ ସରକାର ଉଠାଇଥିବା ଗହମ କୋଟା ବୃଦ୍ଧି ପ୍ରସଙ୍ଗରେ ମଧ୍ୟ ଆଲୋଚନା ହୋଇଥିଲା। ଖାଦ୍ୟ ମନ୍ତ୍ରଣାଳୟ ଗହମ କୋଟା ବୃଦ୍ଧି କରିବାକୁ ପ୍ରସ୍ତୁତ ଥିବା ବେଳେ ଗୁଣବତ୍ତାରେ କୌଣସି ପ୍ରକାର ବୁଝାମଣାକୁ ଏଡ଼ାଇବା ପାଇଁ ମଣ୍ଡିରୁ ସିଧାସଳଖ ପଞ୍ଜୀକୃତ ରାଇସ ମିଲକୁ ଧାନ ନେବା ପ୍ରକ୍ରିୟା ସୁନିଶ୍ଚିତ କରିବାକୁ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି। ମଣ୍ଡିରୁ ସେମାନଙ୍କ ପଏଣ୍ଟକୁ ଧାନ ପରିବହନ ଓ ପରିଚାଳନା ଖର୍ଚ୍ଚ ସଂଶୋଧନ ନେଇ ରାଜ୍ୟ ସରକାର ମିଲରଙ୍କ ଚିନ୍ତା ପ୍ରକଟ କରିଛନ୍ତି। ଏହି ମାମଲାରେ ରାଜ୍ୟକୁ ସବୁ ପ୍ରକାର ସହଯୋଗ କରାଯିବ ବୋଲି ଚୋପ୍ରା ପ୍ରତିଶ୍ରୁତି ଦେଇଛନ୍ତି।
ଏହି ଅବସରରେ ଶ୍ରୀ ଚୋପ୍ରା ରାଜ୍ୟରେ ଧାନକିଣା ଓ ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥା ନେଇ ଅବଗତ ହୋଇଥିଲେ । ମଣ୍ଡିରୁ ସିଧାସଳଖ ମିଲକୁ ଧାନ ଗାଡି ନେବା ପ୍ରକ୍ରିୟା ସୁନିଶ୍ଚିତ କରିବା ପାଇଁ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ସହମତି ଭିତ୍ତିରେ ସମସ୍ତ ସହଯୋଗ ପ୍ରଦାନ କରିବେ ବୋଲି କହିଥିଲେ। ପରେ ଶ୍ରୀ ଚୋପ୍ରା ଭୁବନେଶ୍ୱର ୟୁନିଟ- ୯ସ୍ଥିତ ସରକାରୀ ସୁଲଭ ମୂଲ୍ୟ ଦୋକାନ, ମଞ୍ଚେଶ୍ୱରସ୍ଥିତ ଗୋଦାମ, ଅନ୍ନପୂର୍ତ୍ତି ଶସ୍ୟ ଏଟିଏଏମ ମଧ୍ୟ ବୁଲି ଦେଖି ହିତାଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ ।
previous article:https://purvapaksa.com/cm-suggests-spending-85-per-cent-of-budget/
ବଜେଟର ୮୫ ପ୍ରତିଶତ ଅର୍ଥ ଖର୍ଚ୍ଚ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
e
