Karnatak: ମହାଶିବରାତ୍ରୀ ଅବସରରେ କର୍ଣ୍ଣାଟକ ହାଇକୋର୍ଟ ଆଲାଣ୍ଡରେ ଥିବା ଲାଡଲେ ମଶାକ ଦରଘାରେ ଶିବ ଲିଙ୍ଗରେ ପୂଜା ପାଇଁ ଅନୁମତି ଦେଇଛନ୍ତି। କର୍ଣ୍ଣାଟକ ଓ୍ଵାକଫ ଟ୍ରିବ୍ୟୁନାଲଙ୍କ ରାୟକୁ ମଧ୍ୟ ଅଦାଲତ ବଜାୟ ରଖିଛନ୍ତି ଯେଉଁଥିରେ ଦରଘାରେ ଧାର୍ମିକ ରୀତିନୀତି ସମ୍ପନ୍ନ କରିବା ପାଇଁ ଏକ କାର୍ଯ୍ୟସୂଚୀ ଧାର୍ଯ୍ୟ କରାଯାଇଛି।
ଆସନ୍ତୁ ଜାଣିବା ଲାଡଲେ ମଶାକ ଦରଘାର ଇତିହାସ କ’ଣ ଏବଂ ହିନ୍ଦୁମାନଙ୍କ ସହ ଏହାର ସମ୍ପର୍କ କ’ଣ?
ଶିବାଜୀ ମହାରାଜଙ୍କ ଗୁରୁଙ୍କ ସମାଧି
ଛତ୍ରପତି ଶିବାଜୀ ମହାରାଜଙ୍କ ଗୁରୁ ରାଘବ ଚୈତନ୍ୟଙ୍କ ସମାଧି ମଧ୍ୟ ଦରଘା ଭିତରେ ଅବସ୍ଥିତ । ଏହା ପଞ୍ଚଦଶ ଶତାବ୍ଦୀରେ ସ୍ଥାପିତ ହୋଇଥିଲା । ସେବେଠାରୁ ଏହି ସମାଧି ଉପରେ ଏକ ଶିବଲିଙ୍ଗ ସ୍ଥାପନ କରାଯାଇଥିଲା। ଅନେକ ହିନ୍ଦୁ ଭକ୍ତ ଏହି ଦରଗାକୁ ଯାଇ ରାଘବ ଚୈତନ୍ୟ ଶିବଲିଙ୍ଗଙ୍କୁ ପୂଜା କରୁଥିଲେ। ସ୍ଥାନୀୟ ଯୋଶୀ ପରିବାର ଏଠାରେ ଦୈନନ୍ଦିନ ରୀତିନୀତି ପାଳନ କରୁଛନ୍ତି।
୨୦୨୨ ମସିହାରେ ସାମ୍ପ୍ରଦାୟିକ ଦଙ୍ଗା
ପଞ୍ଚଦଶ ଶତାବ୍ଦୀରୁ ୨୦୨୨ ମସିହା ପର୍ଯ୍ୟନ୍ତ ଏଠାରେ କୌଣସି ପ୍ରକାରର ବିବାଦ ନଥିଲା। ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ରହିଥିଲା। ଉଭୟ ହିନ୍ଦୁ ଓ ମୁସଲମାନ ନିଜ ନିଜ ପରମ୍ପରା ଅନୁଯାୟୀ ଏଠାରେ ପୂଜା ର୍ଚ୍ଚନା କରୁଥିଲେ। ତେବେ ୨୦୨୨ ମସିହାରେ କିଛି ଅସାମାଜିକ ତତ୍ତ୍ୱ ଶିବଲିଙ୍ଗ ଉପରେ ମଇଳା ପକାଇ ସାମ୍ପ୍ରଦାୟିକ ସୌହାର୍ଦ୍ଦ୍ୟ ଭଙ୍ଗ କରିବାକୁ ଚେଷ୍ଟା କରିଥିଲେ। ଏହାକୁ ନେଇ ହିନ୍ଦୁମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।
ସାମ୍ପ୍ରଦାୟିକ ସଦଭାବନା ଭଙ୍ଗ କରିବା ଅଭିଯୋଗରେ ୧୬୭ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଥିଲା। ଏହା ସହ କୌଣସି ପ୍ରକାର ପରିସ୍ଥିତି ଯେପରି ଖରାପ ନ ହୁଏ ସେଥିପାଇଁ ଜିଲ୍ଲା ପ୍ରଶାସନ ସମଗ୍ର ଆଲାଣ୍ଡରେ ୧୪୪ ଧାରା ଜାରି କରିଥିଲା, ଯାହାଫଳରେ ସେଠାରେ ଲୋକମାନେ ଏକାଠି ହୋଇପାରିବେ ନାହିଁ ।
ହାଇକୋର୍ଟରେ ପିଟିସନ ଦାଖଲ
ଏହି ଘଟଣା ସାମ୍ନାକୁ ଆସିବା ପରେ ସ୍ଥାନୀୟ ବିଜେପି ନେତା ଓ ହିନ୍ଦୁ ସଂଗଠନ ଦରଘାକୁ ଶୁଦ୍ଧ କରିବାକୁ ଚେଷ୍ଟା କରିଥିଲେ । ଏହି ସମୟରେ ସେମାନଙ୍କ ଉପରେ ଆକ୍ରମଣ କରାଯାଇଥିଲା। ନିକଟରେ ସିଦ୍ଧରମୈୟା ହୀରାମଠଙ୍କ ନେତୃତ୍ବାଧୀନ ହିନ୍ଦୁ ସଂଗଠନ ପକ୍ଷରୁ ରାଧାବ ଚୈତନ୍ୟ ଶିବଲିଙ୍ଗଙ୍କୁ ପୂଜା କରିବା ପାଇଁ ଅନୁମତି ପାଇଁ ହାଇକୋର୍ଟରେ ଏକ ପିଟିସନ୍ ଦାଖଲ କରାଯାଇଥିଲା। ଏହା ଉପରେ ଓ୍ଵାକଫ୍ ବୋର୍ଡ ଯୁକ୍ତି ବାଢ଼ିଥିଲା ଯେ ଦରଘାରେ କୌଣସି ଶିବଲିଙ୍ଗ ନାହିଁ।
ତେବେ ଦରଘାର ଯାଞ୍ଚ ପରେ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଆବେଦନରେ ୫୦୦ ଲୋକଙ୍କୁ ପୂଜା କରିବା ପାଇଁ ଅନୁମତି ମାଗିଥିଲେ ମଧ୍ୟ କୋର୍ଟ ମାତ୍ର ୧୫ ଜଣଙ୍କୁ ପୂଜା କରିବାକୁ ଅନୁମତି ଦେଇଛନ୍ତି।
ବିଭିନ୍ନ ସମୟରେ ପୂଜା ର୍ଚ୍ଚନା ପାଇଁ ଅନୁମତି
ଏହା ପୂର୍ବରୁ କର୍ଣ୍ଣାଟକ ୱାକଫ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଥିଲେ ଯେ ମୁସଲମାନ ସମ୍ପ୍ରଦାୟର ଲୋକମାନେ ସକାଳ ୮ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଦରଘାରେ ଉର୍ସ ସମ୍ବନ୍ଧୀୟ ରୀତିନୀତି ପାଳନ କରନ୍ତୁ। ଅପରାହ୍ନ ୨ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହିନ୍ଦୁ ଭକ୍ତମାନେ ରାଘବ ଚୈତନ୍ୟ ଶିବଲିଙ୍ଗଙ୍କୁ ପୂଜା କରିବେ। ଏହା ଉପରେ ଏବେ ହାଇକୋର୍ଟ ମୋହର ଲଗାଇଛନ୍ତି। ଦରଘା ଚାରିପଟେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିବା ବେଳେ ପୁଲିସ ପକ୍ଷରୁ ୧୨ଟି ଚେକପୋଷ୍ଟ ଖୋଲାଯାଇଛି। ଏହାବ୍ୟତୀତ ଡ୍ରୋନ୍ କୁ ମଧ୍ୟ ନିରୀକ୍ଷଣ ପାଇଁ ନିୟୋଜିତ କରାଯାଇଛି।
ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି
ଉଭୟ ସମ୍ପ୍ରଦାୟର ଲୋକମାନେ ନିଜ ନିଜ ସମୟକୁ କଡ଼ାକଡ଼ି ଭାବେ ପାଳନ କରିବେ ଏବଂ ଦରଘାର କୌଣସି କ୍ଷତି ହେବାକୁ ଦେବେ ନାହିଁ ବୋଲି ହାଇକୋର୍ଟ ତାଙ୍କ ରାୟରେ ଗୁରୁତ୍ୱାରୋପ କରିଛନ୍ତି। ରୀତିନୀତି ପାଳନ ସମୟରେ ଦରଘାରେ ଯେପରି କୌଣସି ଅନଧିକୃତ ପରିବର୍ତ୍ତନ କରାଯାଇପାରିବ ନାହିଁ ତାହା ସୁନିଶ୍ଚିତ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ମହାଶିବରାତ୍ରିରେ ପୂଜା ସମୟରେ ସ୍ଥାନୀୟ ପୁଲିସ-ପ୍ରଶାସନ କୌଣସି ପ୍ରକାର ଦୋକାନ ଆଦି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇ ନଥିଲେ ମଧ୍ୟ ସତର୍କତା ମୂଳକ ପଦକ୍ଷେପ ସ୍ୱରୂପ ଅନେକ ସ୍ଥାନୀୟ ଦୋକାନୀ ନିଜେ ଦୋକାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ପୋଲିସ ଅଧୀକ୍ଷକ ଇଶା ପନ୍ତ ଏହା ନିଶ୍ଚିତ କରିଛନ୍ତି ।
ALSO READ: https://purvapaksa.com/ruthless-rulers-in-ancient-history-more-than-chawa-aurangzeb/