BJP Govt: ବିଜେପି ଓଡ଼ିଶାରେ ସରକାର ଗଠନ କରିବା ୟା’ ଭିତରେ ୯ ମାସ ବିତିଛି। ଏହି ସମୟ ଅବଧିରେ କ’ଣ କରିଛନ୍ତି ସରକାର? କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି? ଲୋକଙ୍କ ଆଶା କେତେ ପୂରଣ ହୋଇଛି ଆଉ ଏହା କିପରି ଅନ୍ୟ ସରକାରଙ୍କଠୁ ଭିନ୍ନ ରହିଛି? ଏ ପ୍ରଶ୍ନଗୁଡ଼ିକ ପଚାରିଲେ ଉତ୍ତର ମିଳୁଛି ସୁଭଦ୍ରା ଜପ ଛଡ଼ା ମୋହନ ସରକାରରେ ଆଉକିଛି ଅଧିକ କରିଥିବା ଶୁଣିବାକୁ ମିଳୁନି।
ପରିବର୍ତ୍ତନର ଦ୍ୱାହି ଦେଇ ବିଜେପି ଓଡ଼ିଶାରେ ସରକାର ଗଠନ କରିବା ୟା’ ଭିତରେ ୯ ମାସ ବିତିଛି। ଏହି ସମୟ ଅବଧିରେ କ’ଣ କରିଛନ୍ତି ସରକାର? କେତେ ପ୍ରତିଶ୍ରୁତି ପୂରଣ କରିଛନ୍ତି? ଲୋକଙ୍କ ଆଶା କେତେ ପୂରଣ ହୋଇଛି ଆଉ ଏହା କିପରି ଅନ୍ୟ ସରକାରଙ୍କଠୁ ଭିନ୍ନ ରହିଛି? ଏ ପ୍ରଶ୍ନଗୁଡ଼ିକ ପଚାରିଲେ ଉତ୍ତର ମିଳୁଛି ସୁଭଦ୍ରା ଜପ ଛଡ଼ା ମୋହନ ସରକାରରେ ଆଉକିଛି ଅଧିକ କରିଥିବା ଶୁଣିବାକୁ ମିଳୁନି। ପୁଣି ଯଦି କେବେ କିଛି ଶୁଣିବାକୁ ମିଳୁଛି ତେବେ ସେଥିରେ ରହୁଛି ଆଇନ ମନ୍ତ୍ରୀଙ୍କ ଫୁଲାଫାଙ୍କିଆ ଛାତିଫୁଲା ବୟାନ, ଯାହାର ନା ଯୁକ୍ତି ଅଛି ନା ଯୁକ୍ତିଭିତ୍ତିକ ପୃଷ୍ଠଭୂମି।
ଇସ୍ତାହାରରେ ଦିଆଯାଇଥିବା କିଛି ପ୍ରତିଶ୍ରୁତିକୁ ଏଠାରେ ଆଲୋଚନା କରାଯାଇପାରେ। ପ୍ରଥମତଃ ରତ୍ନ ଭଣ୍ଡାରର ଚାବି ହଜିବା ପ୍ରସଙ୍ଗ। ଏଥିପାଇଁ କିଏ ଦାୟୀ ସେ ବାବଦରେ ତଦନ୍ତ କରିବାକୁ ସରକାର ପ୍ରତିଶ୍ରୁତି ଦେଇଥିଲେ। ରତ୍ନ ଭଣ୍ଡାର ତ ଖୋଲିଲେ। କିନ୍ତୁ ଚାବି କାହା ଯୋଗୁ ହଜିଲା ତାହା ଜଣାପଡ଼ିଲା ନାହିଁ। ଯେଉଁ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ ନେଇ ଆପତ୍ତି ଉଠିଥିଲା ତାହା ବାହାରୁ ହଟିଗଲା କିନ୍ତୁ ଏବେ ଭିତରେ ଧାଡ଼ି ହେବ ବୋଲି ଚର୍ଚ୍ଚା ହେଉଛି। ଖାଲି ଯାହା ଲାଗୁ ହେବାକୁ ବାକି ରହିଛି।
ଦ୍ୱିତୀୟ କଥା ସୁଭଦ୍ରା। ମହିଳାଙ୍କୁ ସଶକ୍ତ କରିବା ଲାଗି ପ୍ରତି ବର୍ଷ ୫୦ ହଜାର ଟଙ୍କାର ପ୍ରିପେଡ୍ କାର୍ଡ ଦେବେ କହିଥିଲେ। ହେଲେ ସେଥିରେ ଛଳନା କରାଗଲା। ବର୍ଷକୁ ୫୦ ହଜାର ବଦଳରେ ତାହା ପାଞ୍ଚ ବର୍ଷରେ ୫୦ ହଜାର ହୋଇଗଲା। ପୁଣି ପ୍ରିପେଡ୍ କାର୍ଡ ବଦଳି କଲା ଆକାଉଣ୍ଟ ଟ୍ରାନ୍ସଫର। ଅର୍ଥାତ୍ ଅନ୍ୟ ପେନ୍ସନ୍ ଯୋଜନା ଭଳି ମହିଳାଙ୍କୁ ପେନ୍ସନ୍ ଦେଇ ଠକିଦେଲେ ସରକାର।
ତୃତୀୟରେ ଚିଟ୍ଫଣ୍ଡ ଅର୍ଥ ଫେରସ୍ତ। ୧୮ ମାସରେ ସବୁ ଜମାକାରୀଙ୍କୁ ପାଣ୍ଠି ଫେରାଇବା ଲାଗି କୁହାଯାଇଥିଲା। ହେଲେ ଆଜି ୯ ମାସରେ ସରକାର ତାହାର ନଥି ବି ଛୁଇଁ ନାହାନ୍ତି।
ଏହାପରେ ୨ ବର୍ଷରେ ୬୫ ହଜାର ଚାକିରି ପ୍ରଦାନ ପାଇଁ ସରକାର କହିଥିଲେ। କିନ୍ତୁ ଏ ନେଇ କେତେ କାର୍ଯ୍ୟ ଆଗକୁ ଯାଇଛି ତାହାର କୌଣସି ସୂଚନା ନାହିଁ। ଆଇନ ମନ୍ତ୍ରୀ ବି ଏ ବିଷୟରେ କହୁଛନ୍ତି। ତାଙ୍କ କଥା ଅନୁସାରେ ପ୍ରକ୍ରିୟା ଚାଲୁଛି କିନ୍ତୁ ସରକାର ଚାକିରି ପ୍ରକ୍ରିୟା କ’ଣ ଏତେ ସହଜ ଯେ ଆଉ ବର୍ଷ ୩ ମାସ ଭିତରେ ବିଜ୍ଞାପନ ପ୍ରକାଶ, ପରୀକ୍ଷା, ଇଣ୍ଟରଭ୍ୟୁ ସାରି ପିଲାଙ୍କୁ ଚାକିରି ମିଳିଯିବ? ଏହା ଯଦି ହୋଇପାରିବ ତେବେ ଆଗୁଆ କାହିଁକି ତ୍ୱରାନ୍ୱିତ ହେଉନାହାନ୍ତି ସରକାର।
ଓଡ଼ିଆ ଅସ୍ମିତା ନଁ କହି ବିଜେପି କ୍ଷମତାକୁ ଆସିଛି। ହେଲେ ଭାଷା ପାଇଁ ଏ ୯ ମାସରେ ହୋଇଛି କ’ଣ। ଜ୍ଞାନର ଭାଷାରେ ଓଡ଼ିଆକୁ ରୂପାନ୍ତରିତ କରିବା ଲାଗି ଭାଷାବିତ ଦାବି କରିଥିଲେ। ଆଜି ଯାଏ ଆମ ଭାଷାରେ ଗୁଗଲ୍ ସର୍ଚ୍ଚ ବି କାର୍ଯ୍ୟକାରୀ ହେଲାନି। ନବୀନଙ୍କ ସମୟରେ ଗୁଗୁଲ ସହ କଥା ଆଲୋଚନା ଆରମ୍ଭ ହୋଇ ଅଧାରେ ଅଚାନକ ତାହାର ଯବନୀକା ଟଣାଯାଇଥିଲା। ଏବେ ସେ ପର୍ଦ୍ଦାକୁ ଉଠାଇପାରିବେ କି ସରକାର? ଏହା ହେଲେ ୧୦ମ ଭାରତୀୟ ଭାଷା ଭାବେ ଗୁଗୁଲ୍ ସର୍ଚ୍ଚ ଇଞ୍ଜିନରେ ଓଡ଼ିଆ ସ୍ଥାନ ପାଇପାରନ୍ତା। ଏହାଦ୍ୱାରା ପ୍ରତ୍ୟକ୍ଷ ବା ପରୋକ୍ଷଭାବେ ଯୁବ ପିଢ଼ିଙ୍କୁ ସୁଯୋଗ ମିଳିପାରନ୍ତା।
ଷଷ୍ଠ ପ୍ରସଙ୍ଗ ଭାବେ ମନକୁ ଆସେ ପୂର୍ବ ସରକାରର ଦୁର୍ନୀତି। ଆଜି ଯାଏ ଭିକେ ପାଣ୍ଡିଆନଙ୍କୁ ନେଇ ଜନ ଅସନ୍ତୋଷ ରହି ଆସିଛି। ସରକାର ସେ ଚଳାଉଥିଲେ ବୋଲି ଧାରଣା ରହିଛି। ଏପରିକି ଅନେକ ବିକାଶମୂଳକ କାର୍ଯ୍ୟରେ ହେଉଥିବା ବାଟମାରଣାରେ ତାଙ୍କର ପରୋକ୍ଷ ବା ପ୍ରତ୍ୟକ୍ଷ ସମ୍ପୃକ୍ତ ରହିଛି ବୋଲି ଅଭିଯୋଗ ହୁଏ। କିନ୍ତୁ କାହିଁକି ଏହାର ତଦନ୍ତ ଆଦେଶ ଦେଉ ନାହାନ୍ତି ସରକାର। ଏହା ପରୋକ୍ଷରେ ପାଣ୍ଡିଆନଙ୍କ ସହ ସାଲିସ ବୋଲି ବି କେହି କେହି କହିଲେଣି।
ଭାରତର ବିଭିନ୍ନ ମେଟ୍ରୋ ସହରରେ ସମୁଦାୟ ଭବନ କଥା ବିଜେପି ପ୍ରତିଶ୍ରୁତି ଦେଇଥିଲା। ପୂର୍ବରୁ ଦିଲ୍ଲୀ, ବମ୍ବେ, କୋଲକତା ଓ ଚେନ୍ନାଇରେ ଓଡ଼ିଶାର ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ଭବନ ସ୍ଥାପନ କରାଯାଇ ସୁବିଧା ପ୍ରଦାନ କରାଯାଉଛି। ଏହି ଚାରି ସହର ବ୍ୟତୀତ ବଡ଼ ବଡ଼ ସହରରେ ଏପରି ଭବନ ନିର୍ମାଣ କରିବା ଲାଗି ସରକାର ପ୍ରତିଶ୍ରୁତି ଦେଇଛନ୍ତି। ହେଲେ ଏଯାଏ କେଉଁଠି ହେଲେ କାମ ହୋଇନି। ଆଜି ମୁଖ୍ୟମନ୍ତ୍ରୀ ଅଯୋଧ୍ୟାରେ ଏମିତି ଏକ ଭବନ ନିର୍ମାଣ ହେବ ବୋଲି କହିଛନ୍ତି। ହେଲେ କେବେ?
ଭୁବନେଶ୍ୱରରେ ମେଟ୍ରୋ ସଂଯୋଗ ଆଜିବି ଆଶଙ୍କା ଘେରରେ ରହିଛି। ବଜେଟରେ ଏଥିଲାଗି ଆଖିଦୃଶିଆ ବ୍ୟବସ୍ଥା ନାହିଁ। ଅର୍ଥାତ୍ ମେଟ୍ରୋକୁ ସରକାର ଗୁରୁତ୍ୱ ଦେଉ ନାହାନ୍ତି। ରାଜଧାନୀରେ ପ୍ରଦୂଷଣ ବୃଦ୍ଧି ସରକାରଙ୍କ ନଜରରେ ନାହିଁ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିଶ୍ରୁତି ଭାବେ ମୁଖ୍ୟମନ୍ତ୍ରୀ ପ୍ରତି ସୋମବାର ଅଭିଯୋଗ ପ୍ରକୋଷ୍ଠ ହେବ ବୋଲି କହିଥିଲେ। ହେଲେ ୩୨ଟି ସେମାବାର ଭିତରୁ ମାତ୍ର ୬ଟି ସେମାବାର ଶୁଣାଣି ହୋଇଛି। ଖାଲି ସେତିକି ନୁହେଁ ନିର୍ବାଚନ ପ୍ରଚାର ବା ତ୍ରିବେଣିରେ ମୁଖ୍ୟମନ୍ତ୍ରୀଙ୍କ ବୁଡ଼ ଲୋକଙ୍କ ଅଭିଯୋଗଠାରୁ ବଡ଼ ବୋଲି ମୁଖ୍ୟମନ୍ତ୍ରୀ ସାବ୍ୟସ୍ତ କରିଛନ୍ତି। ଏଥିଲାଗି ଶୁଣାଣି ବନ୍ଦ କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ଆଚରଣ ଏବଂ କାର୍ଯ୍ୟ ଶୈଳୀ ସ୍ପଷ୍ଟ କରୁଛି ଯେ, ସେ ନିଜ ଇଚ୍ଛା, ମନ ବା କାର୍ଯ୍ୟଦ୍ୱାରା ପରିଚାଳିତ ନୁହଁନ୍ତି। ବରଂ କେହି ଜଣେ ଅଜଣା ଶକ୍ତି ତାଙ୍କୁ ନିୟନ୍ତ୍ରଣ କରୁଛି। ସେଥିଲାଗି ରାଜ୍ୟରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବି ହୋଇପାରୁନାହିଁ। ସୂଚନା ଓ ଲୋକସମ୍ପର୍କ ବିଭାଗକୁ ବି ମୁଖ୍ୟମନ୍ତ୍ରୀ ଜାବୁଡ଼ି ଧରିଛନ୍ତି। ରାଜ୍ୟରେ ମନ୍ତ୍ରୀ ପାଇଁ ଯୋଗ୍ୟ ବ୍ୟକ୍ତି ନାହାନ୍ତି ତା’ ନୁହେଁ, ହେଲେ ସମ୍ପୃକ୍ତ ଅଦୃଶ୍ୟ ଶକ୍ତିଙ୍କ ପାଖରେ ଅଙ୍କ ଛିଣ୍ଡୁ ନ ଥିବା ଆଲୋଚନା ହେଉଛି। ଏହା ସତ୍ୟ ହୋଇଥିଲେ ଏକ ସାଂଘାତିକ ବ୍ୟାପାର ହେବ। କାରଣ ରାଜ୍ୟରେ ଯେମିତି କଂଗ୍ରେସ ଶାସନ କଳୁଷିତ ହୋଇ ବିଦାୟ ନେଇଥିଲା ସେମିତି ବିଜେପିକୁ ଭୋଗିବାକୁ ବେଶୀ ସମୟ ଲାଗିବ ନାହିଁ।
Also readhttps://purvapaksa.com/jaishankars-stern-message-to-bangladesh-decide-on-relationship-with-india/
ବାଂଲାଦେଶକୁ ଭାରତର ସିଧା କଥା, କେଉଁ ଭଳି ସମ୍ପର୍କ ଚାହୁଁଛ ପ୍ରଥମେ ସ୍ଥିର କର
