Budget: ଏଥର ବଜେଟରେ ୧୦ ପ୍ରତିଶତ ବୃଦ୍ଧି ହୋଇଛି
୨୦୨୪-୨୫ ଆର୍ଥିକ ବର୍ଷ ବଜେଟର ଜାନୁଆରି ଶେଷ ସୁଦ୍ଧା ୫୮ ପ୍ରତିଶତ ଖର୍ଚ୍ଚ ହୋଇଥିବା ବିଧାନସଭାରେ ଶୁକ୍ରବାର ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ନୂତନ ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ସବୁ ବିଭାଗର ବାକି ଥିବା ଅର୍ଥ ଖର୍ଚ୍ଚ କରାଯିବ ବୋଲି ସେ ବିରୋଧୀ ଆଣିଥିବା ଅଭିଯୋଗର ଜବାବ ଦେଇଛନ୍ତି।
୨୦୨୫-୨୬ ବଜେଟ ଆଲୋଚନାରେ ଭାଗ ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ଆର୍ଥିକ ବର୍ଷର ପ୍ରଥମ ତିନି ମାସ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଥିବାରୁ ନୂଆ ଯୋଜନାରେ ଟଙ୍କା ଖର୍ଚ୍ଚ ହୋଇପାରିନଥିଲା। ମୁଁ ମଧ୍ୟ ପୂର୍ବ ସରକାରକୁ ଦୋଷ ଦେଉନାହିଁ। କାରଣ ସେ ସମୟରେ ନିର୍ବାଚନ ଚାଲୁ ଥିଲା। ରୁଟିନ ଖର୍ଚ୍ଚ ବ୍ୟତୀତ ଆଉ କୌଣସି ଉନ୍ନତିମୂଳକ କାର୍ଯ୍ୟ ହୋଇପାରିନଥିଲା। ଜୁଲାଇରେ ୨୦୨୪-୨୫ର ପୂର୍ଣ୍ଣ ବଜେଟ ଆସିବା ପରେ ନୂଆ ସରକାରଙ୍କୁ କେବଳ ଜାନୁଆରି ସୁଦ୍ଧା ଏହାର ଖର୍ଚ୍ଚ ପାଇଁ ମାତ୍ର ୬ ମାସ ମିଳିଛି। ଏହା ସତ୍ତ୍ୱେ ସରକାର ବଜେଟର ୫୮ ପ୍ରତିଶତ ଖର୍ଚ୍ଚ କରିବାକୁ ସକ୍ଷମ ହୋଇଛନ୍ତି। ଯାହା ଗତବର୍ଷ ତୁଳନାରେ ଏକ ପ୍ରତିଶତ କମ।
ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି ସରକାରୀ କାର୍ଯ୍ୟକ୍ରମ ପାଇଁ ଏଥର ବଜେଟରେ ଗତ ବର୍ଷ ତୁଳନାରେ ୧୧ ପ୍ରତିଶସ ବୃଦ୍ଧି ହୋଇଛି। ଯାହା ସଂପୂର୍ଣ୍ଣ ବଜେଟର ୧୦ ପ୍ରତିଶତ ବୃଦ୍ଧି ଘଟିଛି। ସବୁ ବିଭାଗର ଖର୍ଚ୍ଚକୁ ମୁଁ ସମୀକ୍ଷା କରିଛି। ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛି ଆର୍ଥିକ ବର୍ଷ ଶେଷ ସୁଦ୍ଧା ସବୁ ଅର୍ଥ ଖର୍ଚ୍ଚ କରିବାକୁ।
କାର୍ଯ୍ୟକାରିତାକୁ ନେଇ ଖର୍ଚ୍ଚ ନିର୍ଭର କରେ। ସେଥିପାଇଁ ଆମ ସରକାର ଚଳିତ ବର୍ଷ ୨୪ ହଜାର ଖାଲିଥିବା ସରକାରୀ ପଦବୀ ପୂରଣ କରି ନିଯୁକ୍ତି ଦେଇଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ଆହୁରି ୨୭ ହଜାର ନିଯୁକ୍ତି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଯାହା ସରକାରଙ୍କ ଖର୍ଚ୍ଚ ନିଶ୍ଚିତ ଭାବେ ବୃଦ୍ଧି ପାଇବ। ଏହାସହ ଋଣ ବଢିବା ନେଇ ବିରୋଧୀମାନେ ଯେଉଁ ଚିନ୍ତା ପ୍ରକଟ କରିଛନ୍ତି ତାହାକୁ ମୁଖ୍ୟମନ୍ତ୍ରୀ ଖଣ୍ଡନ କରିଛନ୍ତି।
ସିଏଜି ରିପୋର୍ଟ ଅନୁଯାୟୀ ୨୦୨୪ ଡିସେମ୍ବର ୩୧ ସୁଦ୍ଧା ଋଣ ଅନୁପାତ ୧୦.୪୫ ପ୍ରତିଶତ ଥିବା ବେଳେ ଋଣ ସୁଧ ପ୍ରଦାନ/ରାଜସ୍ୱ ସଂଗ୍ରହ ଅନୁପାତକୁ ୧.୯୫ ପ୍ରତିଶତରେ ସୀମିତ ରଖାଯାଇଛି। ସେହିପରି ଚଳିତ ବଜେଟ ହିସାବ ଅନୁସାରେ ଋଣ ଅନୁପାତ ବର୍ଷ ଶେଷ ସୁଦ୍ଧା ୧୨.୬୮ ପ୍ରତିଶତ ରହିବ। ଆଇପି/ଆରଆର ଅନୁପାତ ୨.୮୦ ପ୍ରତିଶତ ରହିବ। ୨୦୨୩-୨୪ ଶେଷ ସୁଦ୍ଧା ଋଣ ଭାର ୯୬, ୩୧୦ କୋଟି ଥିବା ବେଳେ ୨୦୨୪ ଡିସେମ୍ବର ଶେଷ ସୁଦ୍ଧା ଏହା ୯୬,୮୦୪ କୋଟି ଥିଲା। ଏହି ସାତ ମାସ ମଧ୍ୟରେ ଋଣ ଭାର ୪୯୪ କୋଟି ଟଙ୍କା ବୃଦ୍ଧି ଘଟିଥିବା ମୁଖ୍ୟମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି।
previous article:https://purvapaksa.com/odisha-police-watersports-achivement/


