Mahanadi: ୭୨ଟି ଇନ-ଷ୍ଟ୍ରିମ ଷ୍ଟୋରେଜ(ଆଇଏସଏସ) ପାଇଁ ମଧ୍ୟ ପ୍ରସ୍ତାବ ରହିଛି।
ଓଡ଼ିଶାର ବିକାଶ ଓ ନିରନ୍ତର ଜଳ ସଂରକ୍ଷଣ ନେଇ ମହାନଦୀ ଉପରେ ନିର୍ମାଣ ହେବ ଡ୍ୟାମ ଓ ବ୍ୟାରେଜ। ମହାନଦୀର ଉପର ଓ ତଳ ଜଳ ଧାରଣ ଅଞ୍ଚଳରେ ଏହି ଡ୍ୟାମ ନିର୍ମାଣ ପାଇଁ ସରକାର ଯୋଜନା ପ୍ରସ୍ତୁତ କରୁଥିବା ବିଧାନସଭାରେ ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ। ଗୁରୁବାର ବିଧାନସଭାରେ ବିଜେଡ଼ି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ମନ୍ତ୍ରୀ ଶ୍ରୀ ମହାଲିଙ୍ଗ ଏହା କହିଛନ୍ତି। ମହାନଦୀ ବିଭିନ୍ନ ଅଞ୍ଚଳରେ ୩୨ଟି ବଡ, ମଧ୍ୟମ ଓ ଛୋଟ ଡ୍ୟାମ ସହିତ ୨୭ଟି ବ୍ୟାରେଜ ନିର୍ମାଣ ପାଇଁ ଯୋଜନା ରହିଥିବା କହିଛନ୍ତି।
ଏହାସହ ଜଳ ସଂରକ୍ଷଣ ପାଇଁ ୭୨ଟି ଇନ-ଷ୍ଟ୍ରିମ ଷ୍ଟୋରେଜ(ଆଇଏସଏସ) ପାଇଁ ମଧ୍ୟ ପ୍ରସ୍ତାବ ରହିଛି। ଏହା ଦୀର୍ଘକାଳୀନ ଯୋଜନା ହୋଇଥିବା ବେଳେ ଆସନ୍ତା ୫ ବର୍ଷ ଭିତରେ ପାଖାପାଖି ୫୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଏହିସବୁ କାମର ରିପୋର୍ଟ ଖୁବ ଶୀଘ୍ର ପ୍ରକାଶ ପାଇବ ବୋଲି ସେ କହିଛନ୍ତି। ଶ୍ରୀ ଆଚାର୍ଯ୍ୟଙ୍କ ଅଭିଯୋଗ ଥିଲା ଯେ, ପୂର୍ବ ସରକାର ଆଇଏସଏସର ନିର୍ମାଣ ପାଇଁ ଟେଣ୍ଡର କରିଥିଲେ ମଧ୍ୟ ବିଜେପି ସରକାର ଏହାକୁ ବାତିଲ କରିଦେଇଛନ୍ତି। ଏହି ଘଟଣା ସେ ଦେଖିବେ ବୋଲି ଉତ୍ତରରେ କହିଥିଲେ।
ଶ୍ରୀ ଆଚାର୍ଯ୍ୟ ଆହୁରି ମଧ୍ୟ ଅଭିଯୋଗ କରିଥିଲେ ଯେ, ଛତିଶଗଡ଼ ସରକାର ମହାନଦୀର ଉପର ବେସିନରେ ୮ରୁ ୯ଟି ବ୍ୟାରେଜ ନିର୍ମାଣ କରିଛନ୍ତି। ଯାହାଦ୍ୱାରା ମୂଳ ଉତ୍ସରୁ ଜଳ ପ୍ରବାହ ଗଭୀର ଭାବେ ପ୍ରଭାବିତ ହୋଇଛି।ଏହାପୂର୍ବରୁ ମଧ୍ୟ ମହାନଦୀ ଓ ହୀରାକୁଦ ଡ୍ୟାମ ସଂପର୍କରେ ବିଜେଡ଼ିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୃହରେ ବିଭିନ୍ନ ସମୟରେ ବିଭିନ୍ନ ପ୍ରଶ୍ନ ରଖିଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଏହାର ଉତ୍ତର ରଖିଛନ୍ତି।
ସେ କହିଛନ୍ତି, ଚତିଶଗଡ ଦ୍ୱାରା ଉପରମୁଣ୍ଡରେ ବିନା ଯୋଜନାରେ ଅଧିକ ଜଳ ବ୍ୟବହାର ଯୋଗୁଁ ତଳମୁଣ୍ଡରେ ତଥା ହୀରାକୁଦ ଡ୍ୟାମରେ କ୍ରମାନ୍ୱୟରେ ଜଳ ପ୍ରବାହ ଗୁରୁତର ପ୍ରଭାବିତ ହୋଇଛି। ଏହା ବିରୋଧରେ ଓଡ଼ିଶା ସରକାର କେନ୍ଦ୍ର ସରକାର ଓ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ନିକଟରେ ଅଭିଯୋଗ କରିଛନ୍ତି। ଏଥିସହ ଅନେକ ଅଭିଯୋଗପତ୍ର ମଧ୍ୟ ଦାଖଲ କରିଛନ୍ତି। ବର୍ତ୍ତମାନ ଏହି ବିଷୟ ବିଚାରାଧୀ ରହିଛି।
previous article:https://purvapaksa.com/elephant-die-in-train-track/
ହାତୀ ଚଳପ୍ରଚଳ ଅଞ୍ଚଳରେ ଟ୍ରେନ ଯାତାୟାତ ସୁଗମ ପାଇଁ ରେଳବାଇ ଓ ବନବିଭାଗର ଗୁରୁତ୍ୱ


