Odisha: ୬ ବର୍ଷ ଭିତରେ ହ୍ରାସ ପାଇଛି ବନ୍ଧ୍ୟାକରଣ
ଓଡ଼ିଶାରେ ପରିବାର ନିୟୋଜନ ନିୟନ୍ତ୍ରଣ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିଛି। ପ୍ରଥମେ କଣ୍ଡୋମ ଓ ପରେ ବଟିକା ବ୍ୟବହାରରେ ଆଶାତୀତ ହ୍ରାସ ଘଟିଥିବା ବେଳେ ଅନ୍ୟ ପଦ୍ଧତି ବ୍ୟବହାରରେ ବୃଦ୍ଧି ଘଟିଛି। ୨୦୧୮-୧୯ ଓ ୨୦୨୩-୨୪ ଛଅ ବର୍ଷ ଭିତରେ ଏପରି ଘଟିଥିବା ଅର୍ଥନୈତିକ ସର୍ଭେ ରିର୍ପୋଟରୁ ଜଣାପଡ଼ିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ପ୍ରକାଶିତ ରିର୍ପୋଟ ଅନୁଯାୟୀ, ଗତ ୬ ବର୍ଷ ଭିତରେ କ୍ରମାନ୍ୱୟରେ ୮.୩ ପ୍ରତିଶତ କଣ୍ଡୋମ ବ୍ୟବହାର ହ୍ରାସ ପାଇଛି। ୨୦୧୮-୧୯ରୁ ଏହା ୨୪.୪ ପ୍ରତିଶତରୁ ୨୦୨୩-୨୪ ପର୍ଯ୍ୟନ୍ତ ୧୬.୧ ପ୍ରତିଶତକୁ ହ୍ରାସ ପାଇଛି।
କଣ୍ଡୋମ ବ୍ୟବହାର ଅପେକ୍ଷା ଲୋକମାନେ ଗର୍ଭଧାଣକୁ ରୋକିବା ପାଇଁ ସାପ୍ତାହିକ ଟାବଲେଟ ସେଣ୍ଟଟେକରୋମାନ ଖାଇବାକୁ ପସନ୍ଦ କରିଛନ୍ତି। ୨୦୨୩-୨୪ ସମୀକ୍ଷା ଅନୁଯାୟୀ ମହିଳାମାନେ ପାଖାପାଖି ୨୪.୪ ପ୍ରତିଶତ ଏହି ଟାବଲେଟ ଖାଇଛନ୍ତି। ଯାହା ୨୦୧୮-୧୯ରେ ୦.୩ ପ୍ରତିଶତ ଥିଲା। ସେହିପରି ଅନ୍ତଗର୍ଭନିରୋଧୀ ଉପକରଣ ଯଥା କପର-ଟି ଯଦିଓ ଦ୍ୱିତୀୟ ପସନ୍ଦ ଥିବାବେଳେ ତାହାର ବ୍ୟବହାରରେ ମଧ୍ୟ ଗତ ୬ ବର୍ଷ ଭିତରେ ତୀବ୍ର ହ୍ରାସ ଘଟିଛି। ୨୦୧୮-୧୯ରେ ଏହାର ବ୍ୟବହାର ୩୧.୮ ପ୍ରତିଶତ ଥିବାବେଳେ ୨୦୨୩-୨୪ରେ ଏହା ହ୍ରାସ ଘଟି ୧୭.୯ ପ୍ରତିଶତରେ ପହଞ୍ଚିଛି। ସେହିପରି ରିର୍ପୋଟ ଅନୁଯାୟୀ ବଟିକା ଖାଇବାରେ ମଧ୍ୟ ହ୍ରାସ ଘଟିଛି।
ଲୋକେ ବଟିକା ଅପେକ୍ଷା ଟିକା ନେବାକୁ ବେଶୀ ପସନ୍ଦ କରୁଛନ୍ତି। ଯଦି ଦେଖାଯାଏ ୨୦୧୮-୧୯ରେ ବଟିକା ବ୍ୟବହାର ୨୬.୭ ପ୍ରତିଶତ ଥିବାବେଳେ ୨୦୨୩-୨୪କୁ ଏହା ହ୍ରାସ ପାଇ ୧୬.୬ ପ୍ରତିଶତରେ ପହଞ୍ଚିଛି। ଟିକା ଯଥା ଅନ୍ତ୍ରା ବ୍ୟବହାର ବୃଦ୍ଧି ପାଇଛି। ୨୦୧୮-୧୯ରେ ଏହାର ବ୍ୟବହାର ୦.୯ ପ୍ରତିଶତ ଥିବା ବେଳେ ଏହା ୨୦୨୩-୨୩ରେ ବୃଦ୍ଧି ପାଇ ୧୬.୨ ପ୍ରତିଶତରେ ପହଞ୍ଚିଛି। ସେହିପରି ଗତ ୬ ବର୍ଷ ମଧ୍ୟରେ ଉଭୟ ପୁରୁଷ ଓ ମହିଳାଙ୍କ କ୍ଷେତ୍ରରେ ବନ୍ଧ୍ୟାକରଣ ମଧ୍ୟ ହ୍ରାସ ପାଇଛି। ୨୦୧୮-୧୯ରେ ମହିଳା ବନ୍ଧ୍ୟାକରଣ ୧୫.୬ ପ୍ରତିଶତ ଥିବା ବେଳେ ୨୦୨୩-୨୪ରେ ଏହା ହ୍ରାସ ପାଇ ୮.୬ ପ୍ରତିଶତରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ପୁରୁଷ ବନ୍ଧ୍ୟାକରଣ ୦.୩ ପ୍ରତିଶତରୁ ହ୍ରାସ ପାଇ ୦.୨ ପ୍ରତିଶତରେ ପହଞ୍ଚିଛି।
ଛାଡପତ୍ର ମାମଲା ବୃଦ୍ଧି ପାଇବା କାରଣରୁ ଏବେ ମହିଳାମାନେ ବନ୍ଧ୍ୟାକରଣକୁ ଆଉ ପସନ୍ଦ କରୁନଥିବା ଜଣେ ସ୍ୱାସ୍ଥ୍ୟାଧିକାରୀ କହିଛନ୍ତି। ତେବେ ମହିଳା ଓ ପୁରୁଷଙ୍କ ମଧ୍ୟରେ ବନ୍ଧ୍ୟାକରଣ ନେଇ ବହୁତ ଦୂରତା ରହୁଥିବାରୁ ଏହାର ସମାଧାନ ପାଇଁ ବିଭାଗ ପକ୍ଷରୁ ‘ଶାଶ-ବୋହୂ’ ସମ୍ମତି ଆରମ୍ଭ କରିଛି। ଯାହା ତୃଣମୂଳସ୍ତରରେ ଲୋକଙ୍କୁ ସଚେତନ କରାଯାଉଛି। ଯାହା ଦ୍ୱାରା ପରିବାର ନିୟନ୍ତ୍ରଣ ଲକ୍ଷ୍ୟ ପୂରଣ ହୋଇପାରିବ ବୋଲି ପରିବାର କଲ୍ୟାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
previous article:https://purvapaksa.com/bakul-bana-satyabadi-school-to-be-heritage-tourist-spot/