Crime In Politics: ସୋମବାର ସୁପ୍ରିମକୋର୍ଟରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ୫୪୩ ଲୋକସଭା ସାଂସଦଙ୍କ ମଧ୍ୟରୁ ୨୫୧ ଜଣଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି।
ସେମାନଙ୍କ ମଧ୍ୟରୁ ୧୭୦ ଜଣ ସାଂସଦଙ୍କ ବିରୋଧରେ ଗୁରୁତର ଅପରାଧିକ ମାମଲା ରହିଛି, ଯେଉଁଥିରେ ୫ ବର୍ଷ କିମ୍ବା ତା’ଠାରୁ ଅଧିକ ଜେଲ୍ ଦଣ୍ଡାଦେଶ ହୋଇପାରେ। ବିଭିନ୍ନ ହାଇକୋର୍ଟରୁ ସଂଗ୍ରହ କରାଯାଇଥିବା ତଥ୍ୟକୁ ଆଧାର କରି ଆମିକସ୍ କ୍ୟୁରି ତଥା ବରିଷ୍ଠ ଆଇନଜୀବୀ ବିଜୟ ହଂସରିଆ ଜଷ୍ଟିସ୍ ଦୀପଙ୍କର ଦତ୍ତ ଓ ଜଷ୍ଟିସ୍ ମନମୋହନଙ୍କୁ ନେଇ ଗଠିତ ଖଣ୍ଡପୀଠକୁ ଏହି ସୂଚନା ଦେଇଛନ୍ତି।
କେଉଁ ରାଜ୍ୟରେ କେତେ ସାଂସଦଙ୍କ ମାମଲା ରହିଛି?
ରିପୋର୍ଟ ଅନୁଯାୟୀ, କେରଳର ୨୦ ଜଣ ସାଂସଦଙ୍କ ମଧ୍ୟରୁ ୧୯ ଜଣ (୯୫%) ସାଂସଦଙ୍କ ନାମରେ ଅପରାଧିକ ମାମଲା ରହିଛି, ଯେଉଁଥିରୁ ୧୧ ଜଣ ଗୁରୁତର ଅପରାଧ ସହ ଜଡ଼ିତ। ତେଲେଙ୍ଗାନାରେ ୧୭ ରୁ ୧୪ (୮୨%), ଓଡ଼ିଶାରେ ୨୧ ରୁ ୧୬ (୭୬%), ଝାଡ଼ଖଣ୍ଡରେ ୧୪ ରୁ ୧୦ (୭୧%) ଏବଂ ତାମିଲନାଡୁରେ ୩୯ ସାଂସଦଙ୍କ ମଧ୍ୟରୁ ୨୬ (୬୭%) ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରହିଛି। ସେହିପରି ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ବିହାର, କର୍ଣ୍ଣାଟକ ଓ ଆନ୍ଧ୍ରପ୍ରଦେଶରେ ପ୍ରାୟ ୫୦ ପ୍ରତିଶତ ସାଂସଦଙ୍କ ନାଁରେ ଅପରାଧିକ ମାମଲା ରହିଛି।
ଅନ୍ୟପକ୍ଷରେ ହରିୟାଣା (୧୦ ସାଂସଦ) ଏବଂ ଛତିଶଗଡ଼ (୧୧ ସାଂସଦ)ର ଜଣେ ଲେଖାଏଁ ସାଂସଦଙ୍କ ନାମରେ ଅପରାଧିକ ମାମଲା ରହିଛି। ପଞ୍ଜାବର ୧୩ ଜଣ ସାଂସଦଙ୍କ ମଧ୍ୟରୁ ୨ ଜଣଙ୍କ ନାଁରେ ଅପରାଧିକ ମାମଲା ରହିଛି। ଆସାମର ୧୪ ଜଣଙ୍କ ମଧ୍ୟରୁ ୩; ଦିଲ୍ଲୀର ୭ ଜଣଙ୍କ ମଧ୍ୟରୁ ୩; ରାଜସ୍ଥାନର ୨୫ ଜଣଙ୍କ ମଧ୍ୟରୁ ୪ ଜଣ; ଗୁଜୁରାଟର ୨୫ ଜଣଙ୍କ ମଧ୍ୟରୁ ୫ ଜଣ; ଏବଂ ମଧ୍ୟପ୍ରଦେଶର ୨୯ ସାଂସଦଙ୍କ ମଧ୍ୟରୁ ୯ ଜଣ ସାଂସଦଙ୍କ ବିରୋଧରେ ଅପରାଧିକ ମାମଲା ରହିଛି।
ଦଶନ୍ଧି ପୁରୁଣା ବିଚାରାଧୀନ ମାମଲା ସୁପ୍ରିମ୍ କୋର୍ଟଙ୍କ ଆଦେଶ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି
୨୦୨୩ରେ ସାଂସଦ ଓ ବିଧାୟକଙ୍କ ବିରୋଧରେ ବିଚାରାଧୀନ ଅପରାଧିକ ମାମଲାର ତଦାରଖ ପାଇଁ ସ୍ୱତନ୍ତ୍ର ଖଣ୍ଡପୀଠ ଗଠନ କରିବାକୁ ସୁପ୍ରିମକୋର୍ଟ ସମସ୍ତ ସମ୍ପୃକ୍ତ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଏବେ ବି ଅନେକ ରାଜ୍ୟ ଏଭଳି ସ୍ବତନ୍ତ୍ର ଅଦାଲତ ପ୍ରତିଷ୍ଠା କରିନାହାନ୍ତି, ଯାହାଫଳରେ ଅନେକ ମାମଲା ଦଶନ୍ଧି ଧରି ବିଚାରାଧୀନ ରହିଛି।
ସବୁଠାରୁ ଅଧିକ ମାମଲା ବିଚାରାଧୀନ ରହିଛି ଉତ୍ତରପ୍ରଦେଶରେ
୨୦୨୫ ଜାନୁଆରୀ ପହିଲା ସୁଦ୍ଧା ବର୍ତ୍ତମାନର କିମ୍ବା ପୂର୍ବତନ ବିଧାୟକଙ୍କ ବିରୋଧରେ ମୋଟ ୪୭୩୨ଟି ଅପରାଧିକ ମାମଲା ବିଚାରାଧୀନ ରହିଛି। ଏମାନଙ୍କ ମଧ୍ୟରୁ ଉତ୍ତରପ୍ରଦେଶରେ ସର୍ବାଧିକ ୧୧୭୧ ମାମଲା ରୁଜୁ ହୋଇଛି। ଓଡ଼ିଶା (୪୫୭), ବିହାର (୪୪୮), ମହାରାଷ୍ଟ୍ର (୪୪୨), ମଧ୍ୟପ୍ରଦେଶ (୩୨୬), କେରଳ (୩୧୫), ତେଲେଙ୍ଗାନା (୩୧୩), କର୍ଣ୍ଣାଟକ (୨୫୫), ତାମିଲନାଡୁ (୨୨୦), ଝାଡ଼ଖଣ୍ଡ (୧୩୩) ଏବଂ ଦିଲ୍ଲୀ (୧୨୪)।
ସମୁଦାୟ ୪୭୩୨ଟି ମାମଲା ମଧ୍ୟରୁ ୮୬୩ଟି ମାମଲାରେ ଧାରା ୧୪୪ ଉଲ୍ଲଂଘନ ଅଭିଯୋଗରେ ବର୍ତ୍ତମାନର କିମ୍ବା ପୂର୍ବତନ ବିଧାୟକଙ୍କ ନାମ ରହିଛି। ହିମାଚଳ ପ୍ରଦେଶରେ ୩୦୭, ବିହାରରେ ୧୭୫, ତେଲେଙ୍ଗାନାରେ ୧୧୨ ଏବଂ ମହାରାଷ୍ଟ୍ରରେ ୯୬ ମାମଲା ରହିଥିବା ବେଳେ ଦିଲ୍ଲୀରେ ମାତ୍ର ୪ଟି ମାମଲା ରୁଜୁ ହୋଇଛି।
ସାଂସଦ-ବିଧାୟକଙ୍କ ମାମଲାରେ ବିଳମ୍ବ ନେଇ ସୁପ୍ରିମକୋର୍ଟଙ୍କ କଠୋରତା
ଅନେକ ମାମଲାରେ ଲଗାତାର ମୁଲତବୀ ରହିବା, କୋର୍ଟରେ ଅଭିଯୁକ୍ତଙ୍କ ଅନୁପସ୍ଥିତି ଏବଂ ସ୍ୱତନ୍ତ୍ର ଅଦାଲତରେ ଅତିରିକ୍ତ ଦାୟିତ୍ୱ ଯୋଗୁଁ ଶୁଣାଣିରେ ବିଳମ୍ବ ହେଉଛି ବୋଲି ହଂସାରିଆ ଅଦାଲତଙ୍କୁ ଜଣାଇଥିଲେ। ଏହାର ଜବାବରେ ଜଷ୍ଟିସ ଦତ୍ତ ଓ ଜଷ୍ଟିସ ମନମୋହନ କହିଥିଲେ ଯେ ଯେହେତୁ ଏହି ମାମଲା ତିନି ଜଣବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଦେଇଥିବା ଆଦେଶ ସହ ଜଡିତ, ତେଣୁ ଏହାର ଶୁଣାଣି ସମାନ ସଂଖ୍ୟକ ଖଣ୍ଡପୀଠ ରେ ହେବା ଉଚିତ। ଉପଯୁକ୍ତ ଖଣ୍ଡପୀଠ ଗଠନ ପାଇଁ କୋର୍ଟ ଏହି ମାମଲାକୁ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇବାକୁ ସୁପାରିସ କରିଛନ୍ତି।
ALSO READ: https://purvapaksa.com/an-idea-that-frittered-away/