Srilanka Blackout: ପଡ଼ୋଶୀ ଦେଶ ଶ୍ରୀଲଙ୍କାରେ ରବିବାର ସକାଳେ ମାଙ୍କଡ଼ ଯୋଗୁଁ ଦେଶବ୍ୟାପୀ ବ୍ଲାକ୍ ଆଉଟ୍ ହୋଇଥିଲା, ଯାହା ଅନେକ ଘଣ୍ଟା ଧରି ଚାଲିଥିଲା। ଅଧିକାରୀମାନେ ଏବେ ବି ଦେଶର ଅନେକ ସ୍ଥାନରେ ବିଦ୍ୟୁତ୍ ପୁନରୁଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି। ଜେନେରେଟର ବ୍ୟବହାର କରି ଦେଶରେ ବ୍ୟବସାୟ ଓ ପ୍ରତିଷ୍ଠାନ ଚାଲିଛି।
- ମାଙ୍କଡ଼ମାନେ ଶ୍ରୀଲଙ୍କାରେ ବଡ଼ ଶକ୍ତି ସଙ୍କଟ ସୃଷ୍ଟି କରିଛନ୍ତି।
- ମାଙ୍କଡ଼ଙ୍କ ଯୋଗୁଁ ସମଗ୍ର ଦେଶରେ ବିଜୁଳି ବାଧାପ୍ରାପ୍ତ ହୋଇଥିଲା।
- କିଛିଘଣ୍ଟା ପରେ ବି ବିଦ୍ୟୁତ୍ ପୁନରୁଦ୍ଧାର ପାଇଁ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି।
ହଜାର ହଜାର ବର୍ଷ ତଳେ ଭାରତରୁ ରାମଦୂତଭାବେ ଯାଇଥିବା ଶ୍ରୀହନୁମାନ ଶକ୍ତିପ୍ରଦର୍ଶନ ପାଇଁ ଲଙ୍କା ଦହନ କରିଥିଲେ। ରାବଣର ସ୍ୱର୍ଣ୍ଣଲଙ୍କାକୁ ଜାଳି ଛାରଖାର କରିଦେଇଥିଲେ। ଏବେ ହନୁମାନଙ୍କ ବଂଶଧର କିଛି ମାଙ୍କଡ଼ଙ୍କ ଉତ୍ପାତ ପାଇଁ ଶ୍ରୀଲଙ୍କା ଅନ୍ଧକାରରେ ଡୁବିଛି।
ଭାରତର ପଡ଼ୋଶୀ ଦେଶ ଶ୍ରୀଲଙ୍କା ମାଙ୍କଡ଼ଙ୍କ ଉତ୍ପାତ ଯୋଗୁଁ ଏକ ବଡ଼ ବିଦ୍ୟୁତ୍ ସଙ୍କଟର ସମ୍ମୁଖୀନ ହେଉଛି। ରବିବାର ଦିନ ଦେଶବ୍ୟାପୀ ବିଦ୍ୟୁତ୍ କାଟ ପରେ ଶ୍ରୀଲଙ୍କା କର୍ତ୍ତୃପକ୍ଷ ବିଦ୍ୟୁତ୍ ପୁନଃସ୍ଥାପନ କରିବାକୁ ଚେଷ୍ଟା କରୁଛନ୍ତି। ରାଷ୍ଟ୍ରାୟତ୍ତ ବିଦ୍ୟୁତ୍ ଉତ୍ପାଦକ ଏବଂ ଯୋଗାଣକାରୀ ସୀଲନ୍ ବିଦ୍ୟୁତ୍ ବୋର୍ଡ (CEB) ଦ୍ୱାରା ଏହି ଘୋଷଣା କରାଯାଇଛି। CEB ଅନୁଯାୟୀ, ଦେଶର ପଶ୍ଚିମ ପ୍ରଦେଶର ପାନାଦୁରା ଗ୍ରୀଡ୍ ସବଷ୍ଟେସନରେ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ବିଦ୍ୟୁତ୍ କାଟ୍ ହୋଇଥିଲା।
ନ୍ୟୁଜ୍ ଏଜେନ୍ସି ଝିନୁଆ ଅନୁଯାୟୀ, ରବିବାର, ଫେବୃଆରୀ ୯ ତାରିଖ ସ୍ଥାନୀୟ ସମୟ ସକାଳ ୧୧:୩୦ ରେ ବିଦ୍ୟୁତ୍ ବିଭ୍ରାଟ ଆରମ୍ଭ ହୋଇଥିଲା ଏବଂ ତିନିଘଣ୍ଟାରୁ ଅଧିକ ସମୟ ଧରି ଜାରି ରହିଥିଲା। ବିଦ୍ୟୁତ୍ ଯୋଗାଣକୁ ସମ୍ପୂର୍ଣ୍ଣ ପୁନଃସ୍ଥାପିତ କରିବା ପାଇଁ ଅଧିକାରୀମାନେ କାର୍ଯ୍ୟ କରୁଛନ୍ତି। CEB ଅଧ୍ୟକ୍ଷ ତିଲକ ସିଆମ୍ବାଲାପିଟିଆ ଜନସାଧାରଣଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ବିଦ୍ୟୁତ୍ ପୁନଃସ୍ଥାପନ ପାଇଁ ଶୀଘ୍ର ପଦକ୍ଷେପ ନିଆଯାଉଛି।
ମାଙ୍କଡ଼ଙ୍କ ପାଇଁ ଅନ୍ଧାର
ଶକ୍ତି ମନ୍ତ୍ରାଳୟ ସଚିବ ପ୍ରଫେସର ଉଦୟଙ୍ଗ ହେମପାଳ ନିଶ୍ଚିତ କରିଛନ୍ତି ଯେ ଜାତୀୟ ଗ୍ରୀଡରେ ଅସନ୍ତୁଳନ ଯୋଗୁଁ ବିଦ୍ୟୁତ୍ ବିଭ୍ରାଟ ହୋଇଥିଲା। ସ୍ଥାନୀୟ ଗଣମାଧ୍ୟମ ଶକ୍ତି ମନ୍ତ୍ରୀ କୁମାରା ଜୟକୋଡିଙ୍କ ଉଦ୍ଧୃତି ଅନୁଯାୟୀ କହିଛନ୍ତି ଯେ ଏକ ସବଷ୍ଟେସନରେ ପ୍ରବେଶ କରି ମାଙ୍କଡ଼ଙ୍କ ଏକ ଗୋଷ୍ଠୀ ଭଙ୍ଗାରୁଜା କରିଥିଲେ, ଯେଉଁଥିପାଇଁ ବିଦ୍ୟୁତ୍ ବିଭ୍ରାଟ ହୋଇଥିଲା। ମନ୍ତ୍ରୀ କହିଥିଲେ ଯେ ‘ମାଙ୍କଡ଼ମାନେ ଆମର ଗ୍ରୀଡ୍ ଟ୍ରାନ୍ସଫର୍ମରର ସଂସ୍ପର୍ଶରେ ଆସିଥିଲେ ଯାହା ସିଷ୍ଟମରେ ଅସନ୍ତୁଳନ ସୃଷ୍ଟି କରିଥିଲା’।
ଏହି ସମୟରେ, ଜାତୀୟ ଜଳ ଯୋଗାଣ ଏବଂ ଡ୍ରେନେଜ୍ ବୋର୍ଡ ବିଦ୍ୟୁତ୍ ସମ୍ପୂର୍ଣ୍ଣ ପୁନଃସ୍ଥାପିତ ନ ହେବା ପର୍ଯ୍ୟନ୍ତ ଜନସାଧାରଣଙ୍କୁ ଜଳ ସଂରକ୍ଷଣ କରିବାକୁ ନିବେଦନ କରିଛି। ଯଦିଓ କିଛି ଅଞ୍ଚଳରେ ବିଦ୍ୟୁତ୍ ସଂଯୋଗ ପୁନଃସ୍ଥାପିତ ହୋଇଛି, ତଥାପି କେତେ ସମୟ ପାଇଁ ବିଦ୍ୟୁତ୍ ବିଭ୍ରାଟ ଜାରି ରହିବ ତାହା ତୁରନ୍ତ ସ୍ପଷ୍ଟ ହୋଇନାହିଁ। ୨ କୋଟି ୨୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ଶ୍ରୀଲଙ୍କାର ହସ୍ପିଟାଲ ଏବଂ ବ୍ୟବସାୟଗୁଡ଼ିକ ଜେନେରେଟର କିମ୍ବା ଇନଭର୍ଟର ବ୍ୟବହାର କରୁଛନ୍ତି।
ଶ୍ରୀଲଙ୍କାର ବିଦ୍ୟୁତ୍ ସଙ୍କଟ
ଗତ କିଛିବର୍ଷ ମଧ୍ୟରେ ଶ୍ରୀଲଙ୍କାରେ ସବଷ୍ଟେସନଗୁଡ଼ିକରେ ସମସ୍ୟା ଯୋଗୁଁ ଦେଶବ୍ୟାପୀ ଅନେକଥର ବିଦ୍ୟୁତ୍ ବିଭ୍ରାଟ ହୋଇଛି। ୨୦୨୨ ମସିହାର ଗ୍ରୀଷ୍ମ ଋତୁରେ ଯେତେବେଳେ ଦେଶ ଆର୍ଥିକ ସଙ୍କଟରେ ଫସି ରହିଥିଲା, ସେତେବେଳେ ଶ୍ରୀଲଙ୍କାବାସୀ କିଛି ମାସ ଧରି ବିଦ୍ୟୁତ୍ କାଟର ସମ୍ମୁଖୀନ ହୋଇଥିଲେ।
୨୦୨୩ରେ ଶ୍ରୀଲଙ୍କାରେ ବ୍ଲାକଆଉଟ୍ ହୋଇଛି। ୯ ଡିସେମ୍ବର, ୨୦୨୩ରେ ଶ୍ରୀଲଙ୍କାରେ ଦେଶବ୍ୟାପୀ ବିଦ୍ୟୁତ୍ ବିଭ୍ରାଟ ସୃଷ୍ଟି ହୋଇଥିଲା। ସ୍ଥାନୀୟ ସମୟ ପ୍ରାୟ ସନ୍ଧ୍ୟା ୫ଟାରେ ବିଦ୍ୟୁତ୍ କାଟ ଆରମ୍ଭ ହୋଇଥିଲା ଏବଂ ତିନି ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିଲା। ଦେଶର ମୁଖ୍ୟ ଯୋଗାଣ ଶୃଙ୍ଖଳରେ ଏକ ବ୍ୟବସ୍ଥିତ ବିଫଳତା ଏବଂ କୋଟମାଲେ ବିୟାଗାମା ଟ୍ରାନ୍ସମିସନ୍ ଲାଇନ ଭାଙ୍ଗିଯିବା ଯୋଗୁଁ ବିଦ୍ୟୁତ୍ କାଟ୍ ହୋଇଥିଲା। ୨୦୧୬ରେ ମଧ୍ୟ ଦେଶ ସାରା ବିଦ୍ୟୁତ୍ କାଟର ସମ୍ମୁଖୀନ ହୋଇଥିଲା।
