୧୯୮୯ ମସିହା ଆରମ୍ଭବେଳକୁ ଅବିଭକ୍ତ ପୁରୀଜିଲ୍ଲାରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ଆୟାତ୍ତାଧୀନ ଥାଏ; ମାତ୍ର ଶେଷଆଡ଼କୁ ରାଜ୍ୟସଭା ନିର୍ବାଚନ ଆସିଯିବା ନେଇ ସବୁଆଡ଼େ ଦଳଗତ ପ୍ରତିଦ୍ୱନ୍ଦ୍ଵିତା ଆରମ୍ଭ ହୋଇଯାଇଥାଏ। ସେତେବେଳକୁ ଓଡ଼ିଶାରେ ଜାନକୀ ବଲ୍ଲଭ ପଟ୍ଟନାୟକ ୯ବର୍ଷ କାଳ ଶାସନ କରିସାରିଥାନ୍ତି। ରାଜୀବ ଗାନ୍ଧି ଭାରତର ପ୍ରଧାନମନ୍ତ୍ରୀତ୍ୱରୁ ବିଦାୟ ନେଲାପରେ ଜନତା ଦଳ ‘United Front’ ଗଠନ ଦେଶର ରାଜନୀତିରେ ସରଗରମ ହାୱା ବହୁଥାଏ। ଓଡ଼ିଶାରେ ମଧ୍ୟ ସେଇ ଅବସ୍ଥା। କଂଗ୍ରେସ ସରକାର ବିଭିନ୍ନ କାରଣରୁ ଲୋକପ୍ରିୟତା ହରାଇ ବସିଥାଏ।
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ନାମରେ ନାନାପ୍ରକାର ଅଭିଯୋଗ। ପୂର୍ବରୁ ବମ୍ବେରୁ ପ୍ରକାଶ ପାଉଥିବା ଇଲଷ୍ଟ୍ରେଟଡ୍ ଉଇକଲି ମାଗାଜିନରେ ଯାହାସବୁ ସାମ୍ବାଦିକ ଆବଦି ବାହାର କରିଥିଲେ, ସାରାଭାରତ ବର୍ଷରେ ତାଙ୍କ ନାମକୁ କଳଙ୍କିତ କରିଥିଲା। ଅବଶ୍ୟ ପରବର୍ତ୍ତୀକାଳରେ ସେ ଉଇକ୍ଲିର ଏଡ଼ିଟର ପ୍ରୀତିଶ୍ ନନ୍ଦୀ ଓ ସାମ୍ବାଦିକ ଆବଦିଙ୍କ ନାମରେ ଜାନକୀ ବଲ୍ଲଭ ପଟ୍ଟନାୟକ ମାନହାନୀ ମକଦ୍ଦମା କରି ସଫଳ ହୋଇଥିଲେ ଏବଂ ପତ୍ରିକା କପୋଳକଳ୍ପିତ ଘଟଣା ପ୍ରକାଶ କରିଥିବା ଯୋଗୁ କ୍ଷମା ମାଗିଥିଲେ। ମାତ୍ର ତାହାପୂର୍ବରୁ ତାଙ୍କର ଯାହା ବଦନାମ ଘଟିଥିଲା, ତାହା ଏଇ କ୍ଷମା ପ୍ରାର୍ଥନା ମାଧ୍ୟମରେ ଫେରିଆସି ପାରିନଥିଲା।
ଏଇ ଅବସ୍ଥାରେ ୧୯୮୯ ମସିହା ସେପ୍ଟେମ୍ବର ମାସ ୨୭ ତାରିଖକୁ ଲୋକସଭା ନିର୍ବାଚନ ହେବାପାଇଁ ନିର୍ବାଚନ ଇସ୍ତାହାର ଜାରି ହେଲା। କେନ୍ଦ୍ରରେ କଂଗ୍ରେସ ଦଳର ମୁଖ୍ୟ ବିରୋଧୀ ଦଳ ‘ଇଉନାଇଟେଡ଼ ଫ୍ରଣ୍ଟ’ ହେଲାବେଳେ ଓଡ଼ିଶାରେ ଏହି ଦଳର ମୁଖ୍ୟ ହିସାବରେ ବିଜୁ ପଟ୍ଟନାୟକ ନେତୃତ୍ୱ ନେଲେ। ବିଜୁବାବୁ ମଧ୍ୟ କେନ୍ଦ୍ରରେ ଜଣେ ତୁଙ୍ଗ ନେତାଭାବେ ଜଣାଶୁଣା ଥାଆନ୍ତି। ତେଣେ ଭି.ପି. ସିଂହଙ୍କ ଫ୍ରଣ୍ଟ ଜିତିଲେ ପ୍ରଧାନମନ୍ତ୍ରୀ ହେବାର ସୂଚନା ବି ପ୍ରସାର କରାଗଲା। ସେତେବେଳକୁ ଭି.ପି.ସିଂହ ମିଃ କ୍ଲିନ୍ ନାମ ଧରି ସାରିଲେଣି। ଏଣେ ରାଜୀବ ଗାନ୍ଧିଙ୍କ ବିରୁଦ୍ଧରେ ବୋଫର୍ସ ମାମଲା ଲାଗିଯାଇଥାଏ।
ପୁରୀ ଜିଲ୍ଲାରୁ ପୁରୀ ଲୋକସଭାପାଇଁ ନୀଳମଣି ରାଉତରାୟ ନିର୍ବାଚନ ଲଢ଼ିଲେ। ତାଙ୍କ ବିରୋଧରେ ପୂର୍ବତନ ଲୋକସଭା ସଦସ୍ୟ ବ୍ରଜ ମହାନ୍ତି ଠିଆ ହେଲେ। ଲୋକସଭା ନିର୍ବାଚନରେ ବିଜୁବାବୁଙ୍କ ନେତୃତ୍ଵରେ ଓଡ଼ିଶାର ୨୧ଟି ଲୋକସଭା ସିଟ୍ରୁ ୧୮ଟି ଜନତା ଦଳ ପାଇବାବେଳେ କଂଗ୍ରେସ ଦଳ ମଧ୍ୟରେ ତୀବ୍ର ଗୋଷ୍ଠୀକନ୍ଦଳ ଆରମ୍ଭ ହୋଇଗଲା। ସମସ୍ତେ ଜେବି ପଟ୍ଟନାୟକଙ୍କ ଆଡ଼େ ଆଙ୍ଗୁଳି ଦେଖାଇଲେ। ତାଙ୍କ ସ୍ତ୍ରୀ ଜୟନ୍ତୀ ପଟ୍ଟନାୟକ କଟକ ସଦର ସିଟ୍ରୁ ଶ୍ରୀକାନ୍ତ ଜେନାଙ୍କଠାରୁ ବହୁ ଭୋଟରେ ହାରି ଯାଇଥିଲେ। ଓଡ଼ିଶା ରାଜନୀତିରେ ହଟ୍ଟଗୋଳ ଦେଖାଗଲା। ଜନତାଦଳ ସାରାଓଡ଼ିଶାରେ ସକ୍ରୀୟ ହୋଇ ଉଠିଲାବେଳେ କଂଗ୍ରେସ ତଳକୁ ତଳକୁ ଦବିବାରେ ଲାଗିଲା।
ଜେ.ବି. ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଓହରିଯିବାକୁ ବାଧ୍ୟ ହେଲେ। ବିଗତ ୧୫ ବର୍ଷ ଧରି ନନ୍ଦିନୀ ଦେବୀ କଂଗ୍ରେସରୁ ଏକ ପ୍ରକାର ବିଦାୟ ନେଇଥିବାବେଳେ ସେ କଂଗ୍ରେସ ରାଜନୀତିରେ ପୁଣି ସକ୍ରିୟ ହୋଇ ଉଠିଲେ ଏବଂ ମୁଖ୍ୟମନ୍ତ୍ରୀ ପାଇଁ ପାଗ ଭିଡ଼ିଥିଲେ। ମାତ୍ର ତାହା ସମ୍ଭବ ନ ହେବାରୁ ତାଙ୍କର ନୋମିନି ହେମାନନ୍ଦ ବିଶ୍ଵାଳଙ୍କ ମୁଣ୍ଡରେ ମୁଖ୍ୟମନ୍ତ୍ରୀ ପଦର ସିରପା ବନ୍ଧାଗଲା ଏବଂ ସେ ମୁଖ୍ୟମନ୍ତ୍ରୀ ହେଲେ। କିନ୍ତୁ ସେ ସମୟରେ ରାଜନୈତିକ ପରିସ୍ଥିତିକୁ କଂଗ୍ରେସ ସପକ୍ଷରେ ଫେରାଇ ଆଣିବାର ଶକ୍ତି କିମ୍ବା ଧୀଶକ୍ତି ତାଙ୍କ ପାଖରେ ନ ଥିଲା। ଏଣେ ତାଙ୍କୁ ଗାଦିରେ ବସାଇ ନନ୍ଦିନୀ ଦେବୀ ତାଙ୍କ ଘରୁ ରାଜନୀତିର ସୂତ୍ରଧର ହୋଇ ବସିଲେ। କେବଳ ନିର୍ବାଚନକୁ ଅପେକ୍ଷା କରି ବସିବା ସାର ହେଲା।
ରାଜନୈତିକ ଅବସ୍ଥା ଯୋଗୁ ବିରୋଧୀ ଦଳ ପୁରୀ ଜିଲ୍ଲାରେ ଏକପ୍ରକାର ସକ୍ରିୟ ହୋଇ ଉଠିଥା’ନ୍ତି। କାକଟପୁରଠାରୁ ନୟାଗଡ଼ ପର୍ଯ୍ୟନ୍ତ, ପିପିଲିଠାରୁ ଚିଲିକା ପର୍ଯ୍ୟନ୍ତ ସବୁଆଡ଼େ ଦଳଗତ ଦଙ୍ଗା ହଙ୍ଗାମା ଆରମ୍ଭ ହୋଇଗଲା। ନିର୍ବାଚନ ପୂର୍ବ ଆଇନ୍ ଶୃଙ୍ଖଳା ପରିସ୍ଥିତି ଜିଲ୍ଲାର ସବୁଆଡ଼େ ସୃଷ୍ଟି ହେଲା; ମାତ୍ର କୌଣସି ସ୍ଥାନରେ ପରିସ୍ଥିତି କଣ୍ଟ୍ରୋଲ ବାହାରକୁ ଯାଇ ନ ଥାଏ ଯଦିଓ ମୋର ଆଶଙ୍କା ପିପିଲି ନିର୍ବାଚନ ମଣ୍ଡଳୀ ଉପରେ ଥାଏ।
ସେଠାରେ କଂଗ୍ରେସ ଓ ଜନତା ମଧ୍ୟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଉଥାଏ। ଏଣେ କାକଟପୁର, ଅସ୍ତରଙ୍ଗରେ ମଧ୍ୟ ଅବସ୍ଥା ସେଇପରି। ବିରୋଧୀଦଳ ପକ୍ଷରୁ ଆଶାୟୀ ପ୍ରାର୍ଥୀ ନିଜେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରିବାକୁ ପଛାଉ ନ ଥାନ୍ତି। ଏହି ସମୟରେ ଜାନକୀ ବଲ୍ଲଭ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ପଦରୁ ଗଲାପରେ ପୁଲିସ ଡି.ଜି. ପଦରୁ ପ୍ରଫୁଲ୍ଲ ରଥ ଯାଇ ସଦାନନ୍ଦ ସିହ୍ନା ଆସିଲେ। ଡି.ଜି.ଙ୍କ ବଦଳିରେ ନନ୍ଦିନୀ ଦେବୀଙ୍କ ହାତ ଥିଲା ବୋଲି କୁହାଗଲା ଏବଂ ସିହ୍ନା ସାହେବ ଦେଓଗଡ଼ ରାଜାଙ୍କ ରିଲେସନ ଥିବା ଯୋଗୁ ହେମାନନ୍ଦ ତାଙ୍କୁ ଆଣିବାକୁ ରାଜି ହେଲେ। ପୁଲିସ ମୁଖ୍ୟ ବଦଳି ପରେ ଜିଲ୍ଲାରେ ମଧ୍ୟ ଏସ.ପି.ମାନଙ୍କର ବଦଳି ହେଲା। ମୁଁ ବି ଆଶା କରୁଥିଲି ମୋର ବଦଳି ହେବ; ମାତ୍ର ହୋଇନଥିଲା।
୧୯୯୦ ଫେବୃୟାରୀ ଶେଷଆଡ଼କୁ ଓଡ଼ିଶା ବିଧାନସଭାପାଇଁ ନିର୍ବାଚନ ହେଲା। ସେତେବେଳକୁ କେନ୍ଦ୍ରରେ ଭି.ପି.ସିଂହ ପ୍ରଧାନମନ୍ତ୍ରୀଭାବେ ମନ୍ତ୍ରିମଣ୍ଡଳ ଗଢ଼ି ସାରିଲେଣି। ଓଡ଼ିଶାରୁ ନୀଳମଣି ରାଉତରାୟ କ୍ୟାବିନେଟ୍ ମନ୍ତ୍ରୀ ହେଲାବେଳେ ବିଜୁବାବୁଙ୍କ ଯୋଗୁଁ ଶ୍ରୀକାନ୍ତ ଜେନା ମିନିଷ୍ଟର ଅଫ୍ ଷ୍ଟେଟ୍ ହେଲେ। ଭି.ପି. ସିଂହ ମନ୍ତ୍ରିମଣ୍ଡଳ ଗଠନ କଲା ପରେ ଦଳ ମଧ୍ୟରେ ପ୍ରାୟ ସବୁ ସମୟରେ କିଛି ନା କିଛି ଅସୁବିଧା ପରିସ୍ଥିତି ସୃଷ୍ଟି ହୋଇଥିଲା ଏବଂ ପ୍ରତ୍ୟେକ ପରିସ୍ଥିତିରେ ବିଜୁବାବୁ କ୍ରାଇସିସ୍ ମ୍ୟାନେଜରଭାବେ ତା’ର ସମାଧାନ କରୁଥାନ୍ତି। ବିଜୁବାବୁ ସାରାଦେଶରେ ଜନତା ଦଳର ତୁଙ୍ଗନେତା ଭାବରେ ଜଣାଶୁଣା ଏବଂ ଓଡ଼ିଶାରେ ଅପ୍ରତିଦ୍ଵନ୍ଦୀ ନେତା ଭାବରେ ଦେଖା ଦେଇଥାନ୍ତି।
ବିଧାନ ସଭା ନିର୍ବାଚନର ପ୍ରଥମ ମିଟିଂ କଂଗ୍ରେସ ଦଳ ପ୍ରଚାର ସିଂହଦ୍ଵାରରୁ ଆରମ୍ଭ କଲେ। ମିଟିଂ ଆରମ୍ଭବେଳକୁ ତାଙ୍କର ପେଣ୍ଡାଲ ଭାଙ୍ଗି ପଡ଼ିଲା ଏବଂ ଜାନକୀବାବୁ ଗଳି ପଡ଼ିଲେ। ପୁରୀର ଲୋକମାନେ କହିଲେ କଂଗ୍ରେସ ଦଳ ମୁଣ୍ଡରେ ଶାଗୁଣା ଉଡ଼ିଲା। ବିଜୁବାବୁ ମଧ୍ୟ ତାଙ୍କ ନିର୍ବାଚନ ପ୍ରଚାର ସିଂହଦ୍ଵାରରୁ ଆରମ୍ଭ କରି ତାଙ୍କର ନିର୍ବାଚନର ଚିହ୍ନ ଚକ୍ର ରଖିଲେ। ପୁରୀ ଜିଲ୍ଲାର ୧୬ଟି ନିର୍ବାଚନ ମଣ୍ଡଳିରୁ ମୁଁ ଭାବିଥିଲି କଂଗ୍ରେସ ଚାରିଟି ସ୍ଥାନରେ ଜିତିବ, ମାତ୍ର ୧୬ଟି ଯାକ ସ୍ଥାନରେ ବିଜୁବାବୁଙ୍କ ନେତୃତ୍ଵରେ ପରିଚାଳିତ ଜନତାଦଳ ଆସିଗଲା। ପୁରୀ ଜିଲ୍ଲାରୁ କଂଗ୍ରେସ ଗୋଟିଏ ସ୍ଥାନରେ ଜିତି ପାରିଲା ନାହିଁ।
ତା’ଛଡ଼ା ସାରାଓଡ଼ିଶାରେ ଏଇଦଳ ୧୨୩ଟି ସ୍ଥାନରେ ନିର୍ବାଚିତ ହୋଇ ଜୟଲାଭ କଲା। ଜାନକୀବାବୁଙ୍କ ମୁଖ୍ୟ ବିରୋଧୀ, ବସନ୍ତ ବିଶ୍ଵାଳ ତିର୍ତ୍ତୋଲରୁ ନିର୍ବାଚିତ ହୋଇ ବିରୋଧୀଦଳର ନେତା ହେଲେ। ବିଧାନସଭାରେ କଂଗ୍ରେସ ସଦସ୍ୟ ମାତ୍ର ୧୧ ଜଣ ଥିଲେ ।
(ପୂର୍ବତନ ପୋଲିସ ଆଇଜି ବଟକୃଷ୍ଣ ତ୍ରିପାଠୀଙ୍କ ସଦ୍ୟ ପ୍ରକାଶିତ ଆତ୍ମଜୀବନୀ ‘ମୋ ଜୀବନ ଜ୍ୟାମିତିର’ କିୟଦଂଶ )
Also readhttps://purvapaksa.com/for-remarks-on-fighting-indian-state-rahul-gandhi-faces-fir-in-odisha/
‘ଭାରତ ବିରୋଧରେ ଲଢ଼େଇ’ ପ୍ରସଙ୍ଗରେ ମନ୍ତବ୍ୟ ଦେଇଥିବା ରାହୁଲ ଗାନ୍ଧିଙ୍କ ବିରୋଧରେ ଓଡ଼ିଶାରେ ଏଫ୍ଆଇଆର୍