Reserve bank of India : ୫ ବର୍ଷ ପରେ ରେପୋ ରେଟରେ ହ୍ରାସ କରାଯାଇଛି । ଏହାପୂର୍ବରୁ RBI ୨୦୨୦ ମେ’ରେ ରେପୋ ରେଟ୍ କମାଇଥିଲା । ଯଦିଓ ଏହା ପରଠାରୁ ଧୀରେ ଧୀରେ ଏହାକୁ ୬.୫ ପ୍ରତିଶତକୁ ବୃଦ୍ଧି କରାଯାଇଥିଲା । ଶେଷ ଥର ୨୦୨୩ ଫେବୃୟାରୀରେ ରେପୋ ବୃଦ୍ଧି ହୋଇଥିଲା ।
ପାଞ୍ଚ ବର୍ଷ ପରେ ଖସିଲା ରେପୋ ରେଟ୍ । ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋ ରେଟ୍ ହ୍ରାସ କରି ମଧ୍ୟବିତ୍ତ ବର୍ଗଙ୍କୁ ବଡ଼ ଆଶ୍ୱସ୍ତି ଦେଇଛି । RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା ଘୋଷଣା କରିଛନ୍ତି ଯେ ମୁଦ୍ରା ନୀତି କମିଟି (ମନିଟାରୀ ପଲିସି କମିଟି) ବେଞ୍ଚମାର୍କ ରେପୋ ରେଟରେ ୨୬ ବେସିକ୍ ପଏଣ୍ଟ ହ୍ରାସ କରିଛି । ଫଳରେ ବର୍ତ୍ତମାନର ରେପୋ ରେଟ୍ ଏବେ ୬.୨୫ ପ୍ରତିଶତ ହୋଇଯାଇଛି ।
RBI ଗଭର୍ଣ୍ଣର ସଞ୍ଜୟ ମଲହୋତ୍ରା କହିଛନ୍ତି, ମୁଦ୍ରା ନୀତି କମିଟି ବୈଠକରେ ଆର୍ଥିକ ବିକାଶ ଉପରେ ଆଲୋଚନା ହୋଇଥିଲା । ଆମେ ବୈଠକରେ ନିଷ୍ପତ୍ତି ନେଇଛୁ, ରେପୋ ରେଟ୍ ହ୍ରାସ କରାଯାଉଛି । ଏବେ ରେପୋ ରେଟ୍ ୬.୫୦ରୁ ୬.୨୫କୁ ହ୍ରାସ କରାଯାଉଛି । ରେପୋ ରେଟ୍ ହ୍ରାସ ପରେ ଏବେ ଆପଣଙ୍କ ଋଣର EMI କମିଯିବ ।
ବିଶ୍ୱ ଅର୍ଥନୀତି ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି । ଏହା ସହିତ ବିଶ୍ୱ ସ୍ତରରେ ମୁଦ୍ରାସ୍ଫୀତି ମଧ୍ୟ ବୃଦ୍ଧି ପାଉଛି । ସେପଟେ ଫେଡେରାଲ ରିଜର୍ଭ ବ୍ୟାଙ୍କ ରେଟରେ ଅନେକ ଥର ହ୍ରାସ କରିଛି । ଜିଓ ପଲିଟିକାଲ୍ ଟେନସନ ମଧ୍ୟ ବୃଦ୍ଧି ପାଉଛି, ଯେଉଁ କାରଣରୁ ସମଗ୍ର ବିଶ୍ୱର ଅର୍ଥନୀତି ଉପରେ ପ୍ରଭାବ ପଡ଼ୁଛି । ଭାରତୀୟ ଟଙ୍କା ଏବେ ଚାପରେ ଅଛି । ରିଜର୍ଭ ବ୍ୟାଙ୍କ ସମ୍ମୁଖରେ ଅନେକ ବଡ଼ ଚ୍ୟାଲେଞ୍ଜ ରହିଛି ବୋଲି ଗଭର୍ଣ୍ଣର କହିଛନ୍ତି ।
ଭାରତୀୟ ରିଜର୍ଭ ବ୍ୟାଙ୍କ ସୁଧ ହାର ୬.୫୦% ରୁ ୬.୨୫%କୁ ହ୍ରାସ କରିଛି । ଏବେ ଆପଣଙ୍କର ସମସ୍ତ ଋଣ ଶସ୍ତା ହୋଇପାରିବ ଏବଂ EMI ମଧ୍ୟ ହ୍ରାସ ପାଇବ । ସକାଳ ୧୦ଟାରେ ମୁଦ୍ରା ନୀତି କମିଟି (MPC)ରେ ନିଆଯାଇଥିବା ଏହି ନିଷ୍ପତ୍ତି ବିଷୟରେ RBI ଗଭର୍ଣ୍ଣର ସୂଚନା ଦେଇଛନ୍ତି ।
Also read https://purvapaksa.com/petrol-diesel-price-today/