ଶ୍ରୀମନ୍ଦିରରେ ଭାରତୀୟ କ୍ରିକେଟର । ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କ ଦର୍ଶନ କଲେ ବରୁଣ ଚକ୍ରବର୍ତ୍ତୀ, ଅକ୍ଷର ପଟେଲ ଓ ୱାସିଂଟନ ସୁନ୍ଦର । ଏଥିପାଇଁ କଡା ସୁରକ୍ଷା ଗ୍ରହଣ କରାଯାଇଛି । ଏହି ୩ ଖେଳାଳୀ ଶ୍ରୀମନ୍ଦିର ସିଂହଦ୍ୱାରରେ ପହଞ୍ଚିବା ପରେ ଶ୍ରୀମନ୍ଦିର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ସେମାନଙ୍କୁ ସ୍ୱାଗତ କରାଯାଇଥିଲା । ସେମାନେ ଶ୍ରୀମନ୍ଦିର ସିଂହଦ୍ୱାର, ବାଇଶି ପାହାଚ ଦେଇ ବେହରଣ ଦ୍ୱାର ବାଟେ ପ୍ରବେଶ କରି ରତ୍ନସିଂହାସନସ୍ଥିତ ଚତୁର୍ଦ୍ଧାବିଗ୍ରହଙ୍କୁ ଦର୍ଶନ କରିଥିଲେ। ଦର୍ଶନ ସାରି ଫେରିବା ପରେ ବେଶ ଖୁସି ଥିଲେ ତିନି ଖେଳାଳି ।
ଆସନ୍ତାକାଲି ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ-ଇଂଲଣ୍ଡ ଦିନିକିଆ ମ୍ୟାଚ୍ । ବାରବାଟୀ ଦିନିକିଆ ମ୍ୟାଚ୍ ପାଇଁ ଗତକାଲି ଭୁବନେଶ୍ବରରେ ପହଞ୍ଚିଥିଲେ ଖେଳାଳି । ଟିମ୍ ଇଣ୍ଡିଆ ଓ ଇଂଲଣ୍ଡ କ୍ରିକେଟ ଦଳର ଖେଳାଳି ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ କରାଯାଇଥିଲା ଭବ୍ୟ ସ୍ୱାଗତ । ଭୁବନେଶ୍ବରରେ ପହଞ୍ଚିବା ପରେ ହୋଟେଲ୍ ଅଭିମୁଖେ ବାହାରିଥିଲେ ୨ଟି ଟିମ୍ର ଖେଳାଳି । ହୋଟେଲ ମେ ଫେୟରରେ ଉଭୟ ଦଳର ଖେଳଳୀମାନଙ୍କ ପାଇଁ ରହିବା ବ୍ୟବସ୍ଥା ହୋଇଛି । ହୋଟେଲର 98ଟି ରୁମ୍ ବୁକ୍ ହୋଇଥିବା ଜଣାଯାଇଛି । ଖେଳାଳିଙ୍କୁ ପାଖରେ ପାଇ ଉତ୍ସାହିତ ଥିଲେ ଫ୍ୟାନସ ଓ ପ୍ରଶଂସକ ।
ଖେଳାଳିମାନଙ୍କ ସୁରକ୍ଷା ପାଇଁ କମିସନରେଟ୍ ପୋଲିସ ପକ୍ଷରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ସୁରକ୍ଷା ପାଇଁ ୫୦ ପ୍ଲାଟୁନ ପୋଲିସ ମୁତୟନ ହେବେ । କାଲି ଉଭୟ ଦଳର ଖେଳାଳି ଅଭ୍ୟାସ ପାଇଁ ବସରେ ବାରବାଟୀ ଷ୍ଟାଡିୟମ ଯିବେ । ଏଥିପାଇଁ ପୂରା ରୁଟ ଲାଇନିଂ ବ୍ୟବସ୍ଥା ହୋଇଛି । ରାସ୍ତାରେ ଯେଭଳି କୌଣସି ଟ୍ରାଫିକ ସମସ୍ୟା ନ ହେବ ସେଥିପାଇଁ ବ୍ୟବସ୍ଥା କରାଯାଇଛି ।
Also read https://purvapaksa.com/state-today-beneficiaries-will-get-subhadra-money/