Odisha Railway Budget: ୨୦୨୫ କେନ୍ଦ୍ର ବଜେଟରେ ଓଡ଼ିଶାରେ ରେଳବାଇ ପାଇଁ ୧୦,୫୯୯ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ସୋମବାର ଅପରାହ୍ନରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଘୋଷଣା କରିଛନ୍ତି।
ବ୍ୟୟବରାଦ ଘୋଷଣା କରି ରେଳମନ୍ତ୍ରୀ କହିଛନ୍ତି, ଗତ ୧୦ ବର୍ଷ ମଧ୍ୟରେ ଓଡ଼ିଶାରେ ୨୦୪୬ଟି ନୂଆ ଟ୍ରାକ୍ ନିର୍ମାଣ କରାଯାଇଛି, ଯାହା ମାଲେସିଆର ସମସ୍ତ ଟ୍ରାକ୍ଠାରୁ ଅଧିକ। ଓଡ଼ିଶାରେ ଏବେ ୬ଟି ବନ୍ଦେ ଭାରତ ଟ୍ରେନ୍ ଚଳାଚଳ କରୁଛି। ଏହାବ୍ୟତୀତ ଓଡ଼ିଶାରେ ୭୫ ହଜାର କୋଟି ଟଙ୍କାର ରେଳ ପ୍ରକଳ୍ପ ଚାଲିଛି। ଉନ୍ନତ ନିରାପତ୍ତା ପାଇଁ ଓଡ଼ିଶାର ୧୮୯୮ କିଲୋମିଟର ଟ୍ରାକରେ କବଚ ଟେକ୍ନୋଲୋଜି କାର୍ୟ୍ୟକାରୀ ହୋଇଛି।
ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଉପରେ ଧ୍ୟାନ ଦେଉଛନ୍ତି, ଯେଉଁଥିରେ ରେଳ କ୍ଷେତ୍ରରେ ୭୮,୦୦୦ କୋଟି ଟଙ୍କାର ନୂତନ ପୁଞ୍ଜିନିବେଶ ହୋଇଛି ଏବଂ ଗତ ଜୁଲାଇରୁ ୨୦,୦୦୦ କୋଟି ଟଙ୍କାର ପ୍ରକଳ୍ପ ମଞ୍ଜୁର ହୋଇଛି।
ବର୍ତ୍ତମାନ ଅମୃତ ଭାରତ ଯୋଜନାରେ ୫୯ଟି ନୂଆ ରେଳ ଷ୍ଟେସନ ଉପରେ କାମ ଚାଲିଛି। କୋଲକାତାରୁ ଚେନ୍ନାଇ ପର୍ଯ୍ୟନ୍ତ ୪ ଲେନ୍ ଟ୍ରାକ୍ ଥିବାବେଳେ ବିଶାଖାପାଟଣା ପର୍ଯ୍ୟନ୍ତ ୩ ଲେନ୍ ଟ୍ରାକ୍ ପ୍ରାୟ ଶେଷ ହୋଇଛି।
୨୦୨୪ରେ ଓଡ଼ିଶାକୁ ରେଳବାଇ ପାଇଁ ୧୦,୫୮୬ କୋଟି ଟଙ୍କା ମିଳିଥିବାବେଳେ ୨୦୨୩ରେ ରାଜ୍ୟକୁ ୧୦,୦୧୨ କୋଟି ଟଙ୍କା ମିଳିଥିବାବେଳେ ଏବେ ଏହି ଅଞ୍ଚଳରେ ଶତ ପ୍ରତିଶତ ବିଦ୍ୟୁତୀକରଣ ସରିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗତ ବର୍ଷ ତୁଳନାରେ ଚଳିତ ବର୍ଷ ମାତ୍ର ୧୩ କୋଟି ଅଧିକ ଟଙ୍କା ମିଳିଛି।
ଫେବ୍ରୁଆରି ପହିଲାରେ କେନ୍ଦ୍ର ବଜେଟ୍ ପ୍ରକାଶ ପାଇବା ପରେ କେନ୍ଦ୍ରମନ୍ତ୍ରୀ ଆସନ୍ତା ୨ରୁ ୩ ବର୍ଷ ମଧ୍ୟରେ ୨୦୦ଟି ନୂଆ ବନ୍ଦେ ଭାରତ ଟ୍ରେନ୍, ୧୦୦ଟି ଅମୃତ ଭାରତ ଟ୍ରେନ୍, ୫୦ଟି ନମୋ ଭାରତ ରାପିଡ୍ ଟ୍ରେନ୍ ଏବଂ ୧୭,୫୦୦ ସାଧାରଣ ନନ୍-ଏସି କୋଚ୍’ ପାଇଁ ଯୋଜନା ଘୋଷଣା କରିଥିଲେ। କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ରେଳ ମନ୍ତ୍ରାଳୟ ପାଇଁ ୨,୫୨,୦ କୋଟି ଟଙ୍କାର ମୋଟ ବଜେଟ୍ ସହାୟତା ମଞ୍ଜୁର କରିଥିବାରୁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ଚଳିତ ବର୍ଷ ବଜେଟରେ ରେଳ ଭିତ୍ତିଭୂମି ପ୍ରକଳ୍ପ ପାଇଁ ୪,୬୦,୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ସୁରକ୍ଷା ଉନ୍ନତି କରଣ ପାଇଁ ୧,୧୬,୦୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଲୋକସଭାରେ ବଜେଟ୍ ଆଗତ ହେବା ପରେ ବୈଷ୍ଣବ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ଉପସ୍ଥାପିତ ବଜେଟ୍ ନିବେଶ ମାଧ୍ୟମରେ ରୋଜଗାର ସୃଷ୍ଟି କରିବା ଏବଂ ମଧ୍ୟବିତ୍ତଙ୍କ ପାଇଁ ଆୟକର ବୋଝକୁ ବହୁ ମାତ୍ରାରେ ହ୍ରାସ କରିବା।
୨୦୨୫-୨୬ ବଜେଟ୍ ଆକଳନରେ ଷ୍ଟ୍ରାଟେଜିକ୍ ଲାଇନ୍ ଅପରେସନ୍ରୁ ହୋଇଥିବା କ୍ଷତି ଭରଣା ପାଇଁ ୨,୭୩୯.୧୮ କୋଟି ଟଙ୍କା ପ୍ରସ୍ତାବ ଦିଆଯାଇଛି, ଯାହା ପୂର୍ବ ଆର୍ଥିକ ବର୍ଷର ସଂଶୋଧିତ ଆକଳନରେ ୨,୬୦୨.୮୧ କୋଟି ଟଙ୍କା ଥିଲା। ଏହାବ୍ୟତୀତ ଜାତୀୟ ପ୍ରକଳ୍ପ ଉପରେ ବଜାର ଋଣ ପରିଶୋଧ ପାଇଁ ୭୦୬ କୋଟି ଟଙ୍କା ପ୍ରଦାନ କରାଯାଇଛି।
ନିରନ୍ତରତା ବିଷୟରେ ରେଳମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଭାରତୀୟ ରେଳବାଇ ୨୦୨୫-୨୬ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଶତ ପ୍ରତିଶତ ବିଦ୍ୟୁତୀକରଣ ହାସଲ କରିବ। ଏହାବ୍ୟତୀତ ବଜେଟରେ ଅଣ-ଜୀବାଶ୍ମ ଶକ୍ତିର ଉତ୍ସ ଭାବରେ କ୍ଷୁଦ୍ର ମଡ୍ୟୁଲାର ରିଏକ୍ଟର ଘୋଷଣା କରାଯାଇଥିବାରୁ ଭାରତୀୟ ରେଳବାଇ ବିଦ୍ୟୁତୀକରଣ ପ୍ରୟାସରେ ଅଗ୍ରଣୀ ଭୂମିକା ଗ୍ରହଣ କରିବ।
