ମହାକୁମ୍ଭକୁ ଯିବା ପାଇଁ ବିମାନ ଟିକେଟ ହେଲା ଶସ୍ତା । ସରକାରଙ୍କ ଆଗ୍ରହ ପରେ ଏୟାରଲାଇନ୍ସ କମ୍ପାନୀ ପ୍ରୟାଗରାଜ ରୁଟରେ ଚାଲଉଥିବା ବିମାନ ଟିକେଟ ଦାମ୍ ଶସ୍ତା କରିଦେଇଛନ୍ତି । ଇଣ୍ଡିଗୋ ମହାକୁମ୍ଭ ପାଇଁ ପ୍ରୟାଗରାଜକୁ ଯାଉଥିବା ଯାତ୍ରୀଙ୍କୁ ଆଶ୍ବସ୍ତି ଦେଇଛି । ଇଣ୍ଡିଗୋ ପ୍ରୟାଗରାଜ ରୁଟରେ ବିମାନ ଟିକେଟ ୩୦ରୁ ୫୦ ପ୍ରତିଶତ ଶସ୍ତା କରିଛି ।
ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରୟାଗରାଜକୁ ବିମାନ ଭଡ଼ା ଅଧିକ ମହଙ୍ଗା ହୋଇଥିବା କହିବା ପରେ ଇଣ୍ଡିଗୋ ଦାମ୍ ହ୍ରାସ କରିଛି । ମନ୍ତ୍ରୀଙ୍କ ତତ୍ତ୍ବାବଧାନରେ ଡିଜିସିଏ ଟିକେଟ ଦାମ୍ କମ୍ କରିବା ପାଇଁ ପଦକ୍ଷେପ ନେଇଛି । ମହାକୁମ୍ଭ ପାଇଁ ଅଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରୟାଗରାଜ ଯାଉଛନ୍ତି । ଏହା ଦେଖି ସମସ୍ତ ଏୟାରଲାଇନ୍ସ ନିଜ ନିଜ ଟିକେଟ ଦାମ୍ ବଢାଇଦେଇଥିଲେ । କିନ୍ତୁ ସରକାରଙ୍କ ପଦକ୍ଷେପ ପରେ ଏବେ ଏୟାରଲାଇନ୍ସ କମ୍ପାନୀ ଟିକେଟ ଦାମ୍ ହ୍ରାସ କରିଛନ୍ତି । ଏବେ ଇଣ୍ଡିଗୋ ପରେ ଅନ୍ୟ ଏୟାରଲାଇନ୍ସ ମଧ୍ୟ ଟିକେଟ ଦାମ୍ ହ୍ରାସ କରିପାରନ୍ତି ।
ତେଣୁ ଭାରତର ସବୁଠୁ କମ୍ ବଜେଟ ଏୟାରଲାଇନ୍ ଇଣ୍ଡିଗୋ ପ୍ରୟାଗରାଜକୁ ଯାଉଥିବା ବିମାନ ଟିକେଟ ଦାମ୍ ୩୦ରୁ ୫୦ ପ୍ରତିଶତ ଶସ୍ତା ହୋଇଛି । ଯଦି ଆପଣ ପ୍ରୟାଗରାଜ ଯିବାକୁ ଚାହୁଁଛନ୍ତି, ତେବେ ଇଣ୍ଡିଗୋ ବିମାନର ଫାଇଦା ଉଠାଇପାରିବେ । ଦିଲ୍ଲୀରୁ ପ୍ରୟାଗରାଜ ଯାଉଥିବା ବିମାନ ୨ ଫେବୃଆରୀରେ ୧୩,୫୧୩ ଟଙ୍କା ରହିଛି । ସେହିପରି ୩ ଫେବୃଆରୀରୁ ବିମାନ ଟିକେଟ ଦାମ୍ ୨୦,୬୦୬ ଟଙ୍କା ରହିଛି ।
ସୂଚନାଯୋଗ୍ୟ, ବିମାନ ଯାତ୍ରୀଙ୍କ ଚାହିଦାକୁ ଦେଖି ଚଳିତ ମାସରେ ଦେଶର ବିଭିନ୍ନ ସ୍ଥାନରୁ ପ୍ରୟାଗରାଜକୁ ୮୧ଟି ଅଧିକ ବିମାନ ଚଳାଚଳ ପାଇଁ ଅନୁମତି ଦେଇଥିଲେ DGCA । ଏବେ ଦିନକୁ ପ୍ରୟାଗରାଜକୁ ୧୩୨ଟି ବିମାନ ଚଳାଚଳ କରୁଛି । ତଥାପି ଯାତ୍ରୀଙ୍କ ଚାହିଦା ଅଧିକ ଥିବାକୁ ଏୟାରଲାଇନ୍ସ କମ୍ପାନୀମାନେ ଭଡ଼ା ଅହେତୁକ ଭାବେ ବଢ଼ାଇ ଦେଇଥିଲେ । ଫେବ୍ରୁଆରୀ ୨ରେ ବସନ୍ତ ପଞ୍ଚମୀ, ଫେବ୍ରୁଆରୀ ୧୨ରେ ମାଘ ପୂର୍ଣ୍ଣିମା ଓ ଫେବ୍ରୁଆରୀ ୨୬ରେ ମହାଶିବରାତ୍ରୀ ପଡ଼ୁଥିବାରୁ ପ୍ରୟାଗରାଜରେ ଭକ୍ତଙ୍କ ଭିଡ଼ ବଢ଼ିବ । ୧୩ ଜାନୁଆରୀରୁ ଆରମ୍ଭ ହୋଇଥିବା ମହାକୁମ୍ଭ ମେଳା ଆସନ୍ତା ୪୫ ଦିନ ଯାଏଁ ଚାଲିବ ।
ଚେନ୍ନାଇରୁ ପ୍ରୟାଗରାଜ ଟିକେଟ୍ ଦାମ ୫୩,୦୦୦ ହୋଇଥିବା ବେଳେ ହାଇଦ୍ରାବାଦ, ମୁମ୍ବାଇ, ଦିଲ୍ଲୀରୁ ୪୭,୫୦୦ ଟଙ୍କା ଓ ବେଙ୍ଗାଲୁରୁରୁ ପ୍ରୟାଗରାଜକୁ ବିମାନ ଭଡ଼ା ୫୧,୦୦୦ ଟଙ୍କା ରଖିଛନ୍ତି ବିଭିନ୍ନ ଏୟାର ଲାଇନ୍ସ । ପ୍ରୟାଗରାଜକୁ ପ୍ରାୟ ସମସ୍ତ ଟିକେଟ ବୁକ ହୋଇଯାଇଥିବା ବେଳେ ବଳକା ଥିବା ଟିକେଟ ଦର ଆକାଶ ଛୁଆଁ ହୋଇଥିଲା । ଭୁବନେଶ୍ବରରୁ ପ୍ରୟାଗରାଜକୁ ବିମାନ ଭଡ଼ା ୪୧,୫୦୦ ଟଙ୍କା ରହିଥିଲା ।
Also read https://purvapaksa.com/opened-in-the-cutter-is-the-first-automated-vehicle-fitter-nessing-center/
କଟକରେ ଖୋଲିଲା ଓଡ଼ିଶାର ପ୍ରଥମ ସ୍ୱୟଂଚାଳିତ ଯାନ ଫିଟନେସ୍ ଟେଷ୍ଟିଂ ସେଣ୍ଟର