Mughal Budget: ହୁମାୟୁନଙ୍କ ପରେ ଆକବର କ୍ଷମତାକୁ ଆସିବା ପରେ ମୋଗଲ ଯୁଗର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଥିଲା। ଆକବରଙ୍କ ଶାସନ କାଳରେ ଦକ୍ଷିଣ ଏସିଆରେ ଉତ୍ପାଦନ ବୃଦ୍ଧି ପାଇଥିଲା। ମୋଗଲ କାଳରେ ଭାରତରେ ନୂଆ ଫସଲ ଉତ୍ପାଦନ ମଧ୍ୟ ବାହାରୁ ଆଣି ଆରମ୍ଭ ହୋଇଥିଲା। ମୋଗଲ ଶାସନ ସମୟରେ ଜମି ଓ ଏହାର ଉତ୍ପାଦନ ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଟିକସ ନିର୍ଦ୍ଧାରଣ କରାଯାଉଥିଲା ଏବଂ ସେହି ଅନୁଯାୟୀ ବଜେଟ୍ ନିର୍ଦ୍ଧାରଣ କରାଯାଉଥିଲା।
ଆଉ କିଛିଦିନ ପରେ କେନ୍ଦ୍ର ବଜେଟ୍ ଆସିବ। ଏମିତିରେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବ ଯେ, ଆଜିଠାରୁ ତିନି,ଚାରି ଶତାବ୍ଦୀ ତଳେ ଭାରତରେ ବଜେଟ୍ କେମିତି ତିଆରି ହେଉଥିଲା। ବିଶେଷକରି ମୋଗଲ ଶାସନ କାଳରେ ଭାରତରେ କେମିତି ବଜେଟ୍ ପ୍ରସ୍ତୁତ ହେଉଥିଲା? ଆସନ୍ତୁ ଆଜି ଏହାର ଉତ୍ତର ଖୋଜିବା।
ମୋଗଲ ଅମଳରେ କେମିତି ତିଆରି ହେଉଥିଲା ବଜେଟ୍?
ଭାରତରେ ମୋଗଲ ଶାସନ ପ୍ରତିଷ୍ଠାର ଶ୍ରେୟ ବାବରଙ୍କୁ ଯାଇଥାଏ। ୧୫୨୬ ମସିହାରେ ଜାହିରୁଦ୍ଦିନ ମହମ୍ମଦ ବାବର ପାନିପଥ ଯୁଦ୍ଧରେ ସୁଲତାନ ଇବ୍ରାହିମ ଲୋଦିଙ୍କୁ ପରାସ୍ତ କରି ମୋଗଲ ଶାସନର ମୁଳଦୁଆ ରଖିଥିଲେ। ଏହି ଯୁଦ୍ଧରେ ପ୍ରଥମ ଥର ପାଇଁ ବାବର ବାରୁଦ ବ୍ୟବହାର କରିଥିଲେ। ବାବରଙ୍କ ପରେ ତାଙ୍କ ପୁତ୍ର ହୁମାୟୁନ୍ ସିଂହାସନରେ ବସିଥିଲେ କିନ୍ତୁ ତାଙ୍କର ଅଧିକାଂଶ ସମୟ ଯୁଦ୍ଧରେ କଟିଥିଲା। ହୁମାୟୁନଙ୍କ ପରେ ଆକବର କ୍ଷମତାକୁ ଆସିବା ପରେ ମୋଗଲ ଯୁଗର ସୁବର୍ଣ୍ଣ ଯୁଗ ଆରମ୍ଭ ହୋଇଥିଲା। ଆକବରଙ୍କ ଅମଳରେ ପ୍ରକୃତ ଶାସନ ବ୍ୟବସ୍ଥା ପ୍ରଚଳନ କରାଯାଇଥିଲା, ଯେଉଁଥିରେ ଏକ ସାମାଜିକ ଏବଂ ଅର୍ଥନୈତିକ ବ୍ୟବସ୍ଥା ଅନ୍ତର୍ଭୁକ୍ତ ଥିଲା। ଆସନ୍ତୁ ଜାଣିବା ମୋଗଲଙ୍କ ଅର୍ଥନୀତି କେମିତି ଥିଲା? ସେମାନଙ୍କ ଆୟର ସ୍ରୋତ କଣ ଥିଲା ଏବଂ ଏହାକୁ କେଉଁଠାରେ ଖର୍ଚ୍ଚ କରୁଥିଲେ?
ବିଶ୍ୱର ସର୍ବବୃହତ ଅର୍ଥନୀତି
ମୋଗଲ ଶାସନ କାଳରେ, ବିଶେଷ କରି ଆକବରଙ୍କ ଶାସନ କାଳରେ ଦକ୍ଷିଣ ଏସିଆରେ ଉତ୍ପାଦନ ବୃଦ୍ଧି ପାଇଥିଲା। ଏହି ସମୟ ମଧ୍ୟରେ ବିଶ୍ୱର ୨୮ ପ୍ରତିଶତ ଶିଳ୍ପ ଉତ୍ପାଦନ ଭାରତରେ ହେଉଥିଲା। ଅଷ୍ଟାଦଶ ଶତାବ୍ଦୀବେଳକୁ ଭାରତର ବୟନଶିଳ୍ପ, ଜାହାଜ ନିର୍ମାଣ ଏବଂ ଇସ୍ପାତ ରପ୍ତାନି ଯଥେଷ୍ଟ ବୃଦ୍ଧି ପାଇଥିଲା ଏବଂ ଅର୍ଥନୀତି ରପ୍ତାନିଭିତ୍ତିକ ହୋଇଥିଲା।
ସପ୍ତଦଶ ଶତାବ୍ଦୀର ଶେଷ ବେଳକୁ ମୋଗଲ ଭାରତର ଅର୍ଥନୀତି ବିଶ୍ୱର ବୃହତ୍ତମ ଅର୍ଥନୀତି ପାଲଟିଥିଲା। ଆଜି ଆମେରିକାର ସ୍ଥାନ ଯେଉଁଠି ସେତେବେଳେ ଭାରତର ସ୍ଥାନ ସେଇଠି ଥିଲା। ଯାହା ୟୁରୋପକୁ ଆଶ୍ଚର୍ଯ୍ୟ ଚକିତ କରିଥିଲା। ଶେଡ଼ଷ ଶତାବ୍ଦୀ ପରଠାରୁ ବିଶ୍ୱ ଅର୍ଥନୀତିରେ ଭାରତର ଅଂଶ ୨୨.୭ ପ୍ରତିଶତକୁ ବୃଦ୍ଧି ପାଇଥିଲା, ଯାହା ଚୀନ୍କୁ ପଛରେ ପକାଇ ମୋଟ ଘରୋଇ ଉତ୍ପାଦ (ଜିଡିପି) ସହିତ ବିଶ୍ୱର ସର୍ବବୃହତ୍ ଅର୍ଥନୀତି ରେ ପରିଣତ ହୋଇଥିଲା। ଏହି ୨୨ ପ୍ରତିଶତ ଜିଡିପିରେ ବଙ୍ଗଳାର ଯୋଗଦାନ ୧୨ ପ୍ରତିଶତ ରହିଥିଲା। ଯାହା ସେତେବେଳର ଭାରତର ସବୁଠାରୁ ବିକଶିତ ରାଜ୍ୟ ଥିଲା।
କୃଷିଭିତ୍ତିକ ଅର୍ଥନୀତି
୧୫୨୬ରୁ ୧୮୫୭ ପର୍ଯ୍ୟନ୍ତ ମୋଗଲ ଶାସନ କାଳରେ ଶିଳ୍ପ ଉତ୍ପାଦନ ବୃଦ୍ଧି ପାଇଥିଲା, କିନ୍ତୁ ଅର୍ଥନୀତି ମୁଖ୍ୟତଃ କୃଷି ଉପରେ ଆଧାରିତ ଥିଲା। ସେହି ସମୟରେ କୃଷକମାନଙ୍କୁ ରୟତ କୁହାଯାଉଥିଲା। ବେଳେବେଳେ ସେମାନଙ୍କ ପାଇଁ ‘କୃଷକ’ ଓ ‘ଆସାମୀ’ ଶବ୍ଦ ମଧ୍ୟ ବ୍ୟବହୃତ ହେଉଥିଲା। ସେତେବେଳେ ଦୁଇପ୍ରକାର ଚାଷୀ ଥିଲେ। ନିଜ ଜମିରେ ସ୍ୱୟଂ ଚାଷ କରୁଥିବା ଚାଷୀଙ୍କୁ-ଖୁଦ କସ୍ତ କୁହାଯାଉଥିଲା ଏବଂ ଭାଗ ଚାଷୀଙ୍କୁ ପାହି କସ୍ତ କୁହାଯାଉଥିଲା, ଯିଏ କି ଅନ୍ୟ ଗାଁ’ରୁ ଆସି ଠିକାରେ ଜମି ନେଇ ଫସଲ ଉତ୍ପାଦନ କରୁଥିଲେ। ଜମିଦାରୀ ପ୍ରଥା ମଧ୍ୟ ପ୍ରଚଳିତ ଥିଲା ଏବଂ ଜମିଦାରମାନେ କୃଷିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲେ। ସେମାନେ ଚାଷ ପାଇଁ ନିଜ ଜମିକୁ ରୟତଙ୍କୁ ଦେଉଥିଲେ। ବଦଳରେ ଫସଲର ଗୋଟିଏ ଭାଗ ନେଉଥିଲେ।
ଫସଲ ଉପରେ ଏଭଳି ଭାବେ ଟିକସ ଆଦାୟ କରାଯାଉଥିଲା
ମୋଗଲ ଶାସନ ସମୟରେ କର ରାଜସ୍ୱର ମେରୁଦଣ୍ଡ ଥିଲା। ଏହାକୁ ଜମା ଏବଂ ହାସିଲ ବୋଲି କୁହାଯାଉଥିଲା। ଏହା ନିର୍ଦ୍ଧାରିତ ଏବଂ ଆଦାୟ ହୋଇଥିବା ଟିକସ ପରିମାଣ ଉପରେ ଆଧାରିତ ଥିଲା। ତେବେ ସବୁ ପ୍ରକାର ଜମି ଉପରେ ଟିକସ ଆଦାୟ ବ୍ୟବସ୍ଥା ସମାନ ନ ଥିଲା। ଭଲ ଅମଳ ଜମି ଥିବା ଚାଷୀଙ୍କୁ ଅଧିକ ଟିକସ ଦେବାକୁ ପଡ଼ୁଥିଲା।
ଉର୍ବର ଓ ଜଳସେଚନ ସୁବିଧା ଥିବା ଜମିରେ ବର୍ଷସାରା ଚାଷ ହେଉଥିବାରୁ ଅଧିକ ଟିକସ ଆଦାୟ କରାଯାଉଥିଲା। ଅନ୍ୟପକ୍ଷରେ ଏକ ଫସଲି ଜମି ଉପରେ କମ କର ଲାଗୁ ହେଉଥିଲା।
ମୋଗଲଙ୍କ ବଜେଟ୍ କେମିତି ତିଆରି ହେଉଥିଲା?
ମୋଗଲ ଶାସନ ସମୟରେ ଜମି ଓ ଏହାର ଉତ୍ପାଦନ ସମ୍ପର୍କରେ ତଥ୍ୟ ସଂଗ୍ରହ କରି କର ନିର୍ଦ୍ଧାରଣ କରାଯାଉଥିଲା ଏବଂ ସେହି ଅନୁଯାୟୀ ବଜେଟ୍ ନିର୍ଦ୍ଧାରଣ କରାଯାଉଥିଲା। ଆକବରଙ୍କ ଶାସନ କାଳରେ କୃଷକମାନଙ୍କୁ ଅଧିକରୁ ଅଧିକ ନଗଦ ଟଙ୍କା ଦେବାକୁ ଆଦେଶ ଦିଆଯାଇଥିଲା । ତେବେ ଫସଲ ଉତ୍ପାଦନ ଆକାରରେ ଦେୟ ଦେବାର ବିକଳ୍ପ ମଧ୍ୟ ଖୋଲା ରହିଥିଲା।
ଶାସକ ଟିକସ ଆଦାୟର ଅଧିକ ଅଂଶ ନିଜ ପାଖରେ ରଖିବାକୁ ଚେଷ୍ଟା କରୁଥିଲେ। ତେବେ ଅନେକ ସମୟରେ ପରିସ୍ଥିତି ଯୋଗୁଁ କର ଆଦାୟ ମଧ୍ୟ ପ୍ରଭାବିତ ହୋଇଥିଲା। ଉଦାହରଣସ୍ୱରୂପ ମରୁଡ଼ି କିମ୍ବା ଦୁର୍ଭିକ୍ଷ ସମୟରେ କର ଆଦାୟ ବାଧାପ୍ରାପ୍ତ ହେଉଥିଲା। କର ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ଆକବର ତାଙ୍କ ଶାସନ କାଳରେ ଜମି ସର୍ବେକ୍ଷଣ କରିଥିଲେ। ଅବୁଲ ଫଜଲ ଆଇନରେ ଜମିର ସଂଖ୍ୟା ରେକର୍ଡ କରିଥିଲେ। ୧୬୬୫ ମସିହାରେ ଔରଙ୍ଗଜେବ ତାଙ୍କ ରାଜସ୍ୱ ବିଭାଗର କର୍ମଚାରୀମାନଙ୍କୁ ପ୍ରତ୍ୟେକ ଗାଁ’ରେ କେତେ ଚାଷୀ ଅଛନ୍ତି ତାହାର ବାର୍ଷିକ ହିସାବ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ତଥାପି ଜଙ୍ଗଲ ଅଞ୍ଚଳର ସର୍ଭେ କରାଯାଇନଥିଲା।
ନୂଆ ଫସଲରୁ ମୋଗଲଙ୍କ ଆୟ
ମୋଗଲ କାଳରେ ବିଦେଶରୁ ଆସିଥିବା ମକା, ଆଳୁ, ଲାଲ ଗୋଲମରିଚ ଓ ତମାଖୁ ଭଳି ଚାଷ ଆରମ୍ଭ ହୋଇଥିଲା। ଏଥିରୁ କୃଷକମାନେ ଲାଭବାନ ହୋଇଥିବାବେଳେ ସରକାରଙ୍କୁ ଅଧିକ କର ମଧ୍ୟ ମିଳୁଥିଲା। ଚାଷ ବ୍ୟତୀତ ବ୍ୟବସାୟରୁ ମଧ୍ୟ ଟିକସ ଆଦାୟ କରାଯାଉଥିଲା। ସେହି ସମୟରେ ଟିଣ ଓ ତମ୍ବା, ଔଷଧ, ଘୋଡ଼ା, ହାତୀଦାନ୍ତ ଭଳି ସାମଗ୍ରୀ ଆମଦାନୀ କରି ରପ୍ତାନି କରାଯାଉଥିଲା।
ମୋଗଲ ଶାସନ କାଳରେ ରୁପା ଓ ସୁନା ଆମଦାନୀ ବୃଦ୍ଧି ପାଇଥିଲା। ସୁରଟ, କୋଚିନ ଏବଂ ମସୁଲିପାଟନମ୍ ଭଳି ସହରରେ ବାଣିଜ୍ୟ କମ୍ପାନିମାନେ ୟୁରୋପୀୟ କାରଖାନା ସ୍ଥାପନ କରିଥିଲେ, ଯାହା ୟୁରୋପ ସହିତ ପଶ୍ଚିମ ଏସିଆ, ପୂର୍ବ ଏସିଆ ଏବଂ ଆଫ୍ରିକା ସହିତ ଭାରତର ବାଣିଜ୍ୟ ଆରମ୍ଭ କରିଥିଲା। ସେହି ସମୟ ମଧ୍ୟରେ ଭାରତରୁ ରପ୍ତାନୀ ହେଉଥିବା ମୁଖ୍ୟ ଦ୍ରବ୍ୟ ଗୁଡ଼ିକ ହେଲା ଲୁଣ, କାଲିକୋ, ଶୁଖିଲା ଫଳ, କପା, ରେଶମ ଏବଂ ମସଲା।
ଜିଜିଆରୁ ମଧ୍ୟ ରୋଜଗାର ହେଉଥିଲା
ମୋଗଲ ଶାସନ କାଳରେ ଜିଜିଆରୁ ମଧ୍ୟ ରୋଜଗାର ହେଉଥିଲା। ଏହା ଏକ ପ୍ରକାର ସୁରକ୍ଷା ଶୁଳ୍କ ଥିଲା ଯାହା ମୁସଲମାନ ଶାସକମାନେ ଅଣମୁସଲମାନମାନଙ୍କଠାରୁ ଆଦାୟ କରୁଥିଲେ। ଏପରିକି ମୋଗଲ ଶାସନ କାଳରେ ଜିଜିଆ ଏକ ବାର୍ଷିକ ଟିକସ ବ୍ୟବସ୍ଥା ଥିଲା। ଭାରତରେ ଅଣମୁସଲମାନ, ବିଶେଷ କରି ହିନ୍ଦୁମାନଙ୍କଠାରୁ ଏହା ଆଦାୟ କରାଯାଉଥିଲା। ତେବେ ଏକାଦଶ ଶତାବ୍ଦୀରେ ଆଲାଉଦ୍ଦିନ ଖିଲଜୀ ଦିଲ୍ଲୀର ଶାସନ ଭାର ଗ୍ରହଣ କରିବା ପରେ ଆରମ୍ଭ ହୋଇଥିବା ଜିଜିଆ ପ୍ରଥାକୁ ଆକବର ଉଚ୍ଛେଦ କରିଥିଲେ। ଏହାପରେ ଜାହାଙ୍ଗୀର ଓ ଶାହାଜାହାଁଙ୍କ ସମୟରେ ମଧ୍ୟ ଏହାକୁ ନିଷିଦ୍ଧ କରାଯାଇଥିଲା। ଏହା ସତ୍ତ୍ୱେ ଶାହାଜାହାନଙ୍କ ଶାସନ କାଳରେ ମୋଗଲମାନଙ୍କ ଅର୍ଥନୀତି ଶୀର୍ଷରେ ପହଞ୍ଚିଥିଲା।
ତେବେ ଶାହାଜାହାନଙ୍କ ପରେ ଔରଙ୍ଗଜେବ ୧୬୭୯ ମସିହାରେ ଏହାକୁ ପୁନଃ ଲାଗୁ କରିଥିଲେ। ତଥାପି ବିପର୍ଯ୍ୟୟ ସମୟରେ ଏହି ଟିକସ ଆଦାୟ ହୋଇନଥିଲା। ଏହାବ୍ୟତୀତ ମହିଳା, ଶିଶୁ, ବୃଦ୍ଧ, ଭିନ୍ନକ୍ଷମ, ଅସୁସ୍ଥ, ବେକାର ଓ ବ୍ରାହ୍ମଣଙ୍କଠାରୁ ଜିଜିଆ ଆଦାୟ କରା ଯାଉନଥିଲା।
ଏମିତି ହେଉଥିଲା ଖର୍ଚ୍ଚ
ମୋଗଲ ଶାସନ କାଳରେ ସଂଗୃହୀତ କରକୁ ପ୍ରଶାସନିକ ବ୍ୟବସ୍ଥା ବଜାୟ ରଖିବା ପାଇଁ ଖର୍ଚ୍ଚ କରାଯାଉଥିଲା। କେବଳ ଦାନ, ଦରମା ଓ ପେନସନ ଖର୍ଚ୍ଚ ହେଉନଥିଲା ବରଂ ସାମ୍ରାଜ୍ୟ ସମ୍ପ୍ରସାରଣ ବା ବିଦ୍ରୋହ ଇତ୍ୟାଦିକୁ ଦମନ କରିବା ପାଇଁ ଯୁଦ୍ଧରେ ମଧ୍ୟ ଭଲ ପରିମାଣର ଅର୍ଥ ଖର୍ଚ୍ଚ କରାଯାଉଥିଲା। ତେଣୁ ସେନାର ଖର୍ଚ୍ଚ ଅଧିକ ଥିଲା। ରାଜକୋଷରୁ ଶାସକଙ୍କ ବିଳାସ ପାଇ ମଧ୍ୟ ଖର୍ଚ୍ଚ ହେଉଥିଲା। ରାଜ୍ୟର ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଦୁର୍ଗ ନିର୍ମାଣ କରାଯାଉଥିଲା। ଭବ୍ୟ ଅଟ୍ଟାଳିକା ନିର୍ମାଣରେ ସବୁଠାରୁ ଅଧିକ ଖର୍ଚ୍ଚ ଶାହାଜାହାଁଙ୍କ ଶାସନ କାଳରେ ହୋଇଥିଲା। ଦିଲ୍ଲୀର ଲାଲକିଲ୍ଲା, ଜାମା ମସଜିଦ, ଆଗ୍ରାର ତାଜମହଲ ନିର୍ମାଣଠାରୁ ଆରମ୍ଭ କରି ତଖତ-ଏ-ତୌସ ନିର୍ମାଣ ପର୍ଯ୍ୟନ୍ତ ମଧ୍ୟ ଶାହାଜାହାଁ ବହୁତ ଖର୍ଚ୍ଚ କରିଥିଲେ।
ବଜେଟରେ ଘରୋଇ ବ୍ୟବହାର ବୃଦ୍ଧି, ଆର୍ଥିକ ଦୁର୍ବଳ ବର୍ଗଙ୍କୁ ସାହାଯ୍ୟ ଉପରେ ଜୋର ଦେଇ ପାରନ୍ତି ସରକାର
