Donald Trump: ଆମେରିକାରେ ପୁଣିଥରେ ଏଲିୟନ ଶତ୍ରୁ ଆଇନକୁ ନେଇ ଚର୍ଚ୍ଚା ଜୋର ଧରିଛି। ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୨୫ ବର୍ଷ ପୁରୁଣା ଏହି ଆଇନକୁ ପୁନର୍ବାର ଲାଗୁ କରିବାକୁ ଧମକ ଦେଉଛନ୍ତି। ଏଭଳି ସ୍ଥିତିରେ ଆମେରିକାରେ ରହୁଥିବା ବେଆଇନ ପ୍ରବାସୀଙ୍କୁ ଦେଶାନ୍ତର କରିବା।
- ଟ୍ରମ୍ପ କେଉଁ ପୁରୁଣା ଆଇନକୁ ନେଇ ଧମକ ଦେଉଛନ୍ତି?
- କେତେ ପ୍ରବାସୀଙ୍କୁ ବହିଷ୍କାର କରାଯିବାର ଆଶଙ୍କା ରହିଛି।
- ଜାଣନ୍ତୁ ଏହି ୨୨୫ ବର୍ଷର ନିୟମର ରୋଚକ କାହାଣୀ।
ଆମେରିକାର ନୂଆ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ଗ୍ରହଣ କରିବାମାତ୍ରେ ବେଆଇନ ପ୍ରବାସୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ସଂକେତ ଦେଇ ସାରିଲେଣି। ଆବଶ୍ୟକ ପଡ଼ିଲେ ୨୨୫ ବର୍ଷ ପୁରୁଣା ଏଲିୟନ ଶତ୍ରୁ ଅଧିନିୟମ ଅନୁଯାୟୀ ସେ ବେଆଇନଭାବେ ଆମେରିକାରେ ରହୁଥିବା ବିଦେଶୀ ନାଗରିକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ତାଙ୍କ ଏକ ଭାଷଣରେ ସଙ୍କେତ ଦେଇଛନ୍ତି। ଟ୍ରମ୍ପ ତାଙ୍କ ଉଦଘାଟନୀ ଅଭିଭାଷଣରେ କହିଛନ୍ତି, ୧୭୯୮ର ଏଲିଏନ୍ ଆନିମିଟିଜ୍ ଆକ୍ଟ (ବିଦେଶୀ ଶତ୍ରୁ ଅଧିନିୟମ) ପ୍ରୟୋଗ କରି ମୁଁ ସଂଘ ଓ ରାଜ୍ୟର ଆଇନ ପ୍ରବର୍ତ୍ତନକାରୀଙ୍କୁ ସମ୍ପୂର୍ଣ୍ଣ କ୍ଷମତା ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେବି। ଆମେରିକା ମାଟିରେ ବିନାଶକାରୀ ଅପରାଧ ଘଟାଉଥିବା ସମସ୍ତ ବିଦେଶୀ ଗ୍ୟାଙ୍ଗ ଏବଂ ଅପରାଧିକ ନେଟୱାର୍କର ଉପସ୍ଥିତିକୁ ସମ୍ପୂର୍ଣ୍ଣଭାବେ ଲୋପ କରିବି।
ଆମେରିକା ଇମିଗ୍ରେଶନ-କଷ୍ଟମ୍ସ ଏନଫୋର୍ସମେଣ୍ଟ (ଆଇସିଇ) ପ୍ରାୟ ୧.୫ ନିୟୁତ ଲୋକଙ୍କ ପ୍ରତ୍ୟର୍ପଣ ପାଇଁ ତାଲିକା ପ୍ରସ୍ତୁତ କରିଛି। ଏମାନଙ୍କ ମଧ୍ୟରୁ ପ୍ରାୟ ୧୮,୦୦୦ ଭାରତୀୟ ଆମେରିକାରୁ ପ୍ରତ୍ୟାର୍ପଣ ହେବାର ଆଶଙ୍କା ରହିଛି। ଟ୍ରମ୍ପଙ୍କ ଏହି ପଦକ୍ଷେପଦ୍ୱାରା ଜାଣତ କିମ୍ବା ଅଜାଣତରେ ବେଆଇନଭାବେ ଆମେରିକାରେ ପ୍ରବେଶ କରିଥିବା ଭାରତୀୟଙ୍କ ସମେତ ବିଶ୍ୱର ଅନେକ ଦେଶର ନାଗରିକଙ୍କ ଚିନ୍ତା ବଢ଼ାଇ ଦେଇଛି। ତେବେ ଟ୍ରମ୍ପ ଯେଉଁ ଦୁଇଶହ ବର୍ଷ ପୁରୁଣା ଆଇନ କଥା କହିଛନ୍ତି, ଆସନ୍ତୁ ଜାଣିବା ସେହି ଆଇନ ବାବଦରେ।
ବିଦେଶୀ ଶତ୍ରୁ ଅଧିନିୟମ କ’ଣ, ଏଲିୟନ୍ସ ସହିତ ଏହାର ସମ୍ପର୍କ କ’ଣ?
୧୭୯୮ର ଏଲିୟନ ଶତ୍ରୁ ଆଇନ ହେଉଛି ଏକ ଯୁଦ୍ଧକାଳୀନ ଆଇନ ଯାହା ଆମେରିକା ରାଷ୍ଟ୍ରପତିଙ୍କୁ ଶତ୍ରୁ ରାଷ୍ଟ୍ରର ବାସିନ୍ଦା ଏବଂ ନାଗରିକମାନଙ୍କୁ ଅଟକ ରଖିବା କିମ୍ବା ପ୍ରତ୍ୟାର୍ପଣ କରିବାକୁ ଅନୁମତି ଦେଇଥାଏ। ଏହି ଆଇନରେ ରାଷ୍ଟ୍ରପତି ଏହି ପ୍ରବାସୀମାନଙ୍କୁ ବିନା ବିଚାରରେ ଏବଂ କେବଳ ସେମାନଙ୍କ ଜନ୍ମ ଦେଶ କିମ୍ବା ନାଗରିକତା ଆଧାରରେ ଆମେରିକାରୁ ବିତାଡ଼ିତ କିମ୍ବା ଅଟକ ରଖିବା ପାଇଁ ଆଦେଶ ଦେଇ ପାରିବେ।
୪ଟି ବିପଜ୍ଜନକ ଆଇନ ମଧ୍ୟରୁ ଅନ୍ୟତମ
ଏଲିୟନ ଏବଂ ଦେଶଦ୍ରୋହ ଆଇନ ୧୭୯୮ ମସିହାରେ ପ୍ରଣୟନ କରାଯାଇଥିବା ଚାରିଟି ଆଇନର ଏକ ସମୂହ ଥିଲା, ଯାହା ଆମେରିକାରେ ଇମିଗ୍ରେସନ ଏବଂ ଭାଷଣ ଉପରେ ପ୍ରତିବନ୍ଧକ ଲଗାଇଥିଲା। ୧୭୯୮ର ପ୍ରାକୃତିକରଣ ଅଧିନିୟମ ନ ନାଗରିକତା ହାସଲ ପାଇଁ ଆବଶ୍ୟକତା ବୃଦ୍ଧି କରିଥିଲା। ୧୭୯୮ର ବିଦେଶୀ ମିତ୍ର ଅଧିନିୟମ ଅନୁଯାୟୀ ରାଷ୍ଟ୍ରପତି ଅଣନାଗରିକଙ୍କୁ ବନ୍ଦୀ କରି ଦେଶାନ୍ତର କରିବା ଅଧିକାର ଦେଇଥିଲା।
ବିଦେଶୀ ଗୁଇନ୍ଦାଗିରି ଓ ଅରାଜକତା ରୋକିବା ପାଇଁ ଆସିଥିଲା ଆଇନ
ଯୁଦ୍ଧ ସମୟରେ ବିଦେଶୀ ଗୋଇନ୍ଦାଗିରି ଏବଂ ଧ୍ୱଂସାତ୍ମକ କାର୍ଯ୍ୟକଳାପ ରୋକିବା ପାଇଁ ଏହି ଆଇନ ପ୍ରଣୟନ କରାଯାଇଥିଲା। ତେବେ କିଛି ଭୁଲ୍ କରିନଥିବା ଓ ବୈଧଭାବେ ଆମେରିକାରେ ରହୁଥିବା ପ୍ରବାସୀଙ୍କ ବିରୋଧରେ ମଧ୍ୟ ଏହା ଲାଗୁ କରାଯାଇପାରିବ। ଏହା ଏକ ବ୍ୟାପକ ଆଇନ ଯାହା ଯୁଦ୍ଧ ସମୟରେ ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ କରିପାରେ।
ବିଦେଶୀ ଶତ୍ରୁ ଆଇନ ପୂର୍ବରୁ ବ୍ୟବହୃତ ହୋଇଛି କି?
୧୮୧୨ ମସିହାର ଯୁଦ୍ଧ, ପ୍ରଥମ ବିଶ୍ୱଯୁଦ୍ଧ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ବିଦେଶୀ ଶତ୍ରୁ ଆଇନକୁ ତିନିଥର ବ୍ୟବହାର କରାଯାଇଛି। ପ୍ରଥମ ଓ ଦ୍ବିତୀୟ ବିଶ୍ୱଯୁଦ୍ଧରେ ଏହି ଆଇନଦ୍ୱାରା ଜର୍ମାନ, ଅଷ୍ଟ୍ରୋ-ହଙ୍ଗେରିଆନ, ଜାପାନୀ ଏବଂ ଇଟାଲୀୟ ପ୍ରବାସୀମାନଙ୍କୁ କେବଳ ସେମାନଙ୍କ ପୂର୍ବଜ ଆଧାରରେ ଅଟକ ରଖିବା, ବହିଷ୍କାର ଏବଂ ନିଷିଦ୍ଧ କରାଯାଇଥିଲା।
ବନ୍ଦୀ ଶିବିରରେ ୧୦୦,୦୦୦ରୁ ଅଧିକ ଜାପାନୀ
ବିଦେଶୀ ଶତ୍ରୁ ଆଇନ ଅନୁଯାୟୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ପ୍ରାୟ ଏକ ଲକ୍ଷରୁ ଅଧିକ ଜାପାନୀଙ୍କୁ ବନ୍ଦୀ ଶିବିରରେ ଅଟକ ରଖାଯାଇଥିଲା। ଆମେରିକୀୟ ଇତିହାସର ଏକ ଲଜ୍ଜାଜନକ ଅଂଶ, ଯାହା ପାଇଁ ଆମେରିକୀୟ କଂଗ୍ରେସ, ରାଷ୍ଟ୍ରପତି ଏବଂ ଅଦାଲତ କ୍ଷମା ପ୍ରାର୍ଥନା କରିଛନ୍ତି।
କେଉଁ ପରିସ୍ଥିତିରେ ରାଷ୍ଟ୍ରପତି ଏହି ଆଇନକୁ ଲାଗି କରିପାରିବେ?
କୌଣସି ଘୋଷିତ ଯୁଦ୍ଧ ସମୟରେ କିମ୍ବା କୌଣସି ବିଦେଶୀ ସରକାର ଆମେରିକୀୟ ଅଞ୍ଚଳ ବିରୋଧରେ ଆକ୍ରମଣ କରିବାକୁ ଧମକ ଦେବା ସମୟରେ ରାଷ୍ଟ୍ରପତି ବିଦେଶୀ ଶତ୍ରୁ ଆଇନ ପ୍ରୟୋଗ କରିପାରିବେ। ସମ୍ବିଧାନ କଂଗ୍ରେସକୁ ଯୁଦ୍ଧ ଘୋଷଣା କରିବାର କ୍ଷମତା ଦେଇଛି। ରାଷ୍ଟ୍ରପତିଙ୍କର ଏହି ଅଧିକାର ନାହିଁ, ତେଣୁ ଘୋଷିତ ଯୁଦ୍ଧ ଆଧାରରେ ଏହି ଆଇନ ପ୍ରଣୟନ କରିବା ପାଇଁ ରାଷ୍ଟ୍ରପତି ଗଣତାନ୍ତ୍ରିକ ବିତର୍କ ଏବଂ କଂଗ୍ରେସ ଭୋଟକୁ ଅପେକ୍ଷା କରିବା ଉଚିତ। ତେବେ ବାସ୍ତବତା ହେଉଛି ଧମକ କିମ୍ବା ଆକ୍ରୋଶକୁ ଆଧାର କରି ଆଇନକୁ ଲାଗୁ କରିବା ପାଇଁ ରାଷ୍ଟ୍ରପତିଙ୍କୁ କଂଗ୍ରେସର ସହମତିକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ।
ରାଷ୍ଟ୍ରପତି ଆକ୍ରମଣ ଘୋଷଣା କରିପାରିବେ କି?
ଆମେରିକାର ସର୍ବୋଚ୍ଚ ନ୍ୟାୟାଳୟ ଏବଂ ପୂର୍ବତନ ରାଷ୍ଟ୍ରପତିମାନେ ସ୍ୱୀକାର କରିଛନ୍ତି ଯେ ବୈଦେଶିକ ଶତ୍ରୁ ଆଇନ ଯୁଦ୍ଧ ଶକ୍ତି ଅଧିନରେ ଅଧିନିୟମିତ ଏବଂ କାର୍ଯ୍ୟାନ୍ୱିତ ଏକ ଯୁଦ୍ଧକାଳୀନ ଅଧିକାର ଅଟେ। ପଞ୍ଚମ କଂଗ୍ରେସ ଯେତେବେଳେ ଏହି ଆଇନ ପାରିତ କଲା, ସେତେବେଳେ ୱିଲସନ ପ୍ରଶାସନ ପ୍ରଥମ ବିଶ୍ୱଯୁଦ୍ଧ ସମୟରେ ଅଦାଲତରେ ଏହାର ସମର୍ଥନ କରି କହିଥିଲା ଯେ ଯୁକ୍ତରାଷ୍ଟ୍ର ଆମେରିକାରେ ରହୁଥିବା ଅନ୍ୟ ଦେଶର ଲୋକଙ୍କୁ ଏହି ଆଇନ ଅଧୀନରେ ଅଟକ ରଖାଯାଇପାରିବ।
ଯୁଦ୍ଧ ବ୍ୟତୀତ ଏହି ଆଇନକୁ ବ୍ୟବହାର କରାଯାଇପାରିବ କି?
ଏଲିଅନ୍ ଶତ୍ରୁ ଆଇନ କେବଳ ବଡ଼ ସଂଘର୍ଷରେ ବ୍ୟବହୃତ ହୋଇଛି। ତେବେ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ରାଷ୍ଟ୍ରପତି ଉଡ୍ରୋ ୱିଲସନ ଓ ହ୍ୟାରି ଏସ୍ ଟ୍ରୁମ୍ୟାନ୍ ଏହି ଆଇନର ବ୍ୟବହାର ଜାରି ରଖିଥିଲେ। ୧୯୧୮ ମସିହାରେ ପ୍ରଥମ ବିଶ୍ୱଯୁଦ୍ଧ ଶେଷ ହେବା ପରେ ମଧ୍ୟ ୱିଲସନ ପ୍ରଶାସନ ୧୯୨୦ ପର୍ଯ୍ୟନ୍ତ ଜର୍ମାନ ଏବଂ ଅଷ୍ଟ୍ରୋ-ହଙ୍ଗେରିଆନ ପ୍ରବାସୀଙ୍କୁ ନଜରବନ୍ଦୀଭାବେ ରଖିବା ଲାଗି ଏହି ଆଇନକୁ ବ୍ୟବହାର କରିଥିଲା । ୧୯୪୫ରେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଶେଷ ହେବାପରେ ମଧ୍ୟ ଟ୍ରୁମ୍ୟାନ ପ୍ରଶାସନ ୧୯୫୧ ପର୍ଯ୍ୟନ୍ତ ଏହି ଆଇନକୁ ଅଟକ ରଖିବା ଏବଂ ପ୍ରତ୍ୟାର୍ପଣ ପାଇଁ ବ୍ୟବହାର କରିଥିଲା।
