DoGE: ଟ୍ରମ୍ପ ଶପଥ ଗ୍ରହଣ କରିବାମାତ୍ରେ ଡିଓଜିଇ ନିଜ ବିଷୟରେ ପ୍ରଥମ ନିଷ୍ପତ୍ତି ନେଇଛି। ଆଉ ସେଇ ପ୍ରଥମ ନିଷ୍ପତ୍ତି ହେଉଛି, ବିବେକଙ୍କୁ ବାହାର ରାସ୍ତା ଦେଖାଇବା। ଏବେ ଡିଓଜିଇରେ କେବଳ ମସ୍କଙ୍କୁ ଦେଖିବାକୁ ମିଳିବ।
ରାଷ୍ଟ୍ରପତି ନିର୍ବାଚନ ଜିତିବା ପରେ ଡୋନାଲ୍ଡ ଟ୍ରମ୍ପ ସରକାରୀ ଦକ୍ଷତା ବିଭାଗ (ଡିଓଜିଇ) ଗଠନ ଘୋଷଣା କରିବା ସହ ଟେସ୍ଲା ଏବଂ ସ୍ପେସ୍ ଏକ୍ସ ମାଲିକ ଏଲନ୍ ମସ୍କଙ୍କ ସହ ବିବେକ ରାମାସ୍ୱାମୀଙ୍କୁ ଏହାର ଦାୟିତ୍ୱ ଦେଇଥଲେ। ଟ୍ରମ୍ପ ଏଲନ୍ ମସ୍କଙ୍କୁ ‘ଗ୍ରେଟ୍ ଏଲନ୍ ମସ୍କ’ ଏବଂ ବିବେକ ରାମାସ୍ୱାମୀଙ୍କୁ ‘ଦେଶପ୍ରେମୀ ଆମେରିକୀୟ’ ବୋଲି ସେତେବେଳେ କହିଥିଲେ। ଏହି ଦାୟିତ୍ୱ ପାଇବା ପରେ ବିବେକ ରାମାସ୍ୱାମୀ ଲେଖିଥିଲେ ଯେ,- ଆମେ କାହା ସହିତ ନରମ ବ୍ୟବହାର କରିବାକୁ ଯାଉନାହୁଁ।
କିନ୍ତୁ ଟ୍ରମ୍ପ ଶପଥ ଗ୍ରହଣ କରିବାମାତ୍ରେ ଡିଓଜିଇ ନିଜ ବିଷୟରେ ପ୍ରଥମ ନିଷ୍ପତ୍ତି ନେଇଛି। ଆଉ ସେଇ ପ୍ରଥମ ନିଷ୍ପତ୍ତି ହେଉଛି, ବିବେକଙ୍କୁ ବାହାର ରାସ୍ତା ଦେଖାଇବା। ଏବେ ଡିଓଜିଇରେ କେବଳ ମସ୍କଙ୍କୁ ଦେଖିବାକୁ ମିଳିବ।
ସରକାରୀ ଖର୍ଚ୍ଚ କମାଇବା ପାଇଁ ଡିଓଜିଇକୁ ଦାୟିତ୍ୱ ଦିଆଯାଇଛି। ଟ୍ରମ୍ପ ରାଷ୍ଟ୍ରପତିଭାବେ ଦାୟିତ୍ୱ ନେବାମାତ୍ରେ ବିବେକ ରାମାସ୍ୱାମୀ ଡିଓଜିଇରୁ ଇସ୍ତଫା ଦେବା ନେଇ ଅନେକ ପ୍ରଶ୍ନ ଉଠୁଛି। ବିବେକ ରାମାସ୍ୱାମୀଙ୍କର ଏଲନ୍ ମସ୍କଙ୍କ ସହ ତାଙ୍କର ସମ୍ପର୍କ ଭଲ ନ ଥିବାରୁ ତାଙ୍କୁ ଡିଓଜିଇରୁ ବିଦା ହେବାକୁ ପଡ଼ିଲା ବୋଲି କୁହାଯାଉଛି। ଅନ୍ୟପକ୍ଷରେ ନିଜେ ବିବେକ ରାମାସ୍ୱାମୀ ଡିଓଜିଇରୁ ନିଜ ଇସ୍ତଫା ବାବଦରେ ପ୍ରତିକ୍ରିୟା ଦେଇଛନ୍ତି।
ସ୍ପେକ୍ଟ୍ରମ୍ ନ୍ୟୁଜ୍ ଡିସିର ରାଜନୈତିକ ସାମ୍ବାଦିକ ଟେଲର ପୋର୍ପିଲାଗର ଏକ୍ସରେ ଏକ ପୋଷ୍ଟରେ ଲେଖିଛନ୍ତି, ‘ଟ୍ରମ୍ପ-ଭେନ୍ସ ଟ୍ରାନଜିସନ୍ ମୁଖପାତ୍ର ଆନ୍ନା କେଲି ମୋତେ ଏକ ବିବୃତ୍ତିରେ କହିଛନ୍ତି ଯେ, ‘ବିବେକ ରାମାସ୍ୱାମୀ ଡିଓଜିଇ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ବିବେକ ଏକ ନିର୍ବାଚିତ ପଦବୀ ସମ୍ଭାଳିବାକୁ ଚାହୁଁଛନ୍ତି। ଏଭଳି ସ୍ଥିତିରେ ବିବେକଙ୍କୁ ଡିଓଜିଇରୁ ଦୂରେଇ ରହିବାକୁ ପଡ଼ିବ। ଗତ ଦୁଇମାସ ମଧ୍ୟରେ ଡିଓଜିଇ ପ୍ରତିଷ୍ଠାରେ ବିବେକଙ୍କ ଭୂମିକା ପାଇଁ ଆମେ ତାଙ୍କୁ ଧନ୍ୟବାଦ ଜଣାଉଛୁ। ଆମେରିକାକୁ ପୁଣିଥରେ ମହାନ କରିବାରେ ବିବେକ ପ୍ରମୁଖ ଭୂମିକା ଗ୍ରହଣ କରିବେ ବୋଲି ସେ କହିଛନ୍ତି।
କ’ଣ କହିଲେ ବିବେକ ରାମାସ୍ୱାମୀ?
ବିବେକ ରାମାସ୍ୱାମୀ ଏହି ପୋଷ୍ଟକୁ ରିପୋଷ୍ଟ କରି ଲେଖିଛନ୍ତି, “ଏହା ମୋ ପାଇଁ ଗର୍ବର ବିଷୟ ଯେ ମୁଁ ଡିଓଜିଇ ସୃଷ୍ଟି କରିବାରେ ସାହାଯ୍ୟ କରିଥିଲି ଏବଂ ମୋର ବିଶ୍ୱାସ ଯେ ଏଲନ୍ ଏବଂ ତାଙ୍କ ଟିମ୍ ନୂତନ ସରକାର ସହିତ ଜଟିଳତା ଦୂର କରିବାରେ ସକ୍ଷମ ହେବେ। ମୁଁ ଖୁବ୍ ଶୀଘ୍ର ଓହିଓରେ ମୋର ଭବିଷ୍ୟତ ଯୋଜନା ବିଷୟରେ ଅଧିକ ବିବରଣୀ ବିସ୍ତାରିତଭାବେ କହିବି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଆମେରିକାକୁ ପୁଣିଥରେ ମହାନ କରିବାରେ ସାହାଯ୍ୟ କରିବୁ।
ରାମାସ୍ୱାମୀ ଜଣେ ବାୟୋଟେକ୍ ଉଦ୍ୟୋଗୀ। ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ବିବେକ ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀତ୍ୱ ଦୌଡ଼ରେ ସାମିଲ ଥିଲେ, କିନ୍ତୁ କୌଣସି କକସ କିମ୍ବା ପ୍ରାଥମିକ ନିର୍ବାଚନରେ ବିଜୟୀ ହୋଇପାରିନଥିଲେ।
ଏହାପରେ ବିବେକ ରାମାସ୍ୱାମୀ ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ। ବିବେକ ରାମାସ୍ୱାମୀ ଆସନ୍ତା ବର୍ଷ ଓହିଓର ଗଭର୍ଣ୍ଣର ପଦ ପାଇଁ ନିର୍ବାଚନ ଲଢ଼ିବାକୁ ଯୋଜନା କରୁଛନ୍ତି। ଜେଡି ଭାନ୍ସ ଉପରାଷ୍ଟ୍ରପତି ହେବାପରେ ଆମେରିକୀୟ ସିନେଟ୍ ଆସନ ଖାଲି ପଡ଼ିଛି ଏବଂ ବିବେକ ତାଙ୍କ ସ୍ଥାନ ନେଇପାରନ୍ତି।
ଟ୍ରମ୍ପ ଏକ ବେସରକାରୀ ଟାସ୍କ ଫୋର୍ସ ଭାବରେ ଡିଓଜିଇ ଗଠନ କରିଛନ୍ତି ଯାହାର କାମ ହେଉଛି ସରକାରୀ ଖର୍ଚ୍ଚ ହ୍ରାସ କରିବାର ଉପାୟ ଖୋଜିବା ଏବଂ ଅନାବଶ୍ୟକ ସରକାରୀ ଏଜେନ୍ସିଗୁଡ଼ିକୁ ବନ୍ଦ କରିବା ଉପରେ ଏକ ରିପୋର୍ଟ ପ୍ରସ୍ତୁତ କରିବା। ବିବେକ ରାମାସ୍ୱାମୀ ଏଫବିଆଇକୁ ବନ୍ଦ କରିବାକୁ ସମର୍ଥନ କରୁଛନ୍ତି। ରାମାସ୍ୱାମୀ ଜଣେ ୩୯ ବର୍ଷୀୟ ଆମେରିକୀୟ ନାଗରିକ।
ଆମେରିକୀୟ ନ୍ୟୁଜ୍ ନେଟୱାର୍କ ସିଏନ୍ଏନର ଏକ ରିପୋର୍ଟ ଅନୁଯାୟୀ, ଜେଡି ଭାନ୍ସ ଉପରାଷ୍ଟ୍ରପତି ହେବା ପରେ ଖାଲି ପଡ଼ିଥିବା ସିନେଟ୍ ଆସନ ପାଇଁ ବିବେକ ରାମାସ୍ୱାମୀଙ୍କ ନାମ ପ୍ରସ୍ତାବ କରିଥିଲେ। ୨୦୨୬ରେ ବିବେକ ରାମାସ୍ୱାମୀ ଓହିଓର ଗଭର୍ଣ୍ଣର ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ବିବେକ ମଧ୍ୟ ତାଙ୍କ ଏକ୍ସ ପୋଷ୍ଟରେ ଏହି ସଙ୍କେତ ଦେଇଛନ୍ତି। କିନ୍ତୁ ଏହା ପୂର୍ବରୁ ବିବେକ ମଧ୍ୟ ସିନେଟକୁ ଯାଇପାରନ୍ତି।
ବିବେକଙ୍କ କେଉଁ କଥା ଟିମ୍ ଟ୍ରମ୍ପକୁ ପସନ୍ଦ ଆସିଲା ନାହିଁ?
ନ୍ୟୁୟର୍କ ଟାଇମ୍ସ ଲେଖିଛି ଯେ ବିବେକ ରାମାସ୍ୱାମୀ ଆସନ୍ତା ସପ୍ତାହରେ ଓହିଓର ଗଭର୍ଣ୍ଣର ପଦ ପାଇଁ ନିଜ ଦାବିଦାରୀ ଘୋଷଣା କରିପାରନ୍ତି। ଏନୱାଇଟି ଲେଖିଛି, “ଯେତେବେଳେ ଟ୍ରମ୍ପ ଏଲନ୍ ମସ୍କଙ୍କ ସହ ବିବେକ ରାମାସ୍ୱାମୀଙ୍କୁ ଡିଓଜିଇର ଦାୟିତ୍ୱ ଦେଇଥିଲେ, ସେତେବେଳେ କୁହାଯାଇଥିଲା ଯେ ମସ୍କ ଏବଂ ରାମାସ୍ୱାମୀଙ୍କ ମଧ୍ୟରେ ବହୁତ ଅସମାନତା ଅଛି । ବିବେକଙ୍କ ତୁଳନାରେ ମସ୍କଙ୍କ ପାଖରେ ଅଧିକ ସମ୍ପତ୍ତି ଓ ତାଙ୍କ ପ୍ରୋଫାଇଲ୍ ମଧ୍ୟ ବିବେକଙ୍କଠାରୁ ଭାରି ବୋଲି କୁହାଯାଉଥିଲା।
ବର୍ଷକ ତଳେ ବିବେକ ରାମାସ୍ୱାମୀଙ୍କ ସମ୍ପତ୍ତି ୯୬୦ ନିୟୁତ ଡଲାର ଥିବାବେଳେ ମସ୍କଙ୍କ ସମ୍ପତ୍ତି ୪୪୯ ବିଲିୟନ ଡଲାର ଥିଲା। ବିବେକ ରାମାସ୍ୱାମୀ ଏବଂ ଏଲନ୍ ମସ୍କ ଡିଓଜିଇ ମାଧ୍ୟମରେ ଆମେରିକାର ଫେଡେରାଲ ବଜେଟରେ ଦୁଇ ଟ୍ରିଲିୟନ ଡଲାର ହ୍ରାସ ଘୋଷଣା କରିଛନ୍ତି। ତେବେ ଅନେକ ଏହି ଖର୍ଚ୍ଚ ହ୍ରାସକୁ କେବଳ କଳ୍ପନା ଭାବରେ ଦେଖୁଛନ୍ତି।
ନ୍ୟୁୟର୍କ ଟାଇମ୍ସ ଲେଖିଛି, ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁମାନଙ୍କ ଅନୁସାରେ ରାମାସ୍ୱାମୀ ଏଚ-୧ବି ଭିସାକୁ ନେଇ ସୋସିଆଲ ମିଡିଆରେ ରକ୍ଷଣଶୀଳଙ୍କ ସହ ଯୁକ୍ତି କରୁଥିଲେ। ଯାବା ଟ୍ରମ୍ପଙ୍କୁ ପସନ୍ଦ ଆସିନଥିଲା। ରାମାସ୍ୱାମୀ ଉଚ୍ଚ କୁଶଳୀ କର୍ମଚାରୀଙ୍କ ପାଇଁ ଏଚ-୧ବି ଭିସାକୁ ସମର୍ଥନ କରୁଥିଲେ ମଧ୍ୟ ଟ୍ରମ୍ପଙ୍କ ଅନେକ ସମର୍ଥକ ଏହାକୁ ବିରୋଧ କରୁଛନ୍ତି। ବିବେକଙ୍କୁ ଏଥିପାଇଁ ଡିଓଜିଇରୁ ବିଦା ହେବାକୁ ପଡ଼ିଲା ବୋଲି ଆଲୋଚନା ହେଉଛି।
୬୧ ବର୍ଷର ମାଓବାଦୀ କମାଣ୍ଡର ଚଲପତି, ଯିଏ ୨୪ ବର୍ଷୀୟା ଯୁବତୀଙ୍କୁ କରିଥିଲା ବିବାହ
