BUDGET-25: ଟିକସ ବୋଝକୁ ନେଇ ଚିନ୍ତାରେ ବଢ଼ୁଥିବାବେଳେ ଆଗାମୀ ବଜେଟକୁ ନେଇ ମଧ୍ୟବିତ୍ତଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଜେପି ନେତୃତ୍ୱାଧୀନ ସରକାର ପାଇଁ ଏହି ବର୍ଗର ଦାବିକୁ ଅଣଦେଖା କରିବା କଷ୍ଟକର ହେବ। ବିରୋଧୀମାନେ ମଧ୍ୟ ଏହି ସୁଯୋଗର ଫାଇଦା ଉଠାଇବାକୁ ଚେଷ୍ଟା କରୁଛନ୍ତି। ଆଗାମୀ ବଜେଟରୁ ଆୟକର ରିହାତି ଆଶା କରାଯାଉଛି।
- ମଧ୍ୟବିତ୍ତଙ୍କ ଅସନ୍ତୋଷ ବିଜେପି ପାଇଁ ଚ୍ୟାଲେଞ୍ଜ ପାଲଟିଛି
- ଟିକସ କୁ ନେଇ ବଢୁଛି ଚର୍ଚ୍ଚା, ସରକାରଙ୍କ ନୀତି ଉପରେ ପ୍ରଶ୍ନ
- ମୁଦ୍ରାସ୍ଫୀତି ମଧ୍ୟବିତ୍ତଙ୍କ ଖର୍ଚ୍ଚ କ୍ଷମତାକୁ ପ୍ରଭାବିତ କରିଛି
ଫେବ୍ରୁଆରୀ ୧ ତାରିଖରେ ଆଉ ଏକ ସାଧାରଣ ବଜେଟ୍ ଉପସ୍ଥାପିତ ହେବାକୁ ଯାଉଛି, ଯାହା ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟ୍ ହେବ। ବିଜେପିର କ୍ଷମତାର ମେରୁଦଣ୍ଡଭାବେ ଗଣା ହେଉଥିବା ମଧ୍ୟବିତ୍ତ ବର୍ଗ କେନ୍ଦ୍ର ସରକାରଙ୍କ କର ବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ସରକାର ମଧ୍ୟବିତ୍ତଙ୍କଠାରୁ କର ଆଦାୟ କରି ବାକି ଲୋକଙ୍କ ମଧ୍ୟରେ ରାବଡ଼ି ବାଣ୍ଟୁଥିବା ଧାରଣା ମଧ୍ୟବିତ୍ତଙ୍କ ମଧ୍ୟରେ ସୃଷ୍ଟି ହୋଇଛି। ମଧ୍ୟବିତ୍ତ ବର୍ଗ ସମର୍ଥକଙ୍କ ମଧ୍ୟରେ ଏଭଳି ସରକାରୀ ବିରୋଧି ମନୋଭାବ ସୃଷ୍ଟି ହୋଇଥିବା ବାବଦରେ ବିଜେପି ମଧ୍ୟ ଜାଣି ସାରିଲାଣି। ସରକାର ସେମାନଙ୍କୁ ଅଣଦେଖା କରୁଥିବା ମଧ୍ୟବିତ୍ତ ବର୍ଗ ଅଭିଯୋଗ କରି ଆସୁଛି। ମଧ୍ୟବିତ୍ତଙ୍କ ଅଭିଯୋଗ ହେଲା ଯେ, ସରକାର ଶିଳ୍ପଜଗତକୁ ଆଶ୍ୱସ୍ତି ଦେଉଛନ୍ତି, ଚାଷୀଙ୍କୁ ଏମଏସ୍ପି ଦେଉଛନ୍ତି। ସମସ୍ତଙ୍କୁ ଦେଉଛନ୍ତି କିନ୍ତୁ ଆମକୁ କିଛି ଦେଉ ନାହାନ୍ତି, ଆମଠାରୁ କେବଳ ନେଉଛନ୍ତି।
ମଧ୍ୟବିତ୍ତ ବର୍ଗ ଅର୍ଥନୈତିକ ସ୍ତରରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛନ୍ତି। ଏହି ବର୍ଗ ମଧ୍ୟ ଦୀର୍ଘଦିନ ଧରି ବିଜେପିର ଏକ ପ୍ରତିବଦ୍ଧ ଭୋଟର ଶ୍ରେଣୀ ହୋଇଥିବାବେଳେ ଦୀର୍ଘଦିନ ପରେ ଏହାର ଅସନ୍ତୋଷ ସାର୍ବଜନୀନ ମଞ୍ଚରୁ ଦେଖିବାକୁ ମିଳୁଛି। ଏଭଳି ସ୍ଥିତିରେ ବିଜେପି ପାଇଁ ସେମାନଙ୍କ ଦାବିକୁ ଅଣଦେଖା କରିବା ସହଜ ହେବ ନାହିଁ। ତେଣୁ ଆସନ୍ତା ବଜେଟ୍ରେ ସରକାର ମଧ୍ୟବିତ୍ତଙ୍କ ଉପରେ ଫୋକସ କରିବେ ବୋଲି ଆଶା କରାଯାଉଛି।
ଆୟକରକୁ ନେଇ ଅନେକ ଚର୍ଚ୍ଚା

ଗତ କିଛିମାସ ହେବ ସୋସିଆଲ ମିଡିଆରେ ଅଧିକାଂଶ ଚର୍ଚ୍ଚା ଆୟକରକୁ ନେଇ ହେଉଛି। ମଧ୍ୟବିତ୍ତବର୍ଗଙ୍କ ମଧ୍ୟରେ ଏକ ଧାରଣା ସୃଷ୍ଟି ହୋଇଛି ଯେ ସରକାର ସେମାନଙ୍କ ସ୍ୱାର୍ଥ ପ୍ରତି ଗମ୍ଭୀର ନୁହଁନ୍ତି। ସେମାନେ ଅଭିଯୋଗ କରିଛନ୍ତି ଯେ ସରକାର ସେମାନଙ୍କ ସମର୍ଥନ ନେଉଛନ୍ତି, କିନ୍ତୁ ବଦଳରେ କିଛି ଦେବା କଥା ଆସିଲେ ସେମାନଙ୍କୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଏ। କୋଭିଡ୍ କାଳରେ ମଧ୍ୟବିତ୍ତ ବର୍ଗ ପରିସ୍ଥିତିକୁ ଟ୍ରାକକୁ ଫେରାଇ ଆଣିବାରେ ସାହାଯ୍ୟ କରିଥିଲା। ଏବେ ସ୍ଥିତି ସ୍ୱାଭାବିକ ହେବା ପରେ ପୁଣିଥରେ ନିଜ ଦାବିକୁ ନେଇ ସ୍ୱର ଉତ୍ତୋଳନ ଆରମ୍ଭ କରିଛି ମଧ୍ୟବିତ୍ତ ବର୍ଗ।
ମଧ୍ୟବିତ୍ତ ବର୍ଗର ‘ମାଗଣା’ ଚିନ୍ତା
ନିର୍ବାଚନରେ ଭୋଟ ପାଇଁ ରାଜନୈତିକ ଦଳଗୁଡ଼ିକ ଫ୍ରିବିସ୍ ବା ‘ମାଗଣା’ ପ୍ରତିଶ୍ରୁତିର ଧାରା ଲଗାଇ ଦେଉଛନ୍ତି। ସମାଜର ନିମ୍ନ ମଧ୍ୟବିତ୍ତ ଓ ଅନ୍ୟ ବର୍ଗଙ୍କ ଭୋଟ ହାତେଇବା ପାଇଁ ରାଜନୈତିକ ଦଳ ଗୋଟିଏ ପରେ ଗୋଟିଏ ମାଗଣା ଯୋଜନା ଆରମ୍ଭ କରୁଛନ୍ତି। କିନ୍ତୁ ମଧ୍ୟବିତ୍ତ ବର୍ଗର ସ୍ୱାର୍ଥ ବିଷୟରେ କହିବାକୁ କେହି ନାହାନ୍ତି ବୋଲି ଏହି ବର୍ଗ ଅନୁଭବ କରିବା ଆରମ୍ଭ ହେଲାଣି। ଏହି ବର୍ଗର ଅସନ୍ତୋଷ ସମ୍ପର୍କରେ ସରକାର ମଧ୍ୟ ଅବଗତ ଅଛନ୍ତି। ନିକଟରେ କେନ୍ଦ୍ର ସରକାର ଏକ ରୋଚକ ପଦକ୍ଷେପ ନେଇ ନିଷ୍ପତ୍ତି ନେଇଛନ୍ତି ଯେ ଜିଏସ୍ଟି ସଂଗ୍ରହର ପ୍ରତି ମାସର ତଥ୍ୟ ପ୍ରକାଶ କରାଯିବ ନାହିଁ। ବାକି ଟିକସ ଆଦାୟ ସମ୍ବନ୍ଧୀୟ ତଥ୍ୟକୁ ବ୍ୟାପକଭାବେ ପ୍ରଚାର କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି।
ସରକାରଙ୍କ ମନ କାହିଁକି ବଦଳିଲା?
ଏହି ପଦକ୍ଷେପ ପଛରେ ସରକାରଙ୍କୁ ମିଳିଥିବା ପ୍ରତିକ୍ରିୟା ଅତ୍ୟନ୍ତ ଚିନ୍ତାଜନକ ଥିଲା। ପ୍ରତି ମାସରେ ବର୍ଦ୍ଧିତ ଟିକସ ଆଦାୟର ଭୁଲ ବାର୍ତ୍ତା ଲୋକଙ୍କ ପାଖକୁ ଯାଉଛି ବୋଲି ସରକାର ସୂଚନା ପାଇଥିଲେ। ସରକାର କେବଳ ଟିକସ ଆଦାୟ କରୁଛନ୍ତି ବୋଲି ଲୋକଙ୍କ ନିକଟକୁ ବାର୍ତ୍ତା ଯାଉଥିବା ସରକାର ଜାଣିପାରିଥିଲେ। ଗତ କିଛିବର୍ଷ ହେବ ଜିଏସ୍ଟି ଟିକସ ଆଦାୟ ହେଉ ବା ଆୟକର ଆଦାୟ ହେଉ, ସରକାର ଏଥିରେ ବୃଦ୍ଧିକୁ ନିଜର ବଡ଼ ସଫଳତାଭାବେ ଉପସ୍ଥାପନ କରିଛନ୍ତି। କିନ୍ତୁ ଏବେ ସେ ଏହାକୁ ଏଡ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି। ବିଶେଷ କରି ମଧ୍ୟବିତ୍ତବର୍ଗଙ୍କ ମଧ୍ୟରେ ସରକାର ଟିକସ ଆଦାୟ ଉପରେ ଗୁରୁତ୍ୱ ଦେଉଥିଲେ ହେଁ ସେମାନଙ୍କୁ ଏଥିରୁ କୌଣସି ସୁଫଳ ମିଳୁନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି।
ମୁଦ୍ରାସ୍ଫିତି ବଢ଼ାଇଛି ଚିନ୍ତା
ସେପଟେ ବଢ଼ୁଥିବା ମୁଦ୍ରାସ୍ଫୀତି ସ୍ଥିତିକୁ ଆହୁରି କଷ୍ଟକର କରିଦେଇଛି। ନିକଟରେ ପ୍ରକାଶିତ ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ ମଧ୍ୟବିତ୍ତଙ୍କ ଖର୍ଚ୍ଚ କ୍ଷମତା ଗୁରୁତରଭାବେ ପ୍ରଭାବିତ ହୋଇଛି ଏବଂ ଏହାର ରୋଜଗାର ମୁଦ୍ରାସ୍ଫୀତି ସହ ତାଳ ଦେଇ ପାରିନାହିଁ। ଏହି ବର୍ଗର ଲୋକମାନେ ଏବେ ଏହାକୁ ୟୁପିଏ ଯୁଗର ଟିକସ ସହ ତୁଳନା କରୁଛନ୍ତି। ଏହି କାରଣରୁ ଏହି ବଜେଟରେ ଆୟକରରେ ବଡ଼ ଆଶ୍ୱସ୍ତି ମିଳିବ ବୋଲି ଆଶା କରାଯାଉଛି।
ମଧ୍ୟବିତ୍ତଙ୍କୁ ସରକାର ଅଣଦେଖା କରିପାରିବେ ନାହିଁ
ମଧ୍ୟବିତ୍ତଙ୍କ ଦାବି ଓ ସେମାନଙ୍କ ଅସନ୍ତୋଷକୁ ଅଣଦେଖା କରିବା ସହଜ ହେବ ନାହିଁ। ସଂଖ୍ୟା ଦୃଷ୍ଟିରୁ ମଧ୍ୟବିତ୍ତ ବର୍ଗ ଦେଶର ସବୁଠାରୁ ବଡ଼ ଜନସଂଖ୍ୟା ହୋଇନପାରେ, କିନ୍ତୁ ଏହି ବର୍ଗ ହିଁ କାହାଣୀ ସୃଷ୍ଟି କରିବାର ସର୍ବାଧିକ କ୍ଷମତା ରଖିଛନ୍ତି। ସମଗ୍ର ଦେଶରେ ପ୍ରାୟ ୩୫୦ ଲୋକସଭା ଆସନ ଅଛି ଯେଉଁଠାରେ ମଧ୍ୟବିତ୍ତ ଜନସଂଖ୍ୟା ନିଷ୍ପତ୍ତିକୁ ପ୍ରଭାବିତ କରିବାର କ୍ଷମତା ରଖିଛନ୍ତି। ତେବେ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ବିଜେପି ଏକ ସହରାଞ୍ଚଳ ଦଳ ବୋଲି ଯେଉଁ ଧାରଣ ଥିଲା ତାହାକୁ ବଦଳାଇବାରେ ସଫଳ ହୋଇଛି।
ଗ୍ରାମାଞ୍ଚଳରେ ଦଳ ଦ୍ରୁତ ଗତିରେ କାୟା ବିସ୍ତାର କରିବା ପରେ ଗ୍ରାମାଞ୍ଚଳବାସୀ ମଧ୍ୟ ସରକାରଙ୍କଠାରୁ ଉପକୃତ ହୋଇଥିଲେ। କିଷାନ ସମ୍ମାନ ନିଧି ଏବଂ ମାଗଣା ରାସନ ଗରିବଙ୍କ ମଧ୍ୟରେ ସରକାର ଏବଂ ବିଜେପିର ବିଶ୍ୱସନୀୟତାକୁ ସୁଦୃଢ଼ କରିଛି। ଏଥିସହ ବିଜେପିକୁ ମଧ୍ୟବିତ୍ତଙ୍କ ସମର୍ଥନ ମଧ୍ୟ ମିଳୁଛି। ଏଭଳି ସ୍ଥିତିରେ ଏହାର ଆଶାକୁ ଅଣଦେଖା କରିବାର ଆଶଙ୍କା ଆଗାମୀ ଦିନରେ ସରକାରଙ୍କ ପାଇଁ କଷ୍ଟକର ହୋଇପାରେ।
ବିରୋଧୀ ମଧ୍ୟ ଜୋର ଦେଉଛନ୍ତି
ୟୁପିଏ-୨ ସମୟରେ ଆନ୍ନା ଆନ୍ଦୋଳନ ବା ନିର୍ଭୟା ଆନ୍ଦୋଳନ ସରକାରଙ୍କ ପତନର ଏକ ପ୍ରମୁଖ କାରଣ ଥିଲା। ଉଭୟ ଆନ୍ଦୋଳନର ନେତୃତ୍ୱ ନେଉଥିଲେ ମଧ୍ୟବିତ୍ତ। କିନ୍ତୁ ଏବେ ସରକାରଙ୍କ ସାମ୍ନାରେ ଏକ ଭିନ୍ନ ପ୍ରକାର ଚ୍ୟାଲେଞ୍ଜ ରହିଛି। ଅର୍ଥନୈତିକ ସ୍ଥିତି ଏବେ ଯେମିତି, ରିଲିଫ ପାଇଁ ସେତେଟା ସୁଯୋଗ ନାହିଁ। ଅର୍ଥନୀତି କେଉଁଠି ନା କେଉଁଠି ମାନ୍ଦାବସ୍ଥାର ସମ୍ମୁଖୀନ ହେଉଛି। ସରକାରଙ୍କ ପାଖରେ ରୋଜଗାରର ସୀମିତ ମାଧ୍ୟମ ରହିଛି। ସବୁ ପ୍ରକାର କଲ୍ୟାଣକାରୀ ଯୋଜନାକୁ ବନ୍ଦ କରାଯାଇପାରିବ ନାହିଁ। ଅନେକ ରାଜ୍ୟର ସରକାର ମଧ୍ୟ ମାଗଣା ବାଣ୍ଟିବା ରୋଗର ଶିକାର ହୋଇ ସାରିଲେଣି। ଯାହା ସରକାରଙ୍କ ସାମ୍ନାରେ ସମ୍ବଳର ବିକଳ୍ପକୁ ଆହୁରି ସୀମିତ କରିଦେଇଛି।
ତେବେ ବିଜେପି ଜାଣିଛି ଯେ ୨୦୨୯ ସାଧାରଣ ନିର୍ବାଚନ ଏପର୍ଯ୍ୟନ୍ତ ବହୁ ଦୂରରେ ଅଛି ଏବଂ ଆଗକୁ ନିଜ ଗତିବିଧି ସଂଶୋଧନ ପାଇଁ ଅନେକ ସୁଯୋଗ ମିଳିବ। ସେପଟେ ମଧ୍ୟବିତ୍ତଙ୍କ ମଧ୍ୟରେ ପ୍ରବେଶ ପାଇଁ ଏହା ଏକ ସୁଯୋଗ ବୋଲି ବିରୋଧୀ ଦଳମାନେ ମଧ୍ୟ ଅନୁଭବ କରିସାରିଲେଣି। ସେଥିପାଇଁ ଗତ କିଛିଦିନ ହେବ ସେମାନେ ମଧ୍ୟ ଏହି ଶ୍ରେଣୀ ସହ ଜଡ଼ିତ ପ୍ରସଙ୍ଗ ଉଠାଇବା ଆରମ୍ଭ କରିଛନ୍ତି।


