- ଜନସାଧାରଣଙ୍କ ସହ ମିଶିଲେ ରାଜ୍ୟପାଳ
- ଛୁଆଙ୍କୁ ଦେଲେ ଚକୋଲେଟ
ଭୁବନେଶ୍ୱର ରାଜଭବନ ଉଦ୍ୟାନ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ସୋମବାରଠାରୁ ଖୋଲାଯାଇଛି । ପ୍ରଥମ ଦିନରେ ଶୀତୁଆ ଅପରାହ୍ନ ସତ୍ତ୍ୱେ ତିନି ହଜାରରୁ ଉର୍ଦ୍ଧ୍ୱ ଜନସାଧାରଣ ରାଜଭବନର ମନୋରମ ଉଦ୍ୟାନ ପରିଦର୍ଶନ କରିଥିଲେ । ଏହି ଅବସରରେ ରାଜ୍ୟପାଳ ଡ଼ ହରି ବାବୁ କମ୍ଭମ୍ପତି ଏବଂ ରାଜ୍ୟର ପ୍ରଥମ ମହିଳା ଜୟଶ୍ରୀ କମ୍ଭମ୍ପତି ଜନସାଧାରଣଙ୍କ ସହ ମିଶି ବାର୍ତ୍ତାଳାପ କରିଥିଲେ । ନିଜର ପିତାମାତା / ଅଭିଭାବକଙ୍କ ସହ ଆସିଥିବା ଛୋଟ ଛୋଟ ଶିଶୁମାନଙ୍କ ସହ ମିଶିବା ସହିତ ସେମାନଙ୍କୁ ଚକୋଲେଟ୍ ଏବଂ ପେନ୍ ପ୍ରଦାନ କରିଥିଲେ । ଏତଦ୍ବ୍ୟତୀତ ଉଦ୍ୟାନ ପରିଦର୍ଶନ କରୁଥିବା ଭିନ୍ନକ୍ଷମମାନଙ୍କ ସହ ମିଶି ବାର୍ତ୍ତାଳାପ କରିଥିଲେ । ଦର୍ଶକମାନେ ରାଜଭବନ ଉଦ୍ୟାନର ନୈସର୍ଗିକ ଶୋଭାରାଜି, ବିଭିନ୍ନ କିସମର ବୃକ୍ଷ ଲତା, ପୁଷ୍ପରାଜି, ମ୍ୟୁଜିକ୍ ଫାଉଂଟେନ୍, ହରିଣ ଉଦ୍ୟାନ, ମୟୁର ତଥା ଅନ୍ୟାନ୍ୟ ପକ୍ଷୀ, ମୁକ୍ତ ଆକ୍ୱାରିୟମ୍ ପରିଦର୍ଶନ କରି ସୌନ୍ଦର୍ଯ୍ୟ ଉପଭୋଗ କରିଥିଲେ ।
ସୂଚନାଯୋଗ୍ୟଯେ, ଚଳିତ ମାସ ୨୨ ତାରିଖ ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପରିଦର୍ଶନ ପାଇଁ ରାଜ ଭବନ ଉଦ୍ୟାନ ଖୋଲା ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । କେବଳ ମୋବାଇଲ୍ ଆପ୍ ପଂଜିକରଣ ମାଧ୍ୟମରେ ସର୍ବସାଧାରଣଙ୍କ ପ୍ରବେଶ ପାଇଁ ଅନୁମତି ଦିଆଯିବ ଏବଂ ରାଜଭବନ ଉଦ୍ୟାନ ପରିଦର୍ଶନ ପାଇଁ କୌଣସି ପ୍ରବେଶ ଶୁଳ୍କ ଦେବାକୁ ପଡ଼ିବ ନାହିଁ । ଏଥିନିମନ୍ତେ ପ୍ଲେ ଷ୍ଟୋର କିମ୍ବା ଆପ୍ସ ଷ୍ଟୋରରୁ ଉଦ୍ୟାନ ପରିଦର୍ଶନ, ରାଜଭବନ, ଓଡ଼ିଶାର ମୋବାଇଲ୍ ଆପ୍ ଡାଉନ୍ଲୋଡ଼ କରିବାକୁ ପଡ଼ିବ । ଓଡ଼ିଶାର ରାଜଭବନ ୱେବ୍ସାଇଟରେ ଉପଲବ୍ଧ ଥିବା କ୍ୟୁ-ଆର୍ କୋଡ଼ ମାଧ୍ୟମରେ ମୋବାଇଲ୍ ଆପ୍ ମଧ୍ୟ ଡାଉନ୍ଲୋଡ କରାଯାଇପାରିବ । ଉପରୋକ୍ତ ଧାର୍ଯ୍ୟ ତାରିଖ ଅବଧି ମଧ୍ୟରେ ଅପରାହ୍ନ ଘ ୨.୩୦ମି. ରୁ ୫ ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ରାଜଭବନ ଉଦ୍ୟାନ ପରିଦର୍ଶନ ସମୟ ଧାର୍ଯ୍ୟ କରାଯାଇଛି ।
ସେହିପରି ସ୍କୁଲ୍ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି । ଏସଂପର୍କରେ ଏ.ଡ଼ି.ସି / ଚିଫ୍ ସିକ୍ୟୁରିଟି ଅଫିସରଙ୍କୁ ବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ଉଦ୍ୟାନ ପରିଦର୍ଶନ ନିମନ୍ତେ ଅନୁରୋଧ ପତ୍ର ପଠାଇବା ଆବଶ୍ୟକ ବୋଲି ସୂଚନା ଦିଆଯାଇଛି । ସ୍କୁଲ ପିଲାମାନଙ୍କ ପାଇଁ ଉଦ୍ୟାନ ପରିଦର୍ଶନ ସମୟ ପ୍ରତିଦିନ (ରବିବାର ବ୍ୟତୀତ) ସକାଳ ଘ ୮.୩୦ମି. ରୁ ୧୦ ଘଟିକା ପର୍ଯ୍ୟନ୍ତ ଧାର୍ଯ୍ୟ କରାଯାଇଛି । ଏ ସଂପର୍କରେ ଅଧିକ ବିବରଣୀ ପାଇଁ ବିଦ୍ୟାଳୟ କର୍ତ୍ତୃପକ୍ଷ ୱେବ୍ସାଇଟ୍ www.rajbhavanodisha.gov.in ପରିଦର୍ଶନ କରିପାରିବେ । ସ୍କୁଲ ଛାତ୍ରଛାତ୍ରୀମାନେ ସ୍କୁଲ ୟୁନିଫର୍ମ ଓ ପରିଚୟ କାର୍ଡ଼ ପରିଧାନ ପୂର୍ବକ ଶିକ୍ଷକ / ଶିକ୍ଷୟିତ୍ରୀ / ସ୍କୁଲ କର୍ମଚାରୀଙ୍କ ତତ୍ତ୍ୱାବଧାନରେ ଆସିବାକୁ ସୂଚନା ଦିଆଯାଇଛି । ଉଲ୍ଲେଖଯୋଗ୍ୟଯେ ସମସ୍ତ ଉଦ୍ୟାନ ଦର୍ଶନାର୍ଥୀମାନଙ୍କ ପାଇଁ ନ୍ୟୁ ଅଭିଷେକ ହଲ୍ ନିକଟସ୍ଥ ୩ ନମ୍ବର ଗେଟ୍ରେ ପ୍ରବେଶ ଏବଂ ସିକ୍ୟୁରିଟି ବାରାକ ନିକଟସ୍ଥ ଗେଟ୍ରେ ପ୍ରସ୍ଥାନ ବ୍ୟବସ୍ଥା କରାଯାଇଛି ।
previous article:https://purvapaksa.com/pm-modi-inaugurates-sonmarg-tunnel-in-jammu-and-kashmir/


