ଗ୍ରାହକଙ୍କ ଅଭିଯୋଗର ସମାଧାନ ପାଇଁ ଅତ୍ୟଧିକ ସମୟ ନେଉଥିବା ବ୍ୟାଙ୍କଗୁଡିକୁ ଖୁବଶୀଘ୍ର ମୂଲ୍ୟ ଦେବାକୁ ପଡିବ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍ ବିଆଇ) ଏକ ନିର୍ଦ୍ଦେଶନାମା ଜାରି କରି ଗ୍ରାହକଙ୍କ ସ୍ୱାର୍ଥ ରକ୍ଷା କରୁଥିବା ବ୍ୟାଙ୍କ ଏବଂ ଆର୍ଥିକ ଅନୁଷ୍ଠାନଗୁଡ଼ିକ ପାଇଁ ଜରିମାନା ରଖାଯାଇଛି। ଏଣିକି ଦାଖଲ ତାରିଖଠାରୁ ୩୦ ଦିନ ମଧ୍ୟରେ ଯଦି ଅଭିଯୋଗର ସମାଧାନ ହୋଇନଥାଏ, ତେବେ ଅଭିଯୋଗକାରୀ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ ପାଇବାକୁ ଯୋଗ୍ୟ ହେବେ।
ବ୍ୟାଙ୍କ, ଆର୍ଥିକ କମ୍ପାନୀ, କ୍ରେଡିଟ୍ ଇନଫର୍ମେସନ୍ କମ୍ପାନି ଏବଂ କ୍ରେଡିଟ୍ ଇନଷ୍ଟିଚ୍ୟୁସନରୁ ସେମାନଙ୍କ ଡାଟାର ସମାଧାନ କିମ୍ବା ଅପଡେଟ୍ ମାଗିବାରେ ବିଳମ୍ବ ହେଉଥିବା ନେଇ ଗ୍ରାହକମାନେ ବାରମ୍ବାର ଅଭିଯୋଗ କରିଆସୁଛନ୍ତି। ରିଜର୍ଭ ବ୍ୟାଙ୍କ ଏବେ ନିର୍ଦ୍ଦେଶ ଦେଇଛି ଯେ ବ୍ୟାଙ୍କ କିମ୍ବା ଅଣବ୍ୟାଙ୍କିଙ୍ଗ୍ ଆର୍ଥିକ କମ୍ପାନୀ ଦ୍ୱାରା ଗ୍ରାହକଙ୍କ କ୍ରେଡିଟ୍ ସୂଚନା ଆକସେସ୍ କରିବା ସମୟରେ ସିଆଇସିମାନେ ଇ-ମେଲ୍ କିମ୍ବା ଏସ୍ଏମ୍ଏସ୍ ମାଧ୍ୟମରେ ସୂଚନା ଦେବା ଆବଶ୍ୟକ। ସେହିଭଳି ବ୍ୟାଙ୍କଗୁଡ଼ିକ ଡିଫଲ୍ଟ ବିଷୟରେ ଗ୍ରାହକଙ୍କୁ ଅବଗତ କରାଇବା ଜରୁରୀ।
ଆରବିଆଇର ସଦ୍ୟତମ ନିର୍ଦ୍ଦେଶନାମାରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସମୟସୀମା ଉଲ୍ଲେଖ କରାଯାଇଛି। ପ୍ରଥମତଃ, ଯଦି କୌଣସି କ୍ରେଡିଟ୍ ଇନଫର୍ମେସନ୍ କମ୍ପାନି ଅଭିଯୋଗ ପାଇବାର ୩୦ ଦିନ ମଧ୍ୟରେ ସମାଧାନ କରିବାରେ ବିଫଳ ହୁଏ, ତେବେ ତାଙ୍କୁ ଅଭିଯୋଗକାରୀଙ୍କୁ ଦୈନିକ ୧୦୦ ଟଙ୍କା ହିସାବରେ କ୍ଷତିପୂରଣ ଦେବାକୁ ପଡ଼ିବ। ଏଥିସହ ଯଦି କୌଣସି କ୍ରେଡିଟ୍ ଇନଷ୍ଟିଚ୍ୟୁସନ୍ ଅଭିଯୋଗକାରୀ କିମ୍ବା ସିଆଇସିଙ୍କ ଦ୍ୱାରା ଅବଗତ ହେବାର ୨୧ ଦିନ ମଧ୍ୟରେ ସିଆଇସିକୁ ଅପଡେଟ୍ କ୍ରେଡିଟ୍ ସୂଚନା ପ୍ରଦାନ ନ କରେ, ତେବେ ସେ ଦୈନିକ ୧୦୦ ଟଙ୍କା କ୍ଷତିପୂରଣ ପାଇଁ ଉତ୍ତରଦାୟୀ ରହିବେ।
ପ୍ରତ୍ୟେକ କ୍ଷେତ୍ରରେ ସିଆଇ କିମ୍ବା ସିଆଇସି ଅଭିଯୋଗ ଉପରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନ ବିଷୟରେ ଅଭିଯୋଗକାରୀଙ୍କୁ ଅବଗତ କରାଇବା ଜରୁରୀ । ଏପରିକି ଯଦି କୌଣସି ଅଭିଯୋଗ ଖାରଜ ହୋଇଯାଏ, ତେବେ ଅଭିଯୋଗକାରୀଙ୍କୁ କାରଣ ଜଣାଇବାକୁ ପଡ଼ିବ।
Also read https://purvapaksa.com/ngt-warns-odisha-government-of-heavy-costs-over-tampara-lake-constructions/