ଫେବ୍ରୁଆରୀ ପହିଲାରେ ଆସିବ ସାଧାରଣ ବଜେଟ। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ବଜେଟ ଆଗତ କରିବେ। ଏହା ପୂର୍ବରୁ ପ୍ରାକ୍ ବଜେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅର୍ଥମନ୍ତ୍ରୀ ଶ୍ରମିକ ସଂଗଠନର ନେତୃବୃନ୍ଦଙ୍କୁ ଭେଟିଛନ୍ତି। ଏଥିରେ ସଂଗଠନ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ୍) ପେନ୍ସନ ମାସିକ ୫୦୦୦ ଟଙ୍କାକୁ ବୃଦ୍ଧି କରିବା, ୮ମ ବେତନ ଆୟୋଗ ଗଠନ ଏବଂ ଆଗାମୀ ବଜେଟରେ ସୁପର ରିଚ୍ ବା ଅତି ଧନୀଙ୍କ ଉପରେ ଅଧିକ ଟିକସ ଲାଗୁ ଦାବି କରିଛନ୍ତି।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ସହିତ ପାରମ୍ପରିକ ବଜେଟ୍ ଆଲୋଚନାରେ ଶ୍ରମିକ ସଂଗଠନର ନେତାମାନେ ଆୟକର ଛାଡ଼ ସୀମାକୁ ବାର୍ଷିକ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ଦାବି କରିଛନ୍ତି। ଏଥିସହ ସରକାରୀ କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନା ପୁରୁଣା ପେନ୍ସନ ସ୍କିମ୍ (ଓପିଏସ୍) ପୁନଃଆରମ୍ଭ କରିବାକୁ ମଧ୍ୟ ଦାବି ଉଠାଇଛନ୍ତି। ବୈଠକ ପରେ ସାମ୍ବାଦିକମାନଙ୍କ ସହ ଆଲୋଚନା କରି ଟିୟୁସିସିର ସାଧାରଣ ସମ୍ପାଦକ ଏସ୍ ପି ତିୱାରୀ କହିଛନ୍ତି ଯେ ସରକାର ସରକାରୀ କ୍ଷେତ୍ରର ଘରୋଇକରଣ ଏବଂ କର୍ପୋରେଟାଇଜେସନ୍ ବନ୍ଦ କରିବା ଉଚିତ। ଅଣସଂଗଠିତ କ୍ଷେତ୍ରର କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ପାଣ୍ଠି ପାଇଁ ଟଙ୍କା ସଂଗ୍ରହ କରିବା ଲାଗି ଅତିଧନୀଙ୍କୁ ବ୍ୟବହାର କରାଯାଉ। ସେମାନଙ୍କ ଉପରେ ୨ ପ୍ରତିଶତ ଟିକସ ଲାଗୁ କରାଯିବା ଉଚିତ। କୃଷି ଶ୍ରମିକମାନଙ୍କୁ ସାମାଜିକ ସୁରକ୍ଷା ଯୋଗାଇ ଦିଆଯାଉ ଏବଂ ସେମାନଙ୍କର ସର୍ବନିମ୍ନ ମଜୁରୀ ମଧ୍ୟ ସ୍ଥିର କରାଯାଉ ବୋଲି ତିୱାରୀ ଦାବି କରିଛନ୍ତି।
ଭାରତୀୟ ମଜଦୁର ସଂଗଠନର ସଚିବ (ଉତ୍ତର-ଜୋନ୍) ପୱନ କୁମାର କହିଛନ୍ତି ଯେ ଇପିଏସ୍ -୯୫ ଅଧୀନରେ ସର୍ବନିମ୍ନ ପେନ୍ସନକୁ ପ୍ରଥମ ପଦକ୍ଷେପ ଭାବରେ ମାସିକ ୧୦୦୦ରୁ ୫୦୦୦ ଟଙ୍କାକୁ ବୃଦ୍ଧି କରାଯିବା ଉଚିତ। ପରେ ଏହାକୁ ଭିଡିଏ ସହିତ ସଂଯୁକ୍ତ କରାଯିବା ଉଚିତ। ଆୟକର ଛାଡ଼ ସୀମାକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ସଂଗଠନ ପରାମର୍ଶ ଦେଇଛି। ଏହା ବ୍ୟତୀତ ପେନ୍ସନରୁ ହେଉଥିବା ଆୟକୁ ମଧ୍ୟ ଟିକସ ମୁକ୍ତ କରାଯିବା ଉଚିତ। ସରକାରୀ କର୍ମଚାରୀଙ୍କ ବେତନ ଢାଞ୍ଚାରେ ସଂଶୋଧନ ପାଇଁ ତୁରନ୍ତ ଅଷ୍ଟମ ବେତନ ଆୟୋଗ ଗଠନ କରିବାକୁ ଶ୍ରମିକ ସଂଗଠନ ଦାବି କରିଛି। ୨୦୨୪ ଫେବୃଆରୀରେ ୭ମ ବେତନ ଆୟୋଗ ଗଠନ ହେବାର ୧୦ ବର୍ଷରୁ ଅଧିକ ସମୟ ବିତିଯାଇଥିବାରୁ ତୁରନ୍ତ ୮ମ ବେତନ ଆୟୋଗ ଗଠନ କରିବାକୁ ସିଟୁ ଜାତୀୟ ସଚିବ ସ୍ୱଦେଶ ଦେବ ରୟ ଦାବି କରିଛନ୍ତି।
Also readhttps://purvapaksa.com/state-bjp-president-post-so-many-aspirant/
