- ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଦେବେ ଯୋଗ
- ମାସ୍କଟ ‘ହାପି’ ଲୋକାର୍ପିତ
ଆସନ୍ତା ୮ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରବାସୀ ଭାରତୀୟ କାର୍ଯ୍ୟକ୍ରମରେ ଦେବେ ଯୋଗ। ୮ ତାରିଖ ରାତିରେ ରାଜଭବନରେ ରାତ୍ରୀଯାପନ କରିବେ। ସେହିପରି ୯ ତାରିଖ ଜନତା ମଇଦାନ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ସୂଚନା ରହିଛି। ଏକ ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ମୋଦି ରାତି ୮ଟାରେ ବିମାନବନ୍ଦରରେ ଅବତରଣ କରିବେ। ସେଠାରୁ ସେ ସିଧାସଳଖ ରାଜଭବନ ଯିବେ ଏବଂ ସେଠାରେ ରାତ୍ରୀଯାପନ କରିବେ। ୯ ତାରିଖ ସକାଳ ୯ଟା ୪୫ ମିନିଟ୍ ସମୟରେ ପ୍ରଧାନମନ୍ତ୍ରୀ ରାଜଭବନରୁ ବାହାରି ରାଜଧାନୀର ଜନତା ମଇଦାନରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବେ। ସେହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପୂର୍ବାହ୍ନ ୧୦ଟାରୁ ସାଢ଼େ ୧୧ଟା ଯାଏ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।
୧୦ ତାରିଖ ଉଦ୍ଯାପନୀ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ। ଏଥିପାଇଁ ସଜେଇ ହେଉଛି ରାଜଧାନୀ ଭୁବନେଶ୍ୱର। ରାଜଧାନୀ କାନ୍ଥବାଡ଼କୁ ନୂଆ ରଙ୍ଗ ଦେବା ସହ ବିଭିନ୍ନ ଚିତ୍ର ଅଙ୍କନ କରାଯାଉଛି। ଭୁବନେଶ୍ୱର ଜନତା ମୈଦାନରେ ସମସ୍ତ ପ୍ରସ୍ତୁତି ଚାଲିଛି। ପ୍ରବାସୀ ଭାରତୀୟ ଦିବସକୁ ଆକର୍ଷଣୀୟ ଓ ସଫଳ କରିବା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ପ୍ରବାସୀ ଭାରତୀୟ ଦିବସ ପ୍ରଥମ ଥର ଓଡ଼ିଶାରେ ଅନୁଷ୍ଠିତ ହେଉଛି। ପ୍ରବାସୀ ଭାରତୀୟ ଦିବସର ପ୍ରଥମ ଦିନ ୮ ତାରିଖରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଯୋଗ ଦେବେ। କାର୍ଯ୍ୟକ୍ରମରେ ୭ହଜାରରୁ ଅଧିକ ପ୍ରବାସୀଙ୍କ ସହ ମୋଟ ୧୦ ହଜାର ଅତିଥି ଯୋଗଦେବେ।
ଏହାକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଭୁବନେଶ୍ୱରରେ ସ୍ପେଶାଲ ଫୋର୍ସ ମଧ୍ୟ ପହଞ୍ଚିଛନ୍ତି। ଡିଜି କ୍ୟାମ୍ପ ଅଫିସରେ ସ୍ପେଶାଲ ଟାକଟିକାଲ ୟୁନିଟ ପହଞ୍ଚିଛି। ଏହି ସଶସ୍ତ୍ର ବାହିନୀଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି। ସେପଟେ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ଆୟୋଜନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପୁଲିସ ଡିଜି ୱାଇ ବି ଖୁରାନିଆ। ଅତିଥିଙ୍କ ରହଣି ସ୍ଥାନ, କାର୍ଯ୍ୟକ୍ରମ ସ୍ଥଳ ଜନତା ମଇଦାନ ସହ ଭୁବନେଶ୍ୱର, କଟକ ଓ ପୁରୀର ପର୍ଯ୍ୟଟନ ସ୍ଥଳୀରେ ସୁରକ୍ଷାକୁ ଗୁରୁତ୍ୱ ଦେବାକୁ କହିଛନ୍ତି। ଏଥିସହ ହୋଟେଲ୍ ଗୁଡ଼ିକରେ କଡ଼ାକଡ଼ି ଯାଞ୍ଚ ଲାଗି ନିର୍ଦ୍ଦେଶ ଦେଇଛନ୍ତି ଡିଜିପି।
ଏହି ଉତ୍ସବକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ କମିସନରେଟ୍ ପୁଲିସ ଅଣ୍ଟା ଭଡ଼ିଛି। କୌଣସି ପ୍ରକାର ବିଶୃଙ୍ଖଳା ନ ହେବା ପାଇଁ ଦିବସକୁ କଡ଼ା ସୁରକ୍ଷା ବଳୟରେ ରଖାଯାଇଛି। ଏନେଇ କମିଶନରେଟ୍ ପୁଲିସ ମୁଖ୍ୟାଳୟରେ ଶୁକ୍ରବାର ଅନୁଷ୍ଠିତ ସ୍ୱତନ୍ତ୍ର ବୈଠକରେ ପୁଲିସ କମିଶନର ସୁରେଶ ଦେବଦତ୍ତ ସିଂହ ଓ ଅତିରିକ୍ତ ପୁଲିସ କମିସନର ଉମାଶଙ୍କର ଦାସ ଯୋଗଦେଇଥିଲେ। ଏହି ଅବସରରେ ମାସ୍କଟ୍ ‘ହାଫି’ର ଲୋକାର୍ପଣ ହୋଇଯାଇଛି। ଏହା ପୁଲିସ ଓ ଲୋକଙ୍କ ମଧ୍ୟରେ ସୁସମ୍ପର୍କ ରକ୍ଷା କରିବା ସହ ଅତିଥିଙ୍କୁ ସ୍ୱାଗତ କରିବ। ସେହିଭଳି ଏହି ଅବସରରେ ସ୍ୱେଚ୍ଛାସେବୀ ‘ପ୍ରବାସୀ ମିତ୍ର’, ୨୪ଘଣ୍ଟିଆ ହେଲ୍ପ ଲାଇନ୍ ନମ୍ବର ‘୧୯୬୫’, ହ୍ୱାଟ୍ସଆପ୍ ଚାଟ୍ ବୋଟ୍ ଓ ସ୍ୱତନ୍ତ୍ର ପର୍ଯ୍ୟଟକ ଆପକୁ ପୁଲିସ କମିଶନର ଶ୍ରୀ ସିଂ ଲୋକାର୍ପଣ କରିଛନ୍ତି।
previous article:https://purvapaksa.com/attraction-in-the-city-tribal-village/
