ମୋହନଙ୍କ ପାଇଁ ଚାଲେଞ୍ଜ ଦରଦାମ ବୃଦ୍ଧି ଓ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା
୨୦୨୪ ମସିହା ଓଡିଶା ରାଜନୀତିରେ ଆଣିଥିଲା ବଡ଼ ପରିବର୍ତ୍ତନ । ୨୪ବର୍ଷର ବିଜେଡି ଶାସନରେ ବ୍ରେକ୍ ଲଗାଇଥିଲା ମସିହା ୨୪। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ କ୍ଷମତା ଗାଦି ଅକ୍ତିଆର କରିଥିଲା ବିଜେପି। ନବୀନଙ୍କ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହେବାର ସ୍ୱପ୍ନ ଓ ରେକର୍ଡ କରିବାର ଆଶା ଭାଙ୍ଗି ଚୁରମାର ହୋଇଗଲା। ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ପ୍ରଥମ ଥର ଆସିଲା ବିଜେପି। ଲୋକଙ୍କ ସରକାରର ନାରା ଲଗାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ତେବେ ଅନେକ ସମୟରେ ଭିନ୍ନ ଭିନ୍ନ କାରଣକୁ ନେଇ ବିରୋଧୀଙ୍କ ଟାର୍ଗେଟରେ ରହିଛନ୍ତି ସରକାର । ଓଡିଆ ଅଧିକାରୀଙ୍କୁ ପୂର୍ବତନ ରାଜ୍ୟପାଳ ରଘୁବର ଦାସଙ୍କ ପୁଅ ମାଡ ମାରିବା ହେଉ କି ମାଣ୍ଡିପଙ୍କାରେ ଆମ୍ବ କୋଇଲି ଜାଉ ଖାଇ ୩ଜଣଙ୍କ ମୃତ୍ୟୁ ଘଟଣା। ଦରଦାମ୍ ବୃଦ୍ଧି ହେଉ କି ଭରତପୁର ଥାନାରେ ନିର୍ଯାତନା ଘଟଣା । ବିଭିନ୍ନ ଘଟଣାରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ।
ଅଦିନିଆ ବର୍ଷା ଉଜାଡ଼ିଲା ସଂସାର
ଧାନ ଅମଳ ସମୟରେ ଅଦିନିଆ ବର୍ଷା ଯୋଗୁଁ ଉଜୁଡି ଯାଇଛି ଫସଲ । ଚାଷ ନଷ୍ଟ ଦୁଃଖରେ କେଉଁଠି ଚାଷୀ ହୃଦଘାତରେ ପ୍ରାଣ ହରାଇଛି ତ କେଉଁଠି ଋଣ ଶୁଝିବା ଚିନ୍ତାରେ ଆତ୍ମହତ୍ୟା କରିଛି । ଗତ ସପ୍ତାହକ ମଧ୍ୟରେ ରାଜ୍ୟରେ ୬ଜଣ ଚାଷୀଙ୍କର ମୃତ୍ୟୁ ହୋଇଛି । ବର୍ଷାରେ କ୍ଷତିଗ୍ରସ୍ତ ଚାଷୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିରୋଧୀ ସରକାରଙ୍କୁ ଜୋରଦାର ଘେରିଛନ୍ତି । ଏହାପରେ କ୍ଷତିଗ୍ରସ୍ତ ଅଞ୍ଚଳ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀ । ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଛନ୍ତି ।
ପୁଣି ଆମ୍ବ କୋଇଲି ଜାଉ ଖାଇ ମୃତ୍ୟୁ
କନ୍ଧମାଳ ଜିଲ୍ଲା ମାଣ୍ଡିପଙ୍କାରେ ଆମ୍ବ କୋଇଲି ଜାଉ ଖାଇ ୩ଜଣ ପ୍ରାଣ ହରାଇଲେ । ଘଟଣାକୁ ନେଇ ହୁଲସ୍ତୁଲ କଲେ ବିରୋଧୀ । ୩ମାସ ଧରି ଚାଉଳ ନପାଇବାରୁ ଭୋକ ବିକଳରେ ସେଠାକାର ଲୋକେ ଆମ୍ବ କୋଇଲି ଖାଇଥିବା ଅଭିଯୋଗ ହେଲା । ଉପମୁଖ୍ୟମନ୍ତ୍ରୀ ଓ ଯୋଗାଣ ମନ୍ତ୍ରୀ ଆମ୍ବ କୋଇଲିକୁ ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ କହି ସରକାରଙ୍କୁ ଘଣ୍ଟ ଘୋଡାଇବାକୁ ଉଦ୍ୟମ କଲେ । ହେଲେ ଏହାକୁ ନେଇ ଆହୁରି ତାତିଲେ ବିରୋଧୀ । କେବଳ ଭୋଟ୍ ପାଇଁ ଆଦିବାସୀଙ୍କ ପ୍ରତି ବିଜେପି ସରକାରର ମିଛ ଭଲ ପାଇବା ବୋଲି ଅଭିଯୋଗ କଲେ ।
ଦରଦାମ ବୃଦ୍ଧିରେ ବେହାଲ ଜନତା
ବିଜେପି ସରକାର କ୍ଷମତାକୁ ଆସିବା ପରେ ଆଳୁ ଦର ବୃଦ୍ଧି ପ୍ରାୟ ମାସେ ପର୍ଯ୍ୟନ୍ତ ଖାଉଟିଙ୍କୁ କଲବଲ କରିଥିଲା । ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବା ସହ ଓଡିଶାରେ ଆଳୁ ମହଙ୍ଗା ହୋଇଥିଲା । କେବଳ ଆଳୁ ନୁହେଁ ଗତ ୬ମାସ ମଧ୍ୟରେ ତେଲ, ଡାଲି, ପନିପରିବା ଦର ଆକାଶଛୁଆଁ ହୋଇଛି । ଓମଫେଡ୍ କ୍ଷୀରଠାରୁ ଆରମ୍ଭ କରି ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ମୁଣ୍ଡବିନ୍ଧାର କାରଣ ହୋଇଛି । ମହଙ୍ଗା ମାଡରେ ଗରିବ, ମଧ୍ୟବିତ୍ତ ହଇରାଣ ହୋଇଥିବା ବେଳେ ଏହାକୁ ପ୍ରସଙ୍ଗ କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ ।
ସରୁନି ତଦନ୍ତ
ବିଜେପି ସରକାର ସମୟରେ ହୋଇଥିବା ବିଭିନ୍ନ ଘଟଣାର ତଦନ୍ତ ଅଧାରେ ଅଟକିଥିବା ବେଳେ କାର୍ଯ୍ୟାନୁଷ୍ଠାନ ହୋଇପାରିନି। ରଥଯାତ୍ରା ସମୟରେ ପୂର୍ବତନ ରାଜ୍ୟପାଳଙ୍କ ପୁଅ ଓଡିଆ ଅଧିକାରୀଙ୍କୁ ମାଡ ମାରିଲେ । ହେଲେ ଓଡିଆ ଅସ୍ମିତାର ନାରା ଲଗାଇ କ୍ଷମତାକୁ ଆସିଥିବା ବିଜେପି ସରକାର ଚୁପ୍ ରହିଲେ । ତଦନ୍ତ କେତେବାଟ ଗଲା, ଆକ୍ସନ୍ କେବେ, ସେନେଇ ବିରୋଧୀ ବାରମ୍ବାର ପ୍ରଶ୍ନ କରିଥିଲେ ବି ସରକାର ନିରବ । ଆଡପ ମଣ୍ଡପ ବିଜେ ବେଳେ ପଡିଗଲେ ଶ୍ରୀବଳଭଦ୍ର, ତଦନ୍ତ ପାଇଁ କମିଟି ହେଲା । ନା ରିପୋର୍ଟ ସାର୍ବଜନୀନ ହେଲା ନା ଆକ୍ସନ୍ ହେଲା । ଚିକିଟିରେ ବିଷାକ୍ତ ମଦ ପିଇ ୫ଜଣଙ୍କ ଜୀବନ ଗଲା । ହେଲେ ଏଠିବି ତଦନ୍ତ କୁଆଡେ ଗଲା, ଜଣାପଡିଲାନି । ମାଣ୍ଡିପଙ୍କାରେ ୩ମୃତ୍ୟୁ ପାଇଁ ଦାୟୀ କିଏ? ସେ ଉତ୍ତର ବି ସରକାରଙ୍କ ପାଖରେ ନାହିଁ । ସେହିପରି ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ଘଟଣାକୁ ନେଇ ଅନେକ ତୁମ୍ବିତୋଫାନ ହେଲା । ବିରୋଧୀ ସରକାରଙ୍କୁ ସିଧାସଳଖ ଟାର୍ଗେଟ୍ କଲେ । ଆଇଆଇସିଙ୍କ ସହ ୫ ପୁଲିସ କର୍ମଚାରୀଙ୍କୁ ନିଲମ୍ବିତ କରାଗଲା । ହେଲେ ତଦନ୍ତ ଏବେବି ଚାଲିଛି ।
ପୋଲାଭରମ୍, ମହାନଦୀ, କୋଟିଆ ବିବାଦ ପ୍ରସଙ୍ଗରେ ବି ବିଜେପି ସରକାରକୁ ଘେରି ଆସୁଛନ୍ତି ବିରୋଧୀ । ଉଭୟ ଆନ୍ଧ୍ର ଓ ଛତିଶଗଡ଼ରେ ବିଜେପି କ୍ଷମତାରେ ରହିଥିଲେ ବି ଏସବୁ ସମସ୍ୟାର ସମାଧାନ ନେଇ ପ୍ରକ୍ରିୟା ଆରମ୍ଭ ହୋଇପାରିନି । ରାଜ୍ୟ ବିଜେପି ସରକାରଙ୍କ ସ୍ଥାଣୁତାକୁ ନେଇ ପ୍ରଶ୍ନ ଉଠିଛି । ଏହାଛଡା ଗ୍ରାମାଞ୍ଚଳରେ ବିକାଶ କାମ ବନ୍ଦ ହେଉ କି ମିଶନ ଶକ୍ତି ମହିଳାଙ୍କ ଦରମା ବନ୍ଦ କିମ୍ବା ରାଜ୍ୟରେ ମହିଳା ବିରୋଧୀ ଅପରାଧ ବୃଦ୍ଧି, ବିଭିନ୍ନ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଛନ୍ତି।
previous article:https://purvapaksa.com/pravasi-bharatiya-divas-preparations-in-the-final-stages/


