Pak-Taliban Conflict: ଆମକୁ ୯୦ ଦଶକକୁ ଫେରିବାକୁ ପଡ଼ିବ। ୧୯୯୦ମସିହାରେ ସୋଭିଏତ ୟୁନିୟନ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରୁଥିଲା। ଏହି ସମୟରେ ତାଲିବାନ ପାକିସ୍ତାନର ମଦ୍ରାସାରେ ଜନ୍ମ ନେଇଥିଲା । ତାଲିବାନକୁ ସାଉଦି ଆରବରୁ ପ୍ରାଥମିକ ପାଣ୍ଠି ମିଳିଥିଲା।
ପଶ୍ତୋ ଭାଷାରେ ବିଦ୍ୟାର୍ଥୀ (ଇସଲାମର ଶିକ୍ଷା ନେଉଥିବା)ଙ୍କୁ ‘ତାଲିବାନ’ କୁହାଯାଏ। ଯେଉଁ ଛାତ୍ରମାନେ ଇସଲାମିକ ମୌଳବାଦଦ୍ୱାରା ସମ୍ପୂର୍ଣ୍ଣ ଅନୁପ୍ରାଣିତ। ଯଦିଓ ଏହି ସଂଗଠନର କାହାଣୀ ବହୁତ ପୁରୁଣା, କିନ୍ତୁ ପ୍ରାୟ ତିନିବର୍ଷ ପୂର୍ବେ, ୨୦୨୧ରେ ଏହି ସଂଗଠନ ଆଫଗାନିସ୍ତାନରୁ ଆମେରିକୀୟ ସେନା ପ୍ରତ୍ୟାହାର ହେବା ପରେ ଚର୍ଚ୍ଚାକୁ ଆସିଥିଲା। ଏହି ସୁଯୋଗର ଫାଇଦା ଉଠାଇ ତାଲିବାନ ଆଫଗାନିସ୍ତାନକୁ ଦଖଲ କରି ନେଇଥିଲା। ଗତ ତିନିବର୍ଷ ମଧ୍ୟରେ ତାଲିବାନ ଆଫଗାନିସ୍ତାନ ମହିଳାଙ୍କ ଉପରେ ଲାଗୁ ହେଉଥିବା ଇସଲାମିକ ଆଇନ ପାଇଁ ଚର୍ଚ୍ଚାରେ ରହିଥିଲା, କିନ୍ତୁ ବର୍ତ୍ତମାନ ଏହି ସଂଗଠନ ପୁଣିଥରେ ଚର୍ଚ୍ଚାରେ ରହିଛି। ଏହି କାରଣରୁ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି।
ତାଲିବାନର ଜନ୍ମ
ତାଲିବାନର ଜନ୍ମ କେମିତି ହୋଇଥିଲା ଓ କେମିତି ପାକିସ୍ତାନ ଏହାକୁ ଗଢ଼ିବାରେ ସବୁଠାରୁ ଆଗରେ ଥିଲା? ଏହା ଜାଣିବା ପାଇଁ ଆମକୁ ଫ୍ଲାସ୍ ବ୍ୟାକ୍କୁ ଯିବାକୁ ପଡ଼ିବ। ତେବେ ଅତୀତକୁ ଯିବା ପୂର୍ବରୁ ଆମକୁ ବର୍ତ୍ତମାନର ସ୍ଥିତି ବିଷୟରେ ଜାଣିବା ଦରକାର। ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଡୁରାଣ୍ଡ ଲାଇନରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ବାସ୍ତବରେ, ଟିଟିପି ଆତଙ୍କବାଦୀମାନେ ୧୬ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଥିଲେ, ଯାହା ପରେ ପାକିସ୍ତାନୀ ବାୟୁସେନା ଆଫଗାନିସ୍ତାନର ପକ୍ତିକା ଏବଂ ଖୋଷ୍ଟ ପ୍ରଦେଶ ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା। ଆଫଗାନିସ୍ତାନର କ୍ଷମତାକୁ ନିୟନ୍ତ୍ରଣ କରୁଥିବା ତାଲିବାନ ଦାବି କରିଛି ଯେ ସେ ଡୁରାଣ୍ଡ ଲାଇନ ନିକଟରେ ଥିବା ପାକିସ୍ତାନୀ ସେନାର ଦୁଇଟି ପୋଷ୍ଟ ଉପରେ ଆକ୍ରମଣ କରି ଦଖଲ କରିଛି। ଏହି ଆକ୍ରମଣରେ ୧୯ ଜଣ ପାକିସ୍ତାନୀ ସୈନିକ ନିହତ ହୋଇଛନ୍ତି।
ଏବେ ଚାଲନ୍ତୁ ଅତୀତକୁ ଫେରିବା
ଆମକୁ ୯୦ ଦଶକକୁ ଫେରିବାକୁ ପଡ଼ିବ। ୧୯୯୦ମସିହାରେ ସୋଭିଏତ ୟୁନିୟନ ଆଫଗାନିସ୍ତାନରୁ ସୈନ୍ୟ ପ୍ରତ୍ୟାହାର କରୁଥିଲା। ଏହି ସମୟରେ ତାଲିବାନ ପାକିସ୍ତାନର ମଦ୍ରାସାରେ ଜନ୍ମ ନେଇଥିଲା। ପ୍ରଥମେ ତାଲିବାନ ଆଫଗାନିସ୍ତାନ ଏବଂ ପାକିସ୍ତାନର ପଶ୍ତୁନ ଅଞ୍ଚଳରେ ଉଗ୍ରବାଦୀ ଇସଲାମିକ ଆଇନ ଲାଗୁ କରିବା ପାଇଁ ଆନ୍ଦୋଳନ ଆରମ୍ଭ କରିଥିଲା। ଧୀରେ ଧୀରେ ଦକ୍ଷିଣ-ପଶ୍ଚିମ ଆଫଗାନିସ୍ତାନରେ ତାଲିବାନର ପ୍ରଭାବ ଦ୍ରୁତ ଗତିରେ ବୃଦ୍ଧି ପାଇଲା ଏବଂ ସେପ୍ଟେମ୍ବର ୧୯୯୫ରେ ତାଲିବାନ ଇରାନ ସୀମାରେ ଥିବା ହେରାଟ ପ୍ରଦେଶକୁ ଦଖଲ କରିଥିଲା। ଏହାର ଠିକ୍ ବର୍ଷକ ପରେ ତାଲିବାନ ଆଫଗାନିସ୍ତାନର ରାଜଧାନୀ କାବୁଲକୁ ଦଖଲ କରି ରାଷ୍ଟ୍ରପତି ବୁରହାନୁଦ୍ଦିନ ରବ୍ବାନୀଙ୍କୁ ଆଫଗାନିସ୍ତାନରେ କ୍ଷମତାରୁ ହଟାଇ ଦେଇଥିଲା।
ପ୍ରଥମେ ଆମେରିକାର ସମର୍ଥନ ଓ ପରେ ଶତ୍ରୁ
କୁହାଯାଉଛି ଯେ ପ୍ରାରମ୍ଭିକ ପର୍ଯ୍ୟାୟରେ ଆମେରିକା ସୋଭିଏତ ୟୁନିୟନ ସହ ଗରିଲା ଯୁଦ୍ଧ ଲଢ଼ୁଥିବା ତାଲିବାନ ଲଢୁଆମାନଙ୍କୁ ସାହାଯ୍ୟ କରିଥିଲା। ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଓ ଟଙ୍କା ଦେଇଥିଲେ। ଧୀରେ ଧୀରେ ଏହି ସଂଗଠନ ଅଧିକ ଶକ୍ତିଶାଳୀ ହେଲା। ତେବେ ୯/୧୧ ଆକ୍ରମଣ ସମୟରେ ତାଲିବାନ ଆତଙ୍କବାଦୀଙ୍କୁ ଆଶ୍ରୟ ଦେଉଥିବା ଅଭିଯୋଗ ହୋଇଥିଲା। ଏହାପରେ ଆମେରିକା ତାଲିବାନ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲା। ଆଫଗାନିସ୍ତାନରୁ ତାଲିବାନକୁ ହଟାଇବା ପାଇଁ ସୈନ୍ୟ ପଠାଇଥିଲା ଏବଂ ୨୦୦୧ରେ ଆଫଗାନିସ୍ତାନରେ ତାଲିବାନକୁ କ୍ଷମତାରୁ ହଟାଇଥିଲା।
ତାଲିବାନକୁ ସଞ୍ଜିବନୀ ଦେଇଥିଲା ପାକିସ୍ତାନ
ଆମେରିକା ଏବଂ ସହଯୋଗୀ ରାଷ୍ଟ୍ରମାନଙ୍କର ଉଦ୍ଦେଶ୍ୟ ଥିଲା ତାଲିବାନକୁ ସମ୍ପୂର୍ଣ୍ଣ ନିପାତ କରିବା। ଆମେରିକା କାବୁଲରେ ତାଲିବାନକୁ କ୍ଷମତାରୁ ହଟାଇ ଦେଇଥିଲ ସତ, କିନ୍ତୁ ତାଲିବାନକୁ ପାକିସ୍ତାନର ସମର୍ଥନ ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ଜାରି ରହିଥିଲା। ଯଦିଓ ପାକିସ୍ତାନ ଏହାକୁ ଅସ୍ୱୀକାର କରୁଛି, ଏହା ସତ ଯେ ତାଲିବାନ ଆନ୍ଦୋଳନ ପାକିସ୍ତାନର ମଦ୍ରାସାରୁ ଉତ୍ପନ୍ନ ହୋଇଥିଲା ଏବଂ ଯେତେବେଳେ ଆଫଗାନିସ୍ତାନ ଉପରେ ତାଲିବାନର ନିୟନ୍ତ୍ରଣ ଥିଲା, ସେତେବେଳେ ତାଲିବାନ ସରକାରକୁ ସ୍ୱୀକୃତି ଦେଇଥିବା ବିଶ୍ୱର ତିନିଟି ଦେଶ ମଧ୍ୟରୁ ପାକିସ୍ତାନ ଅନ୍ୟତମ ଥିଲା। ପାକିସ୍ତାନ ବ୍ୟତୀତ ତାଲିବାନକୁ ସାଉଦି ଆରବ ଏବଂ ୟୁନାଇଟେଡ ଆରବ ଏମିରେଟ୍ସ ମଧ୍ୟ ସ୍ୱୀକୃତି ଦେଇଥିଲେ।
ବିମାନର କେଉଁ ସିଟ୍ ସବୁଠାରୁ ସୁରକ୍ଷିତ ? କେଉଁଠାରେ ବସିଲେ ଦୁର୍ଘଟଣା ପରିସ୍ଥିତିରେ ବଞ୍ଚିବାର ଅଛି ସମ୍ଭାବନା
