Vice chanceller: ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୦ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ରାଜ୍ୟ ସରକାର ଏହାର ମୂଳ ନିୟମ ଅର୍ଥାତ ଓଡ଼ିଶା ବିଶ୍ୱବିଦ୍ୟାଳୟ ନିୟମ ୧୯୮୯ରେ ସଂଶୋଧନ କରିଛନ୍ତି।
ରାଜ୍ୟର ୭ଟି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ଖାଲି ପଡ଼ିଛି କୁଳପତି ପଦ। ଏହି ବିଶ୍ୱବିଦ୍ୟାଳୟରେ କେବେ ନୂତନ କୁଳପତିଙ୍କୁ ନିଯୁକ୍ତି ଦିଆଯିବ ସେ ସମ୍ପର୍କରେ କାହା ପାଖରେ ସ୍ପଷ୍ଟ ଉତ୍ତର ନାହିଁ। ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ ୨୦୨୦ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ରାଜ୍ୟ ସରକାର ଏହାର ମୂଳ ନିୟମ ଅର୍ଥାତ ଓଡ଼ିଶା ବିଶ୍ୱବିଦ୍ୟାଳୟ ନିୟମ ୧୯୮୯ରେ ସଂଶୋଧନ କରିଛନ୍ତି। ନୂତନ ନିୟମକୁ କ୍ୟାବିନେଟ୍ରେ ମଞ୍ଜୁରୀ ମିଳିସାରିଛି; ହେଲେ ବିଧାନସଭାରେ ଏ ସମ୍ପର୍କିତ ବିଲ୍କୁ ସରକାର ଆଗତ ଓ ପାରିତ କରିପାରିନଥିବାରୁ ଆଇନରେ ପରିଣତ ହୋଇପାରିନାହିଁ। କେଉଁ ନିୟମରେ କୁଳପତି ନିଯୁକ୍ତି କରାଯିବ ସେ ନେଇ ରାଜ୍ୟ ସରକାର ଦୋଛକିରେ ଥିବାବେଳେ ପ୍ରମୁଖ ବିଶ୍ୱବିଦ୍ୟାଳୟଗୁଡ଼ିକର କୁଳପତି ପଦ ଖାଲି ପଡ଼ିବା ଶୈକ୍ଷିକ ବାତାବରଣକୁ ପ୍ରଭାବିତ କରୁଛି।
କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟ ଏବଂ ଜୟପୁର ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ ଏପର୍ଯ୍ୟନ୍ତ କୁଳପତି ନିଯୁକ୍ତ ହୋଇନାହାନ୍ତି। ଏଠାରେ ପ୍ରଶାସନିକ କାର୍ଯ୍ୟ ପରିଚାଳନା ପାଇଁ ସ୍ୱତନ୍ତ୍ର କାର୍ଯ୍ୟରତ ଅଧିକାରୀ ବା ଓଏସ୍ଡିଙ୍କୁ ନିଯୁକ୍ତ କରାଯାଇଛି। ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ କୁଳପତି ପଦ ଖାଲି ପଡ଼ିଛି। ପୂର୍ବରୁ ଏଠାରେ ଓଡ଼ିଆ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସବିତା ପ୍ରଧାନଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଥିବାବେଳେ ସମ୍ପ୍ରତି ଓଡ଼ିଆ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ ଦାୟିତ୍ୱରେ ଅଛନ୍ତି। ଏହି ୩ ବିଶ୍ୱବିଦ୍ୟାଳୟରେ କୁଳପତି ନିଯୁକ୍ତି ପାଇଁ ସରକାର କୌଣସି ପଦକ୍ଷେପ ବା ବିଜ୍ଞପ୍ତି ପ୍ରକାଶ କରି ନାହାନ୍ତି।
ଅନ୍ୟପକ୍ଷରେ ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଓ ବାରିପଦା ସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତି ପାଇଁ ଗତ ଜୁନ୍ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏଥିପାଇଁ ଆଶାୟୀମାନେ ଆବେଦନ କରିଥିଲେ ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଅଧାରେ ଅଟକିଛି। ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ପାଇଁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ଓ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପାଇଁ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଅସ୍ଥାୟୀ ଦାୟିତ୍ୱ ଦିଆଯାଇଛି। ନିକଟରେ କଳାହାଣ୍ଡି ଭବାନୀପାଟଣା ସ୍ଥିତ ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର୍ ସଞ୍ଜୟ ଶତପଥୀଙ୍କ ପରଲୋକ ଘଟିଛି ଓ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ଅପରାଜିତା ଚୌଧୁରୀ ଇସ୍ତଫା ଦେଇଛନ୍ତି। ଏହି ଦୁଇଟି ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷଙ୍କୁ ଅସ୍ଥାୟୀଭାବେ କୁଳପତି ଦାୟିତ୍ୱ ପ୍ରଦାନ କରାଯାଇଛି। ସମୁଦାୟ ୭ଟି ବିଶ୍ୱବିଦ୍ୟାଳୟରେ କୁଳପତି ପଦ ଫାଙ୍କା ପଡ଼ିଥିବାରୁ ଶୈକ୍ଷିକ ପରିବେଶ ପ୍ରଭାବିତ ହେଉଛି। ଆଗକୁ ବିଭିନ୍ନ ପରୀକ୍ଷା ଥିବାରୁ ପରୀକ୍ଷା ପରିଚାଳନା କରିବା ଅନ୍ୟ ଏକ ଆହ୍ୱାନ ସୃଷ୍ଟି କରିଛି।
ନଭେମ୍ବର ଶେଷ ସୁଦ୍ଧା କାର୍ଯ୍ୟକାଳ ସରୁଥିବା ଉତ୍କଳ, ରମାଦେବୀ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ନଭେମ୍ବର ୨୧ରେ ଆଉ ୬ମାସ ଲେଖାଏଁ ବୃଦ୍ଧି କରାଯାଇଛି। ଆସନ୍ତା ମେ ମାସ ସରିବାବେଳକୁ ସେମାନଙ୍କ କାର୍ଯ୍ୟକାଳ ସରିବ। ଇତି ମଧ୍ୟରେ ରମାଦେବୀ କୁଳପତି ଇସ୍ତଫା ଦେଇଥିବାରୁ ମେ ମାସ ପରେ ଉତ୍କଳ ଓ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପଦ ମଧ୍ୟ ଖାଲି ପଡ଼ିବ। ରାଜ୍ୟରେ ବିଶ୍ୱବିଦ୍ୟଳୟଗୁଡ଼ିକରେ କୁଳପତି ନିଯୁକ୍ତିରେ ସମସ୍ୟା ଶୈକ୍ଷିକ ବାତାବରଣକୁ ପ୍ରଭାବିତ କରିଛି ଏବଂ ସରକାରଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
Also readhttps://purvapaksa.com/jagannath-darshan-in-new-year/
