ଓଡ଼ିଶାର ବିକାଶ ପାଇଁ ତାଙ୍କ ଅବଦାନ ଅତୁଳନୀୟ
ବାଜପେୟୀ ଜୀ ଥିଲେ ଜଣେ ଦେବୋପମ ବ୍ୟକ୍ତି । ତାଙ୍କ ଜୀବନର ଗଭୀରତା, ସଦ୍ଗୁଣ ଓ ଆଦର୍ଶ ତାଙ୍କୁ ଦେବତାଙ୍କ ସହିତ ତୁଳନୀୟ କରିଥିଲା । ତାଙ୍କର ବ୍ୟକ୍ତିତ୍ୱ ଥିଲା ଶାନ୍ତ, ସ୍ନିଗ୍ଧ, ସରଳ ଓ ନମ୍ର । ଦଳମତ ନିର୍ବିଶେଷରେ ସେ ଥିଲେ ସମସ୍ତଙ୍କ ପ୍ରିୟ । ତାଙ୍କର ରାଜନୈତିକ ବିରୋଧୀ ଥିଲେ । କିନ୍ତୁ କେହି ଶତ୍ରୁ ନଥିଲେ । ତେଣୁ ସେ ଥିଲେ ଅଜାତଶତ୍ରୁ । ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଅବସରରେ ସୁଶାସନ ଦିବସ ପାଳନ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି।
ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସ୍ଥାନୀୟ OUAT କୃଷି ସେବା ସଦନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ କହିଥିଲେ ଯେ ଜଣେ ଉଦାର ହୃଦୟ ଜନନାୟକ, ସଫଳ ପ୍ରଧାନମନ୍ତ୍ରୀ, ଓଜସ୍ୱିନୀ ବକ୍ତା ଓ ଜଣେ ପ୍ରସିଦ୍ଧ କବି ଭାବେ ଭାରତ ବର୍ଷର ରାଜନୈତିକ ଇତିହାସରେ ସ୍ୱର୍ଗତ ବାଜପେୟୀଙ୍କ ନାମ ଚିରଦିନ ପାଇଁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ । ବାଜପେୟୀଜୀ ଥିଲେ ଜଣେ ଯୁଗପୁରୁଷ । ବିଂଶ ଶତାବ୍ଦୀର ଶେଷ ଭାଗରେ ଓ ଏକବିଂଶ ଶତାବ୍ଦୀର ପ୍ରାରମ୍ଭରେ ସେ ଦେଶର ନେତୃତ୍ୱ ନେଇ ସାରା ଦେଶକୁ ଏକ ନୂଆ ଦିଗ୍ଦର୍ଶନ ଦେଇଥିଲେ ।
ଦେଶର ଘଡିସନ୍ଧି ମୁହୂର୍ତ୍ତରେ ତାଙ୍କର ସଫଳ ନେତୃତ୍ୱ ହିଁ ପ୍ରମାଣିତ କରିଥିଲା ଯେ, ଏକବିଂଶ ଶତାବ୍ଦୀ ହେବ ଭାରତର ଶତାବ୍ଦୀ । ତାଙ୍କ ଶାସନରେ ଦେଶର ବିକାଶର ଗତି ଏକ ନୂତନ ଶିଖର ଛୁଇଁ ଥିଲା । ଅର୍ଥନୈତିକ ପ୍ରଗତି ଓ ଭିତ୍ତିଭୂମିର ବିକାଶ ତାଙ୍କ ଶାସନର ଏକ ଉଜ୍ଜ୍ୱଳ ଅଧ୍ୟାୟ ଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ବାଜପେୟୀଙ୍କୁ ଜଣେ ସୁଶାସକ ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଲେ ଯେ ତାଙ୍କ ସମୟରେ ଦେଶର ଆର୍ଥିକ ପ୍ରଗତି ନୂତନ ଶିଖର ଛୁଇଁ ଥିଲା।
ଯଦି ଆମେ ଭାରତର ବିକାଶର ଇତିହାସକୁ ଦେଖିବା ତେବେ ବାଜପେୟୀଙ୍କ ସମୟ ହେଉଛି ଭିତ୍ତିଭୂମି ବିକାଶର ଏକ ନୂତନ ଅୟମାରମ୍ଭ । ସ୍ୱର୍ଣ୍ଣ ଚତୁର୍ଭୁଜ ଯୋଜନାରେ ଭାରତର ଚାରି ମହାନଗରୀକୁ ଯୋଡି ସେ ବିକାଶକୁ ଏକ ନୂଆ ଗତି ଦେଇଥିଲେ । ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ସେ ଦେଶର ଗାଁ ଗୁଡିକରେ ସିମେଣ୍ଟ କଂକ୍ରିଟ ରାସ୍ତା କରି ଗ୍ରାମ୍ୟ ଭିତ୍ତିଭୂମି ସୁଦୃଢ କରିଥିଲେ। ବାଜପେୟୀଙ୍କ ସୁଦୂର ପ୍ରସାରି ଚିନ୍ତାଧାରା ଗାଁ’ର ପରିବେଶ ଓ ଗ୍ରାମ୍ୟ ଅର୍ଥନୀତିରେ ଏକ ବ୍ୟାପକ ପରିବର୍ତ୍ତନ ଆଣି ପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ବାଜପେୟୀଙ୍କ ସଂପର୍କରେ କେତେକ କାହାଣୀ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସେ ଥିଲେ ଜଣେ ସର୍ବ ମାନ୍ୟ ନେତା। ନିଜ ଆଦର୍ଶ ସହିତ ବାଜପେୟୀ କେବେ ବି ସାଲିସ କରି ନ ଥିଲେ ବୋଲି ସେ କହିଥିଲେ।
ନରସିଂହ ରାଓ ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ କିପରି ଜାତିସଂଘରେ ପାକିସ୍ତାନର ଚାଲ୍ କୁ ପ୍ରତିହତ କରିବାରେ ସଫଳ ହୋଇଥିଲେ, ୧୯୯୯ ରେ ସରକାର ବଞ୍ଚାଇବା ପାଇଁ ସେ କିପରି ରାଜନୈତିକ ମୂଲ୍ୟବୋଧ ସହିତ ସାଲିସ କରି ନ ଥିଲେ ଆଦି ବିଭିନ୍ନ ବିଷୟରେ ମୁଖ୍ୟମନ୍ତ୍ରୀ ତାଙ୍କ ବକ୍ତବ୍ୟରେ ବର୍ଣ୍ଣନା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଦେଶରେ ଗଣତନ୍ତ୍ରର ସୁରକ୍ଷା ପାଇଁ, ନିଜ ନୀତି ଆଦର୍ଶ କିମ୍ବା ବାବା ସାହେବଙ୍କ ପ୍ରଣିତ ସମ୍ବିଧାନର ଆତ୍ମାର ସୁରକ୍ଷା ପାଇଁ ନିଜ ସରକାରକୁ ଉତ୍ସର୍ଗ କରିଦେଇଥିଲେ କେବଳ ଗୋଟି ଭୋଟ ପାଇଁ। ଏହି ଦୁଇଟି ପ୍ରସଙ୍ଗରୁ ଅଟଳ ବିହାରୀ ବାଜପେୟୀଙ୍କ ନେତୃତ୍ଵ, ତାଙ୍କର ଦୁରଦୃଷ୍ଟି ଏବଂ ଦେଶ ତଥା ଗଣତନ୍ତ୍ର ପ୍ରତି ତାଙ୍କର ଆବେଗ ସହଜରେ ଅନୁମେୟ ବୋଲି ସେ କହିଥିଲେ ।
ଅଟଳ ବିହାରୀ ବାଜପେୟୀ ଏମିତି ଏକ ନେତୃତ୍ଵ ଥିଲେ, ଯାହାଙ୍କ ବ୍ୟକ୍ତିତ୍ୱ ଅନ୍ୟ ବିରୋଧୀ ଦଳଙ୍କୁ ଆକର୍ଷିତ କରିଥିଲା ଏବଂ ଭାରତରେ ଏକ ନୂଆ ପ୍ରକାର ରାଜନୀତିର ଅଭ୍ୟୁଦୟ ହୋଇଥିଲା। ବିଭିନ୍ନ ବିଚାରଧାରାରେ ବିଶ୍ୱାସ କରୁଥିବା ରାଜନୈତିକ ଦଳଙ୍କୁ ନେଇ ଦେଶପାଇଁ ଗଠନମୂଳକ କାର୍ଯ୍ୟ କରିବାର କଳା, କୌଶଳ ତାଙ୍କର ଥିଲା। ବାଜପେୟୀଙ୍କ ନେତୃତ୍ୱରେ ପୋଖରନ୍ ରେ ପରମାଣୁ ପରୀକ୍ଷଣ, କାରଗିଲ ଯୁଦ୍ଧରେ ବିଜୟ ଆଜି ଦୃଢ଼ ପଦକ୍ଷେପ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ବର୍ଣ୍ଣନା କରିଥିଲେ।
ଶେଷରେ ମୁଖ୍ୟମନ୍ତ୍ରୀ ବାଜପେୟୀଙ୍କ ଏକ କାଳଜୟୀ ପଂକ୍ତି ସହିତ ଅଭିଭାଷଣ ଶେଷ କରିଥିଲେ।
କ୍ୟା ହାର୍ ମେଁ, କ୍ୟା ଜିତ୍ ମେଁ,
କିଞ୍ଚିତ୍ ନେହିଁ ଭୟଭୀତ୍ ମେଁ ।
କର୍ତ୍ତବ୍ୟ ପଥ୍ ପର୍ ଯୋ ଭି ମିଲା,
ୟହ ଭି ସହି, ଓ ଭି ସହି,
ବରଦାନ୍ ନେହିଁ ମାଙ୍ଗୁଗାଁ ।
ହୋ କୁଛ,ପର୍, ହାର୍ ନେହିଁ ମାନୁଙ୍ଗା
ପର୍, ହାର୍ ନେହିଁ ମାନୁଙ୍ଗା ।।
ସ୍ୱାଗତ ଭାଷଣ ଦେଇ ସୂଚନା ଓ ଲୋକ ସମ୍ପର୍କ ବିଭା ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ କହିଲେ ଯେ ସେବା ଭାବ, ସମ୍ବେଦନଶୀଳତା ଓ ଉତ୍ତରଦାୟିତ୍ୱ ମାଧ୍ୟମରେ ବାଜପେୟୀ ସୁଶାସନ ପ୍ରତିଷ୍ଠା କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ବାଜପେୟୀଙ୍କ ଜୀବନୀ ଉପରେ ଆଧାରିତ ଏକ ଫଟୋ ଚିତ୍ର ପ୍ରଦର୍ଶନୀ ବୁଲି ଦେଖିଥିଲେ। ଭାରତ ରତ୍ନ ଅଟଳ ବିହାରୀ ଓ ସାମାଜିକ ସମଦର୍ଶିତା ନାମକ ଦୁଇଟି ପୁସ୍ତକ ଉନ୍ମୋଚନ କରିଥିଲେ। କାର୍ଯ୍ୟକ୍ରମର କବିମାନେ କବିତା ପାଠ କରିବା ସହ ଅଟଳ ବିହାରୀ ବାଜପେୟୀଜୀଙ୍କର ସ୍ମୃତିଚାରଣ କରିଥିଲେ। କବିତାମାନଙ୍କର ଅଟଳଜୀଙ୍କ ଦେଶମାତୃକା ପ୍ରତି ରହିଥିବା ତ୍ୟାଗ ଓ ସମ୍ମାନ ପ୍ରସ୍ଫୁଟିତ ହୋଇଉଠିଥିଲା।
previous article:https://purvapaksa.com/afghanistan-taliban-government-claims-46-killed-pakistans-air-strike/
